ଅଭିମାନ ତେଜ ଅଭିମାନିନି ଗୋ
ଅଭିମାନ ତେଜ ଅଭିମାନିନି ଗୋ
ଅଭିମାନ ତେଜ ଅଭିମାନିନି ଗୋ
କାହିଁକି କରୁଛ ଲାଜ
ବୃଥା ଅଭିମାନ ତେଜ ଗୋ ମାନିନି
ଶିଘ୍ର ହୋଇଯାଅ ସଜ।
ସଂସ୍କାର ପ୍ରାଚୀର ହୋଇଗଲା ଦୂର
ଦିଅନା ସଂସ୍କାରେ ମନ
ମନ ଇଚ୍ଛା ତୁମେ ଉପଭୋଗ କର
ନିଜେ ନିଜର ଜୀବନ।
ସମାଜ ଶୃଙ୍ଖଳ ହୋଇଗଲା ଦୂର
ନାଚ ଏବେ ଥେଇଥେଇ
ଡିଜେର ଶବ୍ଦରେ ଫାଟୁଅଛି ମହୀ
ତୁମ ତାଳ ଶୁଭୁ ନାହିଁ।
ପଚାରିବା ତୁମ ଦରକାର ନାହିଁ
ଯୁଆଡେ ଯିବରେ ଯାଅ
ଗୁରୁଜନେ ତୁମ ରାସ୍ତା ରୋକିବେନି
ଢାଳିବନି ଆଖି ଲୁହ।
ଆଇନଟା ଦେଖ ସଜ କରିଦେଲା
ସୁବିଧା ତୁମର କଲା
ଡର ରଖ ନାହିଁ ଭୟ କର ନାହିଁ
(ତୁମେ)ବିଜ୍ଞାନ ଯୁଗର ପିଲା।
ସମୟର ଆଉ ପାବନ୍ଧି ନାହିଁ ରେ
ସବୁଠି ସବୁ ସୁବିଧା
ଯାହା କରିଲେ ବି ଫରକ ପଡିବନି
କାମ ରହିବନି ଅଧା।
ଅଭିମାନ ପାଇଁ ଲେଖିଲି କବିତା
ମାନ ଅଭିମାନ କରି
ସଂସ୍କାରିତ ମନ କୁସଂସ୍କାରୀ ହେଲା
ସ୍ବାଭିମାନ ନେଲା ହରି।
ଅଭିମାନ ପାଇଁ ଅଭିଯୋଗ ମୋର
ଆଇନ ଉପରେ ଭାରି
ପ୍ରୀତିର ରୀତିକୁ ଖୋଲା ବଜାରରେ
ଦେଲା ସେ ନିଲାମ କରି।
ଦାମ୍ପତ୍ଯ ପ୍ରେମରେ ସୁଖ ହଜିଥିଲା
ଶୁଭୁଥିଲା କେତେ ବାଦ
ସେ ପ୍ରେମରେ ଆଜି ନିଆଁ ଲାଗିଗଲା
ହଜିଲା ପ୍ରେମର ସ୍ବାଦ।
ତଥାପି ସମୟ କାଟିବାକୁ ହେବ
ବିଭୁ ଆରାଧନା କରି
ଅଭିମାନ ସେଇ କାଳିଆ ପାଖରେ
ଦିନ ଯାଉ ଶୀଘ୍ର ସରି।