Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR SAMIR RANJAN BEHERA

Children Stories Tragedy Inspirational

3  

DR SAMIR RANJAN BEHERA

Children Stories Tragedy Inspirational

ଅବଶୋଷ

ଅବଶୋଷ

8 mins
190



ହରିଶଙ୍କର ମହାପାତ୍ର, ଗାଁ ପାଖ ହାଇସ୍କୁଲ ପିଅନ l କଳାହାଣ୍ଡିର ଲାଞ୍ଜିଗଡ ବ୍ଲକରେ ଗୋଟେ ଛୋଟ ଗାଁରେରହନ୍ତି ସେ, ଗରିବ ହେଲେ ବି ବହୁତ ସରଳ ବିଶ୍ୱାସୀ ଲୋକ, ଭାରି ସ୍ୱାଭିମାନୀ ମଧ୍ୟ l କର୍ତ୍ତବ୍ୟରେ କେବେ ହେଳା କରନ୍ତିନି l ସ୍କୁଲରେ ସବୁ ଶିକ୍ଷକ ତାଙ୍କୁ ବହୁତ ଭଲ ପାଆନ୍ତି l ପରିବାର କହିଲେ ସ୍ତ୍ରୀ ସୁଶୀଳା ଆଉ ଏକ ମାତ୍ର ପୁଅ ବିସନ l ବିସନ ବହୁତ ଭଲ ପଢେ, ତୃତୀୟ ପଞ୍ଚମ ଶ୍ରେଣୀରେ ସ୍କଲାରସିପ ପାଇଥିଲା ପୁଣି ସପ୍ତମ ଶ୍ରେଣୀରେ ପଠାଣି ସାମନ୍ତ ବୃତ୍ତି ବି ପାଇ ସେ ତାର ଦକ୍ଷତା ବି ଦେଖେଇ ଦେଇଥିଲା l

ବିସନ ସପ୍ତମ ଶ୍ରେଣୀ ପରେ ବାପାଙ୍କ ସ୍କୁଲରେ ନାମ ଲେଖେଇଲା, ପୁଅର ବିଚକ୍ଷଣ ତାରେ ସାର ମାନେ ବେଶ ଖୁସି ଥାନ୍ତି, ବାପା ହରିଶଙ୍କର ବାବୁ ବି ପୁଅ ପାଇଁ ଛାତି କୁଣ୍ଢେ ମୁଟା କରି ଚାଲନ୍ତି l

କ୍ଲାସରେ ଅଷ୍ଟମ, ନବମ ଦଶମ ସବୁଥିରେ ଟପ୍ପର l

ଦଶମ ବୋର୍ଡ଼ ପରୀକ୍ଷା ସମୟ ଆସିଗଲା, ସମସ୍ତେ ଜାଣିଥିଲେ ବିସନ ବେଷ୍ଟଟେଣ୍ଟରେ ରହିବାଟା ସୁନିଶ୍ଚିତ l ସେହିଆ ହିଁ ହେଲା, ସେଦିନ ଲାଞ୍ଜିଗଡ ବ୍ଲକ ଚାଞ୍ଚଲ୍ୟ ଖବର ଥିଲା , ସ୍କୁଲ ପିଅନଙ୍କ ପୁଅ ଲାଞ୍ଜିଗଡ ହାଇସ୍କୁଲର ବିସନ ମହାପାତ୍ର ଦଶମ ଶ୍ରେଣୀରେ ସାରା ଓଡିଶାରେ ତୃତୀୟ l ହରିଶଙ୍କର ଗର୍ବରେ ଫାଟି ପଡୁଥାନ୍ତି, ଖାଲି ସ୍କୁଲ କଣ ଗାଁ ସାରା ମିଠା ବାଣ୍ଟିବାରେ ଲାଗିଲେ l ପାଦ ଲାଗୁନଥାଏ ମାଟିରେ ସେଦିନ l

"ବୁଝିଲ ସୁଶୀଳା ଆଜି ଯାଏ ଆମ ବ୍ଲକରେ ଏତେ ମାର୍କ କେହିରଖି ନଥିଲେ ଆମ ପୁଅ ପୁରା ରେକର୍ଡ ଭାଙ୍ଗିଦେଲା l ହାହାହା ପୁଅ କାହାର l ମୁଁ ସ୍ଥିର କରିଛି ପୁଅକୁ ଭୁବନେଶ୍ୱର ରେସିଡେଣ୍ଟସିଆଲରେ ପଢେଇବା l ଆମ ପୁଅ ତ ଓଡିଶା ଟପର ବିନା ପଇସାରେ କେତେ ରେସିଡେଣ୍ଟିଆଲ ପଢେଇବା ପାଇଁ ଲାଇନ ଲଗେଇବେ l"

"ମୁଁ କଣ କହୁଥିଲିକି ଆମେ ପୁଅକୁ ଏତେ ଦୂର ପଠେଇବାନି, ତମେ ତ ଜାଣ ଆଜି ପର୍ଯ୍ୟନ୍ତ ତମ ଗାଇଡରେ ସବୁ କରିଛି, ପୁରା ଆମ ନଜରରେ ରହିଆସିଛି l ଆଜି ତାର ଏସବୁ ସକ୍ସେସ ପଛରେ ତମର ହାତ ତ ବହୁତ l ତେଣୁ ତାକୁ ଏଇ ପାଖ ଭବାନୀପାଟଣା କଲେଜରେ ପଢେଇବା, ଆମ ଗାଇଡ଼ରେ ଭଲ କରିବ l କଥାରେ ଅଛି ପରା ଦୂର ପାହାଡ ସୁନ୍ଦର, ପାଖକୁ ଗଲେ ଖାଲି ପଥର l"

"ଧେତ ତମେ କଣ ଜାଣିଛ କହିଲ ! ଆରେ ଆମ ପୁଅ ରେକର୍ଡ ଧାରୀ ତମେ କହୁଛ କଣ ନା ଏଇ ପାଖ କଲେଜରେ ପଢିବ l ଆମର ଇଜ୍ଜତ ରହିବଟି l ଆମ ପୁଅ ଭୁବନେଶ୍ୱରରେ ପଢିବ ପୁଣି ଟପର ହେବ, ତାପରେ ବଡ ଡାକ୍ତର ହେବ ତାପରେ ଦୁନିଆ କହିବ ହରି ପିଅନ ପୁଅ ଡାକ୍ତର ବିସନ l" ଅତି ଭାଵତୁର ହେଇ ହରିଶଙ୍କର କହି ଉଠିଲେ l

ତା ପରଦିନ ଭୁବନେଶ୍ୱରର 3, 4 ଟା ଭଲ ରେସିଡେନସିଆଲ କଲେଜ ଏଜେଣ୍ଟ ଘରେ ପହଁଚିଲେ l କେତେ ମୁଲ ଚାଲ ଡ଼ିସକାଉଣ୍ଟ ଅଫର ପରେ C V Raman Residential College of Science, Bhubaneswar ନାମ ଲେଖାଯିବା ଫାଇନାଲ ହେଇଗଲା l

"ସାର ଦେଖନ୍ତୁ ଆମର 5 ଲକ୍ଷ ଫିରୁ ଆପଣଙ୍କ ପୁଅ ଯେହେତୁ ପୋଜିସନ ହୋଲଡର ତାଙ୍କ ପାଇଁ ମାତ୍ର ଦେଢ଼ ଲକ୍ଷ ଦେବାକୁ ପଡିବ l ଆମ କଲେଜରେ ସବୁ ବର୍ଷ ଓଡିଶାର ଟପ 20 ଭିତରେ 7ରୁ 8 ଜଣ ପକ୍କାରହନ୍ତି, ଆଉ ଯିଏ ଟପ 20 ଭିତରେରହେ ଆମେ ତାଙ୍କୁ ନେଇଥିବା ଫି ସହିତ ଆଉ ଏକ ଲକ୍ଷ ପୁରସ୍କାର ସହିତ ଫେରେଇ ଦେଉ l ସେଇ ଅନୁସାରେ ଆପଣଙ୍କ ପୁଅ ଟପ 20ରେ ରହିଲେ ଆମେ ଅଢେଇ ଲକ୍ଷ ଆପଣଙ୍କୁ ଫେରେଇ ଦେବୁ l"

ହରିଶଙ୍କରଙ୍କ ମନ ସ୍ୱର୍ଗରେ ଉଡ଼ିଲାଣି ସିଏ ପୁରା ଗର୍ବରେ ଫାଟି ଉଥିଲେଣି l

"ବୁଝିଲ ସୁଶୀଳା ଦେଢ଼ ଲକ୍ଷ ଏବେ ଦେବା ଦୁଇବର୍ଷ ପରେ ଅଢେଇ ଲକ୍ଷ ମିଳିବ ପୁଣି ପୁଅ ବେଷ୍ଟ ଟେନରେ ଥିବ, ତାପରେ ପୁଅ ଡାକ୍ତରୀ ପାଇବ l"

ନିଜେ ଆଉ କଂଟ୍ରୋଲରେ ନଥାନ୍ତି ହରି ବାବୁ, ସେ ସ୍ବପ୍ନର କାଠଘୋଡାରେ ସତେ ପରୀରାଇଜ ପହଂଚି ସାରିଥିଲେ l ପୁଅର ସକ୍ସେସ ପୁଣି ପୁଣି ଅଢେଇ ଲକ୍ଷ ଟଙ୍କା, ପୁଅ ଡାକ୍ତର ହେବ ଏକ ପ୍ରକାର ମୋହ ଦୁନିଆରେ ହଜିଗଲେ ସେ l

ଦେଢ଼ ଲକ୍ଷ ରୋଜଗାରରେ ଲାଗିପଡ଼ିଲେ ହରିଶଙ୍କର ବାବୁ GPFରୁ 70 ହଜାର ଉଠେଇ ସରିଲା ପରେ ଆଉ 80 ହଜାର ବିସନର ପୁରସ୍କାର ବାବଦ କୁ ସ୍କୁଲ ସାର ମାନଙ୍କ ପାଖରୁ 20 ହଜାର ମିଳିଥିଲା, ଗାଁ ମୁଖିଆ 10 ହଜାର ଏମିତି ହେଇ ଲକ୍ଷେ ତ ହେଇଗଲା l

" ବୁଝିଲ ସୁଶୀଳା ତମ ସୁନା ଚେନ ଟା ଦିଅ ବିକିଦେବା ଆଉ 50 ହଜାର ଦରକାର ପଡୁଛି l"

"ମୋର ସବୁ ଗହଣା ତ ବିକି ଦେଇ ସାରିଲଣି ଆଉ ଏ ଚେନ ଟା କାହିଁକି ରହିବ ନେଇଯାଅ କିନ୍ତୁ ମୋର ସେ ଭୁବନେଶ୍ୱର ଫୁବନେଶ୍ୱର ଇଛା ନାହିଁ ପୁଅ ଏହି ଭବାନିପାଟନା କଲେଜରେ ଭଲ କରିବ, ମୋ କଥା ମାନ ମନେରଖ ଦୂର ପାହାଡର ଫୁଲ ସୁନ୍ଦର କିନ୍ତୁ ପାଖକୁ ଗଲେ ଖାଲି ଅଙ୍ଗାର l"

"ଓହୋ ସୁଶୀଳା ଏତେ ଟ୍ୟାଲେଣ୍ଟେଡ ପିଲା ଟା ଆମର ଭୁବନେଶ୍ୱରର ଟପ ମଷ୍ଟ ରେସିଡେନସିଆଲ । ତମେ କାହିଁକି ନେଗେଟିଭ କଥା ଗୁଡା କହୁଛ କହିଲ, ଆରେ ଦୁଇବର୍ଷ ଅପେକ୍ଷା କର ଦେଖିବ 2ରେ ବି ଆମ ବିଶୁ ଓଡିଶାରେ ଟପ ଟେନରେ ରହିବ, ପୁଣି ଅଢେଇ ଲକ୍ଷ ଟଙ୍କା ମୁଁ କଥା ଦେଉଛି ଅଢେଇ ଲକ୍ଷ ପାଇଲା ମାତ୍ରେ ତମର ସବୁ ଗହଣା ଆଣିଦେଵି l"

ଏତିକି କହି ସୁନା ଚେନଟା ଧରି ଚାଲିଗଲେ ବନ୍ଧକ ପକେଇବା ପାଇଁ l

ପଇସା ପତ୍ର ଆରେଞ୍ଜ ହେଇଗଲା ଗ୍ରାମ୍ୟ ଦେବୀଙ୍କ ଆଶୀର୍ବାଦ ନେଇ ଗୁରୁଜୀ ସମସ୍ତଙ୍କ ଆଶୀର୍ବାଦ ନେଇ ବିସନ ବାପାଙ୍କ ସହ ନାଇଟ କୋଚ ବସରେ ବାପାଙ୍କ ସହ ସୁଦୂର ଭୁବନେଶ୍ୱର କୁ ଯାତ୍ରା କଲେ l ପ୍ରାତଃ ସକାଳୁ ଯାଇ ଆଚାର୍ଯ୍ୟ ବିହାରରେ ପହଂଚିଗଲେ ବାପା ପୁଅ l

ରେସିଡେଣ୍ଟିଅଲ କଲେଜର ପ୍ରିନସିପାଲ ନିଜେ ଆସି ୱେଲକମ କରିକି କଲେଜ ନେଇଗଲେ l ହରି ବାବୁଙ୍କ ପାଦ ତଳେ ଲାଗୁନଥାଏ, ବିସନ ବି ସହରର ଚକାଚକ୍ୟରେ ବିଭୋର ହେଇଯାଇଥଏ l କଲେଜର ଫର୍ମାଲିଟି ସବୁ ହେଇଗଲା l

" ଧନରେ ନୂଆ ନୂଆ ସହର, ଦେଖିକି ଚଳିବୁ, ମନ ଲଗେଇ ପାଠ ପଢ଼ିବୁ, ଯେମିତି ଅଢେଇ ଲକ୍ଷ ଆଉ ବେଷ୍ଟଟେନଥ ହାତ ଛଡା ନହୁଏ l" ପୁଅ କୁ ଖର୍ଚ୍ଚ ପାଇଁ ଟଙ୍କା ପାଞ୍ଚ ହଜାର ଆଉ ଆଶୀର୍ବାଦ ଦେଇ ଫେରି ଆସିଲେ ହରି ବାବୁ l

ପ୍ରଥମେ ପ୍ରଥମେ ବିସନ କୁ ଟିକେ ଅଡୁଆ ଲାଗିଲା, ହେଲେ ମାସେ ଭିତରେ ଆଡ଼ଜଷ୍ଟ ହେଇଗଲା ସବୁଥିରେ l ସଂସ୍କାର ଆଦର୍ଶରେ ବଢ଼ିଉଠିଥିବା ବିସନ ନୀତି ନିୟମରେ ରହେ। ମନ ଲଗେଇ ପାଠ ପଢେ କଲେଜର ନିୟମ ମାନି ଚାଲେ l କିନ୍ତୁ କିଛି ଦିନ ପରେ କେତୁ ସାଜି ବିସନ ଜୀବନ କୁ ଆସିଲା ରାକେଶ lରାକେଶ ଥିଲା କୋଟିପତି ବାପାର ଏକମାତ୍ର ପୁଅ, ପାଠରେ ତାର ଆଦୌ ସ୍ପୃହା ନଥାଏ lରାକେଶର ଉଧେଶ୍ୟ ଥିଲା କି ବିସନ ସହ ଭଲ ସାଙ୍ଗ ହେବି ତାକୁ ପଟେଇକି ରଖିବି ପରୀକ୍ଷା ଟାଇମରେ ତା ଠୁ କପି କରି ପାସ କରିଯିବି l ତେଣୁ ସେ ବିସନକୁ ଟିକେ ଚାନ୍ସ ପାଇଲେ ରେଷ୍ଟୁରାଣ୍ଟ, କଫିସପ, ହୋଟେଲ ନେଇ ଯାଉଥାଏ l ଭୁବନେଶ୍ୱରର ଚାକଚକ୍ୟ, ମାଦକତା, ହାଇ ପ୍ରୋଫାଇଲ ମଣିଷ ସୁନ୍ଦର ଶୋରୁମ, ବିଭିନ୍ନ କିସମର ଦୋକାନ,ଆଇ ଜି ପାର୍କର ପ୍ରେମୀ ଯୁଗଳ ଏ ସବୁ ଦେଖି ବିସନର ମନ ବିଚଳିତ ହେଇଯାଉଥାଏ l

ବିନା ଖର୍ଚରେ ଏତେ ଓଏସ ଏତେ ମଜା ମିଳୁଛି, ସତେ ବିସନ ମତୁଆଲା ହେଇ ଉଠିଲା, ଆଉ ପାଠରେ ଟିକେ ବି ମନ ଲାଗୁ ନଥାଏ l ତାର ଖାଲି ଗୋଟେ ଲକ୍ଷ ରାକେଶ ସହ ବାହାରକୁ ଯାଇ କେମିତି ଓଏସ କରିବା lରାକେଶ ସହ ଏହା ଭିତରେ ମିଳାମିଶା ବହୁତ ବଢ଼ିଯାଇଥାଏ l ବିସନ ବି ବାପାଙ୍କ ଠାରୁ ସତ ମିଛ କହି କିଛି ଅଧିକା ପଇସା ଝଡ଼ଉଥିଲା l ପୁତ୍ର ପ୍ରେମରେ ଅନ୍ଧ ହରି ବାବୁ ଯେତେବେଳେ ଯାହା ପଇସା ମାଗୁଥିଲା ଦେଇଦେଉଥିଲେ l

ଏହା ଭିତରେ ପ୍ରଥମ ବର୍ଷ ପରୀକ୍ଷା ଆସିଯାଇଥାଏ l ପରୀକ୍ଷାରେ ବିସନ କୁ ଅଧାରୁ ଅଧିକ ପ୍ରଶ୍ନର ଉତ୍ତର ଆସୁନଥାଏ,ରାକେଶ କପି କରି ଚିଟିଙ୍ଗ କରି ତ କିଛି ଲେଖି ପକାଇଲା, ହେଲେ ବିସନକୁ ତ କପି କରା ବି ଆସେନି, ବିକଳ ବିସନ ବିଚରା ଦୟନୀୟ ଅବସ୍ଥାରେ ପରୀକ୍ଷା ଦେଲା l ପରୀକ୍ଷା ସାରିବାର 10 ଦିନ ଭିତରେ ଫଳ ବାହାରିଲା l ସକାଳୁ ସକାଳୁ ପେପରରେ ଆଡ଼ଭାଟାଇସ ହେଇଯାଇଛି "CVରମଣ ରେସିଡେଣ୍ଟ କଲେଜ 95%ରଖି ବିସନ ମହାପାତ୍ର ଓଡିଶାର ନୂଆ ଭବିଷ୍ୟତ l ଫାଇନାଲ ପରୀକ୍ଷାରେ ଟପ୍ପର ହେବା ସୁନିଶ୍ଚିତ l"

"ଦେଖ ଦେଖ ସୁଶୀଳା ତମେ ଖାଲି ମୋ ଉପରେ ଗେରେ ଗେରେ ହଉଥିଲ, ଆମ ବିଶୁ ସାରା ଭୁବନେଶ୍ୱର କୁ ଚମକାଇ ଦେଲାନି lଅଢେଇ ଲକ୍ଷ ଟଙ୍କା ପକ୍କା l" ହରି ବାବୁ ଉତ୍ଫୁଳିତ ହୋଇ କହି କହି ସାରା ଗାଁ ବୁଲି ପ୍ରଚାର କରିବାକୁ ଲାଗିଲେ l

କିନ୍ତୁ ବିସନ ବି ମନେ ମନେ ଖୁସି ହେଇଯାଉଥିଲା, ଏ ତ ବଢିଆ କଥା 50% answar ବି ଠିକ ନଦେଇ 95%..

ହଟାତ କେୟାର ଟେକର ଆସି କହିଲା ବିସନ ତମକୁ ପ୍ରିନସିପାଲ ତାଙ୍କ ଚାମ୍ବର କୁ ଡାକୁଛନ୍ତି l

" ବିସନ ତମଠୁ ଏହା ମୁଁ ଆଶା କରିନଥିଲି, ଦେଖିନିଅ ତୁମେ ମାତ୍ର 27% ସ୍କୋର କରିଛ l କଲେଜ ବଦନାମ ହେବା ଭୟରେ ଆମେ ଏହାକୁ 95% ଡିକ୍ଲାର କରିଛେ l କିନ୍ତୁ ଫାଇନାଲ ବୋର୍ଡ଼ ପରୀକ୍ଷା କାଉନ୍ସିଲ ହାତରେ, ଆମ ହାତରେ କିଛି ବି ନାହିଁ ପୁଣି ଅଲଗା ସେଣ୍ଟରରେ ପରୀକ୍ଷା ହେବ ତେଣୁ କରି ସୁଧରି ଯାଅ ବାବା , ମନ ଦେଇ ପାଠ ପଢ, ତୁମ ବାପା ମାଙ୍କ ବହୁତ ଭରୋସା, ଓଡିଶା ବି ତମଠୁ ବହୁତ ଆଶା କରେ l"

ଚାକଚକ୍ୟ ଦୁନିଆରେ ମତୁଆଲା ବିସନ କାନରେ କିଛି ପଶିଲାନି ତା ମୁଣ୍ଡରେ ଖାଲି ଓଏସ କରିବାର ନିଶା ଘାରିଥାଏ l ନିଜ ଗୋଡରେ କୁରାଢ଼ୀ ମାରିଲା ପରି ବିସନ ସେଇ ରାକେଶ ସହ ମିଶି ଲୁଚି ଲୁଚି ଫିଲ୍ମ ଦେଖିବା,ରେଷ୍ଟୁରାଣ୍ଟରେ ଖାଇବା, ପାର୍କରେ ବୁଲିବା ପୁଣି ମଦ ପିଇବା ବି ଆରମ୍ଭ କରିଦେଲା l

ବିନାଶ କାଳେ ବିପରୀତ ବୁଦ୍ଧି ପରି ସତେ ବିସନର ମନ ଆକାଶକୁ କଳା ବାଦଲ ଘୋଟି ଆସିଥିଲା l

" ଆରେ ବିସନ ସାଙ୍ଗ ତୁ ତ ଟ୍ୟାଲେଣ୍ଟେଡ ପିଲାଟା ପରୀକ୍ଷା କୁ ପାଞ୍ଚଦିନ ଆଗରୁ ପଢିଲେ ବେଷ୍ଟ ଟେନଥ ପାଇବୁ, ତାପରେ ମୋ ବାପା କୋଟିପତି ଟଙ୍କା 5, 10 ଲକ୍ଷ ଫୋପାଡିଲେ ତୁ ଟପର ମୁଁ ସେକେଣ୍ଡ ହେଇଯିବି, ତେଣୁ ପାର୍ଟି ଓଏସ କରିଚାଲ l"

ବିସନ ବି ଓଧ ସଙ୍ଗେ ବଣଭୁଆ ହେଲା ପରି ରାକେଶକୁ ଗୁରୁ ମାନି ନେଲା l ସାର ମାନଙ୍କ ତାଗିତ ବି କିଛି ପ୍ରଭାବ ପକେଇ ପାରୁନଥାଏ l


ଏହା ଭିତରେ ପରୀକ୍ଷାକୁ ଆଉ 5 ଦିନ ଥାଏ । BJB Collegeରେ ସେଣ୍ଟର, ବହୁତ ଷ୍ଟ୍ରିଟ ସେଠି ସମସ୍ତ କୁ ଜଣା l ବିସନ କୁ ଆଉ କିଛି ଭଲ ଲାଗୁନଥାଏ l ବହି ସବୁ ଅପନ୍ତରାର ଆଇ ମା କାହାଣୀ ପରି ଲାଗୁଥାଏ l ସତେ ବହିମାନେ ତାକୁ ଦେଖି ତାଚ୍ଛଲ୍ୟ କରୁଥାନ୍ତି, ଧିକାର କରୁଥାନ୍ତି ତାର ସଂସ୍କାର ଆଦର୍ଶ ଆଉ ମାଟ୍ରିକ ଇତିହାସରେ ରଚିଥିବା ଗୌରବମୟ ଅଧ୍ୟାୟ l ଅତୀତରେ ହଜେଇ ଦେଇ ଥିବା ସେଇ ବହୁ ମୂଲ୍ୟ ସମୟ ପାଖରେ ସତେ ସେ ଆଜି ନତମସ୍ତକ l ଲୁହ ଗଡେଇବା ଛଡା ଆଉ କିଛି ନଥିଲା ବିସନ ପାଖରେ l

ପରୀକ୍ଷାର ଦିନ ଆସି ଯାଇଥାଏ l ବିସନର ସିଟ ଇନଭିଜିଲେଟର ଟେବୁଲ ପାଖରେ ପଡିଥାଏ l ବିନା ପାଣିରେ ମାଛ ଛଟପଟ ହେଲା ପରି ସାରା ପରୀକ୍ଷା ସମୟ ସେମିତି କଟିଗଲା ବିସନର, ଡହଳବିକଳ ହେଇ ସତେ ତା ହୃଦୟ ଟା ଫାଟି ଉଠୁଥିଲା l ଅନୁତାପ ଆଉ ଅବଶୋଷ ନିଆଁରେ ଜଳୁଥିଲା ବିସନ କିନ୍ତୁ ତାପାଖରେ ସମୟ ନଥିଲା l

ପରୀକ୍ଷା ସରିଗଲା ପରେ ବିସନ ଗାଁ କୁ ଫେରିଛି l ଗାଁ ଲୋକେ ବିସନକୁ ଆଦରରେ ପୋତି ପକାଉଥାନ୍ତି ବାପା ଗର୍ବରେ ଛାତି ଫୁଲେଇ ଫୁଲେଇ ଚାଲୁଥାନ୍ତି l

" ଆଉ କିଛିଦିନ ପରେ ଆମ ଗାଁରେ ରୋଷଣୀ ହେବ ବାଣ ଫୁଟିବ ଭୋଜି ଭାତରେ ଭାସିବ, ମୋ ପୁଅ ବେଷ୍ଟଟେନଥ ପାଇବ ପୁରସ୍କାରର ସୁଅ ଛୁଟିବ l"

ବିସନକୁ କିନ୍ତୁ କିଛି ଭଲ ଲାଗୁନଥାଏ ସବୁବେଳେ ନିରବ ରହୁଥାଏ l

କାଲି result ବାହାରିବ l ବିସନ କଣ କରିବ କିଛି ଜାଣି ପାରୁନଥାଏ l ହୃଦସ୍ପଂଦନ ତାର ବହୁତ ମାତ୍ରାରେ ବଢ଼ିଯାଇ ଥାଏ l ହରିଶଙ୍କର ବାବୁ କିନ୍ତୁ ସକାଳୁ ସକାଳୁ ଉଠି ଗାଧେଇ ପଡ଼ି ଗ୍ରାମ୍ୟ ଦେବୀ ପାଖରେ ମୁଣ୍ଡିଆ ମାରି ଛକ ପାଖକୁ ବାହାରି ପଡିଲେ l

"ସେଇଠି ପେପର ପଢ଼ିବି, ଚିଲେଇ ଚିଲେଇ ପୁଅର ଗୁଣ ବଖାଣିବିl"

"ଆରେ ସନ୍ତୋଷ ବାବୁ ଆଜି ସବୁ ପେପରରୁ ଗୋଟେ ଗୋଟେ ଦେଇଦିଅ, ମୋ ପୁଅ ନାଁ ଟପ ଟେନରେ ବାହାରିଥିବ l"

ପେପର ପାଇବା ମାତ୍ରକେ ଆଖି ଆଗ ପଡିଲା

"+2 science ଫଳ ପ୍ରକାଶିତ, ଓଡିଶାର ଟପ 100 ତାଲିକା "

ଆଖି ପୁରେଇ ଦେଖିବାରେ ଲାଗିଲେ ହରିଶଙ୍କର ବାବୁ ଏ କଣ ପୁଅ ନାମ 10 ଭିତରେ ନାହିଁ....... 100 ଭିତରେ ବି..........

"ଏ ନଟ ଟିକେ ଭଲକି ଦେଖ ତ ବିସନର ନାଁ କେଉଁଠି ମୁଁ ପାଉନି "

ନଟ ନିରେଖି ଦେଖିଲା " ନାଁ କାକା ବିସନ ନାମ ତ ନାହିଁ l"

ଧେତ ଏ ପେପର ଗୁଡା ବି ଭୁଲ ଛପାଉଛନ୍ତି, ତନ୍ନ ତନ୍ନ କରି ସବୁ ପେପର ଦେଖି ପକାଇଲେ ହରିଶଙ୍କର ବାବୁ l ବ୍ୟସ୍ତ ବିବ୍ରତ ଭଙ୍ଗୀରେରେ ପ୍ରିନସିପାଲ କୁ ଫୋନ କଲେ

" sorry ହରିଶଙ୍କର ବାବୁ ପୁଅର result କହିବାକୁ ଖରାପ ଲାଗୁଛି ଆପଣ ନିଜେ ନେଟରେ ଦେଖି ଦିଅନ୍ତୁ l

Roll numb 36CA053.

ସଙ୍ଗେ ସଙ୍ଗେ ଲାଞ୍ଜିଗଡ ସାଇବର କେଫ କୁ ସାଇକେଲ ମାଡି ଚାଲିଗଲେ l

" ଆରେ ହରି ଦାଦା ଆପଣ ଏଠି, ପୁଅର କେତେ ପୋଜିସନରହିଲା ମିଠା ଦେବାକୁ ଆସିଛ ବୋଧେ l"

"ନାଇଁ ସୁନୀଲ ତୁ ରୋଲ ନମ୍ବର ଟା ନେଇ ଶୀଘ୍ର ପୁଅର result ଦେଖିଲୁ l'

"କି ମଜାକ କରୁଛ ଦାଦା ପୁଅର ନାମ ପେପରରେ ବାହାରିନି କି l"

ହଉ ହଉ ମୁଁ ଦେଖିଦେଉଛି l"

ହରିଶଙ୍କର ବାବୁଙ୍କ ଛାତି ଧଡ ଧଡ ହେଉଥାଏ

ହଟାତ କମ୍ପୁଟର ସ୍କ୍ରିନରେ display ହେଲା

CHSE odisha Result 2019

Rollno- 36CA053  Centre : BJB college BBSR

Name - Bisan kumar Mohapatra

Mother -Sushila Mohapatra

Father - Harisankar Mohapatra

College -CV Raman 2 Science and   Residential college

DOB -25/11/2002

Result--            " FAIL"

ଅବାକ ହେଇ ଚାହିଁରହିଥିଲେ ହରିଶଙ୍କର ବାବୁ, ସତେ ସ୍ବପ୍ନର ମନ୍ଦିରଟା ଭୁଶୁଡି ପଡୁଥିଲା ପାଦ ତଳୁ ମାଟି ଖସି ପଡୁଥିଲା ନିସ୍ତବ୍ଦ ହେଇ କମ୍ପୁଟର ସ୍କ୍ରିନକୁ ଅନେଇ ରହିଥିଲେ ହରିଶଙ୍କର ବାବୁ l ଲୋତକରେ ଭିଜି ଯାଇଥାଏ ଦୁଇ ନୟନ l

ଦୂର ପାହାଡ଼ର ଗୋଲାପ ସତେ ତାଙ୍କ ପାଇଁ ପଲାଶ ପାଲଟି ଯାଇଥିଲା ସେଦିନ l ଅବଶୋଷ ବହ୍ନିରେ ସତେ ଦଗ୍ଧ ହେଇ ଯାଉଥିଲା ତାର ଗର୍ବ ଅହମିକାର ସ୍ୱର l ନିଜ ବୟସର ପ୍ରତିଟି ପାହାଚରେ ନିଜ ପୁଅ କୁ ଆଦର୍ଶ ତାରେ ଗଢ଼ିଥିବା ଆଉ ଶେଷ ବୟସରେ ପୁଅ କୁ ସାହାରା ବୋଲି ଭାବି ନେଇଥିବା ହରିଶଙ୍କର ବାବୁ ସତେ ଆଜି ବୟସ ପାଖରେ ହାରି ଯାଇଥିଲେ ll

           


Rate this content
Log in

More oriya story from DR SAMIR RANJAN BEHERA