STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଅଧୁରା କାହାଣୀ

ଅଧୁରା କାହାଣୀ

1 min
578

କେବେ ଆକାଶରୁ ମାଟିକୁ 

ଓ ପୁଣି ମାଟିରୁ ଆକାଶକୁ

ମୁଁ ଫେରୁଛି ଓ ଫେରି ଚାଲିଛି

କାହିଁ କେତେ କାଳୁ କେଜାଣି କେଉଁଠୁ କେଉଁଠାକୁ !


ନା ମୋ ଭିଟାମାଟିର ଚିତ୍ର ମନେ ଅଛି

ନା କେଉଁ ଠିକଣା ପାଇଛି

ପଛରେ ଅନେକ ଅତୀତ

ଓ ଆଗରେ ଅସରନ୍ତି ଭବିଷ୍ୟତ

ଖାଲି ଯାହା ପଥ ଓ ପାନ୍ଥଶାଳାର

ବିସ୍ମିତ ପ୍ରହେଳିକା ଭିତରେ

ମୁଁ ସାଜିଛି ବାଧ୍ୟ ପଥିକଟିଏ। 


ପୂର୍ଣ୍ଣଛେଦ ଓ ପରିଚ୍ଛେଦର ଭିଡ଼ ଭିତରେ

ମୁଁ ଲମ୍ବି ଯାଇଛି ପୃଷ୍ଠା ପରେ ପୃଷ୍ଠା ହୋଇ

କ୍ରମଶଃର ହିଡ ଡେଇଁ ଡେଇଁ

ଖୁସିରେ କୁରୁଳି ଉଠିଛି

ପୁଣି ଦୁଃଖରେ ଝାଉଁଳି ପଡ଼ିଛି

କିନ୍ତୁ ମୁଁ ବହିଚାଲିଛି 

ଏକ ଅଦେଖା ତ୍ରିକୋଣ ଭୂମିକୁ

ଢଳଢଳ କବିତାଟେ ହୋଇ। 


ଜାଣିନି କେତେ ବାକି ଅଛି

କିନ୍ତୁ ଲାଗୁଛି ଅନେକ ବାକି ଅଛି

ଚଲା ବାଟ ଫେରିବାକୁ ମୋତେ

ମୁଁ ତ ନିଜେ ଆସି ନଥିଲି

ଓ ମୁଁ ନିଜେ ବି ଫେରୁନି

ଯିଏ ଏଠି ଆଣିଥିଲା ଟାଣି

ଜାଣେ ନିଶ୍ଚେ ଫେରେଇ ନେବ ମୋତେ। 


ଆଦେଖା ସେ ନିର୍ଦ୍ଦେଶକ ଜଣେ

ଯାହା ଆଜ୍ଞାରେ ମୁଁ ଭ୍ରମେ ଏଣେତେଣେ

କେଜାଣି ଏ କାହାଣୀର କି ଅଛି ଶୀର୍ଷକ

ଉପସଂହାର ଆଉ ଅଛି କେତେ ଦୂର

ସମାପ୍ତି କେଜାଣି କେବେ ଏ ଅଧୁରା କାହାଣୀର

ସଂଶୟ ଓ ଦ୍ଵନ୍ଦ୍ୱର ଏ ପ୍ରହେଳିକା ଭିତରେ

ଜୀବନ ବହିଯାଏ ଘଟଣା ପ୍ରବାହେ

କେବେ ଏକ ଅଧା କାହାଣୀଟେ ହୋଇ

କେବେ ଏକ ଅସମାପ୍ତ କବିତାଟେ ହୋଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍