Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ପ୍ରେମ ପାଇଁ ଜାଗାଟିଏ

ପ୍ରେମ ପାଇଁ ଜାଗାଟିଏ

2 mins
7.3K


ପ୍ରେମ ପାଇଁ ଜାଗାଟିଏ

ଅମିୟ ବେଜ୍

     [୧] ଷ୍ଟେସନ୍ ରୁ ଓହ୍ଲାଇ, ଅଟୋ ଧରି ସୌମ୍ୟା କହିଥିବା ଠିକଣାରେ ପହଞ୍ଚିଗଲି । ଏଇ ପହଞ୍ଚୁଛି କହି ସେ ମୋତେ ଭରସା ଦେଲା । ହଉ । ଏବେ ଏଣେତେଣେ ଆଖି ପହଁରାଇଲି ମୁଁ । ଏ ସହରୀ ଝିଅଗୁଡ଼ା ମୁହଁଟାକୁ ଏମିତି ବାନ୍ଧି ରଖନ୍ତି କାହିଁକି ? କେମିତି ଜାଣିବି ସୌମ୍ୟା କିଏ ??? ପଲ୍ୟୁସନ୍ ନାକଦେଇ ଶିରାଧମନୀରେ ପଶିଯିବ ବୋଲି ? ପଲ୍ୟୁସନ୍ କୁ ପଶିବାକୁ କ'ଣ ଆଉ ବାଟ କିଛି ମାଲୁମ୍ ନାହିଁ ? ନା ନିଜକୁ ଛୁପାଇ ଆଉଙ୍କୁ ଧରିବାର ଅଭିନବ ଉପାୟ ଇୟେ ? ଏବେ ସବୁ ମୁହଁଘୋଡ଼ା ଝିଅଙ୍କ ଦେହ ସହ ସୌମ୍ୟାର ଦେହକୁ ମନେମନେ ମେଳ କରିବାରେ ଲାଗିଲି ମୁଁ !!! ମୋର କ'ଣ ଦୋଷ ଯେ ? ଛକଟା ସାରା କେହି ନା କେହି କା' ସହ ଯୋଡ଼ିଯୋଡ଼ି ଥିବାବେଳେ ମୁଁ ନିଃସ୍ୱ, କାଙ୍ଗାଳ ! ଏଇ ଆସିଲି କହି ସୌମ୍ୟା ଆସୁନଥିଲା !!!

     [୨] - ଏ କ'ଣ ! ଫଗୁଣଟାରେ ତୁମ ମୁହଁସାରା ଝାଳ ଏତେ ? ରୁମାଲ୍ ଟା ବଢ଼ାଇ କହିଲା ସୌମ୍ୟା । (କାହୁଁ ଜାଣିବ ତା ରୁମାଲ୍ ରେ ମୁହଁ ପୋଛିବାକୁ ଏଇ ଓଦାଓଦା ଅପେକ୍ଷା ମୋର) - ଫଗୁଣ କ'ଣ କରିବ ? ତୁମ ରାଜଧାନୀର ମାଳମାଳ କଂକ୍ରିଟ୍ ଜଙ୍ଗଲ ସହ ଏଇ ରାଜଧାନୀଆ ଝିଅଗୁଡ଼ା କିଛି କମ୍ ଉତ୍ତାପ ବିକିରଣ କରୁଛନ୍ତି କି ପରିବେଶକୁ !!! ତା'ରି ପ୍ରଭାବ ଇୟେ । ମୋ କଥା ଶୁଣି ସୌମ୍ୟା ଟିକେ ଆଗପଛ କରି ସଜାଡ଼ିନେଲା ନିଜ ପିନ୍ଧା ବସନକୁ । ଆଉ ମୁଁ ପୋଛିଥିବା ରୁମାଲ୍ ଟାରେ ମୁହଁ ପୋଛିନେଲା ଭଲକି ।

     [୩] - ଏବେ ? - ତୁମେ କୁହ । ତୁମ ସହର । ମୁଁ କୁଣିଆ । - ଚାଲ ଟିକେ ବସିବା । - କେଉଁଠି ? ଏଇ ବସ୍ ଷ୍ଟପ୍ ରେ ? - ଛି ! - ତେବେ ? - କଫି ସପ୍ ? ସୌମ୍ୟା ପଚାରିଲା । - ସେଠି ଈର୍ଷା ଲାଗିବ ! - ମାନେ ? - ଆଉମାନଙ୍କ ପ୍ରେମଗୁଡ଼ା ଦେଖି । କାଳେ ଆମଠୁଁ କମ୍-ବେଶି ଥିବ ! - ହୁଁ । ସିନେମା ? - ଆଉ କା'ର ଭଙ୍ଗାଗଢ଼ା କାହାଣୀରୁ ଆମକୁ କ'ଣ ମିଳିବ କହିଲ ? - ମଲ୍ ? - ନା, ତୁମଠୁଁ ଦୃଷ୍ଟି ହଟିଯିବାର ଭୟ ଅଛି । - ପାର୍କ ଫାର୍କ ? - ସେଠି ତ ଆଉରି ଅଡ଼ୁଆ ସବୁ । - ଯେମିତି ? - ଏଇ, ଫୁଲମାନଙ୍କ ଜବରଦସ୍ତି ହସ, ବାଳୁତଙ୍କ ନିଷ୍ପାପ କୃତ୍ରିମ କୋଳାହଳ, ସଂସାରୀଙ୍କ ଉଦାସିଆ ମୁହଁ, ବାର୍ଦ୍ଧକ୍ୟର ଗୋଧୂଳି ବେଳ, ମେଦଯୁକ୍ତଙ୍କ ଧୁମଧାମ୍ ପରିଶ୍ରମ, ପ୍ରେମହରାଙ୍କ ଅସହାୟତା, ଅଣଲୁଚା ପ୍ରେମର ଦୀର୍ଘଶ୍ୱାସ, ନୂଆନୂଆଙ୍କ ଅନ୍ତହୀନ ପ୍ରତୀକ୍ଷା, ସୁନ୍ଦରୀଙ୍କ ପଣ୍ଡସ୍ ବୋଳା ଦେହଗଂଧ ଆଦିରେ ରୁନ୍ଧିହେଲାପରି ଲାଗିବ ସୌମ୍ୟା !!! - ଚାଲ ତେବେ ଚିଡ଼ିଆଖାନା ? - ସେଠି ଆଉରି ଅଛି ଦୁଃଖ । - କ'ଣ ? - ବନ୍ଦୀତ୍ୱର ଯନ୍ତ୍ରଣା । ହିସ୍ରଂ ଆଖିରେ ଲୁହ । ମନ ଭାଙ୍ଗିଯିବ ସେଠି । - କେଉଁ ଏକ ଦେବାଳୟ ? - ଇଶ୍ୱରଙ୍କୁ ପଛକରି ଉପହାସ ! ନାଇଁ ସୌମ୍ୟା ନାଇଁ ।

    [୪] ମୋର ଏଇସବୁ କଥାକୁ ନାଇଁ ନାଇଁ ଦେଖି ବିରକ୍ତିରେ ସୌମ୍ୟା କହିଲା - ଆଉ କ'ଣ ନର୍କକୁ ??? ଭାରି ମନକୁ ପାଇଲା ମୋର ସୌମ୍ୟାର ଏଇ ପ୍ରସ୍ତାବ । ଏଣେତେଣେ ଚାହିଁ କହିଲି - ଠିକ୍ ଅଛି, ଚାଲ ସୌମ୍ୟା ନର୍କକୁ !!! ଏଡ଼େ ବଡ଼ବଡ଼ ଆଖି କରି ମୋ'ଆଡ଼େ ଚାହିଁଲା ସୌମ୍ୟା । ସ୍କୁଟି ଷ୍ଟାର୍ଟ କଲା । ମୋତେ ଚୁପଚାପ୍ ବସିବାକୁ ଇଶାରା କଲା । (ମୁଁ ଏ ସହରରେ ନୂଆ । ମୋତେ ଜଣା ନଥିଲା ନର୍କର ରାସ୍ତା ଚୁପଚାପ୍ ମାନିନେବା ଛଡ଼ା)

ଘଟଗାଁ, କେନ୍ଦୁଝର

*****


Rate this content
Log in