Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

BIBHUTI BHUSAN SWAIN

Others


3  

BIBHUTI BHUSAN SWAIN

Others


ମିନି ଗଳ୍ପ -ଲଭ୍ ୟୁ କରୋନା

ମିନି ଗଳ୍ପ -ଲଭ୍ ୟୁ କରୋନା

4 mins 206 4 mins 206


  କଣ କରିବ କିଛି ବୁଝି ପାରୁନଥିଲା ଜସ୍ମିନ୍ । ବସ୍ ଷ୍ଟାଣ୍ଡଠାରୁ ତା ଗାଁ ମାତ୍ର ଦୁଇ କିଲୋମିଟର । ମାତ୍ର ଏହି ଅସମୟରେ ସାମାନ୍ୟ ରିକ୍ସା କିମ୍ବା ଅନ୍ୟ କୌଣସି ଗାଡିର ବ୍ୟବସ୍ଥା ନାହିଁ । ଏହି ଦୁଇ କିଲୋମିଟର ବାଟକୁ ଅତିକ୍ରମ କରିବାକୁ ହେଲେ ତାକୁ ଅଳ୍ପ ନିଚ୍ଛାଟିଆ ବୁଦା ପରିହିତା ଗୋଟିଏ ଜଙ୍ଗଲ ଆଉ ଗୋଟିଏ ଶ୍ମଶାନକୁ ଅତିକ୍ରମ କରିବାକୁ ପଡିବ । ତା ସହିତ ଯିବା ପାଇଁ କୌଣସି ପଥଚାରୀ ମଧ୍ୟ ନାହାନ୍ତି ଯାହାର ସହାଚାର୍ଯ୍ୟରେ ସେ ଅନ୍ତତଃ ପକ୍ଷେ ଏହି ଦୁର୍ଗମ ଦୁଇ କିଲୋମିଟର ରାସ୍ତାକୁ ଅତିକ୍ରମ କରିଯିବ ବିନା ବାଧାବିଘ୍ନରେ । ଚାରି ଆଡକୁ ଅସହାୟ ଦୃଷ୍ଟିରେ ଅନାଇଲା । ଧୀରେ ଧୀରେ ଅନ୍ଧାର ମାଡି ଆସୁଥାଏ । ଦୁଇ ତିନୋଟି ଦୋକାନରେ ଅଳ୍ପ କେତେଜଣ ଗ୍ରାହକ କାରବାର କରୁଥିବା ବେଳେ ଆଉ କେତୋଟି ଦୋକାନ ସନ୍ଧ୍ୟା ପୂର୍ବରୁ ବନ୍ଦ ହୋଇସାରିଥିଲା । ସେ କଣ ଚିନ୍ତା କରିଥିଲା ଯେ ବିନା କୌଣସି ଖବର ନ ଦେଇ ବାପା ବୋଉକୁ ଟିକେ ଦେଖା କରିବା ପାଇଁ ତାକୁ ଆଜି ଏଭଳି ଦୁର୍ଗତି ଭୋଗିବାକୁ ପଡିବ? ଅନ୍ତତଃ ପକ୍ଷେ ଖବରଟିଏ ଦେଇଥିଲେ ବାପା,ବୋଉ ନରେଶ ଦାଦାଙ୍କୁ ପଠାଇ ଦେଇଥାନ୍ତେ । ସେ କଣ ଜାଣିଥିଲା ରାସ୍ତାରେ ବସଟି ଖରାପ ହୋଇଯିବ ଆଉ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ତିନି ଘଣ୍ଟା ବିଳମ୍ବ ହେବ ବୋଲି । ପୁଣି ତା ଗାଁରେ ନଥିଲା କୌଣସି ମୋବାଇଲ୍ ସୁବିଧା । ନିଜ ଉପରେ ମନେ ମନେ ସେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରୁଥିଲା । ନାରୀ ସ୍ୱାଧିନତା ନେଇ ସରକାର କିମ୍ବା ରାଜନେତାମାନେ ଯେତେ ଚିତ୍କାର କରୁଥିଲେ ମଧ୍ୟ ସତରେ କଣ ଆଜିର ନାରୀ ସୁରକ୍ଷିତ? ଯଦି ସେଭଳି ହୋଇଥାନ୍ତା ତେବେ ନିର୍ଭୟା, ବେବିନାଙ୍କ ଭଳି ନିରୀହାମାନେ ବଳି ପଡି ନଥାନ୍ତେ କେତେକ ନରରାକ୍ଷସଙ୍କ ଯୌନ୍ୟଯଜ୍ଞରେ ।

  ଅଗତ୍ୟା ସେ ଏକେଲା ଚାଲି ଚାଲି ନିଜ ଘରକୁ ଯିବା ପାଇଁ ସ୍ଥିର କଲା । କେଉଁ ଏକ ସନ୍ଧିକ୍ଷଣରେ ସେ ଜନ୍ମ ହୋଇଥିଲା କେଜାଣି ଆଜି ପରିବାର ତା ଉପରେ ନିର୍ଭରଶୀଳ । ଘରେ ପକ୍ଷଘାତ ରୋଗରେ ପିଡିତ ବାପା ଆଉ ଆଜନ୍ମ ରୋଗିଣା ବୋଉର ସମସ୍ତ ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ଘରଠାରୁ ପ୍ରାୟ ଦୁଇ ଶହ କିଲୋମିଟର ଦୂରରେ ଏକ ପ୍ରାଇଭେଟ ସଂସ୍ଥାରେ ସ୍ୱଳ୍ପ ଦରମାରେ କିରାଣୀ ଚାକିରୀଟିଏ କରିଛି । ଆଉ ସାନ ଭାଇ ବୁବୁନ୍ ମାଟ୍ରିକ ଫେଲ୍ ହୋଇ କୌଣସି କାମଧନ୍ଦା ନ ପାଇବାରୁ ଦାଦନ ଖଟିବାକୁ ସୁଦୂରୁ ସୁରଟ ଯାଇଛି ପ୍ରାୟ ଦୁଇ ବର୍ଷ ତଳେ । ହଠାତ୍ କାହାର ଡାକ ଶୁଣି ସେ ନିଜ ଭାବନା ରାଜ୍ୟରୁ ଫେରି ଆସିଲା ।

-କୁଆଡେ ଏକୁଟିଆ ଯାଉଛ?-କାହାର କର୍କଶ ସ୍ୱର ଶୁଣି ସେ ଥମ୍ କିନା ଠିଆ ହୋଇଗଲା ସେ । ଚାରି ଆଡକୁ ଦୃଷ୍ଟି ପହଁରାଇ ନେଲା ଜସ୍ମିନ୍ । କେହି ତ ଦେଖା ଯାଉନାହନ୍ତି । ମନରେ ତାର ଅହେତୁକ ଭୟ ବୃଦ୍ଧି ପାଉଥିଲା । ଛାତିଟା ଜୋରରେ ଉଠ୍ ପଡ ହେବାକୁ ଲାଗିଲା । ସେ କାହାକୁ ଅପେକ୍ଷା ନ କରି ଜୋରରେ ପାହୁଣ୍ଡ ପକାଇ ଆଗକୁ ମାଡି ଚାଲିଲା । ତାକୁ ଲାଗିଲା ଅନ୍ଧାର ଭିତରୁ ତାକୁ ତିନି ଚାରି ଜଣ ଅନୁସରଣ କରୁଛନ୍ତି ।

-ହେ ଭଗବାନ! ଶେଷରେ ଯାହା ଆଶଙ୍କା କରୁଥିଲା ସେହି କଥା ଘଟିବ କି? ଯଦି କିଛି ଅଘଟଣ ଘଟିଯାଏ ତେବେ କଣ...ଆଉ କିଛି ଚିନ୍ତା କରି ପାରୁନ ଥିଲା ଜସ୍ମିନ୍ । ମୁଣ୍ଡଟା ଭାରୀ ଭାରୀ ଲାଗୁଥାଏ । କେହି ତାର ହାତ ଧରି କହିଲା-ଆମ କଥା ତୋତେ କଣ ଶୁଭାଯାଉନି? ଚମକି ଉଠିଲା ସେ । ଘନ ଅନ୍ଧାର ମଧ୍ୟରେ କିଛି ଦେଖା ଯାଉନଥିଲେ ମଧ୍ୟ ତିନି ଚାରି ଜଣ ମଦ୍ୟପ ଯୁବକ ତାକୁ ଘେରି ଠିଆ ହୋଇଥିଲେ । ସେ କଣ କରିବ-ସେହି ଭୟରେ ତାର ତଣ୍ଟି ଶୁଖିଯାଉଥିଲା । 

-କଣ ବେବି,କିଛି କହୁନ...ଜଣେ ମଦ୍ୟପ ତାର ହାତଟାକୁ ଧରି ପଚାରିଲା ।

ଜସ୍ମିନ୍ ହାତଟାକୁ ଛିଞ୍ଚାଡି କହିଉଠିଲା-ତୁମ ମାନଙ୍କର କଣ ଘରେ ମା,ଭଉଣୀ ନାହାନ୍ତି?

-"କିଏ କହିଲା ନାହାନ୍ତି...ଅଛନ୍ତି ଯେ ଆମେ କଣ ଦୁନିଆ ଯାକର ସବୁ ଝିଅଙ୍କୁ ଭଉଣୀ ମାନିବୁ?ସମସ୍ତେ ଯଦି ଗାନ୍ଧୀ,ଗୋପବନ୍ଧୁ ହୋଇଯିବେ ତାହା ହେଲେ ଦୁନିଆଟା ଯାକ ସବୁ ଭେଣ୍ଡା ଅବିବାହିତ ରହିବେ । ଦେଖ୍ ବେବି,ତୁ ଆମ କଥା ମାନି ଯାଆ । ଆମେ ତୋର କିଛି କ୍ଷତି କରିବୁ ନାହିଁ । କେବଳ ତୋ ସହିତ ଟିକେ ମଜା,ମସ୍ତି କରିବୁ ।"-ମଦୁଆଙ୍କ ଭିତରୁ କହି ଜଣେ କହିଉଠିଲା ।

ଜସ୍ମିନର ମୁଣ୍ଡ କିଛି କାମ କରୁ ନଥିଲା । ଏ ଅସମୟରେ ତାକୁ ସାହାଯ୍ୟ କରିବାକୁ କେହି ଆସିବାର ସମ୍ଭାବନା କ୍ଷୀଣ । ଏଭଳିସ୍ଥଳେ ତାକୁ କିଛି କରିବାକୁ ହେବ । କଣ କରିବ ଭାବୁ ଭାବୁ ହଠାତ୍ ସେ କହିଲା- "ଦେଖନ୍ତୁ,ମୁଁ ଆପଣମାନଙ୍କ କଥାରେ ରାଜି ଅଛି । କିନ୍ତୁ ମୋର କିଛି ସର୍ତ ଅଛି?''

-କଣ ସେ ସର୍ତ? ଉତ୍କୁଣ୍ଠିତ ହୋଇ ମଦ୍ୟପାମାନେ ସମ୍ମିଳିତ ସ୍ୱରରେ କହିଉଠିଲେ ।

ଜସ୍ମିନ୍ ଟିକେ ଖଣ୍ଡିକାଶ ଦେଇ ଦୋ ଦୋ ପାଞ୍ଚ ହୋଇ କହିଲା-ଛାଡନ୍ତୁ,ଆପଣମାନଙ୍କୁ କହି କରି କିଛି ଲାଭ ନାହିଁ । ଆଉ ଦୁଇ ଚାରି ଦିନ ପରେ ମରିଥାନ୍ତି । ମରିବା ପୂର୍ବରୁ ଆପଣମାନଙ୍କ ସେବାରେ ଯଦି ମୋ ଶରୀର ଲାଗି ପାରୁଛି,ତେବେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ...

-ପୁଣି କିନ୍ତୁ କଣ? କେହି ଜଣେ ସେମାନଙ୍କ ଭିତରୁ ପଚାରିଲା ।

-ମୁଁ ଆଜି ଭୂବନେଶ୍ୱରର ଏକ ହସ୍ପିଟାଲ୍ ରୁ ଲୁଚି କରି ମାମୁଁ ଘରକୁ ପଳାଇଆସିଲି । ଦୁଇ ଦିନ ତଳେ ପାଠ ପଢା ଶେଷ କରି ଇଟାଲୀରୁ ଘରକୁ ଫେରୁଥିଲି । ମୋତେ ସାମାନ୍ୟ ଥଣ୍ଡା ଜ୍ୱର ସହିତ କାଶ ହେଉଥିବାରୁ ଏୟାରର୍ପୋର୍ଟରୁ ସିଧା ହସ୍ପିଟାଲ୍ ନିଆଗଲା କୋରନା ଚେକିଂ ପାଇଁ । ଆଜି ମୋର ରିପୋର୍ଟ ଆସିଲା । ଦେଖିଲା ବେଳକୁ ରେଜଲ୍ଟ୍ ପଜିଟିଭ୍ । ମୁଁ ଜାଣିଛି ଏ ରୋଗର କୌଣସି ଔଷଧ ବାହାରିନାହିଁ । ତେଣୁ ମେଡିକାଲରେ ମରିବା ପୂର୍ବରୁ ମାମୁଁମାଇଁକୁ ଦେଖା କରିବାକୁ ସେଠାରୁ ଲୁଚି ଚାଲିଆସିଲି । ହଜାର ଭୋଲ୍ଟର କରେଣ୍ଟ ଯେମିତି ଲାଗିଗଲା ସେମାନଙ୍କ ଦେହରେ । ନିଶା ସେମାନଙ୍କର ଉତୁରି ଆସିଲା ।

-ଏଁ,କଣ କହିଲୁ,ତୋତେ କରୋନା ହୋଇଛି । ସେକଥା ଆଗରୁ କହୁନୁ । ଆରେ ଏଇଟାକୁ ଛୁଅଁ ନାହିଁରେ...ଶାଳୀ ନିଜେ ମରିବ,ପୁଣି ଆମକୁ ମାରିବ...ତାକୁ ଛାଡ୍ ବେ...

 ବିଜୁଳିପ୍ରାୟେ ସେହି ଅନ୍ଧକାରରେ ଉଭାନ୍ ହୋଇଗଲେ ମଦୁଆ ଚାରିଜଣ ।

ଦୀର୍ଘଶ୍ୱାସ ଛାଡି ଭଗବାନଙ୍କୁ ଅଜସ୍ର ଧନ୍ୟବାଦ ଜଣାଉଥିଲା ଜସ୍ମିନ୍ । ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ହଜାର ହଜାର ଲୋକଙ୍କ ପ୍ରାଣ ନେଉଥିବା ବେଳେ ସେହି କରୋନା ଯୋଗୁଁ ଆଜି ତାର ଜୀବନ ରକ୍ଷା ହୋଇଥିବାରୁ ମନେ ମନେ ସେ କହିଉଠିଲା-ଲଭ୍ ୟୁ କରୋନା । 


Rate this content
Log in