STORYMIRROR

Kulamani Sarangi

Others

3  

Kulamani Sarangi

Others

ଆଜିର ଗାଁ

ଆଜିର ଗାଁ

1 min
27.8K


(1)

ବେଳ ଯାଏ ଗଡି ଶୁଭେ ହମ୍ଵାରଡି,

ଗୋଠ ଘରନେଉଟାଣି,

ବଳଦ ବେକରେ ଘଣ୍ଟି ଶୁଭୁନି ଲୋ

କଳନଙ୍ଗଳ ହେଲାଣି।

(2)

ବୁଧେଇର ଗାଈ କଅଁଳେଇଚି ଲୋ

ଛୁଆ କସରା ଅଣ୍ଡିରି,

ଦି'ନିଟରରେ* ନିଟେରେ ମିଶେଇ,

ଖିର ହଉଚି ବିକିରି।

(3)

ଥନ୍ତଲ ପେଟକୁ ଦେଖେଇ ବଇଚି

ସାଧୁ ଭାଇ ପୁଅ ବାନା,

ଭେଜାଲ ତେଲରେ ବରା ଛାଣୁଚି ଲୋ,

ମିଶେଇ ଚାଉଳ ଚୁନା।

(4)

ବେରି ବେରି ହେଲା ଫୁକୁନୀ ଝୁଅକୁ

ଖାଇବ ନାଲି ଚାଉଳ,

ଢେଙ୍କିକୁଟା ଆଉ ଚାଉଳ କାଇଁ ଲୋ,

ଯୁଆଡେ ଦେଖିବ କଳ।

(5)

କଲରା ବାରିଟା ନୁଣ୍ଡାକରି ମୋର,

ଗେଧା* ହନୁ ଗଲା ଚରି,

କାମୁଡିବ ବୋଲି ଚିହିଁକି ଆସିଲା,

ତା ସାଙ୍ଗ ମାଈ ବାନ୍ଦେରୀ।

(6)

ସନା ସୁଣ୍ଢି ଠଉଁ ସାର ଆଣିଥିଲି,

ଗଲା ସନ କିଣାବାଲା,

କାକୁଡି ବାରି ମୋ ପୁରା ଉଜୁଡିଲା,

ନୋକସାନି ଯୋଗ ଥିଲା।

(7)

ନୁନୁ* କରିଚି ତିରିଶି ହଜାରେ

ଗଉଡ ଯୋଗିଆ ଭାଇ,

ଫଟଫଟିଆ ଟେ କିଣିଚି ,କିସ୍ତିକି

ଦବାକୁ ପଇସା ନାହିଁ।

(8)

କେଡେ ଅପୂରୁବ ଭଦଭଦଳିଆ

ବସିଲା ନିମ ଡାଳରେ,

ପଚାରିଲି ତାକୁ "ବଉଁଶ କୁଟୁମ୍ବ

କୁଆଡେ ହଜିଗଲ ରେ ?"

(9)

ମଶାଣି ମୁଣ୍ଡରେ ବାଛୁରୀ ମଡାକୁ

ଟାଣନ୍ତି କୁକୁର କୁଆ,

ଗିର୍ଦ୍ଧିନୀ ନାହାନ୍ତି, ବଉଁଶ ତାଙ୍କର,

ମାରିଲା ମହାବାତିଆ।

(10)

ଘରଚଟିଆଙ୍କ ବଉଁଶ ବୁଡିଲା,

ଚାଳଘର ହେଲା ଶେଷ,

ନାଲି ଗୁଲୁଗୁଲୁ ସାଧବାଣୀ ମଲେ,

ମାଟିରେ ମିଶିଲା ବିଷ।

(11)

ଚାଳ ଗୋଟେ ଆଉ ଦୁଶୁନି ଗାଁରେ,

ବଡ ପରିମଳ ହେଲା,

ଘରେ ପାଇଖାନା ଅଛି, ନଟଭାଇ

ବାଟେରେ କିଆଁ ହଗିଲା ?


*ନିଟର---ଲିଟର୍

*ନୁନୁ----ଲୋନ୍

*ଗେଧା---ମୋଟୁ


Rate this content
Log in