ଆମ ସଂସ୍କୃତି
ଆମ ସଂସ୍କୃତି
ଅତି ମନଲୋଭା ଉତ୍କଳର ଶୋଭା
ମଧୁର ସଂସ୍କୃତି ତା'ର
ବୃଦ୍ଧାଠାରୁ ଯୁବା କି ପୁରୁଷ ଅବା
ଗରବେ ଉଠାନ୍ତି ଶୀର ।
ଜଗନ୍ନାଥଙ୍କର ସଂସ୍କୃତି ଆମର
ସାରା ବିଶ୍ୱେ ପରିଚିତ
ଧନ୍ୟ ଶ୍ରୀମନ୍ଦିର ଭକ୍ତିର ସମ୍ଭାର
ଉଭା ଯହିଁ ଜଗନ୍ନାଥ ।
ଅବଢ଼ା ଅନ୍ନରେ ମନେ ଶାନ୍ତି ଭରେ
ଭକ୍ତଙ୍କର ଅତି ପ୍ରିୟ
ଘୋଷ ଯାତରାରେ ଘଣ୍ଟ କାହାଳୀରେ
ପ୍ରଭୁ ଲଗାଅନ୍ତି ମୋହ ।
ବାର ମାସେ ତେର ପରବ ଭଣ୍ଡାର
ସମଗ୍ର ଉତ୍କଳ ଭୂଇଁ
ସ୍ନେହପ୍ରେମ ଡୋର ଭାବ ଭକ୍ତି ଝର
ଅତୁଟ ଆମରି ପାଇଁ ।
ପାଲା,ସଂକୀର୍ତ୍ତନ, ଭଜନ ଜଣାଣ
ଯାତନାଟ କିଣେ ମନ
ଅତିଥି ପୂଜନ ଗୀତା ଅଧୟନ
ସଂସ୍କୃତିରୁ ନୁହେଁ ଭିନ୍ନ ।
ହୃଦୟେ ସାହସ ଶତ୍ରୁର ବିନାଶ
ଇତିହାସ କହେ ଗାଥା
କ୍ରୁର ଚଣ୍ଡାଶୋକ ହେଲେ ଧର୍ମାଶୋକ
ନୁଆଁଇଲେ ତାଙ୍କ ମଥା ।
ମନ୍ଦିର ମାଳିନୀ ଚିର ଶ୍ୟାମଳିନୀ
ପବିତ୍ର ଉତ୍କଳ ମାତା
ସୁଧା ନିର୍ଝରିଣୀ ସଂସ୍କୃତି କାମିନୀ
ସର୍ବଦା ଜଗତଜିତା ।
