Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abinash Pani

Others

4.5  

Abinash Pani

Others

ଅଦିନିଆ ମେଘର ଶେଷ ଚିଠି

ଅଦିନିଆ ମେଘର ଶେଷ ଚିଠି

6 mins
861


ସମୟ ଭୋର୍ ୩:୩୦ ପରେ ହେବ ବୋଧେ। ହଠାତ୍ ଚାଏଁ କରି ନିଦ ଭାଙ୍ଗି ଗଲା। ଝରକା ବାଟେ ବାହାରକୁ ଚାହିଁ ଦେଖେ ତ ଭାରି ଜୋର୍ ରେ ବର୍ଷା ହଉଚି। ମଲା... ଶୀତ ଋତୁ ଯାଇଛି କି ନାହିଁ.... ବର୍ଷା ଆରମ୍ଭ ହେଇ ଗଲା? ହୁଁ.... ଅଦିନିଆ ମେଘ, ବୋଧେ ଲଘୁଚାପ ହେଇଚି କି କଣ। କାଇଁ କେଜାଣି ମନ ଭାରି ବ୍ୟସ୍ତ ଲାଗିଲା।ଭାରି ମନେ ପଡୁ ଥିଲା ତା କଥା। ମତେ ଦେଖି ନିଳୀମା ମଧ୍ୟ ଉଠି ପଡିଲେ , ଗଭୀର ନିଦରେ ଶୋଇଥିଲେ ବୋଧେ।

ପଚାରିଲେ " କଣ ହେଲା? କିଛି ଖରାପ ସ୍ବପ୍ନ ଦେଖିଲ କି?"

ଅସ୍ତବ୍ୟସ୍ତ ହୋଇ କହିଲି , "ନା.... କିଛି ନୁହେଁ" ।

"ପାଣି ପିଇବ?" ଭାରି ସହାନୁଭୂତି ଭରା କଣ୍ଠରେ ପଚାରିଲେ ନିଳୀମା।

"ନାଇଁ ଥାଉ....." କହିଦେଇ ଖଟ ଉପରେ ନିର୍ଜୀବ ପ୍ରାଣୀ ଟିଏ ପରି ପଡି ରହିଲି। କିନ୍ତୁ ବାରମ୍ବାର ତା'ରି ମୁହଁ ମୋ ସାମ୍ନାରେ ଦେଖା ଯାଉଥାଏ। ୨ ବର୍ଷ ହେଲାଣି ଥରଟେ ବି ମନେ ପକେଇ ନାହିଁ ସେ ମୋତେ। ରାଗିକି ଯାଇଛି , ଯାଇଥାଉ.......।


ଏମିତି ଭାବୁ ଭାବୁ କେତେବେଳେ ଚାଇଁକା ନିଦ ଲାଗି ଯାଇଛି। ବାହାରେ ସେମିତି ଅଦିନିଆ ମେଘଟା ଢୁ ଢ଼ୁ କଚାଡୁଚି......

" ସକାଳ ଆସି ୭ ଟା ହେଲାଣି... ମନେ ନାହିଁ କି ଆଉ? ହେଇଟି ..... ଉଠିବନି କି ଆଜି?" ନିଳୀମା ଡାକିଲେ।

 ନିଦ ମଳ ମଳ ହୋଇ ଉଠି କହିଲି " ଆରେ... ଏତେ ସକାଳ ହେଲାଣି ! ଯାଏଁ .... ଆଜି ପୁଣି outdoor patient ଦେଖିବାର ଅଛି। ଥାନା , ପାଇଖାନା, ଡାକ୍ତରଖାନାରେ କେବେ ଛୁଟି ନାହିଁ।"

ବାହାରେ ବର୍ଷା ଛାଡ଼ି ଯାଇ ଥାଏ ସିନା , ଆକାଶ ଏବେ ବି କଳାହାଣ୍ଡିଆ କରି ଚାହିଁ ବସି ଥାଏ। ସତେକି ଏହିକ୍ଷଣି ଅଜାଡ଼ି ଦବ।

ଏତିକି ବେଳକୁ ବାହାରେ ପାଟି ଶୁଭିଲା " ଡ଼ାକ୍ତରବାବୁ.... ଡାକ୍ତର ବାବୁ...."

 "କିଏ?" ବୋଲି ପଚାରି ଗେଟ୍ ପାଖକୁ ଯାଇ ଦେଖେ ତ ଖବର କାଗଜ ବାଲା। ତାକୁ ପଚାରିଲି

"କଣ ହେଲା କିରେ? , ମାସ ପୁରିନି ପଇସା ନେବାକୁ ଆସିଗଲୁ?"

ନାଇଁ ବାବୁ ... କାଲି ପୋଷ୍ଟମାନ୍ ମୋତେ ଗୋଟେ ଚିଠି ଦେଇଥିଲା ଆପଣଙ୍କୁ ଦବାକୁ , ଭୁଲି ଯାଇଥିଲି ତ.... ସେଇଥିପାଇଁ ଡାକୁଥିଲି। ଏଇ ନିଅନ୍ତୁ। ଚିଠିଟି ତା ହାତରୁ ନେଇ ଗେଟ୍ ବନ୍ଦ କରୁ କରୁ ମନେ ମନେ ଭାବୁ ଥାଏ.... ଏ WhatsApp , Facebook ଦୁନିଆ ରେ ଯା' ହଉ କିଏ ଗୋଟେତ ଚିଠିକୁ ମନେ ରଖିଛି....। ହଠାତ୍ ଚିଠି ର ଠିକଣା ଉପରେ ନଜର ପଡିଗଲା । ସେଇ ନାଁ..... 

ଅସ୍ବାଭାବିକ ବ୍ୟସ୍ତତା ଖେଳିଗଲା ମୋ ମନ ଭିତରେ। ଖବକାଗଜକୁ ଥୋଇ ଦେଇ ଅତି ଚଂଚଳତାର ସହ ସେ ଚିଠିର ଲଫାପାକୁ ଚିରିଦେଇ ତା ଉପରେ ଆଖି ପକେଇ ଦେଇ ତାଛଲ୍ୟ ଭରା ସ୍ୱର ରେ କହିଲି " ଅକ୍ଷର...!!! ହୁଁ.... !!! ଆଜି ଯାଏଁ ସୁଧୁରିଲାନି।


ଯେତେବେଳେ ଚିଠି ପଢ଼ିବା ଆରମ୍ଭ କଲି ...... ଚିଠିର ଗୋଟିଏ ପଦ ରେ ମତେ ଏମିତି ଲାଗିଲା ସେ ଯେମିତି ମୋ ପାଖରେ ପଡିଥିବା ଚୌକି ରେ ବସି ମୋ ସହ କଥା ହେଉଛି , ଆଉ କହୁଛି

 " ଭାଇ..."

ଆମ ବ୍ରାହ୍ମଣ ଘରେ ଭାଇକୁ ଭାଇନା ବୋଲି ଡାକନ୍ତି। କିନ୍ତୁ କାଇଁକି କେଜାଣି ସେ ମୋତେ ପିଲା ବେଳୁ ଭାଇ ବୋଲି ଡାକେ..... ତା' ପୁଣି ତା' ର ଦରକାର ପଡିଲେ। ନହେଲେ ମୁଁ ତାର ସେଇ "ପାଗୁ"

"କିରେ... ଛାତି ଚଉଡ଼ା ହେଇ ଗଲା ନା? ଭାଇ ବୋଲି ଡାକିଲି । ହେଇରେ ପାଗୁ କଣ କରୁଛୁ?" ତା ଚିଠିର ଲେଖାରେ ଲାଗୁଥାଏ ଯେମିତି ସେ ମୋ ସହ କଥା ହେଉଛି । 

ମନେ ମନେ କହିଲି " କଣ କରିବି? ଏଇ ତୋ ସାଇକଲ୍ ପାଖରେ ବସିଛି "।


ଭାଇ... ତୋର ମନେ ଅଛି? ଆମେ କେତେ ବଦମାସୀ ନା କରିଛେ? କାନ୍ଥ ଉପରେ ବାପା ପଇସା ରଖି ଥା'ନ୍ତି , ରବିବାର ଦିନ ଭିକାରୀ ଆସିଲେ ଦିଆ ହବ ବୋଲି। ଆମେ ତାକୁ ଚୋରି କରି କେତେ ଥର video game ଖେଳିଛେ। ଧରା ପଡ଼ିଥିଲେ ଥରେ ଯେ ପ୍ରବଳ ମାଡ଼ ଖାଇଛେ। ବାପା ମତେ ପଚାରିଲା ରୁ ମୁଁ କହିଲି " ନାଇଁ ବାପା ,ମୁଁ କିଛି କରିନି , ସବୁ ପରା ଏଇ ପାଗୁ କରିଛି” । ବାପାଙ୍କ ତାଗିଦ୍ ଭରା କଥା ଆଜିବି ମାନେ ପଡ଼େ...... " ମିଛ କହୁଚୁ? ଦି' ଜଣ ଯାକ ବଦମାସ୍ , ଏ କାର୍ସାଦି ମିଶିକି କରିଛ। ମୋତେ କଣ ସେ video game ଦୋକାନୀ ଟୁଲୁ ମିଛ କହୁଥିଲା? 


କେତେ ଯେ ମାଡ଼ ୟା ପାଇଁ ଆମେ ଖାଇନୁ କହିଲୁ...।


" ହଁ ରେ ସବୁ ମନେ ଅଛି"।

"ଆଉ ତୁ ବି କ୍ରିକେଟ୍ ଖେଳିକି ,ଘର ପଛ ପଟ ଗେଟ୍ ଦେଇ ଡେରି ରେ ଘରକୁ ଆସୁ...... ଆଉ ମୁଁ ସେମିତି ଦ୍ଵାରପାଳ ଭଳି ଜଗି ରହି ଥାଏ... କାଳେ ବାପା ଦେଖି ଦେବେନି ତ? ଏମିତିଆ ବର୍ଷା ଦିନରେ ଛତା ନ ନେଇ ସ୍କୁଲ ଯାଉ ତୁ।ରାସ୍ତା ସାରା ଓଦା ହେଇ ଘରକୁ ଆସୁ, ଆଉ କେତେ ମାଡ଼ ୟା ପାଇଁ ତୁ ନ ଖାଇଛୁ ବାପାଙ୍କ ଠୁ...." ମନେ ପକେଇ ପକେଇ ହସୁ ଥାଏ ମୁଁ।


" ଏଇ ଭାଇନା ... ତୁ ଯେତେ ବି ଭଲ ହ ପଛେ, ମୋ ପାଖରୁ କେବେବି ଖସି ଯାଇ ପାରିବୁନି। ମନେ ଅଛି ? ସେ ଦିନ ଦଶମ ଶ୍ରେଣୀରେ ତୁ ଏକେଲା ଚୁପ୍ ଚାପ୍ ବସି ଥିବା ବେଳେ ସେ ଝିଅ ଟା ଆସିକି ତତେ " I love you " କହିକି ପଳେଇ ଥିଲା। କଣ ଭାବିଲୁ ମୁଁ ଏ କଥା ଏତେ ସହଜରେ ଭୁଲି ଯିବି? 


" ଆରେ ହେଇ.... ! ସେ ଦିନ ତୁ ସେଇଠି ଥିଲୁ କି?ମନେ ମନେ କହି ପକେଇଲି।

“କଣ ଭାଇନା ହସ ଲାଗୁଚି ନା ? କଥା ଶୁଣି କି? ଲାଗୁଛି ନା? 

ହସ୍ ହସ୍…….. ଆଉ ଟିକେ... ଆଉ ଟିକେ.... “


ତା ଚିଠି ପଢୁ ପଢୁ .... କେତେ ବେଳେ ଯେ ଅଜାଣତରେ ଜୋର୍ ରେ ହସି ପକେଇଲି ... ଜାଣି ପାରିଲିନି। 

ମୋର ଏଇ ହସକୁ ଶୁଣି ସେପଟୁ ନିଳୀମା କହିଲେ " ହେ଼ଇଟି...... ସେଠି ବସି ବସି ହସୁଛ କଣ? ଜଲଦି ବହାରୁନ । ହସ୍ପିଟାଲ୍ ଯିବନି ନା କଣ?"

"ହଁ ହଁ ଯାଉଛି ଯାଉଛି " କହି ଦେଇ ପୁଣି ଥରେ ମୁଁ ତା ଚିଠି ପଢିବାକୁ ଲାଗିଲି।


ଆଉ ମନେ ମନେ କହିଲି କହିଲି " ଆଉ ମୋର କଣ ମନେ ନାହିଁ? ଗଣିତରେ ୩୩ କୁ ୮୮ କରି ତୁ ବାପାଙ୍କୁ ପ୍ରଗତିପତ୍ର ଦେଖେଇ ଥିଲୁ। ଆଜି ପର୍ଯ୍ୟନ୍ତ ତୋ ସିକ୍ରେଟ୍ କୁ ଲୁଚେଇ କି ରଖିଛି।“


"ଭାଇନା....... ତମ ମାନଙ୍କୁ ଛାଡ଼ିବା ୪ ବର୍ଷ ହେଇ ଗଲାଣି , କାହା ସହ ଦେଖା ହେଇନି । ଆଜି ବି ତୋ ସହ କଥା ହେଇ ପାରୁନି।"


ତା ' ର ଏମିତିଆ କଥା ଶୁଣି ମତେ ଭାରି ରାଗ ଲାଗିଲା....।

ମନେ ମନେ କହିଲି" କାଇଁ? ତୋ ଫୋନ ନମ୍ବର୍ ତ ଲାଗୁନି । ଆମେ ତୋ ସହ କଥା ହେବାକୁ ବହୁତ୍ ଚେଷ୍ଟା କରିଛୁ। ତୁ ଏମିତି କଣ କହୁଛୁ, ଯେ ଆଜି କଥା ହେଇ ପାରୁନୁ ବୋଲି ! ହେଇ ପରା ତୋ ଚିଠି ମୁଁ ପଢୁଛି।


" ଭାଇନା... ମୁଁ କଟକ ଛାଡ଼ିବା ୪ ବର୍ଷ ଉପରେ ହେଇ ଗଲାଣି। ଦିଲ୍ଲୀ ଆସିଥିଲି ସିଭିଲ ସର୍ଭିସ ପରୀକ୍ଷାର ପ୍ରସ୍ତୁତି ପାଇଁ। ବହୁତ୍ ଇଚ୍ଛା ଥିଲା ମୋର ଯେ ମୁଁ ଜଣେ ସାମ୍ବାଦିକ ହେବି। ତୁ ଜଣିଥିବୁ ... ମୁଁ ଡିବେଟ୍ ରେ ଆଉ ପ୍ରବନ୍ଧରେ ରାଜ୍ୟ ସ୍ତରରେ ଚମ୍ପିୟାନ ହୋଇଥିଲି।ତା ' ବୋଲି କଣ ମୁଁ ଆଈ ଏ ଏସ୍ ହେଇ ଯିବି?  


ବାପା ଏ କଥା ବୁଝିଲେନାହିଁ। ମତେ ଜବରଦସ୍ତି ପଠେଇଲେ ଦିଲ୍ଲୀକୁ....... ସେଇଠି ମୁଁ ମୋ ଜୀବନକୁ ସମ୍ଭଳିଲି। ବହୁତ୍ କଷ୍ଟ ରେ ଦିନ ରାତି ଏକ କରି ପଢିଲି..... ।

ମଝିରେ ମଝିରେ ମୁଁ ଫୋନ କରେ .... ତୋ ପାଖକୁ , ମାଆ ପାଖକୁ.....।"


ମୋ ଅନ୍ତର୍ମନ ସେହି ସମୟ ରେ କହି ଉଠିଲା " ଆଉ ହଠାତ୍ ତୋ ଫୋନ୍ ଆସିବା ବନ୍ଦ ହେଇ ଗଲା। ଆଉ ତୋ ଫୋନ ବି ଲାଗିଲାନି। ତୁ କୁଆଡେ ହଜି ଯାଇଥିଲୁ?"


ଭାଇନା ..... ଦିଲ୍ଲୀ ରେ ବହୁତ୍ ପରିଶ୍ରମ କରିଲି ସତ.... କିନ୍ତୁ ୩ ଥର ରେ ଥରେ ବି preliminary exam ପାଇଲିନି । ପିଲା ବେଳୁ ମୋର ସଙ୍ଗୀତରେ ବହୁତ୍ ରୁଚି ଥିଲା। ତା ପାଇଁ ବି କିଛି କରି ପାରିଲିନି।

ତୁ ଭଲ ପାଠ ପଢ଼ୁଥିଲୁ ବୋଲି ବାପା ଭାବିଲେ ଗୋଟେ ପୁଅ ଡାକ୍ତର ହେଲେ ଆଉ ଗୋଟେ ପୁଅ କଲେକ୍ଟର ହବ। ଏଇଆ ଭାବି ମୋ ଉପରେ ବାରମ୍ବାର ଚାପ ପକା ଗଲା। 

ମୁଁ କିଛି କହି ପାରୁ ନ ଥିଲି , କାରଣ ଆଖି ଆଗରେ ତୋ ସଫଳତା ଆଉ ବାପାଙ୍କ ସ୍ଵପ୍ନ .......।


ସେଦିନ ବାପାଙ୍କ ଫୋନରେ କଥା ମତେ ଭାରି ବାଧି ଥିଲା। 

" ଶୁଣ୍... ଏଥରକ ମିଶେଇ ୨ ଥର ହେଲା .... କେବେ ଆଇ.ଏ.ଏସ ହବୁ ? ଆଉ ଯଦି ଏଥର ନ ହୁଏ .... ଘରକୁ ଆଉ ଫେରିବୁନି।"

 

ଆଜି କୁ ମିଶେଇ ମୋର ୪ର୍ଥ ଥର.....। ସବୁ ବର୍ଷ ଭଳି ବର୍ଷ ମଧ୍ୟ ମୁଁ ଫେଲ୍ ହେଇ ଯିବି। ଆଉ ଏ କଷ୍ଟ ମୁଁ ସହି ପାରିବିନି।


ଆଉ ପାରିବିନି ମୁହଁ ଦେଖେଇ କାହା ଆଗରେ.....

ଭାଇନା .... ମୁଁ ଯାଉଛି....। 

ଯାଉଛି ମୁଁ ଆତ୍ମହତ୍ୟା କରିବାକୁ। ହୁଏତ ଚିଠି ପାଇଲା ବେଳକୁ ମୁଁ ଦୁନିଆରେ ନ ଥିବି। ଭାଇନା .... କାନ୍ଦିବୁନି ଜମ୍ମା....! ମୁଁ ଆଉ ତୋ ସହ କେବେ ଦେଖା ହେଇ ପାରିବିନି , ତୁ ରାଗିବୁନି ମୋ ଉପରେ। ରହିଲି……..


 କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଥାଏ ମୋର। ଇଏ କଣ ମୋର ସେଇ ଭାଇ , ଯିଏ ପିଲା ଦିନେ ବାଲିଯାତ୍ରା ରେ ମଜା କରି କୁହେ " ପାଗୁ...... ମୁଁ ହଜି ଗଲି", କିନ୍ତୁ ଦେଖିଲା ବେଳକୁ ମୋରି ପଛରେ ସେ ଥାଏ।


 କଣ ସତରେ ଆଜି ସେ ହଜି ଗଲା? ମୋତେ ଲାଗିଲା ମୋ ପାଖରେ ଚୌକି ଉପରେ ବସିଥିବା ମୋ ଭାଇ କୁଆଡେ ଅଦୃଶ୍ୟ ହେଇ ଯାଉଛି।

ନାଇଁ.... ମୋ ଭାଇ ଏମିତି କରି ପାରିବନି । ତୁ ଏମିତି କରି ପାରିବୁନି । କଣ ହେଲା ସେଇଠୁ ଆଇ.ଏ.ଏସ ପାଇଲୁନି ତ ଆଉ କିଛି କରି ଥାଆନ୍ତୁ......"


ହେଲେ........


ନଜର ପଡ଼ିଗଲା ଚିଠି ସହିତ ଆସିଥିବା ଖବର କାଗଜ ଉପରେ। କାଗଜର ଗୋଟିଏ ପାର୍ଶ୍ଵରେ ହେଡ୍ ଲାଇନ୍ ଲେଖା ହେଇଥିଲା.... " ଦିଲ୍ଲୀ ରେ ଆଇ.ଏ.ଏସ ପାଇଁ ପ୍ରସ୍ତୁତ ହେଉଥିବା ଜନୈକ ଓଡ଼ିଆ ଛାତ୍ରଙ୍କ ମୃତ ଦେହ ଠାବ କଲା ଦିଲ୍ଲୀ ପୋଲିସ"।

ଖବରକୁ ଆଉ ବିସ୍ତୃତ ରେ ପଢିବାକୁ ଇଚ୍ଛା କଲିନି। ଅଦିନିଆ ମେଘ ଅଜାଡିଲା ପରି କାହୁଁ କେତେ ଦିନୁଁ ଆଖି ରେ ଆସି ନା ଥିବା ଲୁହ ବର୍ଷି ଗଲା ସେଇ ଖବର କାଗଜ ର ପୃଷ୍ଠା ରେ ଯୋଉଠି ମୋ ଭାଇ ର ମୃତ ଫଟୋ ଛପା ହେଇ ଥିଲା।


ଭାବିଲି ...... 

ଜଣେ ଡାକ୍ତର ହିସାବ ରେ କେତେ ଯେ ରୋଗୀ ଙ୍କୁ ଚିକିତ୍ସା କରୁଛି। ସବୁ ବେଳେ ଯାନ୍ତ୍ରିକ ପଦ୍ଧତି ଆଉ ପୁସ୍ତକ ଗତ ବିଦ୍ୟା ବଳରେ ରୋଗୀ ଙ୍କ ରୋଗ ଭଲ କରିବାରେ ଲାଗିଛି। କେବେ ମାନସିକ ଅବସ୍ଥା କୁ ଦେଖିନି। କିନ୍ତୁ ଆମରି ଦେଶ ରେ ଅନେକ ଛାତ୍ର ଏହିପରି ଆତ୍ମହତ୍ୟା କରନ୍ତି । ପାରିବାରିକ ଚାପ ହିଁ ତାଙ୍କୁ ନେଇ ଯାଇ ଥାଏ ସେହି ସ୍ତରକୁ। Three Idiots ଭଳି ଫିଲ୍ମ୍ ମଧ୍ୟ ମଧ୍ୟ ବାହାରିଛି। କିନ୍ତୁ ଘଟଣା ଆଉ କେବେ ବନ୍ଦ ହବ?


ଆଉ ଯଦି ବନ୍ଦ ନ ହୁଏ.... ମୋ "ପୁପୁ" ଭଳି କେତେ ପୁପୁ ଆଉ ଏମିତି କରି ବସିବେ?


ଆକାଶରେ ସେ ଅଦିନିଆ ମେଘ ବର୍ଷିବା ଆରମ୍ଭ କରି ଦେଲାଣି। ବୋଧେ ଏଇ ଖବର ଦବ ବୋଲି ଏମିତି ଚୁପ୍ ଚାପ୍ ରହି ଥିଲା। ସତରେ କଣ ମୋ ପୁପୁ ଅଦିନିଆ ମେଘ ହେଇ ଆସି ଥିଲା?


Rate this content
Log in