ଆମ ସାଇ ସୁପର ଷ୍ଟାର
ଆମ ସାଇ ସୁପର ଷ୍ଟାର
ସାଇ ନାମରେ ପିଲାଟିଏ ଭାରି ନିର୍ଭିକ ସତରେ. ତାର ମୁଖ୍ୟ କାରଣ ନିଶ୍ଚୟ ତାର ମାଆ. କୌଣସି କାମ ଜବରଦସ୍ତ ଲଦି ଦିଅନ୍ତି ନାହିଁ ମାଆ. ଦୋଷ କଲେ ଗାଳି ନଦେଇ ସ୍ଥାନ କାଳ ପାତ୍ର ଦେଖି ବୁଝାଇ କହିଥାଆନ୍ତି ପୁଣି ପୁଅ ମୋବାଇଲ ଦେଖୁଥିଲେ ବୁଝେଇ ଶୁଝେଇ ବାରଣ କରନ୍ତି. ତାର ଯାହା ଖାଇବାକୁ କି ପିନ୍ଧିବାକୁ ମନ ହୁଏ ସମୟ କ୍ରମେ ବାପାଙ୍କୁ କହି କରିଥାନ୍ତି. ବିଶେଷ କରି କଳି ଓ ଝଗଡା କରିବାକୁ ଦିଅନ୍ତି ନାହିଁ କେବେ ମାଆ ତ ସାଇ ଖୁସି ମନରେ ସ୍କୁଲ ଯାଏ. ସେଦିନ ଡାକ୍ତର ଦିବସ ଥାଏ ତ ପୂର୍ବଦିନଠୁ ଘୋଷଣା କରାଗଲା କି ଛୋଟ ପିଲାମାନେ ପେସେଣ୍ଟ ହେବେ ଓ ବଡ଼ ପିଲାମାନେ ହେବେ ଡାକ୍ତର. ସାଇ ଖାତାରେ ସେକଥା ଲେଖି ଦିଆଗଲା. ସେହି ପଡ଼ାରେ ରହୁଥିବା ଓ ଏକାଠି ସ୍କୁଲ ଅଟୋରେ ଯାଉଥିବା ସବୁ ପିଲା ରୋଗୀ ହେବା ପାଇଁ ଅନିଛୁକ ଥିଲା ବେଳେ ସାଇ ଖୁବ ସୁନ୍ଦର ଭାବେ ରୋଗୀ ବେଶ ଧାରଣ କରି ସେଦିନ ଅଟୋରେ ସାଙ୍ଗ ମାନଙ୍କ ସଙ୍ଗେ ବସି ସ୍କୁଲ ଆସିଥିଲା. ସ୍କୁଲରେ ପହଞ୍ଚୁ ପହଞ୍ଚୁ ଆମ୍ବୁଲାନ୍ସ ଲାଗିଗଲା. ନର୍ସ ଭୂମିକାରେ ଅଭିନୟ କରୁଥିବା ପିଲା ସବୁ ସାଇକୁ ଷ୍ଟ୍ରେଚରରେ ପକାଇ ଡାକ୍ତରବାବୁଙ୍କ ପାଖକୁ ନେଇଗଲେ ଓ ଇତ୍ୟାଦି ଇତ୍ୟାଦି ଘଟଣା ସବୁରେ ସାଇ ବିଚଳିତ ନୁହେଁ ବରଂ ଖୁସି ଅନୁଭବ କରି ଘରକୁ ଫେରିବା ପରେ ମାଆ କହିଥିଲେ ମୋ ସାଇ ଆମ ସୁପର ଷ୍ଟାର. ସାଙ୍ଗ ପିଲାମାନେ ମଧ୍ୟ ତାଳି ମାରି କହୁଥିଲେ ଆମ ସାଇ ସୁପର ଷ୍ଟାର.
ଏବେ ଅଗଷ୍ଟ ପନ୍ଦର ପୂର୍ବ ଦିନ ଚଉଦ ତାରିଖ ଦିନ ସାଇର ପାଳି ପଡିଥାଏ ଗାନ୍ଧି ବେଶ ହୋଇ ସ୍କୁଲ ଯିବ. ସେତିକି ବେଳକୁ ଜେଜେମାଆ ଅସୁସ୍ଥ ଯୋଗୁଁ ଫ୍ଲାଇଟ ଯୋଗେ ସାଇ ତା ବାପା ମାଆ ସଙ୍ଗେ ଓଡ଼ିଶାର ପୁରୀ ସହର ଆସିଥାଏ. ଜେଜେମାଆ ଏଥର ଦୁର୍ବଳ ତ ତାକୁ କାଖ କରି ପାରୁନଥିଲେ କିନ୍ତୁ ସାଇ ଗାନ୍ଧି ହେବା କଥା ଶୁଣି ଧୋତି ଓ ଧଳା ଚାଦର ଘରୁ ଦେଇଥିଲେ. ଜେଜେ ଠେଙ୍ଗା ଯୋଗାଡ଼ କରିଦେଇଥିଲେ ଓ ତା ପାପା ଗୋଲ ଚଷମା କିଣି ଦେଇଥିଲେ. ସେସବୁ ନେଇ ସାଇ ବାପା ମାଆ ସଙ୍ଗେ ଏଥର କଲିକତା ଫେରିଗଲା ବେଳେ ଜମା କାନ୍ଦିନଥିଲା ତ ଜେଜେ ଓ ଜେଜେମାଆ କହୁଥିଲେ ଆମ ସାଇ ସୁପର ଷ୍ଟାର. ସତକୁ ସତ ଅଗଷ୍ଟ ଚଉଦ ତାରିଖ ଦିନ ସାଇ ଗାନ୍ଧିଙ୍କ ବେଶ ହୋଇ ଏମିତି ଦେଖା ଯାଉଥିଲା ଯେମିତି ସତ ଗାନ୍ଧି. ତା ମାଆ ତାକୁ ବଢିଆ ଭାବେ ଲଣ୍ଡା କରି, ଧୋତି ଓ ଗାମୁଛା ସହ ହାତରେ ଠେଙ୍ଗା, ଅଣ୍ଟାରେ ହାତ ଘଣ୍ଟା ସହ ଏମିତି ଭାବେ ଗାନ୍ଧିଙ୍କ ଗେଟ ଅପ ଦେଇଥିଲେ ତ ସମସ୍ତେ କହୁଥିଲେ ଆମ ସାଇ ସୁପର ଷ୍ଟାର.
