Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସ୍ତୁତିରେଖା ମିଶ୍ର

Others

3  

ସ୍ତୁତିରେଖା ମିଶ୍ର

Others

ଅବଶେଷ

ଅବଶେଷ

8 mins
532


ମାରିଦେଇ ଦୁହିଁଙ୍କୁ , ନିଜେ ମରିଯିବି ଦିନେ ଦେଖିବୁ ତୁ !

★★★

ବାପାଙ୍କ ଚିତ୍କାର ଶୁଣି , କାନ୍ଦି ଉଠିଲା ଲବ୍ଧା । ମାଧବୀ କିନ୍ତୁ ଥିଲା ନିଶ୍ଚଳ । ଦେହସୁଆ ଏସବୁ । ନିଦିନିଆ କଳିକରତାଳ , ଫିଙ୍ଗା ଫୋପଡାରେ ଭରିଯାଇଥିଲା ଜୀବନ ।

ବଢୁଛି ଝିଅ । ନିଜ ପାଇଁ ନହେଲେ ବି ତା'ପାଇଁ ଜୀଇବାକୁ ହେବ । ସହିବାକୁ ହେବ ଛିଡିପଡୁଥିବା କୁଢକୁଢ ଦୁଃଖର ବୋଝ !

କୋଳକୁ ଟାଣିନେଲା କାନ୍ଦୁରା ଝିଅକୁ । ବାହାରକୁ ଚାଲିଗଲେଣି ସେ' ! ଆଉରି ନିଶାଗ୍ରସ୍ତ ହେବାକୁ ବୋଧେ !!!

― ମାମା ପାପାଙ୍କର କଣ ହେଇଛି ? ତୁମକୁ ଏତେ ରାଗୁଛନ୍ତି କାହିଁକି ?

― ତୁ ବ୍ୟସ୍ତହନି । ଶୋଇପଡ । ସେ ଠିକ୍ ହୋଇଯିବେ କାଲିକୁ ।

ଯେଉଁ ସମ୍ପର୍କ ଉପରେ ସମଗ୍ର ସୃଷ୍ଟି ଓ ସୃଜନୀ ଉଭୟ ପର୍ଯ୍ୟବସିତ , ଯେଉଁ ସମ୍ପର୍କ ସମୁଦ୍ର ପରି ବିଶାଳ । ଜନ୍ମ ଜନ୍ମାନ୍ତର ପାଇଁ ଯେଉଁ ସମ୍ପର୍କକୁ ଅତୁଟ ରଖିବାକୁ ସ୍ୱପ୍ନ ଦେଖି ହୁଏ ,ମାତ୍ର ଟିକିଏ ସନ୍ଦେହ ସମ୍ପୂର୍ଣ୍ଣ ନଷ୍ଟ କରିପାରେ ସେହି ପବିତ୍ର ସମ୍ପର୍କକୁ । ପ୍ରେମର ପ୍ରତିଜ୍ଞା ନେଇ ଏକାଠି ହୋଇଥିବା ମନ ଦୁଇଟି ଘୃଣାର ନିଆଁରେ ଏକାଠି ଜଳୁଥିଲେ ସିନା ମୁକ୍ତି କାହାରି ପାଖରେ ନ ଥିଲା ।

ରାଗରେ ଘରୁ ଯାଇସାରିଥିଲା ମାନସ । ଝିଅକୁ କୋଳରେ ଧରି ଚୁପ ଚାପ ବସି ରହିଲା ମାଧବୀ । ମା କୁ କାନ୍ଦିବାର ଅଧିକାର ବି ନ ଥାଏ । ସନ୍ତାନକୁ ପ୍ରବୋଧନା ଦେବା ପାଇଁ ସବୁ ଦୁଃଖକୁ ଛାତିରେ ମାଡ଼ିଧରି ହସିବାକୁ ପଡେ । ଧୀରେ ଧୀରେ ଶୋଇ ଆସୁଥିଲା ଲବ୍ଧା। ମାଧବୀ ଭିତରେ କିନ୍ତୁ ଝଡ଼ ଟାଏ ପ୍ରବାହିତ ହେଉଥିଲା ଅବାରିତ । ପୁରା ପରିବାରର ଦାୟିତ୍ୱ ନିଜ କାନ୍ଧରେ ବୋହି ନେବା ପରେ ବି ସେ କେବଳ ଲାଞ୍ଚନା ଭିନ୍ନ ଆଉ କିଛି ପାଇ ପାରି ନ ଥିଲା ସେ ।

ସମୟର ସବୁଠାରୁ ଭଲ ଓ ଖରପ ଗୁଣ ହେଉଛି ପରିବର୍ତ୍ତନ । ଏମିତି ନଥିଲା ମାନସ ଓ ମାଧବୀର ହାତ ଗଢ଼ା ସଂସାର । ଛୋଟ ଛୋଟ ଖୁସି କୁ ନେଇ ଖୁବ୍ ଭଲରେ ଚାଲୁଥିଲା ସବୁ କିଛି ।ସୌଭାଗ୍ୟର ସମସ୍ତ ସନ୍ତକ ନେଇ ଖୁବ୍ ଖୁସିରେ କଟୁଥିଲା ଜୀବନ । ଝଡ଼ ପୂର୍ବର ଶାନ୍ତି ଖୁବ୍ ଆନନ୍ଦଦାୟୀ । ଏଇମିତି ଶାନ୍ତିର ବସନ୍ତ ଭିତରେ ହଠାତ ବୈଶାଖର ଝାଞ୍ଜି ଖିନ୍ ଭିନ୍ କରିଦେଲା ଛୋଟିଆ ବସା ଟିକୁ । ସଡ଼କ ଦୁର୍ଘଟଣାରେ ଡାହାଣ ହାତଟି ହରେଇ ବସିଲା ମାନସ । କମ୍ପାନୀର ଖୁବ୍ ଶାନ୍ତ କର୍ମଠ ଲୋକଟିକୁ ଶାରୀରିକ ଅକ୍ଷମତାର ଵ୍ୟାଚ୍ ଓ କିଛି ସହାନୁଭୂତିର ଅର୍ଥ ରାଶି ବ୍ୟତୀତ ଅନ୍ୟ କିଛି ଦେଇ ପାରି ନ ଥିଲା କମ୍ପାନୀ ।

ଭାଙ୍ଗି ପଡିଥିଲା ମାନସ । ପୁରୁଷ ସଂସାରର ସମସ୍ତ ସମସ୍ୟାକୁ ସାମ୍ନା କରିପାରେ ଖୁବ୍ ଶକ୍ତ ଭାବରେ । କିନ୍ତୁ ନିଜର ଅକ୍ଷମତାକୁ ସହିପାରିବାର ଶକ୍ତି ପୁରୁଷର ନ ଥାଏ । ନିଜ ଭିତରେ ହୀନମନ୍ୟତା ନେଇ ବଞ୍ଚିବା ଆଦୋୖ ସହଜ ନୁହେଁ। ଘର ଚାଲିବାର ବୋଝ ବେଶୀ ମାଡି ପଡୁଥିଲା ମାନସକୁ।

କୁହାଯାଏ ପ୍ରତିକୂଳ ପରିସ୍ଥିତିରେ ଯିଏ ସର୍ବାଧିକ ଧର୍ଯ୍ୟ ଧରିପାରେ ସେ ନାରୀ । ସେଥିପାଇଁ ସର୍ଵସଂହା ପୃଥିବୀ ଜଣେ ନାରୀ ଓ ପ୍ରସବ ବେଦନାକୁ ସଯ୍ୟ କରୁଥିବା ବ୍ୟକ୍ତି ବି ଜଣେ ନାରୀ । ମାଧବୀ ଆଗରେ ଦୁଇଟା ଦାୟିତ୍ୱ । ଉଭୟ ଝିଅ ଓ ସ୍ୱାମୀକୁ ସାଙ୍ଗରେ ନେଇ ସଂସାର ବାଟରେ ଚାଲିବାକୁ ହେବ। ଗୋଟାଏ କାର୍ ସୋ ରୁମରେ ସେଲସ୍ ବିଭାଗରେ ଚାକିରୀ ଆରମ୍ଭ କଲା ମାଧବୀ।

ଜୀବନରେ ଅତି ଛୋଟ ଛୋଟ ଘଟଣା ସବୁ ବେଳେବେଳେ ଖୁବ୍ ବଡ଼ବଡ଼ ଦୁର୍ଘଟଣାର ଜନ୍ମଦାତ୍ରୀ ସାଜନ୍ତି ।ମାଧବୀର କାର୍ଯ୍ୟବ୍ୟସ୍ତତାରେ ଅବହେଳିତ ହୁଏ ମାନସ । ଚାକିରୀ ,ଝିଅ , ଘରର ଦାୟିତ୍ୱ ଭିତରେ ମାଧବୀ ଧନ୍ଦି ହୋଇଯାଏ ଏକରକମ । ଧୀରେ ଧୀରେ ମାନସ ମନରେ ଜନ୍ମ ନିଏ ଅସୁରକ୍ଷା ।

―ଏଥର ମେଢ଼ ବୁଲି ଯିବାନି । ତୁମେ ପ୍ରତିବର୍ଷ ଦଶହରାରେ କେତେ ଜିଦି କରୁଥିଲ । ଝିଅ ବି ଯିବାକୁ କହୁଛି ।

―ମନୁ ମୋର ବି ଖୁବ୍ ଇଚ୍ଛା । କିନ୍ତୁ ସମ୍ଭବ ହେବନି ପ୍ରାୟ । ପୂଜା ସମୟ ଗାଡିର ଟାର୍ଗେଟ ପୁରା କରିବାକୁ ହେବ। ନ ହେଲେ ଇଂସେଂଟିବ୍ ମିଳିବା କଷ୍ଟ ।

―କିନ୍ତୁ ମଧୁ ମୁଁ ବି ଚାକିରୀ କରିବା ବେଳେ ଆମେ ବୁଲିବାକୁ ଯାଉଥିଲେ ନା ? ତୁମେ ଗୋଟେ ଦିନ ବି ଯାଇ ପାରିବନି ??

―ବୁଝିବାକୁ ଚେଷ୍ଟା କର , ତୁମ ଆଉ ମୋ ଚାକିରୀ ଭିତରେ ଢେର୍ ପାର୍ଥକ୍ୟ ।

ବେଶୀ କିଛି କଥା ହୋଇପାରି ନଥିଲା ମାଧବୀ। ଅଫିସ୍ ରୁ ଫୋନ ପାଇ ଚାଲିଗଲା । ନିଜ ଭିତରେ ସନ୍ତୁଳି ହେଉଥିଲା ମାନସ । ସେ ବୁଝେ ମାଧବୀର ପରିଶ୍ରମ । କେବଳ ନିଜର ଅକ୍ଷମତାକୁ ଦୋଷ ଦେବା ବ୍ୟତୀତ ଆଉ କିଛି କରି ପାରେନି ସେ ।ବାରମ୍ଭାର ଫୋନ କରିବା ପରେ ବି ଫୋନ୍ ଉଠାଏନି ମାଧବୀ। ବ୍ୟସ୍ତ ଅଛି ବୋଲି ମେସେଜ୍ ଟାଏ ଫେରି ଆସେ କେବଳ । ଅକ୍ଷମତା ମଣିଷ ଭିତରେ ହୀନମନ୍ୟତାକୁ ଜନ୍ମ ଦିଏ , ହୀନମନ୍ୟତାରୁ ଅସୁରକ୍ଷାଭାବ ।ଶେଷରେ ସନ୍ଦେହ ।

ସନ୍ଦେହକୁ ସଂସାର ସବୁଠାରୁ ଧୀମା ବିଷ ସହିତ ତୁଳନା କରାଯାଇ ପାରେ , ଯାହା ଖୁବ୍ ସନ୍ତର୍ପଣରେ ଖୁବ୍ ଧୀରେ ଧୀରେ ନଷ୍ଟ କରିଦିଏ ଏକ ସୁନ୍ଦର ସମ୍ପର୍କର ନୀଡକୁ ।

―ରାତି ବାରଟା ହେଲାଣି ମଧୁ । ତୁମେ ଫୋନ୍ ବି ଉଠାଉନ ।

―କାମ ଥିଲା ମନୁ ।କହିଥିଲି ତ ପୂଜା ସମୟ । ଝିଅ କାହିଁ ??

― ତୁମର ମନେ ଅଛି ତୁମର ଗୋଟେ ଝିଅ ଅଛି ବୋଲି ?? କାନ୍ଦି କାନ୍ଦି ଶୋଇ ପଡ଼ିଲା ବିଚାରି ।

― ତୁମେ କଣ କରୁଥିଲ କି ? ଘରେ ଅଛ , ଟିକେ ତ ଝିଅ କଥା ବୁଝିବ ।

― ହଁ , ମୁଁ ତ ଅଯୋଗ୍ୟ ,ଅପଙ୍ଗ । ସ୍ତ୍ରୀ ରୋଜଗାରରେ ଚଳୁଛି । ଘରେ ବସିଛି ।

ବଢି ଚାଲିଥିଲା ମନୋମାଳିନ୍ୟ । ଢେର ସମୟ ଝଗଡା ହେବା ପରେ ବାହାରକୁ ଚାଲିଗଲା ମାନସ। ବ୍ୟସ୍ତ ହେଲା ମାଧବୀ। ମନରେ ପ୍ରଶ୍ନ ଉଠେ ସହିନେବାର ଶକ୍ତିଟା ଯଦି ସୃଷ୍ଟିକର୍ତ୍ତା ପୁରୁଷ ଓ ନାରୀ ଭିତରେ ସମାନ ବାଣ୍ଟିଥାନ୍ତେ ତେବେ ହୁଏତ ସଂସାରର ଭାରସାମ୍ୟ ଆଉ ଟିକେ ସହଜ ହୋଇଥାନ୍ତା । କିନ୍ତୁ ଯୁଗେ ଯୁଗେ ନାରୀହିଁ ସହି ନେବାର କଳାଟିରେ ଦକ୍ଷ । ରାଗରେ କିଛି କହିଦେଲେ ବି ମାଧବୀ ବୁଝିପାରେ ମାନସର କଷ୍ଟ । ନିଜ ଅକ୍ଷମତାକୁ ନେଇ ଜୀବନ ବଞ୍ଚିବା ପୁରୁଷ ପକ୍ଷେ ସମ୍ଭବ ନୁହେଁ । ଟାଣ କରି ପଦେ କହିପାରୁ ନ ଥିବା ଲୋକଟି ନିଜ ଅଜାଣତରେ ପାଲଟି ଯାଉଥିଲା ଖୁବ୍ ଗୋଟାଏ ରାଗି ମଣିଷ ।

ମାନସ ଏଥର ମାତାଲ ହୋଇ ଫେରୁଥିଲା । ପାଟି ତୁଣ୍ଡ , ମାର୍ ପିଟ୍ ଯାଏଁ କଥା ଯାଉଥିଲା ବାରମ୍ବାର । ନିଜକୁ ଢେର୍ କଷ୍ଟ ଦିଏ ମାନସ। ନିଶାରେ ଘଣ୍ଟା ଘଣ୍ଟା କାନ୍ଦି ନିଜକୁ ଦୋଷ ଦିଏ , ମାଧବୀକୁ ଭୁଲ୍ ମାଗେ । ପୁଣି ରାଗି ଯାଇ ମାର୍ ପିଟ୍ କରେ । ପ୍ରେମ ବି ବଡ଼ ବିଚିତ୍ର ଅନୁଭବ ଟିଏ । ଖୁବ୍ ଭଲ ପାଏ ମାନସ , ମାଧବୀକୁ।ମାଧବୀର କାର୍ଯ୍ୟ ବ୍ୟସ୍ତତା ଭିତରେ ହୁଏତ ତାକୁ ହରେଇ ଦେବାର ଭୟକୁ ନେଇ ବାରମ୍ବାର କଷ୍ଟ ପାଏ ମାନସ ।

ସଫଳତା ଯେ କେବେ ସର୍ବାଧିକ ବିଫଳତାର କାରଣ ହୋଇପାରେ ତାହା କେବଳ ଭୁକ୍ତଭୋଗି ହିଁ କହି ପାରିବ। ନିଜ ଚେଷ୍ଟା ଓ ପରିଶ୍ରମ ଫଳରେ ଟିମ୍ ଲିଡର୍ ପଦବୀକୁ ଉନ୍ନୀତ ହୁଏ ମାଧବୀ ମାତ୍ର ଗୋଟାଏ ବର୍ଷ ଭିତରେ । ପୁରୁଷ ପୁରୁଷର ସଫଳତାରେ ଈର୍ଷାନ୍ବିତ ହୋଇପାରେ , କିନ୍ତୁ ନାରୀର ସଫଳତାକୁ ସନ୍ଦେହ ଭିନ୍ନ ଆଉ କିଛି କରି ପାରେନା ।

★★★

― ଅଫିସ ର ଟ୍ରେନିଂ ଅଛି । ତିନିଦିନ ଦିଲ୍ଲୀ ଯିବାକୁ ହେବ । ମୁଁ ବୋଉ କୁ କହିଦେଉଛି ସେ ଆସି ରହିବ ତୁମ ଦୁହିଁଙ୍କ ପାଖେ ।

― ତୁମେ କାହିଁକି ଯିବ ?? ଆଉ କଣ ଅଫିସରେ କେହି ନାହାନ୍ତି ।

― ଯିବାକୁ ହେବ ମାନୁ । ଟ୍ରେନିଂ ପ୍ରୋଗ୍ରାମ୍।

― ଓଃ ! ତେବେ ଏଇ ଟୁର୍ ବଦଳରେ ମିଳିଛି ପ୍ରମୋସନ୍।

― ତୁମ ମୁଣ୍ଡ ଖରାପ କି ? ଏମିତି ସବୁଦିନ ପାଟି ତୁଣ୍ଡ କରିବା ଛଡା ଆଉ କିଛି କାମ ନାହିଁ ?

ମନରେ କିନ୍ତୁ' ଟାଏ , ନେଇ କେବେ ସୁସମ୍ପର୍କ ଗଢି ହୁଏନା । ଅବିଶ୍ୱାସର ସାମାନ୍ୟ ଖିଅ ଟିଏ , ସମ୍ପର୍କର ସୁସ୍ଥ ଚାଦରକୁ ଖିନ ଭିନ୍ କରିଦିଏ ଅତି ସହଜରେ । ନଷ୍ଟ ହେବାରେ ଲାଗିଥିଲା ମାଧବୀର ହାତ ଗଢ଼ା ସଂସାର ଟି। ଧୀରେ ଧୀରେ ପାଟି ତୁଣ୍ଡର ପରିମାଣ ବୃଦ୍ଧି ପାଉଥିଲା ।ସେଇ ମାନସ କ୍ଷତାକ୍ତ ବି କରେ ,ପୁଣି ଚିକିତ୍ସା ବି। ଗାଳି ବି କରେ ପୁଣି ଭୁଲ୍ ମାଗେ । ଘୃଣାର ସୀମା ପାର୍ କରେ ,ପୁଣି ପ୍ରେମ କରେ । ମାଧବୀ ବୁଝି ପାରେନି ,ଯେଉଁ ପ୍ରେମର ମୂଳଉତ୍ସ କେବଳ ବିଶ୍ୱାସ ସେଠି ଏତେ ଅବିଶ୍ୱାସ ଘର କରିଗଲା କାହିଁକି ?? ମାନସ ବି ଟୁର୍ ରେ ଯାଉଥିଲେ , କିନ୍ତୁ ସେ ତ କେବେ ପ୍ରତିବାଦ କରି ନ ଥିଲା ? ଆଜି ମାନସର ପ୍ରତିବାଦ ଚରମ ସୀମାରେ ପହଞ୍ଚି ସାରିଥିଲା ।

ଯିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଲା ମାଧବୀ । ଏଥର କିନ୍ତୁ ମାନସ୍ ଚୁପ ରହି ପାରୁ ନ ଥିଲା । ମାଧବୀକୁ ରୋକିବାର ସମସ୍ତ ଚେଷ୍ଟାରେ ଲାଗି ପଡିଲା ସେ । ବୁଝାଇ ସୁଝାଇ , ରାଗି ଧମକାଇ , ଶେଷରେ ପାଟି ତୁଣ୍ଡ। କିନ୍ତୁ କିଛି ଲାଭ ହେଲାନି । ମାଧବୀର ଯିବା ଆବଶ୍ୟକ ଥିଲା । ଅନ୍ତତଃ ଏ ଟ୍ରେନିଂ ରେ ସଫଳ ହେଲେ ତା ଚାକିରୀର ସ୍ଥାୟୀତ୍ୱକୁ ନେଇ ଚିନ୍ତା କମିଯିବ। ନଚେତ୍ ବେସରକାରୀ ଚାକିରୀରେ କି ଭରସା । ଝିଅର ଭବିଷ୍ୟତ, ମାନସର ଚିକିତ୍ସା ଏସବୁ ପାଇଁ ତାର ରୋଜଗାର ନିହାତି ଜରୁରୀ । ପରିଶେଷରେ ଯିବାକୁ ପଡିଲା ମାଧବୀକୁ !!

ନାରୀ ଠାରୁ ପରାଜୟ ପୁରୁଷର ,ପୌରୁଷକୁ ଶକ୍ତ ଧକ୍କା ଦିଏ । ବିଶେଷ କରି ନିବୃତ୍ତରେ ସ୍ୱାମୀତ୍ୱ ଜାହିର୍ କରୁଥିବା , ନାରୀ ଠାରୁ ପରାଜୟ ପୁରୁଷ ପକ୍ଷେ ଅସହ୍ୟ । ବଢିଚାଲେ ନିଶାର ପରିମାଣ , ଆକ୍ରୋଶ ,ଘୃଣା ଓ ସନ୍ଦେହର ସ୍ୱରଚିତ ଜାଲ ଭିତରେ ଜଳି ଜଳି ନିଃଶେଷ ହେଉଥାଏ ମାନସର ମାନବିକତା ।

ଟୁର୍ ରେ ବ୍ୟସ୍ତତା ଭିତରେ ମାଧବୀ ଫୋନ୍ କଲ୍ ଆଟେଣ୍ଡ କରିବା ବିଶେଷ ସମ୍ଭବ ହୁଏନି । ଯେତିକି ସମୟ ପାଏ ଝିଅ କଥା ବୁଝିବାକୁ ପଡେ । ଆହୁରି ଆହତ ହୁଏ ମାନସ । ମାଧବୀ ଜୀବନରୁ ନିଜର ଅସ୍ତିତ୍ୱର ପରିସମାପ୍ତିକୁ କଳ୍ପନା କରି ଯନ୍ତ୍ରଣା ପାଏ । କେବଳ ତିନି ଦିନ ମାଧବୀର ଅନୁପସ୍ଥିତି ଦୁରତ୍ୱର ସବୁ ସୀମା ଅତିକ୍ରମ କରିଯାଏ ମାଧବ ମନରେ ।

ସବୁଠାରୁ ନିବିଡ଼ ପ୍ରେମ ହିଁ ସବୁ ସର୍ବାଧିକ ଘୃଣାରେ ପରିଣତ ହୋଇ ପାରେ । କଷ୍ଟ କଣ କେବଳ ମାନସ ହିଁ ଭୋଗେ ?? ପରିସ୍ଥିତିର ଚାପରେ ମାଧବୀ ହୁଏତ କହି ପାରେନି । କିନ୍ତୁ ସେ କଣ ସମାନ ବିରହ ଭୋଗି ନ ଥିବ। କିନ୍ତୁ ପୁରୁଷର ଅହଂ ନାରୀକୁ ନିୟନ୍ତ୍ରଣ କରିବାରେ ବିଶ୍ୱାସ କରେ , ନାରୀର ଅସହାୟତାକୁ ବୁଝିପାରିବା ପୁରୁଷ ପକ୍ଷେ ଜମା ସହଜ ନୁହେଁ । ନା ମାନସ ବୁଝିପାରେ , ନା ମାଧବୀ ବୁଝେଇପାରେ । ଖୁବ୍ ବିକଳ ହୋଇ ଫେରୁଥାଏ ମାଧବୀ। ପରିବାର ଠାରୁ ଏତେ ଦୂରକୁ ଯିବା ତା ପାଇଁ ପ୍ରଥମ । ମାନସର ହାତ ନ ଧରି ଘରୁ ବାହାରି ନ ଥିବା ସ୍ତ୍ରୀ ଟି ପାଇଁ ସଂସାର ବାଟରେ ଏକା ଚାଲିବାର ଭାର ସେ ହିଁ କେବଳ ବୁଝିପାରେ । ମାନସ ନୁହେଁ।

★★★

― ଆଉ ଫେରିଲୁ କାହିଁକି ଯାହା ସହିତ ଯାଇଥିଲୁ ତା ସହ ରହି ଯାଇଥାନ୍ତୁ ।

― କଣ କହୁଛ ଜାଣି ପାରୁଛ ତ ? ଚାକିରୀ କାମରେ ଯାଇଥିଲି କାହା ସହ ବୁଲିବାକୁ ନୁହେଁ । କାହିଁକି ବୁଝୁନ ମନୁ ।

― ଚୁପ୍ ! ତୋ ପାଟିରେ ମୋ ନାଁ ଡାକିବା ଦରକାର ନାହିଁ । ମୁଁ ଅପଙ୍ଗ ହେଲି ବୋଲି ଶେଷକୁ ଆଉ କାହା ଛାତିରେ ଆଉଜି ପଡ଼ିଲୁ ?

ମଦ ଗନ୍ଧରେ ଅତିଷ୍ଠ ହୋଇ ବାହାରି ଯାଉଥିଲା ମାଧବୀ । ଝିଅ ଚାଲି ଯାଇଥିଲା ବୋଉ ସହିତ ମାମୁଁ ଘରକୁ । ଝିଅ ଖୁବ୍ ଡରିଯାଏ ଏସବୁକୁ । ଖୁବ୍ ରାଗି ସାରିଥିଲା ମାନସ । ଭିଡ଼ି ଧରିଲା ମାଧବୀର ହାତ। କିନ୍ତୁ ଗୋଟେ ହାତରେ ସମ୍ଭବ ହେଲାନି ରୋକି ପାରିବା । ହାତ ଛାଟି ବାହାରି ଗଲା ମାଧବୀ। ନିଶାରେ ମଣିଷ ଭିତରର ଘୃଣା କେଜାଣି କେତେ ଗୁଣା ବଢିଯାଏ ।

― ମୁଁ ମରିଗଲେ ଭଲ ହୁଅନ୍ତା । ତୁମେ ମତେ ବଞ୍ଚିବାକୁ ଦେବନି ।

― ହଁ ମାରିଦେବି, ଆଜି ତତେ ମାରିଦେବି । ତୋ' ଭଳି ଚରିତ୍ରହୀନା ବଂଚି ରହିବା ଆଦୌ ଠିକ୍ ନୁହେଁ ।

ଖୁବ୍ ଜୋରେ ଥାପଡ୍ ଟାଏ କଷିଦେଲା ମାନସ । ହଠାତ ଯେପରି ମାଧବୀ ଭିତରର ସବୁ ଯାକ ଧର୍ଯ୍ୟ ଜବାବ୍ ଦେଇଗଲେ ଏକାଥରେ । ଏତେ ଥର ରାଗ ରୁଷା ଭିତରେ କେବେ ମାଡ଼ ମାରି ନଥିଲେ ମାନସ । ସେ ରାଗ ଭିତରର ଭାବନାରେ ଏତେ ଘୃଣା ନ ଥିଲା ଯେ ହାତ ଉଠି ପାରିବ ।

―ଆଜି ଶେଷରେ ହାତ ବି ଉଠେଇଦେଲ ମାନସ୍ ?

ମାଧବୀ କୌଣସି ମତେ ବାହାରି ଗଲା । ନିଜକୁ ବନ୍ଦ୍ କରିନେଲା ଅନ୍ୟ ଏକ ରୁମରେ ।

★★★

ଆଜିଯାଏଁ କେବେ ସେ ହାତ ଉଠେଇ ନଥିଲା ମାଧବୀ କୁ ସେ' । କେଜାଣି କେମିତି ଏତେ ବଡ଼ ଭୁଲ୍ ଟାଏ କରି ବସିଲା ? ମାଧବୀ ଆଖିରେ ଲୁହ ଟୋପେ ଆସିଲେ ପାଗଳ ହୋଇଯାଏ ସେ । କେହି ତା ମଧୁକୁ କିଛି କହିଦେଲେ ଆଦୌ ସହି ପାରେନି। ଆଜି ନିଜେ !! ନାଃ ! ସେ ଅପରାଧୀ ।

ଗୁଡାଏ ନୀରବତା ସାରା ଘର ଭିତରେ ଗୁଞ୍ଜରଣ କରିବାରେ ଲାଗିଲା । କବାଟ ଦେଇ ଭିତରେ ଗୁମୁରୁଛି ମାଧବୀ । ବାହାରେ ପଶ୍ଚାତାପ ର ବହ୍ନିରେ ଜଳୁଛି ମାନସ ।

କେଜାଣି କାହିଁକି , ହଠାତ୍ ଜୋରେ ଚିତ୍କାର କଲା ମାନସ। ବାନ୍ତି କରିବାର ଶବ୍ଦ ଆସିଲା । ବିରକ୍ତ ହେଲା ମାଧବୀ। ସବୁଦିନ ପିଇକି ଏଇ ନାଟକ ।

ଚିନ୍ତା କରୁଥିଲା ମାଧବୀ କଣ ପାଇଲା ସେ ଏତେ କଷ୍ଟ କରି ? ଯା' ହାତ ଧରି ଆସିଥିଲା ଆଜି ସେ ଆଉ ନିଜର ନୁହେଁ। ଯାହା କାନ୍ଧରେ ମୁଣ୍ଡ ରଖି ହସ ଲୁହ ବାଣ୍ଟିଥିଲା , ସେ କାନ୍ଧ ଆଜି ବହୁ ଦୂରରେ । ବଞ୍ଚିବାକୁ ରୋଜଗାର ଦରକାର , ହେଲେ ସମ୍ପର୍କର ଜଳାଞ୍ଜଳି ଦେଇ ନୁହେଁ । ସେ ଅନ୍ୟ କିଛି କରିବ , ଆଉ ଏ ଚାକିରୀ ନୁହେଁ । କେମିତି ରାତିର ଚାରିଘଣ୍ଟା କଟିଲା ସେକଥା କାହାକୁ ଜଣା ନାହିଁ। ଅଧା ନିଦୁଆ ଆଖି , ମାଡ଼ ଖିଆ ଅବଶ ଦେହକୁ ନେଇ ଅଫିସ ଯିବାକୁ ହେବ, ଅନ୍ତତଃ ରିଜାଇନ୍ କରିବାକୁ। କବାଟ ଖୋଲିଲା ମାଧବୀ। ପାହାଚକୁ ମୁଣ୍ଡ ଦେଇ ଆଖି ବୁଜି ବସିଥିଲା ମାନସ । ଶୀତ ସକାଳରେ ଗରମ ଲୁହ ବୁନ୍ଦା ମାଧବୀର ଗାଲକୁ ଓଦା କରିଦେଲା ।

- ସାରାରାତି ଏଇଠି ଶୋଇଲ। କାହିଁକି ବୁଝୁନ ? ମୁଁ କଣ ଚାହିଁଥିଲେ ତୁମକୁ ଛାଡି ଯାଇପାରି ନଥାନ୍ତି। କିନ୍ତୁ ପ୍ରେମରେ ସର୍ତ୍ତ ନଥାଏ , ସମର୍ପଣ ଥାଏ । ମୁଁ ଜାଣେ ମୋର କିଛି ହେଇଥିଲେ ତୁମେ ସବୁ କଷ୍ଟ ସହି ଏଇଆ ହିଁ କରୁଥାନ୍ତ , ଯାହା ମୁଁ କରୁଛି। ତେବେ ଅସୁବିଧା କୋଉଠି ? ମତେ କଷ୍ଟ ଦେଇ ତୁମେ ନିଜେ ବି ଢେର୍ କଷ୍ଟ ପାଉଛ । କିନ୍ତୁ କେଜାଣି କାହିଁକି ଅଯଥା ସନ୍ଦେହକୁ ମନ ଭିତରେ ଜାବୁଡ଼ି ଧରି ସଂସାରରେ ନିଆଁ ଲଗାଉଛ ? ଠିକ୍ ଅଛି ମୁଁ । ଠିକ୍ ତୁମ ପୂର୍ବର ମାଧବୀ ପରି । ଦେଖ ସେ ଚାକିରୀ ଛାଡିଦେଉଛି ଆଜି । ଆଉକିଛି କରି ବଞ୍ଚିଯିବା ଦୁହେଁ । ......

ଏତେସବୁ ସତ୍ବେ , ଉଠୁ ନଥିଲା କିନ୍ତୁ ମାନସ ଆଉ । ବୋଧେ ନିଶାର ନିଦ ଭାଙ୍ଗୁନଥିଲା । କୋଳେଇ ନେବାକୁ ଚେଷ୍ଟା କଲା ମାଧବୀ । ପାରିଲାନି ।

ଦେହର ଥଣ୍ଡା ଅବଶେଷତକ , ଦୁମ୍ କରି ଖସି ପଡ଼ିଲା ପାହାଚ ତଳକୁ ଖାଲି .......।

■ ସ୍ତୁତିରେଖା ମିଶ୍ର ■

ଭୁବନେଶ୍ୱର


Rate this content
Log in