Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Others

4  

Shashanka sekhar Ray

Others

ଜେଜେ

ଜେଜେ

9 mins
7.1K


ଜେଜେ ଆଉ ମୋ ପିଲାଦିନ...

ଶଶାଙ୍କ ଶେଖର ରାୟ

ଜେଜେ ଆଜି ନାହାଁନ୍ତି ସତ କିନ୍ତୁ କାନ୍ଥରେ ଟଙ୍ଗାହୋଇଥିବା ତାଙ୍କ ଫଟୋଟିକୁ ମୁଁ ବହୁସମୟ ଧରି ଚାହିଁରୁହେ । ତାଙ୍କ ସହ କଟାଇଥିବା ଅନେକ ପୁରୁଣା ପିଲାଦିନର ସ୍ମୃତି ସବୁ ମୋ ମନରେ ବୁଢିଆଣୀ ବସା ଭଳି ଗୁଡେଇ ତୁଡେଇ ହୋଇଯାଏ ।ବଡ ଅଜବ ଥିଲା ତାଙ୍କର ବ୍ୟକ୍ତିତ୍ଵ , ସେ ଯେତିକି ରାଗି ସେତିକି ସ୍ନେହୀ ଥିଲେ ।ଏକାନ୍ନବର୍ତ୍ତୀ ଆମର ଏକ ବଡ ପରିବାରରେ ସେ ଥିଲେ ପିତାମହ ଭୀଷ୍ମ ।ସମସ୍ତେ ତାଙ୍କୁ ଭୟ କରୁଥିଲେ ,କେହି ବି ପରିବାରର ଜଣେ ସଦସ୍ୟ କେବେ ବି ଜେଜେଙ୍କ ସାମ୍ନାରେ ବଡ ପାଟିରେ କଥା ହେବାର ମୁଁ ଦେଖିନି ।ସମସ୍ତେ ତାଙ୍କୁ ନନାବାପା ବୋଲି ସମ୍ଵୋଧନ କରୁଥିଲେ ।ଆମ ପରିବାରର ବିରାଟ ଜାହାଜରେ ସେ ଥିଲେ ଜଣେ ଦକ୍ଷ ନାବିକ ।ତାଙ୍କର ଟାଇଁ ଟାଇଁ କଥାରେ ବୋଉ ଖୁଡିମାନେ ସବୁବେଳେ ଆତଙ୍କିତ ଥିଲେ ।ଯଦି ଘରର କୌଣସି ଜିନିଷ ଠିକ ଜାଗାରେ ନ ରହି ଏଣେତେଣେ ପଡିଥିବାର ଜେଜେଙ୍କ ନଜରକୁ ଆସେ ତେବେ ଗାଳି ବର୍ଷିଯାଏ ବୋଉ ଖୁଡୀମାନଙ୍କ ଉପରେ ।ସମସ୍ତଙ୍କୁ ସେ ସମୟାନୁବର୍ତ୍ତୀ ଓ ଶୃଙ୍ଖଳିତ ପରିମାର୍ଜିତ କରିବାକୁ ସବୁବେଳେ ଚାହୁଁଥିଲେ । ଏହିଗୁଣ ପାଇଁ ନୂଆ ନୂଆ ଖୁଡୀମାନେ ମନେ ମନେ ଭାରି ଅଶାନ୍ତି ହେଉଥିଲେ କେବଳ ମୋର ବୋଉକୁ ଛାଡି ।ମୋର ବି ବଡ ହେବାଯାଏଁ ତାଙ୍କ ପ୍ରତି ବହୁତ ଭୟ ଭାବ ରହିଥିଲା ।ସେତେବେଳେ ଜେଜେଙ୍କର ଏଭଳି ଗୋଟେ ଟାଣୁଆ ସ୍ଵାଭାବକୁ ଆମେ କେହି ସହିପାରୁ ନଥିଲୁ ।କିନ୍ତୁ ଏବେ ମୁଁ ବୁଝିପାରୁଛି ଅନୁଶାସନର ଶୃଙ୍ଖଳ ଭିତରେ ମଣିଷ ଥରେ ବାନ୍ଧିହୋଇଗଲେ ସେ କେବେ ବି ଭୂଲ କିମ୍ବା ପଶ୍ଚାତାପ କରିବାକୁ ଭବିଷ୍ୟତରେ ପଡିବ ନାହିଁ ତାକୁ ।

ସେତେବେଳେ ଜେଜେ ଆମ ଅଞ୍ଚଳରେ ଜଣେ ଆଦର୍ଶ ଅବସରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ ।ସମସ୍ତେ କହୁଥିଲେ ତାଙ୍କ ଛାଟ ଯାହା ଦେହରେ ଥରେ ବାଜିଛି ସେ ଏ ଦୁନିଆଁରେ ମଣିଷ ପରି ମଣିଷଟିଏ ହୋଇ ଠିଆ ହୋଇଛି ।କଞ୍ଚାମାଟିକୁ ଭଲ ଭାବରେ ଚକଟି ଭବିଷ୍ୟତରେ ଏକ ଶକ୍ତ ଇଟା ବନାଇବାର ସେ ଥିଲେ ଦକ୍ଷ କାରିଗର । ଗାନ୍ଧିଜୀଙ୍କର ସ୍ଵଦେଶୀ ଆନ୍ଦୋଳନକୁ ସେ ବ୍ରତ ଭାବରେ ସାରାଜୀବନ ପାଳି କେବେ ବି ଦିନେ ପ୍ୟାଣ୍ଟ ସାର୍ଟ କି ପାଦରେ ଜୋତା ପିନ୍ଧି ନଥିଲେ । ଫୁଙ୍ଗୁଳା ଦେହ ଧଳା ଧୋତି ,ଚାଦର ,ଶୀତଦିନେ କାଣ୍ଟିଆ ଖଣ୍ଡିକ ,ହାତରେ ସବୁଦିନ କପଡାବ୍ୟାଗ ଓ ଛତାଟିଏ ଥିଲା ତାଙ୍କର ସାରାଜୀବନର ଏକମାତ୍ର ସମ୍ଵଳ ।ଖୁବ ନିଡାମ୍ଵର ଜୀବନ ଶୈଳୀ ,ମାପିଚୁପି କଥା ହେବା ଗାମ୍ଭୀର୍ଯ୍ୟ ,ସୁସଂଯତ , ଭାରି ଧୋର୍ଯ୍ୟଶୀଳ ,ବନ୍ଧୁପ୍ରେମୀ ମେଳାପି ,ଅର୍ଥ ଓ ସମୟର ସଦୁପୋଯୋଗ କରିବାର ଚାତୁରୀ ମୋତେ ଖୁବ ଆକୃଷ୍ଟ କରିଥିଲା । ବାପାଙ୍କର ଆଦର୍ଶ ଯେତିକି ମୋ ଉପରେ ପଡି ନଥିଲା ଜେଜେଙ୍କର ଆଦର୍ଶ କିଛି କିଛି ମୋ ଉପରେ ଛିଟିକିପଡିଥିଲା ପିଲାଦିନୁ ।ପିଲାଦିନେ ଭାରି ରାଗ ଲାଗେ ଜେଜେଙ୍କର ଏହି ସବୁ ଗୁଣ ପାଇଁ , କିନ୍ତୁ ମୁଁ ଆଜି ବାପା ହେଲାପରେ ଅନୁଭବ କରୁଛି ସତରେ ଜେଜେଙ୍କର କାହିଁକି ନିଦ ହଜିଯାଉଥିଲା ସେତେବେଳେ ।

ମୁଁ ,ମୋର ବଡଭଉଣୀ ଓ ବଡ ପିଉସୀଙ୍କ ଝିଅ ଆମେ ତିନିଜଣ ସାଙ୍ଗ ହୋଇ ଜେଜେଙ୍କ ପାଖରେ ଗାଁରେ ରହି ପାଠ ପଢୁଥିଲୁ ।ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କେବଳ ନାଁ ଥିଲା ଶ୍ରେଣୀ ଡେଇଁବାକୁ ।ଆମେ କେବେ ବି ଦିନେ କ୍ଲାସ କରିନଥିଲୁ । କେବଳ ବାର୍ଷିକ ପରୀକ୍ଷା ଦେଇଥାଉ କ୍ଲାସ ପ୍ରମୋସନ ପାଇଁ କିନ୍ତୁ ସେହି ପ୍ରଶ୍ନପତ୍ର ଧରି ଜେଜେଙ୍କ ପାଖରେ ଆମକୁ ପୁଣିଥରେ ପରୀକ୍ଷା ଦେବାକୁ ପଡୁଥିଲା ।କାହିଁକିନା ଜେଜେଙ୍କର ସରକାରୀ ଶିକ୍ଷାଦାନର ଶୈଳି ଉପରେ ଆଦୌ ଭରସା ନ ଥିଲା । କେବଳ ଚାକଚକ୍ୟ ଶ୍ରେଣୀଗୃହ ମଧ୍ୟାହ୍ନ ଭୋଜନ ଉପକରଣ , ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିଦେଲେ ଶିକ୍ଷାର ବିକାଶ ହୁଏନି ଶିକ୍ଷା ସହ ସଂସ୍କାର ନୀତି ଆଦର୍ଶ ଏସବୁ ମହନୀୟତା ଗୁଣର ଆବଶ୍ୟକତା ରହିବା ଉଚିତ । ଏହା ହିଁ ଥିଲା ଜେଜେଙ୍କର ଉନ୍ନତ ଆଦର୍ଶ ଚିନ୍ତାଧାରା ।

ସ୍କୁଲଘର ଆମର ପାଲଟିଯାଇଥିଲା ମୁକ୍ତ ବନବିଦ୍ୟାଳୟର ଖୋଲା ଆକାଶ ତଳେ । ଘରର ବାରଣ୍ଡା ,ଚଉଁରାମୂଳ ନହେଲେ ଜେଜେ କାମ କରୁଥିବା ବାଡିବଗିଚାରେ ।ଆମେ ମଶିଣାଟିଏ ପାରି ଦେଇ ପାଠ ପଢୁ ।ସାହିତ୍ୟ ବହିର କବିତା ହେଉ କି ପ୍ରବନ୍ଧ,ଗଳ୍ପ ,ଏକାଙ୍କିକା ଆମେ ଖୁବ ବଡ ପାଟିରେ ଅତି ପ୍ରାଞ୍ଜଳ ଭାବରେ ଅଭିନୟ କରି ରିଡିଙ୍ଗ କରୁ ଯାହାକି ଆମ ଗାଁ ନଦୀଘାଟ ଯାଏଁ ସମସ୍ତଙ୍କୁ ଶୁଣାଯାଉଥାଏ । ରାସ୍ତାରେ ଚାଲିଗଲା ବେଳେ ବାଟୋଇ ଠିଆ ହୋଇ କିଛିସମୟ ଆମ ଘରେ ଆଡେ ଘଡିଏ ଚାହିଁରୁହେ ।

ସକାଳେ ଗଣିତ ପାଠ ପଢାଯାଏ ।କାଗଜ କଲମ ପରିବର୍ତ୍ତେ ଜେଜେ ଚକ ଡଷ୍ଟର ବ୍ୟବହାର କରନ୍ତି ।ତଳ ପକ୍କା ସିମେଣ୍ଟ ଚଟାଣରେ କଷାହୁଏ କେତେ କେତେ ଜଟିଳ ଅଙ୍କ ।ଦୁଇ ଭଉଣୀଙ୍କ ଠାରୁ ମୁଁ ଥିଲି ସାନ ।ମୁଁ ସବୁବେଳେ ଦୁଇ ଭଉଣୀଙ୍କର ମଝିରେ ବସେ ।ସକାଳ ସାତଟାରୁ ଆରମ୍ଭ ହୋଇଯାଏ ପାଠ ପଢା ।ଅଙ୍କ କରିବାକୁ ଜେଜେଙ୍କସାମ୍ନାକୁ ଜଣେ ଯିବାକୁ ପଡିବ ,ଆଉ ଦୁଇ ଜଣ କେବଳ ନଜର ରଖିବେ ଅଙ୍କର ଧାରା କଲାବେଳେ ଭୁଲ ଠିକର ସମୀକ୍ଷା କରିବେ । ଦୁଇ ଭଉଣୀଙ୍କର ଅଙ୍କରେ ଭାରି ଦୁର୍ବଳ । ସେଥିପାଇଁ ଦୁହେଁ ମିଳିମିଶି ମୋତେ ଠେଲାପେଲା କରି ଚିମୁଡି ଚିମୁଡି ପଠାଇଦିଅନ୍ତି ଅଙ୍କ କଷିବାକୁ । ଯେଉଁଦିନ ଭଉଣୀ ମାନଙ୍କ ପାଳି ପଡିଗଲା ସେଦିନ ସେମାନେ ଛେଳି ହାଣଖାଇଲାଭଳି ଜେଜେଙ୍କ ସାମ୍ନାକୁ ଯାଆନ୍ତି । ଡଷ୍ଟର ମାଡ ନହେଲେ ଖୁବ ଜୋରରେ ଚୁଟିଘୁମା ଖାଇବାର ଦେଖିଲେ ମୋ ମନରେ ଭାରି ଦୟା ଲାଗେ ।ସେଥିପାଇଁ ମୁଁ ତାଙ୍କୁ କିଛି ନ କହି ନିରବରେ ଜେଜେଙ୍କ ସାମ୍ନାକୁ ଚାଲିଆସେ ।ମୋର ପାଠ ଭଲ ହେଉଥିବାରୁ ଜେଜେ ମୋତେ ସମସ୍ତଙ୍କ ଠାରୁ ଭଲ ପାଉଥିଲେ ।ତାଙ୍କ ଭଲ ପାଇବାଟାକୁ ସେ ମୋତେ କେବେ ଉପରେ ଦେଖାଉ ନଥିଲେ ସେଇଟା କେବଳ ଥିଲା ତାଙ୍କର ଭିତରେ ।

ଶ୍ରୃତଲିଖନରେ ଯଦି ଅକ୍ଷର ଖରାପ ହୁଏ ତାହେଲେ ଜେଜେ ଆଦୌ କ୍ଷମା କରୁ ନଥିଲେ ।କଲମଟିକୁ ଆମ ଦୁଇ ଆଙ୍ଗୁଳି ସନ୍ଧିରେ ରଖି ଚାପିଦେଉଥିଲେ ନ ହେଲେ ଡଷ୍ଟରରେ ଆଙ୍ଗୁଳି ଛେଚି ଦେଉଥିଲେ ।ଓଃ କି ଯନ୍ତ୍ରଣା ଏବେ ମୁଁ ତାକୁ ଭୁଲି ପାରେନି ସେତିକି କଷ୍ଟ ସହିବାରୁ ସିନା ଆଜି ମୋର ଅକ୍ଷର ସୁନ୍ଦର ହୋଇପାରିଛି ।

ନଅଟା ଦଶଟା ବେଳକୁ ଆମେ କିଛି ଖାଇଦେଇ ପୁଣି ବସିଯାଉ ମଶିଣା ପାରି ବାଡିରେ ଯେଉଁଠି ଜେଜେ କୋଦାଳ ଶାବୁଳରେ ଶାଗ ପଟାଳି କାମରେ ଲାଗିଥାନ୍ତି ।ଜେଜେ କେବେ ବି ସମୟକୁ ଅପଚୟ କରନ୍ତି ନାହିଁ କିଛି ନା କିଛି କାମରେ ଲାଗିଥିବେ ।ସବୁବେଳେ କୁହନ୍ତି ସମୟ ବଳବାନ ତାକୁ କେବେ ବି ବୃଥାରେ ଅପଚୟ କରନାହିଁ ।ଜବାହାର ନେହେରୁ ଦିନକୁ କୋଡିଏଟି ଲେଖାଏଁ ଶବ୍ଦ ମୁଖସ୍ତ କରୁଥିଲେ ତୁମର ଛାତ୍ରଜୀବନ ଅଧ୍ୟବସାୟ କର ଜୀବନରେ ଉନ୍ନତି ଲାଭ କରିପାରିବ ,ଘାସ କାଟ ବା ଘୋଡାଚଢ ସବୁବେଳେ ମନେ ରଖ ଜୀବନରେ ଏକ ନମ୍ଵର ହେବାକୁ ଚେଷ୍ଟା କର ।ଏମିତି ଭାବରେ ଶକ୍ତି ସଂଗ୍ରହ କର ଯେମିତି କେବେ ବି ଜୀବନରେ ନିଜକୁ ହାରିଯିବାକୁ ହେବନି ।

କାମ କରୁ କରୁ ଆମେ ଛାଡିଯାଇଥିବା କୌଣସି ଲାଇନ ନହେଲେ ଭୂଲ ଉଚ୍ଚାରଣ କରି ପଢୁଥିବା ଶବ୍ଦକୁ ସେ ଚଟାପଟ ସଂଶୋଧନ କରିଦିଅନ୍ତି ।ଇଂରାଜୀ ଓଡିଆ ଲିଟରେଚର ସବଜେକ୍ଟ ପାଠ ପଢାଯାଏ ବାରଟା ଯାଏଁ ।ତାପରେ ଆମେ ଗାଧୋଇ ମଧ୍ୟାନ୍ନ ଭୋଜନ ଖାଇ ଶୋଇଯାଉ କିଛି ସମୟ ।

ଅପରାହ୍ନ ତିନିଟା ବାଜିଲେ ଆମେ ବସି ଓଡିଆ ଇଂରାଜୀ ହସ୍ତାକ୍ଷରମାନ ଲେଖୁ ।ଜେଜେ ସାମାଜିକ ,ବିଞ୍କାନ ଆଦି ବିଷୟ ପଢାଇବାରେ ଲାଗନ୍ତି ।ଆମେ ମନଧ୍ୟାନ ଦେଇ ଶୁଣୁଥାଉ ।ତାପରେ ଆମର ଖେଳଛୁଟି ହୁଏ ସଂଧ୍ୟାହେବାଯାଏ ।

ଦିନ ସାରାର ପାଠପଢା ଭାରି ବୋର କରେ ଆମକୁ ।ରାତିରେ ବିଜୁଳି ଆଲୁଅ ଗାଁରେ ନଥିବାରୁ ଆଉ ପାଠ ପଢାଯାଏନି ।କିନ୍ତୁ ଜେଜେ ସଂଧ୍ୟା ହେଲେ ଗୋଡ ହାତ ଧୋଇ ରେଡିଓ ଖଣ୍ଡିକ ଧରି ବସିଥାନ୍ତି ଆମ ଦାଣ୍ଡ ଆଗରେ ଥିବା ଏକ ଚଉଁରା ମୂଳେ । ଆଞ୍ଚଳିକ ସମ୍ଵାଦ ଜାତୀୟ ସମ୍ଵାଦ ଆମେ ବସି ରେଡିଅରୁ ଶୁଣୁ । ଏସବୁ ସରିଗଲେ ପଣକିଆରୁ ଆରମ୍ଭ କରି ଗ୍ରହ ନକ୍ଷତ୍ର ନଦନଦୀ ସମୁଦ୍ର ପାହାଡ ବାର

ମାସ ତିଥୀ ମାନଙ୍କର ନାମ ଆମେ ସୁମରଣା କରୁ ।ଈଶ୍ଵରଙ୍କ ପ୍ରାର୍ଥନା ଗାଉ । ତାପରେ ରେଡିଅର ଭଲୁଅମ କମାଇ ଦେଇ ଜେଜେ ପଚାରିବା ଆରମ୍ଭ କରିଦିଅନ୍ତି ଜଟିଳ ମାନସାଙ୍କ ।ଦୁଇ ଭଉଣୀ କିଛି ନ କହିପାରିଲେ ବି ମୁଁ ଉତ୍ତରଟି ଦେଇଦିଏ ।ଭଉଣୀ ମାନଙ୍କୁ ନ ଆସିଲେ ମୁଁ ଅନ୍ଧାରରେ ତାଙ୍କ କାନରେ ଫୁସୁଫୁସୁ ହୋଇ ଉତ୍ତରଟି କହିଦିଏ ଏବଂ ଗାଲରେ ବ୍ରହ୍ମଚାପଡ ବାଜିବାରୁ ମୁକ୍ତି କରିଦିଏ ।ମାନସାଙ୍କ ପର୍ବ ସରିଗଲେ ଜେଜେ ଆମକୁ ଦୁଇତିନୋଟି ନୀତି ଶିକ୍ଷା ମୂଳକ ଗପ କୁହନ୍ତି ଶୁଣୁ ଶୁଣୁ ଆମକୁ ଭାରି ନିଦ ଲାଗେ ।ଜେଜେମାର ଡକରା ଆସେ ପିଲାମାନଙ୍କୁ ଛିଡିଦେବାପାଇଁ । ଆମେ ଖାଇ ପିଇ ବେଶ ଆରାମରେ ଶୋଇଯାଉ ଶୁଣିଥିବା ଗପଗୁଡିକୁ ମନେ ପକାଇ ପକାଇ ।

ବଡଦିନ ଛୁଟିରେ ଜେଜେ ଆମକୁ ବୁଲାଇନିଅନ୍ତି ପୁରୀ କୋଣାର୍କ ଚନ୍ଦ୍ରଭାଗା ଏମିତି ଅନେକ ଦର୍ଶନୀୟ ଜାଗାକୁ । ହାତ ଠାରି ଦେଖାଇଦିଅନ୍ତି ପୂର୍ବ ଅତୀତ ଇତିହାସର ସବୁ ।ତାଙ୍କ କହିବା ଥରେ ଆରମ୍ଭ ହୋଇଗଲେ ଆଉ ପାଟି ବନ୍ଦ ହୁଏନି ।ସବୁବେଳେ ହିତଉପଦେଶ ଶୁଣିଶୁଣି ଆମକୁ ଭାରି ବୋର ଲାଗେ ।ଆମେ ତିନିଜଣ କଥା ହେଉ କାହିଁ ଏ ବୁଢାଟା ଖାଲି ରାଉ ରାଉ ହେଉଛି କେଜାଣି ସବୁବେଳେ ଖାଲି ପାଠ ପାଠ । ଆଉ ଯେମିତି କିଛି ନାହିଁ । ଆମ ଉପରେ ମାଡ ଯେ କେହି ଦେଖିଲେ ତାର ଆଖି ଖୋସିହୋଇପଡିବ ।ବୋଉ ଅନେକ ଥର ଦେଖେ ଜେଜେଙ୍କ ଡରେ ସେ କିଛି ପାଟି ଖୋଲିପାରେନି ଛାତିକୁ ପଥର କରି ସବୁ ସହିଯାଏ ଆମେମାନେ ଭଲ ମଣିଷଟିଏ ହେବା ଲକ୍ଷ୍ୟରେ ।

ଜେଜେମା ପାଠଶାଠ ପଢି ନ ଥିଲେ ବି ବେଳେ ବେଳେ ଜେଜେଙ୍କୁ କହନ୍ତି ପିଲାଗୁଡିଙ୍କୁ କାହିଁକି ଏତେ ମାରୁଛ ବୋଲି ।ଜେଜେଙ୍କ ଠାରୁ ଅସଭ୍ୟ ଭାଷା ଶୁଣି ଜେଜେ ମା ଚୁପ ରୁହନ୍ତି ଏବଂ ଆମକୁ ସମବେଦନା ଦେଖାଇ କୁହନ୍ତି କି ମାଷ୍ଟର ହୋଇଛ ତୁମକୁ ଟିକେ ମୂଲିଜା ଲାଗୁନି ପିଲାମାନଙ୍କ ଆଗରେ ଏ କଥା କହୁଛ । ଜେଜେମା ଆମର ଭାରି ସରଳ ଆଉ ନିରିହ ମଣିଷଟିଏ ।ଛନ୍ଦକପଟ କଣ ସେ ଜାଣେନି ।ଖାଣ୍ଟି ନିରୋଳା ମଣିଷ ।ଭାରି ଲାଜେଇ ,ବୁଢୀ ବୟସରେ ବି ତାର ମୁଣ୍ଡରୁ କେବେ ବି ଓଢଣୀ ଖସିଯାଇଥିବାର କେହି କେବେ ଦେଖିନି ।ବୁଢାବୁଢୀ ହେଲେ ବି ଜେଜେ ଜେଜେମାଙ୍କର ଅନାବିଳ ସ୍ନେହ ଶ୍ରଦ୍ଧା ଭଲ ପାଇବା ଆଜିଯାଏଁ ମୁଁ କାହାର କେବେ ଦେଖିବାକୁ ପାଇନି ।ଅସଭ୍ୟଭାଷାରେ ଜେଜେ ଯେତେ ଗାଳି ଦେଲେ ବି ଜେଜେମା ସବୁ ସହିଯାଏ ଯେମିତି ଏ କାନରେ ପୁରାଇ ସେକାନରେ ସେ ବାହାରକରିଦିଏ ।ହସିଦିଏ ପାନଖିଆ ଦୁଇଧାଡି ନାଲିଆ ଦାନ୍ତ ଦେଖାଇ ।ରାଗ ଅଭିମାନ ସବୁ ଯେମିତି ସଙ୍ଗେସଙ୍ଗେ ଧୂଆଁ ପରି ଉଡିଯାଏ ଆକାଶରେ ।

ସେ ଭାରି ଭଲ ପାଏ ମୋତେ ତାର ପୁଅ ମାନଙ୍କ ଠାରୁ ବେଶି । ପଞ୍ଚମ ପଢିଲା ବେଳକୁ ମୁଁ ସବୁଦିନ ଶୁଏ ମୋ ଜେଜେମା ଜେଜେ ବାପାଙ୍କ ବିଛଣା ମଝିରେ । ଜେଜେଙ୍କୁ ଦେଶ ବିଦେଶ ସମାଜ ଧର୍ମ ବିଞ୍କାନ ଈଶ୍ଵର ବିଷୟରେ ମୋ ମନରେ ଉଙ୍କିମାରୁଥିବା ଅନେକ ଗୁଡିଏ ପ୍ରଶ୍ନ ପଚାରେ । ଜେଜେ କିଛି ଉତ୍ତର ଦିଅନ୍ତି ଆଉ କିଛିର ଉତ୍ତର କହନ୍ତି ତୁ ବଡହେଲେ ନିଜେ ଅନୁଭବ କରିପାରିବୁ ଅନୁଭବ ଆଉ ଅନୁଭୂତି ନ ଆସିଲେ ଗୋଟିଏ ଗୋଟିଏ ପ୍ରଶ୍ନର ସମାଧାନ କେବେ ସହସରେ କରିହୁଏନି ।ପ୍ରତିଟି ମଣିଷ ଗୋଟିଏ ଗୋଟିଏ ଅଇନା ସଦୃଶ ସେ ଅଇନାରେ ତୁ ତୋ ମୁହଁକୁ ଦେଖିବୁ କିଛି କିଛି ଅଇନାର ପଛପାଖେ ପାରଦ ଦିଆଚାଲିଛି ଅପେକ୍ଷା କର ଦେଖିବୁ ସେମାନଙ୍କୁ ।ଏହି କଥା ଜେଜେ ମୋତେ ବାରମ୍ଵାର କାହିଁକି କହନ୍ତି ମୁଁ କିଛି ସେତେବେଳେ ବୁଝିପାରୁନଥିଲି ହେଲେ ଆଜି ମୁଁ ସତରେ ଅନୁଭବ କରିପାରୁଛି ବହୁତ ଗୁଡିଏ ଜେଜେ କହିଥିବା ତାତ୍ଵିକ କଥା ଗୁଡିକୁ ।ଜୀବନର ଅନ୍ଧାରୀଗଳିରେ ସେହି ଅନୁଭୂତିକୁ ମୁଁ ସାଉଁଟିବାରେ ଲାଗିଛି ।

ପାଠ ପଢାର ବୋଝଟି ଆମକୁ ଭାରି ଭାରି ଲାଗେ ।କିନ୍ତୁ ଜେଜେଙ୍କ ଠାରୁ ଆମକୁ ମଝିରେ ମଝିରେ ଛୁଟି ମିଳିଯାଉଥିଲା ।ଯେବେ ଜେଜେ ପେନସନ ଉଠାଇବାକୁ ଚାନ୍ଦବାଲି ଯାଆନ୍ତି କିମ୍ଵା ବନ୍ଧୁଘର ନହେଲେ ଜମିଜମା ବାବଦରେ କଟକ କୋର୍ଟ କଚେରୀକୁ ଚାଲିଗଲେ । କିନ୍ତୁ ଯିବା ପୂର୍ବରୁ ସେ ଆମକୁ ଘରପାଠ ଦେଇଯାଉଥିଲେ । ଜେଜେଙ୍କର ଯେଉଁଦିନ ଯିବାର ଥାଏ ସେଦିନ ଜେଜେ ବଢିଭୋରୁ

ଗାଧୋଇ ପାଧୋଇ ବାହାରିଯାଆନ୍ତି ।ଆମେ ତାଙ୍କ ଯିବାଟା ଆଗରୁ ଜାଣିଯାଉ କି ତା ଆଗଦିନ ସେ ତାଙ୍କର କାଗଜପତ୍ର କପଡାବ୍ୟାଗଟିରେ ଅତି ଯତ୍ନ ସହକାରେ ତାଙ୍କର ତଳ କାଠ ଆଲମିରାରୁ ବାହାର କରି ସଜାଡି ରଖିବାରେ ବ୍ୟସ୍ତ ଥାଆନ୍ତି ।ଜେଜେ ବାହାରିଗଲେ ଆମର ଚାରିଖଣ୍ଡ ମାପ ।ଆମର ଖୁସି କହିଲେ ନ ସରେ ସେଦିନ ।ଆମେ ସାଁବାଳୁଆରୁ ପ୍ରଜାପତି ପାଲଟିଯାଉ । ନୂଆ ନୂଆ କଅଁଳ କୁନିକୁନି ଢେଣାରେ ଉଡିବୁଲୁ ନିର୍ଭୟରେ ମନ ଖୋଲି । ସକାଳ ଟିକେ ବହି ଖୋଲିଦେଇ ଘରପାଠ ଚଟାପଟ କରିଦେଇ ମାତିଯାଉ ଖେଳରେ ଦିନସାରା ।ବୋଉକୁ ପଚାରୁ ଜେଜେ କେବେ ଫେରିବେ ।ବୋଉ ଆମକୁ ଡରାଇବାକୁ କୁହେ ଘରପାଠ କରିଦିଅ ନହେଲେ ମାଡଖାଇବ ହେଇ ଘାଟକୂଳେ ହେଲେଣି ।

ଆମେ ଖଳାରେ ଖେଳୁଖେଳୁ ଧାନଗଦା ଉହାଡରୁ ଅତି କରୁଣ ଚାହାଣିରେ ଚାହିଁରହୁ ନଈକୂଳ ଘାଟ ଆଡକୁ କାଳେ ଜେଜେ ଆସୁଛନ୍ତି ବାଟରେ ।ତାଙ୍କର ଧୋତି ଚାଦର ଚାଲିବାର ଶୈଳୀରୁ ଆମେ ବହୁଦୂରୁ ଚିହ୍ନିପାରିଥାଉ ।ଦେଖିଲା ମାତ୍ରେ ଆମେ ସମସ୍ତେ ଡକାଡକି ହୋଇ ବହିଧରି ବସିପଡୁ ଜେଜେଙ୍କର ନଜର ଆଢୁଆଳେ । ଅନେକ ଥର ଆମେ ନିର୍ଭୟରେ ଖେଳୁଥିବା ସମୟରେ ଜେଜେ ଆସି ପହଞ୍ଚିଯାଇଛନ୍ତି ଘରେ ଆମେ ପଢୁନଥିବାର ଦେଖି ଶୁଣିବାକୁ ପଡିଛି ଅନେକ ମାଡଗାଳି ।ଆମ ଅଲକ୍ଷ୍ୟରେ ବେଳେ ବେଳେ ଆମ ପିଉସୀ ବେଙ୍ଗଦେଇ ଘାଟକୂଳ ନଳକୂପରୁ ପାଣି ଆଣିବାକୁ ଗଲାବେଳେ ଯଦି ଜେଜେ ଆସୁଥାନ୍ତି ତେବେ ସେ ସଙ୍ଗେ ସଙ୍ଗେ ଆମକୁ ଖବର ଦେଇଦିଏ ।ଆମେ ସୁନାପିଲା ପରି ବସ୍ତାନିଗୁଡିକୁ ଧଡ଼ଧାଡ କରି ପକାଇଦେଇ କିଛି ନ ଜାଣିଲାପରି ପୁରା ପାଠରେ ମନ ଦେଇଦେଉ ।ଏମିତି ଅନେକ ଥର ବୁଲୁଥିବାର ଦେଖିଲେ ପିଉସୀ ନାନୀ ଆମକୁ ସଚେତନ କରି ମାଡଗାଳିରୁ ରକ୍ଷା କରିଦିଏ ।

ଦିନେ ଏକ ସରଳ ଗଣିତଟିଏ ନ ଆସିବାରୁ ଖୁବ ଜୋରରେ ମାଡ ବସିଲା ଜେଜେଙ୍କ ଠାରୁ ।ମୁଁ ଭାରି ରାଗିଗଲି ।ମନେ ମନେ ଭାବିଲି ବାପା ବୋଉ ତ କେବେ କିଛି କହୁନାହାଁନ୍ତି ଏତେ ମାଡ ଖାଉଛି ତାଙ୍କ ପୁଅ ।ମନରେ ଏକ ଅଜବ ଭୂତଟିଏ ବସାବାନ୍ଧିଲା ।ମୁଁ ଆତ୍ମହତ୍ୟା କରିବାକୁ ଚାହିଁଲି ।କେମିତି ଲୋକ ମରିଯାନ୍ତି ମୋତେ ଜଣା ନଥିଲା ।ପିଉସୀଝିଅ ଲୋରାଦେଇକୁ ପଚାରିଲି କଣ ଖାଇଲେ ମଣିଷ ମରେ ବୋଲି ।ଲୋରାଦେଇ ଆଗପଛ ନଭାବି ଚଟାପଟ କହିଲା କନିଅର କଟ ଖାଇଲେ ଲୋକ ମରିଯାନ୍ତି ।ମୁଁ ଲୋରାଦେଇ ସହାୟତାରେ କିଛି କନିଅର କଟ ସଂଗ୍ରହ କରି ତାକୁ ପଥରରେ ଛେଚି ଦୁଇତିନୋଟି ଦାନା ପାଟିରେ ମାରିଲି । ଇସ କି ପିତା କହି ତାକୁ ଆମ ବାଡିତଳ ପୋଖରୀକୁ ଝାଟିଦେଲି ।ଲୋରାଦେଇକୁ ଆସି କହିଲି କନିଅର କଟ ଖାଇଲି କାହିଁ ମୁଁ ମଲି ନାହିଁ ।କହମ୍ ଆଉ କଣ ଖାଇଲେ ମଣିଷ ମରେ ।ଲୋରାଦେଇ ଭାରି ଟିକେ ଗୁମୁରିଆ ସେ ଟିକେ ଭାବିଭାବି ରହି କହିଲା ମୂଷା ଔଷଧ ଯଦି ଖାଇବୁ ତେବେ ତୁ ଯାଇ ମରିଯିବୁ ।

ଏଥର ମୁଁ ଘରକୁ ବାପା ଆଣିଥିବା ମୂଷା ମରା ଔଷଧରୁ ଏକ ପ୍ୟାକେଟଟିକୁ ଚୋରିକରିଆଣିଲି ।ଲୁଚାଇ ଲୁଚାଇ ରଖିଲି ମୋ ପାଖରେ ଲୋରାଦେଇକୁ ବି ମୁଁ ଜଣାଇଲି ।ସେ ବି ଏକଥାରେ ଏତେଟା ସିରିୟସ ନ ଥିଲା ।ମୋତେ ଖାଲି ଏତିକି କହିଲା ସତରେ ତୁ ମୂଷା ଔଷଧ ଖାଇଦେବୁ ।ମୁଁ ହଁ କଲି ମୁଣ୍ଡ ହଲାଇ ।ଟିକେ ସଂଧ୍ୟା ହେବାରୁ ମୁଁ ପଡିଆ ଆଡକୁ ଗଲି କେହିକୁଆଡେ ନଥିଲେ ପୁରା ଶୁନଶାନ । ପକେଟରୁ ମୂଷା ଔଷଧର ପ୍ୟାକେଟିକୁ ବାହାର କରି କିଛି ସମୟ ତାକୁ ଏପଟ ସେପଟ କରି ବଲବଲ କରି ଚାହିଁଲି ।ପ୍ୟାକେଟିକୁ ଖୋଲିଦେଲାମାତ୍ରେ ତାର ଉତ୍କଟ ଗନ୍ଧରେ ମୋ ନାକ ଫାଟିପଡିଲା ।ଭାବିଲି ୟାକୁ କେମିତି ଖାଇବି ଛିଃ ଏ ବାଜେ ଜିନିଷ କହି ଘୃଣାରେ ଫୋପାଡିଦେଲି ନାଳକୁ ।ନୂଆ ପୋଖରୀରୁ ଗୋଡହାତ ଧୋଇ ମୁଁ ଫେରିଆସିଲି ଘରକୁ । ଦୁଇ ଭଉଣୀଙ୍କୁ ସବୁକଥା କହିଲି ।ମୋତେ ଦୁଇ ଭଉଣୀ ବହୁତ ବୁଝାଇଲେ ।ମୋର ବଡ ଭଉଣୀ ଫିନାଦେଇ ଲୋରାଦେଇ ଉପରେ ଭାରି ବିରକ୍ତ ହେଲା ଆଜି ଯଦି କିଛି ହୋଇଯାଇଥାନ୍ତା ସେଥିପାଇଁ ତୁ ଦାୟୀ ହୋଇଥାନ୍ତୁ ।

କଥାଟା ଆଉ ଅଛପା ନ ରହି ଜେଜେଙ୍କ କାନକୁ ଗଲା ବୋଉ ମାଧ୍ୟମରେ ।

ଜେଜେଙ୍କ ପାଖରେ ମୁଁ ଅପରାଧୀଟିଏ ପରି ବସିଥାଏ ।ଜେଜେ ମୋତେ କୋଳେଇନେଇ ଜାବୋଡି ଧରି କାନ୍ଦିପକାଇଲେ ।ଜେଜେଙ୍କର ସେଦିନର କାନ୍ଦ ମୁଁ କେବେ ବି ଦିନେ ଦେଖି ନଥିଲି ।କୋହ ଭରା ଛାତି ଥରାଇ କହିଲେ ଆରେ ପାଗଳା କଣ ମୁଁ ରାଗରେ ବାଡେଇଦେଇଥିଲି ବୋଲି ତୁ ଆଜି ଏତେ ବଡ ନିଷ୍ପତ୍ତି ନେବାକୁ ଯାଉଥିଲୁ ।ଲୁହାକୁ ଯେମିତି ନିଆଁରେ ଗରମ କରି ହାତୁଡି ପ୍ରହାର କରାଯାଇଥାଏ ସୁନ୍ଦର ସୁନ୍ଦର ହାତ ହତିୟାର ଗଢିବା ପାଇଁ ଠିକ ସେମିତି ମୁଁ ତୋତେ ଜୀବନରେ ଜଣେ ଅପରାଜିତ ଯୋଦ୍ଧା ଭଳି ଗଢିବାକୁ ଚାହୁଥିଲି ।ତୁ ଧୋର୍ଯ୍ୟ ଏତେ ଶିଘ୍ର ହରାଇଦେଲୁ ।ତୁ ମୋର ନାତି । ମୋ ପରି ଟାଣ ହେବା ଶିଖ । ମୁଁ ବି ଭୋ ଭୋ ହୋଇକାନ୍ଦିଉଠିଲି ଜେଜେଙ୍କ କୋଳରେ ମୁହଁ ଲୁଚାଇ ।ମୋର ଭୁଲ ହୋଇଯ ଇଛି ଏମିତି ଭୁଲ କେବେ ବି ଜୀବନରେ ହେବନି ଜେଜେ ।ମୋତେ କ୍ଷମା କରିଦିଅ ମୋତେ ଶକ୍ତି ଦିଅ ଜେଜେ ।

ସେଇ ଦିନରୁ ମୁଁ ମୋର ଛାତିକୁ ଟାଣ କରିଦେଇଛି ।ସବୁବାଧାବିଘ୍ନକୁ କାଟିକାଟି ମୁଁ ଆଜି ଏ ସମାଜରେ ମଣିଷଟିଏ ବୋଲି ଗର୍ବ କରୁଛି ।ଭାଙ୍ଗିଯାଇନି ମୋର କେବେ ଆତ୍ମବିଶ୍ଵାସ କି ମନୋବଳ ।ସେଦିନ

ବୁଝିପାରିନଥିବା ଜୀବନର ଜଟିଳ ଅଙ୍କ ଆଜି ମୋତେ ସହଜ ଲାଗୁଛି ।ତାଙ୍କର ନୀତି ଆଦର୍ଶ ପିଲାଦିନେ କଲରା ପିତା ଭଳି ଲାଗୁଥିଲେ ବି ଆଜି ଯେମିତି ଅମୃତ ଠାରୁ ଆହୁରି ମିଠା ମନେ ହେଉଛି ।ଧନ୍ୟ ତୁମେ ଜେଜେ ଧନ୍ୟ ତୁମ ଦୂରଦୃଷ୍ଟି ,,,,,,,,,,,,,।

ମୋ - ୭୩୭୭୧୯୭୯୯୯


Rate this content
Log in