Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନିଜର କଥା ରଖ
ନିଜର କଥା ରଖ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

5 Minutes   7.3K    18


Content Ranking

ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ନିଜର କଥା ରଖ

କୁକୁଡା ଓ ଗଞ୍ଜା ତାଙ୍କ ବସାରେ ଥିବା ଅଣ୍ଡାକୁ ନେଇ ଖୁବ୍ ଚିନ୍ତିତ । ସେମାନେ ଖୁବ୍ ଯତ୍ନର ସହିତ ସେମାନଙ୍କର ଅଣ୍ଡାର ତତ୍ତ୍ୱ ନିଅନ୍ତି । କିନ୍ତୁ ସାପ କବଳରୁ ତାକୁ ରକ୍ଷା କରିପାରନ୍ତି ନାହିଁ । ସାପର ଉପସ୍ଥିତି ସେମାନଙ୍କରକ ଭୟର କାରଣ । ଏପରିକି ତାଙ୍କର ଜୀବନକୁ ସେମାନେ ନିରାପଦ ମନେ କରନ୍ତି ନାହିଁ । ସାପ ବିନା କଷ୍ଟରେ ଅଣ୍ଡା ସବୁ ଭାଙ୍ଗି ତା’ ଭିତର ଜିନିଷ ସବୁ ଖାଇଦିଏ । ଏଥିରୁ ସାପ କେବେହେଲେ ବ୍ୟତିକ୍ରମ କରୁନଥିଲା । ସେମାନେ ସାପ ଚାଲିଗଲା ପରେ ବସାକୁ ଆସି ଅଣ୍ଡାର ଭଙ୍ଗା ଖୋଳକୁ ଦେଖି କାନ୍ଦନ୍ତି । ଯେତେଥର କୁକୁଡା ଅଣ୍ଡା ଦିଏ, ଏହା ହିଁ ଘଟେ ।

ସେମାନେ ଦେଖନ୍ତି – ଅନ୍ୟ ପକ୍ଷୀମାନେ ଅଣ୍ଡା ଦିଅନ୍ତି । ତାକୁ ଫୁଟାଇ ଛୁଆ କରନ୍ତି । ସେମାନଙ୍କ ବଂଶ ବିସ୍ତାର କରି ଖୁବ୍ ଖୁସିରେ ରହନ୍ତି । ଏଥିପାଇଁ ଗର୍ଭଧାରଣ ସେମାନଙ୍କର ଗର୍ବ । କିନ୍ତୁ କୁକୁଡା ଦୁଇଟି ନିଜ ଭାଗ୍ୟକୁ ନିନ୍ଦା କରନ୍ତି । ସେମାନେ ଗର୍ଭଧାରଣ କଲେ, ଦୁଃଖ ବିପତ୍ତି ମାଡି ଆସୁଛି ବୋଲି ସେମାନେ ଅନୁଭବ କରନ୍ତି । ବେଳେବେଳେ ଅନ୍ୟ ପକ୍ଷୀମାନେ ତାଙ୍କୁ ସାନ୍ତ୍ୱନା ଦିଅନ୍ତି ସତ, କିନ୍ତୁ ସମସ୍ତଙ୍କର ସାପକୁ ଭୟ । ସେଥିପାଇଁ କେହି ହେଲେ ଆଗକୁ ଆସି ତାଙ୍କୁ ସାହାଯ୍ୟ କରନ୍ତି ନାହିଁ ।

ଗଞ୍ଜା ଠିକ୍ କଲା ଏ ସମସ୍ୟାର ସମାଧାନ କରିବାକୁ ହେବ । ସେ ଜାଣେ ଯେ, ନେଉଳ ହେଲା ସାପର ପରମ ଶତ୍ରୁ । ସେଥିପାଇଁ ସେ ସ୍ଥିର କଲା ନେଉଳକୁ ସେ ଦେଖା କରିବ । ଫଳରେ ସାପ ଆଉ ତା’ ବସାକୁ ଆସିବାକୁ ସାହସ କରିବ ନାହିଁ । ପର ମୁହୂର୍ତ୍ତରେ ସେ ତା’ର ଏପରି ଚିନ୍ତାଧାରାରୁ ଓହରିଗଲା । କାରଣ ଏଥିରେ ତା’ର ଭରସା ହେଲା ନାହିଁ ଯେ, ନେଉଳ ଆସି ତାକୁ ସାହାଯ୍ୟ କରିବ । ତା’ଛଡା ତା’ର କିଛି ମନେ ପଡିଗଲା ଯେ, ସେ ଥରେ ନେଉଳ ସାଥୀରେ କଳି କରିଥିଲା । ଫଳରେ ଗୋଟିଏ ସର୍ବସାଧାରଣ ଜାଗାରେ ସେମାନେ ପ୍ରତିଜ୍ଞା କରିଥିଲେ ଯେ, କେହି କାହାକୁ କିଛି କହିବେ ନାହିଁ । ଏ ବିଷୟରେ ସେ ସବୁବେଳେ ଚିନ୍ତିତ । ତା’ ପାଖରେ ମଧ୍ୟ ଅନ୍ୟ କୌଣସି ଜୀବ ପାଖକୁ ଯାଇ ଅଭିଯୋଗ କରିବାର ସାମର୍ଥ୍ୟ ନାହିଁ । ଏକଥା ସେ ଜାଣେ ।

ଯେତେବେଳେ ଗଞ୍ଜା ଦେଖେ କୁକୁଡାଟି ତା’ର ଅଣ୍ଡାକୁ ଜଗି ବସିଛି । ସେମାନେ ନିଜ ଆଖିକୁ ବିଶ୍ୱାସ କରିପାରନ୍ତି ନାହିଁ ଯେ, ସେମାନଙ୍କର ପ୍ରତିକ୍ଷଣ ବିପଦର ଆଶଙ୍କା ରହିଛି । ସେଥିପାଇଁ ମନରେ ତାଙ୍କର ସରାଗ ଆସେ ନାହିଁ । ସେମାନେ ସଦା ସର୍ବଦା ଦୁଃଖିତ ରହନ୍ତି ।

ପାଖ ଗଛରେ ଇଗଲ ପକ୍ଷୀଟିଏ ଆଶ୍ରୟ ନିଏ । ସେ ଏହି ଦୁଃଖିତ କୁକୁଡା ଦମ୍ପତ୍ତିକୁ ଦେଖେ । ସେ ଥରେ ସେମାନଙ୍କର ଦୁଃଖର କାରଣ ଜାଣିବାକୁ ଚାହିଁଲା । ଗଞ୍ଜାଟି ତା’ର ଦୁଃଖ କଥା କହିବାକୁ ଚାହେଁ । କିନ୍ତୁ ଦୁଃଖରେ ତା’ର କଣ୍ଠ ବାଷ୍ପରୁଦ୍ଧ । ତା’ର ଛାତି ପାଟିଯାଉଥାଏ । ତା’ ପାଟିରୁ କଥା ବାହାରୁ ନଥାଏ । ତା’ପରେ କୁକୁଡାଟି ସାପ କିପରି ତା’ର ଅଣ୍ଡାକୁ ପ୍ରତିଥର ନଷ୍ଟ କରୁଛି । ସେ କଥା କହିଲା ।

ଇଗଲ ପକ୍ଷୀ ତାଙ୍କ କଥା ଶୁଣିଲା । ସେମାନଙ୍କର ଅଣ୍ଡାଗୁଡିକୁ ରକ୍ଷା କରିବାର ଦାୟିତ୍ୱ ସେ ନେବ । ଏହାଥିଲା ତା’ର ସାନ୍ତ୍ୱନା । ଗଞ୍ଜାଟି ଆଗରୁ ବହୁ ପକ୍ଷୀଙ୍କର ସାନ୍ତ୍ୱନା ପାଇଛି । ଏହା ତା’ ପ୍ରତି ନୂଆ ନୁହେଁ । ସେ କହିଲା - “ତମର ଏହା ମୋ ପାଇଁ ସାନ୍ତ୍ୱନା । କିନ୍ତୁ ମୁଁ ଏହା ଚାହୁଁ ନାହିଁ । ଦୟାକରି ମତେ ତୁମେ ଏଇ ବିପଦରୁ ରକ୍ଷା କରିପାରିବ କି ?” ତାହା ଥିଲା ତା’ର ପ୍ରଶ୍ନ ।

“କାହିଁକି ନୁହଁ ? ମୋ ପଞ୍ଜରା ଏବଂ ମୋର ଥଣ୍ଟ ଖୁବ୍ ଶକ୍ତ । ମୁଁ ଯେ କୌଣସି ସାପକୁ ମୋ ଥଣ୍ଟରେ ଚିରି ଖଣ୍ଡ ଖଣ୍ଡ କରିଦେଇପାରେ । ତା’ ଛଡା ମୁଁ କାହାର ବିନା ମୂଲ୍ୟରେ ସେବା କରେ ନାହିଁ । ତମ ଅଣ୍ଡା ସୁରକ୍ଷିତ କରିବା ମୋ ପାଇଁ କିଛି ବଡ କାମ ନୁହେଁ । ମୁଁ ତମ ଅଣ୍ଡାଗୁଡିକୁ ସୁରକ୍ଷିତ କରିବି । କିନ୍ତୁ ତା’ ପ୍ରତିବଦଳରେ ତମେ ମତେ କ’ଣ ଦେବ ?” – ଏହା ଥିଲା ଇଗଲର ଉତ୍ତର ।

“ଯଦି ତମେ ଆମର ଅଣ୍ଡାଗୁଡିକ ସୁରକ୍ଷିତ ରଖିବ, ତେବେ ସେଇ ଅଣ୍ଡା ଭିତରେ ଥିବା ଛୁଆଗୁଡିକ ବଞ୍ଚିଯିବେ । ଆମେ ଆମର ଛୁଆମାନଙ୍କ ପାଇଁ ଗର୍ବିତ ଅନୁଭବ କରିବୁ । ଆମେ ଉପକୃତ ହେବୁ ଓ ତମ ପାଖରେ କୃତଜ୍ଞ ରହିବୁ । ତା’ ବଦଳରେ ତୁମେ କ’ଣ ଚାହଁ କୁହ ?” ଏହା ହେଲା କୁକୁଡାଟିର ଅନୁନୟ ।

“କ’ଣ ଚାହେଁ ?” ଇଗଲଟି ଚକିତ କଣ୍ଠରେ କହିଲା । “ନିଶ୍ଚୟ ! ଏହା ନିଃସନ୍ଦେହ ଯେ, ତମେ ଯଦି ଆମକୁ ଆମେ ଦେଇ ପାରୁଥିଲା ଭଳି କୌଣସି ଜିନିଷ ମାଗିବ, ଆମେ ତମକୁ

ଦେବୁ ।” କୁକୁଡାଟି ଉତ୍ତର ଦେଲା ।

“ଠିକ୍ ଅଛି । ଯଦି ତମେ, ମତେ ତମର ପ୍ରତି ପାଞ୍ଚଟି କୁକୁଡା ଛୁଆ ଭିତରୁ ଗୋଟିଏ କୁକୁଡା ଛୁଆ ଦେବ, ତେବେ ମୁଁ ଏହି ସାପକୁ ନିଶ୍ଚିହ୍ନ କରିଦେବି ।” ଇଗଲ୍ କୁକୁଡାକୁ ଚାହିଁ ଏ କଥା

କହିଲା ।

କୁକୁଡାଟି ହଳଦିଆ ପଡିଗଲା । ଗଞ୍ଜା ଜାଣିପାରିଲା ଯେ, କୁକୁଡାଟି ନିରୂପାୟ । ସେ ତା’ର ପାଖକୁ ଯାଇ ତା’ର କାନରେ କହିଲା - “ତୁ କାହିଁକି ବୁଝୁନୁ ଯେ କିଛି ନ କରିବା ଅପେକ୍ଷା ଅଳ୍ପ କିଛିଟା କରିବା ଯଥେଷ୍ଟ ଭଲ । ସବୁ ଛୁଆଙ୍କୁ ହରେଇବା ଅପେକ୍ଷା ଆମେ ପାଞ୍ଚୋଟିରୁ ଚାରୋଟି ଛୁଆ ତ ପାଇବା । ଏହା ବ୍ୟତୀତ ମଧ୍ୟ ଆମର ଅନ୍ୟ କୌଣସି ଉପାୟ ନାହିଁ । ଦୟାକରି ତୁ ଏ ପ୍ରସ୍ତାବରେ ରାଜି ହୋଇଯାଅ ।”

କୁକୁଡାଟି କିଛି ସମୟ ଧରି ଚିନ୍ତା କଲା । ତା’ପରେ ସେ ନିଜକୁ ନିଜେ ସାନ୍ତ୍ୱନା ଦେଇ କହିଲା - “ଠିକ୍ ଅଛି । ଯଦି ଆମ ଭାଗ୍ୟରେ ସେଇ କଥା ଲେଖା ଅଛି, ସେଇଆ ହେଉ । ମୁଁ ପ୍ରତ୍ୟେକ ପାଞ୍ଚଟି ଛୁଆରୁ ଗୋଟିଏ ଛୁଆ ତମକୁ ଦେବି । ତା’ ହେଲେ ତମେ ଏବେ ଠାରୁ ତମର ବଚନ ରକ୍ଷା କରି ସାପଦଳଙ୍କୁ ମାରିବା ଆରମ୍ଭ କରିଦିଅ ।”

“ତମେ ତମ ବଚନ ରକ୍ଷା କରିବ ।” ଇଗଲ୍ କହିଲା । ତାପରେ ସେ ସେଇଦିନ ଠାରୁ ତା’ର କାର୍ଯ୍ୟ ଆରମ୍ଭ କରିଦେଲା । ସେ ତା’ର ଥଣ୍ଟ ଓ ପଞ୍ଝା ସାହାଯ୍ୟରେ ସାପମାନଙ୍କୁ ମାରିବାକୁ ଲାଗିଲା । ସାପମାନଙ୍କର ଈଗଲ୍ ପକ୍ଷୀଙ୍କୁ ଭାରି ଭୟ । ତା’ର ଉପସ୍ଥିତି ଯୋଗୁ ସେମାନେ ଆଉ ସେ ସ୍ଥାନକୁ ଆସିଲେ ନାହିଁ । ଫଳରେ ଗଞ୍ଜା ଓ କୁକୁଡା ଆଶ୍ୱସ୍ତ । ନିର୍ଭୟ । ବେଶ୍ ଆନନ୍ଦିତ । ସେମାନେ ତାଙ୍କର ଅଣ୍ଡା ଉଷୁମାଇଲେ । ଆଉ ଖୁବ୍ ଅଳ୍ପ ଦିନ ଭିତରେ ସେମାନଙ୍କର ଛୁଆ

ହେଲା । ସେ ସବୁ ବେଶ୍ ସୁନ୍ଦର, ଲୋଭନୀୟ । ଗଞ୍ଜା ଟିକିଏ ଶାନ୍ତିରେ ନିଶ୍ୱାସ ମାରିଲା । ମାଈ କୁକୁଡା ଏବେ ଏତେ ଛୁଆର ଜନନୀ । ତାହା ହିଁ ତା’ର ଗର୍ବ । ନିଜର ଏତେଗୁଡିଏ ଛୁଆକୁ ପାଖରେ ପାଇ ସେମାନେ ଆନନ୍ଦରେ ମତୁଆଲା । ତାଙ୍କ ପୂର୍ବ ପ୍ରତିଶ୍ରୁତି ସେମାନେ ଭୁଲିଗଲେ ।

ସମୟ ଗଡି ଚାଲିଲା । ଦିନ ରାତି ଚାଲିଥାଏ । ଦିନେ ଈଗଲ୍ ପକ୍ଷୀ କୁକୁଡାର ବସା ପାଖକୁ ଆସିଲା । ତା’ର ପ୍ରାପ୍ୟ ଦାବୀ କଲା ।

କିନ୍ତୁ ସେତେବେଳେ କୁକୁଡାଟି ମନା କରିଦେଲା । କହିଲା - “ଏ ସବୁ ମୋର ଛୁଆ । ମୁଁ ଜାଣେ ଛୁଆକୁ ନେଲେ ତମେ ଖାଇଦେବ । ମା’ ପାଖରେ ସବୁ ଛୁଆ ସମାନ । ମୁଁ କେମିତି ସେ ଅନ୍ୟାୟ ଭିତରେ ପ୍ରବେଶ କରିବି ? ଜାଣିଶୁଣି ତାଙ୍କୁ ମୁଁ ମୃତ୍ୟୁ ମୁହଁକୁ ଠେଲି ଦେବି ? ତୁମେ ଟିକିଏ ଚିନ୍ତା କର । ମତେ ଦୟା କର । ଛୁଆ କଥା ଛାଡି ଦେଇ ତମେ ଆଉ କଅଣ ମାଗୁଛ

ମାଗ ।”

ଇଗଲଟି ଚିତ୍କାର କରି ଉଠିଲା -“ଆଉ କିଛି ମାଗିବି ? ତମର ବଚନ ତୁମେ ରକ୍ଷା କର । ଏବେ ତମର ଚିନ୍ତା କରିବାର ସମୟ । ମୋର ନୁହେଁ । କିନ୍ତୁ ସାବଧାନ । ଯଦି ତମେ ମୋର ପ୍ରାପ୍ୟ ମତେ ଦେବାକୁ ନାରାଜ ହୁଅ, ମୁଁ ତମର ଦାନକୁ ଅପେକ୍ଷା କରିବି ନାହିଁ ।”

“ମୁଁ ମୋର ଥଣ୍ଟ ଓ ନଖ ସାହାଯ୍ୟରେ ଖୁମ୍ପି କରି ମୋର ଛୁଆଙ୍କୁ ତମ କବଳରୁ ରକ୍ଷା କରିବି ।” ପ୍ରତ୍ୟୁତ୍ତରରେ କୁକୁଡା କହିଲା ।

କୁକୁଡାର କଥା ଶୁଣି ଈଗଲ୍ ପକ୍ଷୀର ଆଖି ରାଗରେ ଲାଲ୍ ହୋଇଗଲା । ସେ କୁକୁଡାକୁ ସତର୍କ କରି କହିଲା - “ଯେହେତୁ ତମେ ତମର ବଚନ ରକ୍ଷା ନ କରି ମୋତେ ଧୋକା ଦେଉଛ, ମୁଁ କଳେ ବଳେ କୌଶଳେ ଯେମିତି ହେଲେ ତମର ଛୁଆଙ୍କୁ ଗୋଟେ ପରେ ଗୋଟେ ଖାଇବି । ଯଦି ତମେ ପାରୁଛ ତାଙ୍କୁ ରକ୍ଷା କର ।” – ଏତକ କହି ସାରିବା ମାତ୍ରେ ହିଁ ଈଗଲ ପକ୍ଷୀଟି ଝାମ୍ପ ମାରି ସବା ସାନ ଛୁଆଟିକୁ ନିଜ ପଞ୍ଝାରେ ଧରିଲା । ସେ ଉପରକୁ ଉଡିଗଲା ।

ମାଆ କୁକୁଡାଟି ତା’ର ସମସ୍ତ ଶକ୍ତି ଖଟାଇ ନିଜର ଛୁଆଙ୍କୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଚେଷ୍ଟା କଲା । କିନ୍ତୁ ସେ ଭୂଇଁରୁ ବେଶୀ ଉପରକୁ ଉଡି ପାରିଲା ନାହିଁ ।

ସେହିପରି ଈଗଲ୍ ପକ୍ଷୀଟି ସେହି ଦିନ ଠାରୁ ଗୋଟିକ ପରେ ଗୋଟିଏ କୁକୁଡା ଛୁଆକୁ ନେବାକୁ ଲାଗିଲା । ଯେମିତି ସେ ଗୋଟିକ ପରେ ଗୋଟିଏ ସାପ ମାରିଥିଲା । ଏହା ଥିଲା ତା’ର ପ୍ରତିଶୋଧ ।

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି

କୁକୁଡା ଗଞ୍ଜା ଇଗଲ

Rate the content


Originality
Flow
Language
Cover design

Comments

Post

Some text some message..