ଆମେ ଦେଖିବୁ
ଆମେ ଦେଖିବୁ
ଆମେ ଦେଖିବୁ, ନିଶ୍ଚୟ ସେଦିନ ଦେଖିବୁ
ସେଦିନ, ଯିଏ ଆସିବ ବୋଲି କଥା ଦେଇଛି
ସେଦିନ, ଯାହା କାଳର କପାଳେ ଲେଖା ହୋଇଛି
ଆମେ ଦେଖିବୁ, ସେଦିନ ନିଶ୍ଚୟ ଦେଖିବୁ
ଆମେ ଦେଖିବୁ
କେମିତି କଷଣ ଓ ଅତ୍ୟାଚାର ଉଡିଯିବେ ମାମୁଲି ତୁଳା ହୋଇ
କେମିତି କ୍ଷମତାର ମହକୁମା ତଳେ ମାଟି କମ୍ପିବ ଥରହର ହୋଇ ,
କେମିତି ଶାସକର ମୁଣ୍ଡ ଉପରେ ବିଜୁଳି ଚମକିବ ଚକ ଚକ ହୋଇ
ଆମେ ଦେଖିବୁ
ଆମେ ଦେଖିବୁ
ଯେବେ ଈଶ୍ଵରଙ୍କର ସ୍ଵର୍ଗରୁ ସବୁ ଏକଛତ୍ରବାଦୀଙ୍କର ପ୍ରତିମା ହଟିଯିବ
ଯେବେ ଆମ ପରି ବଞ୍ଚିତ-ଲାଞ୍ଛିତ ମଣିଷ ସିଂହାସନରେ ବସିବ
ଯେବେ ସବୁ ମୁକୁଟ ଫିଙ୍ଗାଯିବ, ସବୁ ସିଂହାସନ ଭଙ୍ଗାଯିବ
ଆମେ ଦେଖିବୁ
ଆମେ ଦେଖିବୁ
ଯେବେ କେବଳ ଈଶ୍ଵରଙ୍କର ନାମ ରହିବ, ଯିଏ ବ୍ୟକ୍ତ ଓ ଅବ୍ୟକ୍ତ
ଯିଏ ଦୃଶ୍ୟ ଓ ଅଦୃଶ୍ୟ
ଯେବେ ଶୁଭିବ “ମୁଁ ହିଁ ଈଶ୍ଵର”ର ଜୟଗାନ
ସେ ଈଶ୍ଵର ଯେତିକି ତମେ, ସେତିକି ମଧ୍ୟ ମୁଁ
ଯେବେ ସ୍ଥାପିତ ହେବ ବଞ୍ଚିତ ମଣିଷର ସାମ୍ରାଜ୍ୟ
ସେ ତମର ବି ଆଉ ଆମର ବି
ଆମେ ଦେଖିବୁ, ସେଦିନ ନିଶ୍ଚୟ ଦେଖିବୁ
