ଅଭିନୟ
ଅଭିନୟ
ଜୀବନର ରଙ୍ଗମଞ୍ଚେ ରଙ୍ଗ ବୋଳିହୋଇ
ଅଭିନୟ ଖାଲି ଅଭିନୟ,
କେତେବେଳେ କଳାଧଳା କେତେ ନାଲିନେଳୀ
ନେଉଥାଏ ମଞ୍ଚରୁ ବିଦାୟ |୧|
ଏମିତିକା ଜୀବନଟେ ନାଟକର ଭାଷା
ପ୍ରେମ ପ୍ରତାରଣା ନେଇ,
ସିଧା ସଡ଼କର ଚାଲି ତାତିଯାଏ ବାଲି
କେବେ ଥଣ୍ତା ଜଳବିନ୍ଦୁ ଦେଇ |୨|
ଅଭିନୟ ଆକାଶର ବାଦଲ ସାଥିରେ
ଝରା ଜଳ କାଦୁ ଝର ଝରେ ,
ମାଟିରୁ ଆକାଶ ଯାଏ ରଙ୍ଗ ବେରଙ୍ଗର
ଅଭିନୟ କରୁଥାଏ ଥରେ |୩|
ମୁଖ ଭାଷା କେତେ ଋଷା ପଛେ ମଧୁକଥା
ଆଖି ଭାଷା ବୁଝେ ମରମରେ,
ମରୁବାଲି ମଧୁଝରା ଆବେଗ ଆଭାରେ
ଥିରି ଥିରି ଝୁଲେ ସରାଗରେ |୪|
ଅଭିନୟ କରୁଥାଏ ଆଶା ପ୍ରତ୍ଯାଶାରେ
ନିଜକୁ ନିଜେ ଠକି ମରୁଥାଏ,
ଭକତି ଭାବରେ ବନ୍ଧା ଅଭିନୟ ସାର
ଜୀବନର ଖୋଲା ଫର୍ଦ୍ଦଟିଏ |୫|
ଅଭିନୟ କରୁଥାଏ ପ୍ରତିଟି ପାଦରେ
ଛକି ଛକି ପ୍ରଜାପତି ସାଥେ,
ମୋର ଅଭିନୟ କିନ୍ତୁ ଖାଲି ସଫା କାଚ
ଚାଲୁଥାଏ ପ୍ରଭୁ ପଛେ ପଛେ |୬|