ଅନୁଚିତ୍
ଅନୁଚିତ୍
(୧)
ବାଧ୍ୟବାଧକତା ନିୟମରେ ବାନ୍ଧି ହେବାକୁ କା'ର ବା ଇଚ୍ଛା ଟେ' ଥାଏ ଯେ' ??????
ଯେତେସବୁ ଉଚିତ ଅନୁଚିତ୍ ସବୁ ଆସି କିଆଁ ଝିଅଙ୍କଠାରେ ଠାକେ ???
ଏଇବୋଧେ ଗୋଟେ ଭିତିରି ଭୟ , ନାରୀ ହୋଇ ବି, ମା' ଟିଏ କନ୍ୟାଜନ୍ମ କରିବାକୁ ପଛଘୁଞ୍ଚା ଦିଏ!!
(୨)
- କିଛି ତ ମାନୁନୁ ଅନ୍ତତଃ ଏଇ ଛୁଆଁଛୁତିକୁ ଟିକେ ମାନେଏ !
- ମାମା !
- ହଁ ବେଟା , କିଛି ଶାସ୍ତ୍ରବିଜ୍ଞାନସମ୍ମତ ନିୟମକୁ ମାନିନେଲେ କ୍ଷତି କ'ଣ ??
- ଗୋଟେ ରିକ୍ଵେଷ୍ଟ୍ ମାମା , ମୋତେ ଆଉ କେବେ ବେଟା କହି ସମ୍ବୋଧନ କରିବନି। ବେଟୀ ଚଳିବ।
- ହ୍ୱଆର୍ଟ? ରାଗିଯାଉଛୁ କାଇଁ?
- ବାସ୍ ! ଡାକନି କହିଲି।
ଧଡକି କବାଟ ବନ୍ଦ କରିଦେଲା ପ୍ରଜ୍ଞା । ସେ ଜାଣେ ମାମା ଏବେ ସନ୍ତୁଳି ହେବ। ହେଉ। ସେ ନିଜେ କିଛି କମ୍ ଅସହାୟ କି ? ଗୋଡ଼ କାଢିଲେ ନିୟମ। ଏଟା କରନି,ସେଠାକୁ ଯା'ନି।
ଶରୀରକୁ ରୋକି ହେବ । ମନ ପବନ ପରା? ତାକୁ କି ଆକଟ?
ନଟେଇର ଖିଅ ହାତରେ ରହୁ। କିନ୍ତୁ ଉଡିବାର ପରିସୀମା ନିର୍ଦ୍ଧାରୀ ଦେଲେ , ଗୁଡି ପବନକୁ ସାଥୀ କରି ଉଡିବ ବା କେମିତି?
ଗୁଡି, ପ୍ରଜାପତି ଆଉ ଝିଅ , ଏ ତିନିହେଁ ଆଜନ୍ମ ଶୃଙ୍ଖଳିତ ଏବଂ ପବିତ୍ର ।
ଦୁର୍ଭାଗ୍ୟକୁ ଅନୁଭବୀ ମା' ମାନେ ବି ଏକଥା ପାଶୋରି ଦିଅନ୍ତି!!!!
(୩)
ପ୍ରତ୍ୟେକ ପରୀକ୍ଷା ପୂର୍ବରୁ , ବାଳଗୋପାଳଙ୍କ ଦର୍ଶନ କରିଆସେ ପ୍ରଜ୍ଞା। ଭୟରେ ନୁହେଁ, ଶ୍ରଦ୍ଧାରେ। ବାବା ମାମାଙ୍କୁ ମୁଣ୍ଡିଆ ମାରି ଗଲାପରି।
ଗୋପାଳଙ୍କ ମୁହଁଟି ଖୁବ୍ ଗୁଲୁଗାଲିଆ। ତାକୁ ଲାଗେ,ଶଙ୍ଖ ପଥର ହେଲେବି , ବାଳଗୋପାଳ ଜଡ ନୁହଁନ୍ତି। ମନକଥା ବୁଝି ମୁହଁରେ ଭାବଭଙ୍ଗି କରି ଉତ୍ତର ଫେରାନ୍ତି।
ବାସ୍ ଥରୁଟିଏ ଆଖିରେ ଆଖି ମିଶିଗଲେ, ଅଫୁରନ୍ତ ଶକ୍ତି ସଂଚରିଯାଏ ଦେହରେ। ପ୍ରଜ୍ଞା କିଛି ମାଗେନି।
ସେ ଭଲକି ଜାଣେ, ମାଗିଆଣୁଥିବା ଦୟା ସବୁ ପ୍ରାୟ କିଛି କାମରେ ଆସେନି।
- ମାମା! ମୁଁ ଆସୁଛି।
- କୁଆଡେ? ତୋ' ଦେହ ଭଲନାହିଁ । ଦୁଇ ଦିନ ପରେ ପରୀକ୍ଷା ବି।
- ମୁଣ୍ଡ ଜାମ୍ ହୋଇଗଲାଣି ମ୍ୟାଥ୍ କରିକରି। ଘେରାଏ ମାରିଦେଇ ଆସେଁ।
- ଚୋପ୍ ! କୁଆଡେ ଯିବୁ କହ ଆଗ।
- ଏଗଜାମ୍ ଟାଇମ୍ ରେ ବି ଗାଳି? ଯାଉଛି ରୋଜି ପାଖକୁ ଟିକେ। ଗପମାରି ଆସିବି।
- ଯାଃ । ସଅଳ ଫେରିବୁ।
(୪)
ସ୍କୁଟି କାଢିଲା ପ୍ରଜ୍ଞା। ଘରର ଏଇ ବିଶାଳ ଲୁହା ଗେଟ୍ ଟା ହିଁ ବେଶି ଅସହ୍ୟ। ଗେଟ୍ ବାହାରେ ଅଛି ବଞ୍ଚିବାର ମୁଠେ ନିଃଶ୍ଵାସ।
ସାରା ସହରକୁ ବୁଲି ନେବାର ଅଧିକାରବୋଧ ନେଇ ସ୍କୁଟି ଏକ୍ସିଲେଟର୍ ମୋଡିଲା ପ୍ରଜ୍ଞା। ଓଃ! ମୁଣ୍ଡ ଭିତରେ ଛନ୍ଦିମନ୍ଦି ହୋଇପଡିଥିବା ତନ୍ତୁ ଗୁଡିକ, ଯେମିତି ଫିଟିଫିଟି ଯାଉଥିଲା ଧିରେ ଧିରେ। ଶେଷକୁ ପଡିଲା ବାଳଗୋପାଳଙ୍କ ଆସ୍ଥାନ। ଗାଡି ସାଇଡ୍ ରେ ରଖି, ଦୀପଟିଏ କିଣି ଭିତରକୁ ଗଲା ପ୍ରଜ୍ଞା।
ଆହାଃ! ଗୃହବନ୍ଦୀ ବାଳଗୋପାଳ! ଯା'ନ୍ତ କି ଟିକେ ବାହାରକୁ ଭଲା। ମନ୍ଦିର ବାହାରେ କି ସୁନ୍ଦର ପୃଥିବୀ! ତୁଚ୍ଛା ଅହଂକାର ଖାଲି -
" ସବୁ ମୋର, ମୁଁ ସବୁର"
ଦୀପ ଜାଳି ଅପଲକ ଆଖିରେ ଚାହିଁ ରହିଲା ପ୍ରଜ୍ଞା। ସେଇ ସବୁବେଳିଆ ଭୂବନମୋହିନୀ ଧାରେ ହସ। ସମସ୍ତଙ୍କୁ ସମାନ ଶ୍ରଦ୍ଧା, ସମାନ ଆଦର।ସେ ଚୋର,ଖଣ୍ଟ,ବଳାତ୍କାରୀ,ହତ୍ୟାରୀ ହେଉ କି ସରଳ ବିକଳ।
ସାମ୍ନାରେ ଯେ' , ସେ ଭକ୍ତ।
ଏଇଟା ହିଁ ଭଲଲାଗେ ଭାରି। ଦର୍ଶନ ଦେବାରେ,ଉଚିତ ଅନୁଚିତ୍ ର କଠୋର ନିୟମଟେ ନଥାଏ ଗୋପାଳଙ୍କର।
ଭାଙ୍ଗୁଥିବା ମଣିଷକୁ ହିଁ, ବେଶି ନୀତିନିୟମ ମନେପଡେ। ଏଣେ, ଶ୍ରୀମନ୍ଦିର ର ସେବାୟତ ହୋଇବି ଅପକର୍ମ କରୁଥିବା ଖବରସବୁ ପୃଷ୍ଠା ମଣ୍ଡନ କରେ।
ଦୀପ ଜାଳି, ମୁଣ୍ଡିଆ ମାରି, ମଥାରେ ବିଭୂତି ଲଗାଇ, ପାଦୂକ ପିଇ,ପଛମୁହାଁ କରି ଫେରିଲା ବେଳେ, ପ୍ରଜ୍ଞାକୁ ଲାଗିଲା, ଗୋପାଳ ତାକୁ ଚାହିଁ ମୁରୁକୁଛନ୍ତି।
- ଆଁଆଁ! କଥାକଣ ?
- କିଛିନାହିଁ। ମନଦେଇ ପରୀକ୍ଷାରେ ଲେଖିବୁ ଯା।
- ହଁ ଯେ , ତୁମେ ଏମିତି ହସିଲ ? ଏ ଅବସ୍ଥାରେ ଆସିଛି ବୋଲି ଜାଣିପାରିଲ ବୋଲି ତ? ଉଚିତ୍ ହେଲାନି କି ?
- ଆରେ ପାଗେଳୀ , ମୋଠେଇଁ କଣ ଗୋଟେ ଉଚିତ୍? କିନ୍ତୁ ମାମାଙ୍କୁ ମିଛ କହି ଆସିବାଟା ଅନୁଚିତ୍।
- ନହେଲେ ସେ କଣ ଛାଡିଥାନ୍ତା ?
- ହା ହା ତୁ ବି ମାମା ହେଲେ, ସେମିତି ଡରୁଆ ପାଲଟିଯିବୁ ଝିଅ।
- ଆଁ! ମୋ ମୁଣ୍ଡରେ କିଛି ପଶୁନି। ଆଗ ପରୀକ୍ଷା , ତାପରେ ପୁଣି ଦେଖା। ବାଏ।
(୫)
- ବୁଲିବାଲି ଆସିଲୁ ?
- ହଁ।
- ତୋ ମଥାରେ ଚନ୍ଦନ ଚିତା ? ମନ୍ଦିର ଯାଇଥିଲୁକି?
- ହଁଅଁ! ପରୀକ୍ଷାଟା ଯିବିନି ?
- ନନସେନ୍ସ ।
- ହ୍ୱଆର୍ଟ?
- ମନାକରିଥିଲିନା ? ଏ ସମୟରେ ଟିକେ ମାନିବୁବୋଲି?
- ମାମା ! ବୁଝି ପାରୁନି ଯେ , ଦେହ ମଇଳା ତା'ବାଟରେ ବୋହୁଛି। ପିରିୟଡ଼! ମାଇଁଫୁଟ୍। ତୁମ ମନସଂସ୍କାର ମଇଳାକୁ ଆଗ ସଫା କର। ବାଳଗୋପାଳଙ୍କୁ ତ କିଛି ପ୍ରୋବ୍ଲେମ୍ ନାହିଁ। ଯା ସବୁ ତୁମଠାରେ। କି ଅଶୁଦ୍ଧଟା ହୋଇଗଲା ଯେ ?
- ପ୍ରଜ୍ଞା??
- ଏଣେ ଝିଅକୁ ମହାକାଶ ପଠେଇବାକୁ ଇଛା । ତେଣେ ଘର ସାମ୍ନାରେ ମଣିଷେ ଉଚ୍ଚା ଭୟର ଲୁହା ପାଚେରୀ ......???
★ ଅମିୟ ବେଜ୍, ଘଟଗାଁ, କେନ୍ଦୁଝର ★