ଅବଲୋକରା
ଅବଲୋକରା
1 min
589
ସବୁ ଧ୍ବନିର ଉତ୍ତର
ପ୍ରତିଧ୍ବନି ନୁହେଁ।
ହିଂସାର ଶବଦାହ
ହୁଏ ନାହିଁ ପ୍ରତିହିଂସାର ଜୁଇରେ।
କିଏ ନିଶ୍ଚୟ କରିବ,
ଆଘାତଟିଏ ଦେଲେ
ପ୍ରତିଘାତ ଅବଶ୍ଯ ମିଳିବ।।
ବନ୍ଧୁକର ଜବାବ୍ ଗୁଳି ନୁହେଁ ।
ଶବ୍ଦର ବୋଝରେ ନଉଁଥିବା
ଶ୍ରମିକ କବି ନୁହେଁ।
କ୍ରିୟାର ପ୍ରତିବାଦରେ ପ୍ରତିକ୍ରିୟା
ସମୀକରଣର ନୁହେଁ ଶେଷ।
ହୁଏ ନାହିଁ କେହି ନୀଳକଣ୍ଠ
ପାନ କରି ପିଆଲା ପିଆଲା ବିଷ।।
ପୁଣ୍ଯ ବି ଖୋଜାଯାଏ
ପାପର ପୌନଃପୁନିକତାରେ।
ମିଛବି ମହକେ କେବେ
ସତ୍ଯର ସନ୍ଦିଗ୍ଧ ବନରେ।
ପରକୀୟା ଅଭାବରେ ନୁହେଁ
ଭାବ ବି କୂଳଲଂଘି ଯାଏ।।
ଏମିତି ଜୀବନ,
ଅନିଚ୍ଛାରେ ଇଚ୍ଛା ସହ ଭେଟ।
ଛାଇ ଆଲୁଅର ସାକ୍ଷାତ
ଅଲୌକିକ ହୁଏ ଅକସ୍ମାତ।।
ଅନ୍ଧାର ଫାଟିଲେ ଆଲୋକ
ଶେଷର ପୁର୍ନଜନ୍ମ ହିଁ ଆରମ୍ଭ।
ଆଶା ପୁଣି କେବେ ମରିଚିକା
ଜୀବନ ଏକ ଅଜବ ଆଶ୍ଚର୍ଯ୍ୟ। ।
