Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bichitra Biswal

Others

4.3  

Bichitra Biswal

Others

ସମୁଦ୍ର ସାକ୍ଷୀ

ସମୁଦ୍ର ସାକ୍ଷୀ

3 mins
621


ସମୁଦ୍ର ସାକ୍ଷୀ

ବିଚିତ୍ର ବିଶ୍ୱାଳ

ମୋ ସାଙ୍ଗର ହଠାତ ବ୍ରେକଅପର ଦୁଃଖକୁ ହାଲୁକା କରିବା ପାଇଁ ତାକୁ ବାଧ୍ୟ କରି ମୁଁ ନେଇ ଯାଇଥିଲି ଗୋପାଳପୁର ସମୁଦ୍ର ବେଳାଭୂମିକୁ। ତା ପ୍ରେମିକାର ବିନା ଅନୁମତିରେ ତାକୁ ଗୋଟେ ଚୁମା ଦେଇଦେବାରୁ ରାଗିକି ବ୍ରେକଅପ କରିଦେଇଥିଲା ତା ପ୍ରେମିକା। ତେଣୁ ବିଚରାକୁ ସମ୍ଭାଳିବା ମୋ ଦାୟିତ୍ୱ ଥିଲା।

ସନ୍ଧ୍ୟା ବେଳେ ବୁଲୁଥିଲୁ ଆମେ ବେଳାଭୂମିର ରାଶି ରାଶି ବାଲି ଉପରେ। ସମୁଦ୍ରର ଗୁରୁ ଗମ୍ଭୀର ସ୍ୱର ଜାବୁଡି ଧରିଥିଲା ମୋର ସମଗ୍ର ଅସ୍ତିତ୍ୱକୁ। ସମୁଦ୍ରର ବିଶାଳତାକୁ ଅନୁଭବ କରୁଥିଲି ମୁଁ ଛାତି ଭିତରେ। ମୁଁ ସିନା ମୋ ସାଙ୍ଗକୁ ଆଣିଥିଲି ତା ବିଛେଦର ଦୁଃଖକୁ ଭୁଲେଇବା ପାଇଁ, ହେଲେ ସମୁଦ୍ରକୁ ଦେଖି ମୋ ନିଜକୁ ନିଜେ ମୁଁ ଭୁଲି ଯାଉଥିଲି। ସମୁଦ୍ରର ବ୍ୟାପକତା ପାଖରେ ମୋ ଭଳି ଗୋଟେ ଛୋଟ ଲୋକର କଣ ବା ଅସ୍ତିତ୍ବ! ତେଣୁ ସମୁଦ୍ରକୁ ଅଣଦେଖା କରି ମୋ ସାଙ୍ଗର ସମସ୍ୟା ପାଖକୁ ଫେରିବା ସହଜ ହେଉନଥିଲା ମୋ ପାଇଁ। ପୁରା ଚୁପଚାପ ଥିଲା ମୋ ସାଙ୍ଗ। ସେ ବୋଧେ ମନେମନେ ଝୁରି ହେଉଥିଲା ତା ପ୍ରେମିକାକୁ।

ଚାଲିଚାଲି ଆମେ ପହଂଚିଗଲୁ ବେଳାଭୂମିର ଶେଷ ମୁଣ୍ଡରେ। ଯେଉଁଠି ଉପସ୍ଥିତି ନଥିଲା କୃତ୍ରିମ ଆଲୁଅ। ଦଶମୀ ଜହ୍ନର ଜ୍ୟୋସ୍ନା ବିଛାଡି ହୋଇ ପଡିଥିଲା ଚାରି ଆଡ଼େ। ସମୁଦ୍ର ବକ୍ଷରୁ ଫେରିଥିବା ହୁଲି ଡଙ୍ଗା ସବୁ ଥକା ମେଣ୍ଟାଉଥିଲେ ସେଠାରେ।

ହଠାତ ମୋତେ ଚିମୁଟି ଦେଇ ଗୋଟିଏ ଦିଗକୁ ଦେଖିବାକୁ ଇସାରା କଲା ମୋ ସାଙ୍ଗ। ଚମକି ପଡି ଚାହିଁଲି ମୁଁ ସିଆଡ଼େ। ସେଇ ଅନ୍ଧାରରେ ରଖା ହୋଇଥିବା ଗୋଟେ ହୁଲି ଡଙ୍ଗା ଉପରେ ଅତି ଅନ୍ତରଙ୍ଗ ମୁଦ୍ରାରେ ବସିଥିଲେ ହଳେ ପ୍ରେମିକ ପ୍ରେମିକା। ଅନ୍ଧାର ଓ ନିରୋଳାର ସୁଯୋଗ ନେଇ ବୋଧହୁଏ ସେମାନେ ଚାଲି ଆସିଥିଲେ ଏଇଠିକୁ ପରସ୍ପର ସହିତ କିଛି ଉଷ୍ମ ସମୟ ବାଣ୍ଟିବା ପାଇଁ। ମୋ ସାଙ୍ଗ ଆଖି ଫେରାଉ ନଥାଏ ତାଙ୍କ ଉପରୁ। ଏମିତି ଚାହୁଁଥାଏ ଯେମିତି ସେ ଖାଇଯିବ ସେମାନଙ୍କୁ। ସମୁଦ୍ରର ଗର୍ଜ୍ଜନ ସତ୍ୱେ ବି ମୋ ସାଙ୍ଗର ଦୀର୍ଘଶ୍ଵାସକୁ ମୁଁ ସ୍ପଷ୍ଟ ଶୁଣି ପାରିଲି।

ନୀରବତା ଭାଙ୍ଗି ସାଙ୍ଗ କହିଲା, ଭାଇ ଯାହା କହ ଜୀବନ ହିଁ ଏମାନଙ୍କର। ଶଳା ଜୀବନକୁ କୁଟକୁଟ କରି ଉପଭୋଗ କରୁଛନ୍ତି। ଦେଖ ଦେଖ, ସେ ଟୋକାଟା କେମିତି ଜାବୁଡି ଧରିଛି ସେ ଝିଅକୁ। ସେ ଝିଅ ବି କେମିତି କଖାରୁ ଡଙ୍କ ପରି ମାଡିଯାଇଛି ତା ଉପରେ। ଆମେ ଶଳା ଅଭାଗା। ଛାଡ଼..।

ପୁଣି ଗୋଟେ ଦୀର୍ଘଶ୍ଵାସ ବାହାରିଗଲା ତାର। କେଇ କ୍ଷଣ ପାଇଁ ମୁଁ ବି ଭାବିଲି, ସତରେ କେତେ ଭାଗ୍ୟବାନ ଏମାନେ। ଜୀବନକୁ ହାତ ପାପୁଲିରେ ରଖି ଉପଭୋଗ କରୁଛନ୍ତି ସବୁତକ ଖୁସି।

ଯଦିଓ ମୋ ସାଙ୍ଗର ସେ ଜାଗା ଛାଡି ଆସିବାକୁ ଇଛା ନଥିଲା, କିନ୍ତୁ ମୁଁ ତାକୁ ଭିଡିଭିଡି ନେଇ ଆସିଲି ସେଠୁ। ଆଉ ବୁଲାବୁଲି ନକରି ଫେରିଗଲୁ ରୁମକୁ।

ମୁଁ ନିଶ୍ଚିତ ଯେ, ରାତି ସାରା ସେ ଦୃଶ୍ୟ କବଳରୁ ମୁକୁଳି ପାରିନଥିବ ମୋ ସାଙ୍ଗ ଓ ନିଜର ଅସହାୟ ପଣିଆକୁ ଧିକ୍କାର କରୁଥିବ ମନେ ମନେ। ସତ କହିଲେ ମୋ ଭିତରେ ବି ଲହଡି ଭାଙ୍ଗୁଥିଲା ସେଇ ଘଟଣା ସବୁ। ମୋ ନିସଙ୍ଗ ଜୀବନକୁ ବି ଯଥେଷ୍ଟ ଉତ୍ତପ୍ତ କରିଥିଲା ସେ ଦୃଶ୍ୟ।

ପର ଦିନ ସକାଳୁ ଯଦିଓ ଆମେ ଡେରିରେ ଉଠିଲୁ, ତଥାପି ବି ସମୁଦ୍ର କୁଳିଆ ସକାଳର ମଜା ନେବା ପାଇଁ ଆମେ ବୁଲି ବାହାରିଲୁ ବେଳାଭୂମିକୁ। ସମୁଦ୍ରର ଲହଡ଼ିରେ ଭିଜି ଭିଜି ଆମ ପାଦ ଆଗକୁ ଆଗକୁ ଚାଲୁଥିଲା। ବେଶ ସତେଜ ଲାଗୁଥିଲା ସକାଳଟା। ଗତ ରାତିର ଚିନ୍ତା ଚେତନା ସବୁ ଉଭେଇ ଯାଇଥିଲା ସମୁଦ୍ରର ଆର୍ଦ୍ର ପବନରେ। କିଛି ବାଟ ଯିବା ପରେ ଦେଖିଲୁ, ପଞ୍ଝାଏ ଲୋକ ଜମା ହୋଇଛନ୍ତି ଗୋଟେ ଜାଗାରେ। ସେଇଠି, ଯେଉଁଠି ହୁଲି ଡଙ୍ଗା ସବୁ ରଖା ହୋଇଥିଲା ଓ କାଲି ରାତିରେ ପ୍ରେମମଗ୍ନ ଥିଲେ ସେ ପ୍ରେମୀ ଯୁଗଳ। ଭିଡ଼ ଆଡେଇ ଭିତରକୁ ଚାହିଁଲୁ ଆମେ। ମଝିରେ ବାଲି ଉପରେ ପଡିଥିଲା ଗୋଟେ ଯୁବକର ଶବ। ଶବଟିର ଦେହରେ ଥିଲା ଫୁଲ ହାତ ଧଳା ଟି-ଶାର୍ଟ ଓ ତାହା ଠିକ ସେଇ ସ୍ଥାନରେ ପଡିଥିଲା ଯେଉଁଠି ଆମେ ଦେଖିଥିଲୁ ସେ ଯୋଡିଙ୍କୁ। ଗତକାଲି ରାତିରେ ଜହ୍ନ ଆଲୁଅ ମିଶା ଝାପ୍ସା ଅନ୍ଧାରରେ ଯଦିଓ ଆମେ ସେ ଯୁବକଟିର ମୁହଁ ଦେଖି ପାରିନଥିଲୁ, କିନ୍ତୁ ତା ଫୁଲ ହାତ ଧଳା ଟି-ଶାର୍ଟ ଦେଖିବାକୁ ଅସୁବିଧା ହୋଇନଥିଲା।

ଯୁବକଟିର ଶବ ଦେଖି ଥମ ହୋଇ ବସି ପଡ଼ିଲା ସାଙ୍ଗ। ବଲବଲ ହୋଇ ଚାହୁଁଥିଲା ସେ ଶବ ହୋଇଯାଇଥିବା ଯୁବକଟିର ମୁହଁକୁ।

ଲୋକମାନେ କହୁଥିଲେ ତା ସାଥିରେ ଥିବା ଝିଅଟି ହିଁ ମାରି ଦେଇଛି ଟୋକାଟାକୁ। ଆଉ କେହି କେହି କହୁଥିଲେ ସମୁଦ୍ରରେ ବୁଡି ଆତ୍ମହତ୍ୟା କରିଛି ଯୁବକଟି। ସମୁଦ୍ର କଣ କାହାକୁ ରଖେ। ତା ଲହଡି ତାକୁ ଆଣି ଫୋପାଡ଼ି ଦେଇଛି ଏଇ ବେଳାଭୂମିରେ। ଅନେକ ଲୋକ କହୁଥିଲେ ଅନେକ କଥା। କିନ୍ତୁ ଯୁବକଟିର ମୃତ୍ୟୁର ଏକମାତ୍ର ସାକ୍ଷୀ ଥିଲା ସମୁଦ୍ର। ସମୁଦ୍ର ସିନା ଗରଜେ, ହେଲେ ସେ କଣ କହିପାରେ।

ମୃତ ଯୁବକଟିର ମୁହଁକୁ ଚାହିଁ ମୁଣ୍ଡରେ ହାତ ଦେଇ ବସିଥିଲା ମୋ ସାଙ୍ଗ। ଗତ କାଲି ସେ ଭାବୁଥିଲା କେତେ ଭାଗ୍ୟବାନ ସେ ଯୁବକ, ଯିଏ ପ୍ରେମକୁ ଉପଭୋଗ କରୁଥିଲା ମନ ଭରି। କିନ୍ତୁ ଆଜି ସେ ମରିପଡିଥିଲା ତା ସାମନାରେ।

ଭ୍ରମ ତୁଟି ଯାଇଥିଲା ମୋ ସାଙ୍ଗର। ମୋର ବି। ନିଜକୁ ଆଉ ଅସହାୟ କି ଅଭାଗା ଭାବୁନଥିଲୁ ଆମେ।

ଯୁବକଟିର ମୃତ୍ୟୁର ଖବର ଅସ୍ପଷ୍ଟ ଥିଲା ସମସ୍ତଙ୍କ ପାଇଁ, କେବଳ ସମୁଦ୍ର ବ୍ୟତୀତ। ମୋତେ ଭିଡି ନେଇ ରୁମ ଦିଗରେ ଫେରିପଡ଼ିଲା ସାଙ୍ଗ। ମୋ ଆଖି ଆଗରେ ନାଚୁଥିଲା ସେହି ମୃତ ଯୁବକଟିର ମୁହଁ। ମୁଁ ବି ଜୀବନର ଅର୍ଥ ବୁଝିବାକୁ ଆରମ୍ଭ କରୁଥିଲି ଭିତରେ ଭିତରେ।

ଫେରିବା ବେଳକୁ ମୋ ସାଙ୍ଗ ମୋବାଇଲକୁ ଫୋନ ଆସିଲା ତା ପ୍ରେମିକାର। ଘଣ୍ଟାଏରୁ ଉର୍ଦ୍ଧ୍ୱ ସମୟ ଗପିଲେ ସେମାନେ। ମେଞ୍ଚାଏ ଖୁସି ନେସି ହୋଇଗଲା ମୋ ସାଙ୍ଗର ମୁହଁରେ। ଯଥାଶୀଘ୍ର ଗୋପାଳପୁରରୁ ଫେରି ତା ପ୍ରେମିକାକୁ ଦେଖାକରିବା ପାଇଁ ବ୍ୟସ୍ତ ହେଉଥିଲା ସେ।


Rate this content
Log in