ଆଜି ପରା ରଥଯାତ
ଆଜି ପରା ରଥଯାତ
ଉଇଁଲେଣି ରବି ଚାଲ ଟିକେ ବେଗି
ଏଇ ଦିଶିଲାଣି ନେତ,
ବରଷକ ପରେ ଆସିଛି ସତରେ
ଆଜି ପରା ରଥଯାତ।।
ସରଧା ବାଲିରେ ଥୋଇ ପାଦ ଧୀରେ
ଜଗା ପୟେ ମତି ରଖ,
ଆସୁଛି କାଳିଆ ମୟୁର ଚୁଳିଆ
ଭକତ ଭିଡକୁ ଦେଖ।।
ତାର ବଡଭାଇ ଭଉଣୀ ଗହ୍ଲେଇ
ସାଥିରେ କାଳିଆ ସୁନା,
ହେଇ ଯେ ଉଚ୍ଛନ୍ନ କରନ୍ତି ଗମନ
ଲକ୍ଷ୍ମୀ ଠାକୁରାଣୀ ବିନା।।
ଦେଖ ହେ ସଙ୍ଗାତେ ଦିଅନ୍ତି ଭକତେ
ହୁଳହୁଳି କରତାଳି,
ଜଗା ବି ପ୍ରେମରେ ଭକତ କାନ୍ଧରେ
ଆସୁଥାଏ ଢଳିଢଳି।।
ତାର ବଡଦାଣ୍ଡେ ସଭିଙ୍କର ତୁଣ୍ଡେ
ପଡେ ହରି ବୋଲ ହୁରି,
ବିଶ୍ଵର ମଙ୍ଗଳେ ଯାଆନ୍ତି ସଅଳେ
ରଥପରେ ବିଜେ କରି।।
ତାଳଧ୍ଵଜ ରଥେ ବଳଭଦ୍ର ସତେ
ପଦ୍ମଧ୍ବଜେ ଶ୍ରୀ ସୁଭଦ୍ରା,
ଗରୁଡ ଧ୍ଵଜରେ କାଳିଆ ସତରେ
ଚୋରାନ୍ତି ଭକ୍ତଙ୍କ ନିଦ୍ରା।।
ତିନି ରଥପରେ ବିଜେ କଲାପରେ
ଛେରା ପହଁରାର ନୀତି,
ସଅଳ ସାରନ୍ତି କୃପା ଲଭିଥାନ୍ତି
ମହାରାଜା ଗଜପତି।।
ଟାଣିବାକୁ ସତେ ଭକତଙ୍କ କେତେ
ଲାଗି ଯାଇଥାଏ ଭିଡ,
ଦଉଡିକୁ ଧରି ପ୍ରଭୁ ନାମ ସ୍ମରି
ଭକତେ କୁହନ୍ତି ଗଡ।।
ନଅଦିନ ପାଇଁ ଯିବେ ଯେ ଗୋସାଇଁ
ଜନମ ବେଦିଙ୍କୁ ତାଙ୍କ,
ପହଞ୍ଚିଲା ପରେ ପାଇବେ ସାଦରେ
ଆଦର ମାଉସୀ ମା'ଙ୍କ।।
ପୋଡପିଠା ଫାଳେ ଖିଆ ସରିଗଲେ
ବିତିଯିବ ନଅଦିନ,
ବାହୁଡା ନିମନ୍ତେ କାଳିଆ ସାଆନ୍ତେ
ଆପେ ବଳାଇବେ ମନ।।
ପ୍ରଭୁ ଚକାଡୋଳା ରଚନ୍ତି ଏ ଲୀଳା
ବୁଝିବ ବା କାହିଁ କିଏ ?
ନଅଦିନ ଧରି ରଥଯାତ କରି
ମଙ୍ଗଳ କରନ୍ତି ସିଏ।।
ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ
jitendrajs741@gmail.com
