ଅଭିମାନିନୀ ଗୋ
ଅଭିମାନିନୀ ଗୋ
``~~~~~~
( ଉଷାରାଣୀ ପଣ୍ଡା )
ଚନ୍ଦ୍ରାନନୀ ମୋ ମାନିନୀ
ଦରଦ ଭରିଛୁ ପ୍ରାଣେ ,
ନେତ୍ରରୁ ଲୋତକ ଢାଳି
ବସିଛୁ ବିରସ ମନେ ।
ବଦନେ ଗୁମାନ ନଈ
ଉଛୁଳି ଉଠୁଛି ସହୀ ,
ଶୁଖିଛି ଚନ୍ଦ୍ରବଦନ
ଥରେ ତ ' ଚାହିଁଲୁ ନାହିଁ ।
ହୃଦେ କି ଭରିଛୁ ବ୍ୟଥା
ଅଛି କି ଗୁପତ କଥା ,
ଶୁଣ ଥରେ ମୋ ବାରତା
କହିବି ମୋ ହୃଦକଥା ।
ମରମେ ସାଇତା ଭାଷା
କହିବି ବୋଲିକି ଆଶା,
କରିଛି ଗଳାର ମାଳା
ଭରିଛି ମନେ ଭରସା ।
ମାନଭରା ତୋ ' ଆନନ
ଦେଖି ହୃଦ ହୁଏ କ୍ଷୀଣ ,
ବାତୁଳ ପ୍ରାୟ ଏ ମନ
ଫେଡ ଗୋ ମାନ ବହନ ।
ବିରହ ଜ୍ବାଳାରେ ସହୀ
ନିରତେ ନୀର ଝରାଇ,
ବସିଛି ଚକୋର ପ୍ରାୟ
ଦିନ ମୁଁ ଦେବି ବିତାଇ ।
କରେ କର ଧରି ସଖୀ
ଟେକ ତୁ ମଥାକୁ ଥରେ ,
ଚାହାଁ ଥରେ ଚନ୍ଦ୍ରାନନା
ଅଚଳ ହେଲି ଅଧିରେ ।
ତୋ ବିନା ଗୋ ପ୍ରାଣସହୀ
ଦଣ୍ଡେ ମୁଁ ବଞ୍ଚିବି ନାହିଁ ,
କରିଛୁ କି ମୋତେ ବାଇ
ପ୍ରୀତିର ଜହର ଦେଇ ।
ମୋହନ ମୂରଲୀ ମୋର
ଡାକୁଛି ଗୋ ବାରବାର ,
କୁଞ୍ଜେ ଗୋ କରିବା ଲୀଳା
ମାନ ତୁ ଭଞ୍ଜନ କର ।