The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

NIBEDITA MOHAPATRA

Others

3.4  

NIBEDITA MOHAPATRA

Others

ଆସ ବୁଲିଯିବା ଶ୍ରୀମନ୍ଦିର

ଆସ ବୁଲିଯିବା ଶ୍ରୀମନ୍ଦିର

2 mins
23.3K



ଆସ ବୁଲିଯିବା ମହୋଦଧି କୂଳ

ପବିତ୍ର ଶ୍ରୀକ୍ଷେତ୍ର ଧାମ

ଚାଲି ଚାଲି ପାଦେ ଗାଇ ଗାଇ ତୁଣ୍ତେ

ଶ୍ରୀ ଜଗନ୍ନାଥଙ୍କ ନାମ॥୧

ଏ ସ୍ଥାନରେ ପ୍ରଭୁ ଲୀଳାମୟଙ୍କର

ରହିଛି ଏକ ଭବନ

ବିରାଜିତ ଯହିଁ ଭାଇ ଭଗ୍ନୀ ସଙ୍ଗେ

ସେ ଯଦୁକୁଳ ନନ୍ଦନ॥୨

ଧାମର ପ୍ରବେଶ ପଥ ଜଗିଛନ୍ତି

ସିଂହ ବାହିନୀ ମଙ୍ଗଳା

ପ୍ରଣିପାତ କରି ଆଗକୁ ବଢିଲେ

ଦେଖିବୁ ଅଠରନଳା॥୩

ସେଠାବରୁ ଦିଶେ ଦିବ୍ୟ ନୀଳଚକ୍ର

ପତିତପାବନ ନେତ

ବାୟୁ ହିଲ୍ଲୋଳରେ ଫରଫର ହୋଇ

ଡାକୁଛି ଆସ ଭକତ॥୪

ଭକତି ରଜ୍ଜୁରେ ବାନ୍ଧି ମନ ଘୋଡା

ଆଗକୁ ଗଲେ ତୁ ଚାଲି

ଦିବ୍ୟାନନ୍ଦ ଲଭି ବିଭୋର ହୋଇବୁ

ଛୁଇଁଲେ ଶରଧା ବାଲି॥୪

ବାଟରେ ଭେଟିବୁ ମା' ଅର୍ଦ୍ଧ ଶୋଷଣୀ

ମାଉସୀ ମା' ସେ ପରା

ରଥଯାତ୍ରା ବେଳେ ଦେଇଥାନ୍ତି ଯିଏ

ପୋଡପିଠା ଭୋଗ ସରା॥୫

ଏ ଦାଣ୍ତର ଦୁଇ ପାର୍ଶ୍ବରେ ରହିଛି

କେତେ ଯେ ମଠ ମନ୍ଦିର

ସେଥି ଲାଗି ସେ ତ ନାମ ବହିଅଛି

ମର୍ତ୍ତ୍ୟ ବଇକୁଣ୍ଠ ପୁର॥୬

ବଡଦାଣ୍ତ କେନ୍ଦ୍ରସ୍ଥଳେ ପହଞ୍ଚିଲେ

ଦେଖିବୁ ଶିରି ମନ୍ଦିର

ମନ୍ଦିର ସମ୍ମୁଖେ ବିଶାଳ କବାଟ

ତା' ନାମ ସିଂହ ଦୁଆର॥୭

ସମ୍ମୁଖ ଭାଗରେ ସୁଉଚ୍ଚ ସ୍ତମ୍ଭଟି

ରହିଛି ତ ବିଦ୍ୟମାନ

ସ୍ତମ୍ଭ ଶିଖରରେ ଦେବତା ଅରୁଣ

ବସି କରୁଛନ୍ତି ଧ୍ୟାନ॥୮

ଦ୍ବାର ଉପର ପାର୍ଶ୍ବେ ଦଶାବତାର

ମଧ୍ୟେ ମାଆ ଅନ୍ନପୂର୍ଣ୍ଣା

ଗୁମୁଟ ଡାହାଣେ ପତିତପାବନ

ବାମେ ହନୁମାନ ଠଣା॥୯

ବାଇଶି ପାହାଚ ଚଢିଲେ ପାଇବୁ

ବାଇଶି ପାପରୁ ମୋକ୍ଷ 

ସବୁ ପାପ ରାଶି ବିନିଷ୍ଟ ହୋଇଲେ

ମିଳିବ ତାଙ୍କ ସାନିଧ୍ୟ॥୧୦

ପଶ୍ଚିମାଭିମୁଖୀ କ୍ଷୁଦ୍ର ମନ୍ଦିରଟି

ପାହାଚ ବାମ ପାର୍ଶ୍ବରେ

ବିରାଜିତ ଯୋଗେଶ୍ବର ବିଶ୍ବନାଥ

ହୋଇଛନ୍ତି ସେଠାବରେ॥୧୧

ତାଙ୍କରି ପାର୍ଶ୍ବରେ ଅବସ୍ଥାପିତ

ରାମାଭିଷେକ ଉତ୍ସବ

ଯହିଁ ଉପସ୍ଥିତ ପ୍ରଣାମ ମୁଦ୍ରାରେ

ହନୁମାନ ଓ ସୁଗ୍ରୀବ॥୧୨

ପରବର୍ତ୍ତୀ ପାହାଚେ ଶିଳାମୂର୍ତ୍ତିରେ

ଅଛନ୍ତି ନୃସିଂହ ନାଥ

ପାର୍ଶ୍ବରେ ପୁଣି ଦେଖିବ ବିରାଜିତ

ପ୍ରତିମାରେ ଗଣନାଥ॥୧୩

କୁର୍ମ ବେଢାରେ ଆଗ୍ନେୟ କୋଣର

ବାମ ପାଖେ ଅଗ୍ନିଶ୍ବର

ପ୍ରତିପାଳକ,ରୋଷ ବିଶୋଧକ ସେ

ରକ୍ଷକ ଶ୍ରୀ ମନ୍ଦିରର॥୧୪

ଶୟନ ମୁଦ୍ରାରେ ଭଗବାନ ବିଷ୍ଣୁ

ଅନନ୍ତ ସର୍ପ ଉପରେ

ଦେବତାଙ୍କ ସହ ରହିଛନ୍ତି ସେ ତ

ଡାହାଣ ପାର୍ଶ୍ବ କାନ୍ଥରେ॥୧୫

ଭୋଗ ରାସ୍ତାକୁ ପାର ହୋଇ ଆସିଲେ

ଦେଖିବ ଦକ୍ଷିଣ କୋଣେ

କଳା ମୁଗୁନି ପ୍ରସ୍ତର ବିଗ୍ରହ

ପ୍ରଭୁ ସତ୍ୟ ନାରାୟଣେ॥୧୬

ବେଢା ପରିକ୍ରମା ସମୟେ ଦେଖିବ

କଳ୍ପବଟର ମୂଳରେ

ଶୟନ କରିଛନ୍ତି ବାଳ ମୁକୁନ୍ଦ

ବଟପତ୍ରର ଉପରେ॥୧୭

ଏହି ନିକଟେ ସ୍ଥାପିତ ହୋଇଅଛି

ବିଗ୍ରହ ବଟକୃଷ୍ଣଙ୍କ 

ବାମ ପାର୍ଶ୍ବରେ ପୂଜା ହେଉଛି ପୁଣି

ପାଦୁକା ମାର୍କଣ୍ତେୟଙ୍କ॥୧୮

ବଟ ବୃକ୍ଷର ତଳେ ବଟ ଗଣେଶ

ଆଗେ ମୂଷିକ ବାହନ

ଯେତେ ଥର ଆଉଁସି ଆଣିବ ହାତେ

ଉତ୍କଣ୍ଠିତ ହେବ ମନ॥୧୯

ସମ୍ମୁଖେ ବଟ ସହଦେବ କରନ୍ତି

ଭକ୍ତ ଅଭିଳାଷ ପୂର୍ଣ୍ଣ

ତାଙ୍କ ପାର୍ଶ୍ବେ ବିରାଜ ମାନ ଅଛନ୍ତି

ବଟ ପତିତପାବନ॥୨୦

ଏହି ବଟ ମୂଳେ ଜଗନ୍ନାଥ ଦାସ

ଗାଉଥିଲେ ଭାଗବତ

ତେଣୁ ଭାଗବତ କାଳିଆ ନାମରେ

ବଟ ବିହାରୀ ନାମିତ॥୨୧

କଳ୍ପବଟ ଅଟେ ବାଞ୍ଛାବଟ ପରା

ପୁରା କରେ ମନସ୍କାମ

ଏହା ଛାୟା ତଳେ ମା' ସର୍ବ ମଙ୍ଗଳା

କରିଛନ୍ତି ଅବସ୍ଥାନ॥୨୨

ସଙ୍କଟ ତାରିଣୀ,ମହା ବ୍ରଜେଶ୍ବରୀ

ସଙ୍ଗେ ପଞ୍ଚ ମହାଦେବ

ଐଶାନ୍ୟ କୋଣରେ ସୂର୍ଯ୍ୟ ନାରାୟଣ

ବାମ ପାଖେ ବାସୁଦେବ॥୨୩

ବେହରଣ ଦ୍ବାର ଦକ୍ଷିଣ ପାର୍ଶ୍ବରେ

ରହିଛି ମୁକ୍ତି ମଣ୍ତପ

ବାମରେ କୁତ୍ତାମ ଚଣ୍ତୀ ପଛ ଭାଗେ

କ୍ଷେତ୍ରପାଳ ମହାଦେବ॥୨୪

ମନ୍ଦିର ଅଧିଷ୍ଠାତା ଯଜ୍ଞ ନୃସିଂହ

ପାଖରେ ରୋହିଣୀ ତୀର୍ଥ

ସନ୍ନିକଟେ ଜଳକ୍ରୀଡା ମଣ୍ତପଟି

ପଶ୍ଚିମରେ ଅବସ୍ଥିତ॥୨୫

କ୍ଷେତ୍ରାଧିଶ୍ବରୀ ଆଦ୍ୟାଶକ୍ତି ବିମଳା

ନୃତ୍ୟରତ ଗଣପତି

ଗୋପେଶ୍ବର,ସାକ୍ଷୀ ଗୋପାଳଙ୍କ ସହ

ବେଣୁ ମାଧବ ମୂରତି॥୨୬

ପୂର୍ବାମୁଖୀ ହୋଇ କାଞ୍ଚିର ଗଣେଶ

କ୍ଷୀରଚୋରା ଗୋପିନାଥ

ପଞ୍ଚ ମାତୃକା ବିଗ୍ରହ ଏକ ସ୍ଥାନେ

ହେଉଛନ୍ତି ତ ପୂଜିତ॥୨୭

ଉତ୍ତର ପଶ୍ଚିମରେ ନୀଳମାଧବ

ବେଢା କାଳୀ ପଶ୍ଚିମରେ

ଲକ୍ଷ୍ମୀ ନାରାୟଣଙ୍କ ଶ୍ବେତ ବିଗ୍ରହ

ପୁଣି ଉତ୍ତର ପାର୍ଶ୍ବରେ॥୨୮

ବାୟୁ କୋଣେ ବିରାଜିତ ମହାଲକ୍ଷ୍ମୀ

ବିଷ୍ଣୁଙ୍କର ପାଟରାଣୀ

ସେ ପରା ଅଟନ୍ତି ଜଗମୋହନର

ତ୍ରିପଦ ବୈକୁଣ୍ଠ ମଣି॥୨୯

ପାର୍ଶ୍ବେ ସ୍ବତନ୍ତ୍ର ଭାବରେ ରହିଛନ୍ତି

ନବଗ୍ରହଙ୍କ ବିଗ୍ରହ

ବଦ୍ରି ନାରାୟଣ ଓ ଦ୍ବାରିକାନାଥ

ଦଧିବାମନ ବିଗ୍ରହ॥୩୦

ସୂର୍ଯ୍ୟଦେବ,ଗୋପିନାଥ,ରାମଚନ୍ଦ୍ର

ବଳୀ ପାତାଳ ମନ୍ଦିର

ଐଶାନ୍ୟ କୋଣରେ ଶ୍ରୀ ଐଶାନେଶ୍ବର

ମହାଦେବଙ୍କ ମନ୍ଦିର॥୩୧

ବେଡା ପରିକ୍ରମା ଉପରାନ୍ତେ ଯାଇ

ଦେଖିବ ଜଗମୋହନେ

ମହାଦାରୁ ନିର୍ମିତ ଚତୁର୍ଦ୍ଧା ମୂର୍ତ୍ତି

ବିରାଜିତ ସିଂହାସନେ॥୩୨

ପାଖେ ରହିଛନ୍ତି ଚଳନ୍ତି ପ୍ରତିମା

ପ୍ରଭୁ ମଦନମୋହନ

ଶ୍ରୀଦେବୀ,ଭୂଦେବୀଙ୍କ ସହିତ ପୁଣି

ଦାରୁ ମୂରତି ମାଧବ॥୩୩

ମୁଖ୍ୟ ମନ୍ଦିରର ତିନିପାର୍ଶ୍ବେ ବେଢି

ରହିଛନ୍ତି ଦେବାଦେବୀ

ଅଷ୍ଟ ଦିଗପାଳ,ଦଶ ଅବତାର

କେତେ ପୌରାଣିକ ଛବି॥୩୪

ଭାରି ମନୋରମ ଏହି ଦେବଭୂମି

କଳିଯୁଗେ ଶ୍ରେଷ୍ଠ ଧାମ

ଚର୍ତୁଧାମ ଫଳ ମିଳିଯିବ ଥରେ

ଧରିଲେ କାଳିଆ ନାମ॥୩୫


Rate this content
Log in