Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

4  

Amiya Bej

Others

ମା' ରାଣ

ମା' ରାଣ

2 mins
13.8K


ମା' ରାଣ 

ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର 

          ମୋର ଯାହା ମନେଅଛି, ପିଲାବେଳେ ମାନେ ଛୋଟବେଳେ, ମୁଁ କଥାକଥାକେ ମା'ରାଣ ଖାଇଦେଉଥିଲି । କାହାଠୁଁ ଶିଖିଥିଲି, ମନେନାହିଁ । ନାନୀ ମୋତେ ଭାରି ବିଗୁଡେ । କହେ – “ଯଦି ମିଛରେ ରାଣ ଖାଇବୁ, ମା' ମରିଯିବ ।“ ମୁଁ ଡରିଯାଏ ଅବଶ୍ୟ । କିନ୍ତୁ ବହୁଥର ମିଛକହି, ରାଣ ଖାଇ ବି ମା'କୁ ସହିସଲାମତ ଦେଖି ସେ ଭୟ ବି ଦୂରେଇ ଗଲା ଧୀରେଧୀରେ । ଥରେ ମଦନା ମା' ମରିଗଲା ସକାଳୁ ସକାଳୁ । ନାନୀ ମୋତେ ଡରାଇଲା - " ବୁଝିଲୁ ! ତା' ମା'ର କିଛି ହେଇନଥିଲା । ଏ ମଦନା ଡହରା । ମିଛମିଛରେ କାଲି ମା'ରାଣ ଖାଇଥିଲା । ସକାଳୁ ଦେଖ୍; କି ଅବସ୍ଥା ।" ସେତେବେଳକୁ ମୁଁ ଟିକେ ବଡ଼ ହୋଇଗଲିଣି । ନାନୀ ଆଉଟିକେ । କବିତାଫବିତା ବି ସେ ଲେଖେ । ଜାଣିଦେଲି, ସେ ମନରୁ ଫାନ୍ଦି କହୁଛି । ଏସବୁ ଅଂଧବିଶ୍ୱାସ । ଆମେ ବିଜ୍ଞାନ ଯୁଗର ପିଲା । ଏ ରାଣନିୟମ ଆମକୁ କାଟୁ କରି ନପାରେ । ମୁଁ ଫୁ' କରିଦେବାରୁ ସେ ମୋତେ ବହେ ଛେଚିଲା । ତାପରଠୁଁ ବେଶ୍ କିଛିଦିନ ନାନୀ ସହ ମୋର ଅପଡ଼ ହୋଇଯାଇଥିଲା । ଏମିତିବି ମୁଁ ମା'ର ଗେହ୍ଲାପୁଅ । ସାମାନ୍ୟ ରାଣଟାରେ ସେ କେମିତି ମୋତେ ଛାଡ଼ି ଚାଲିଯିବ ???

          ଆମେ କ୍ରମଶଃ ବଡ଼ହେଲୁ । ନାନୀ ଶାଶୂଘର ଗଲା । ମୁଁ ଢେର ପଢି ସାରି ମୋ ସଂସାର ସହ ଏବେ ବାଂଗାଲୋରରେ । ବର୍ଷରେ ଥରେ ରଜରେ ମୁଁ ଘରକୁ ଯାଏ । ନାନୀ ବି ଆସେ । ହପ୍ତାଟେ ପରେ ଯେ ଯୁଆଡେ । ନାନୀଟା ବୟସ୍କ ହୋଇ ବେଳେବେଳେ ମା'ପରି ଲାଗେ । ସମୟ ବଢୁଥିଲା ଆଗକୁ । ବାପା ବି ଅସମୟରେ ଚାଲିଗଲେ । ନାନୀ କହିଲା ମା'କୁ ନେଇଯା' । ହଁ କି ନାଇଁ କଲା ଭିତରେ ମା' ମନାକଲା – “ବାପାଙ୍କ ବର୍ଷିକିଆ ଯାଇନି, କୁଆଡେ ଯିବି ?” ମା' ଏକୁଟିଆ । ନାନୀ ମଝିରେ ମଝିରେ ଆସେ । ମୋତେ ଖବର କରେ-"ମା' ଆଉ ପାରୁନି । ସବୁବେଳେ ଚିନ୍ତାରେ ରହୁଛି । ଦେହ ଭାଂଗିଗଲାଣି । ବାତ ବେମାରି ପୁଣି ବାହାରିଲାଣି । କିଛିଗୋଟେ ବ୍ୟବସ୍ଥା କର ।" ନାନୀକଥା ଶୁଣି ମୁଁ ବି ଚିନ୍ତାରେ ପଡିଯାଏ । ସମୟ ଗଡିଚାଲେ । ହଉ ବୁଝୁଛି କହି କଥାକୁ ଟାଳି ଦେଇ ପାର୍ ହୋଇଯାଏ । ଚଳୁଛି ଯେତେଦିନ ଚଳୁଥାଉ।, ପୂରାପୂରି ଅଚଳ ହେଲେ ଦେଖିବା । ଏଠି ଶାଶୁବୋହୂ ଦୁହିଁକୁ ସାଙ୍ଗରେ ରଖି ନିଇତି ପାଲା କିଏ ସମ୍ଭାଳିବ ? ରାତିଅଧରେ ନାନୀର ଫୋନ୍ ଆସିଲା । "ମା'କୁ କଟକ ନେଉଛୁ । ଭାରି ଖୋଜୁଛି ତୋତେ । ତୋତେ ତା' ରାଣ ସବୁ ପଛକରି ଯେମିତି ହେଲେ ଆସିବୁ ।" ଛାତିଟା ଧଡ୍ କଲା । ନାନୀ ପୁଣି ରାଣ ପକାଇ କହୁଛି ! ବହୁଦିନରୁ ରାଣନିୟମ ପାଶୋରି ଦେଇଥିଲି । କିଛି ଦରକାର ବି ପଡୁନଥିଲା । ସାଙ୍ଗେସାଙ୍ଗେ ବାହାରିଲି ସକାଳ ଫ୍ଲାଇଟ୍ ରେ । କଟକ ପହଞ୍ଚୁ ପହଞ୍ଚୁ ବାରଟା । ସମସ୍ତେ ବ୍ୟସ୍ତ ହେଉଥିଲେ ଫେରିବାକୁ । ନାନୀ କୋଳରେ ମା' ଶୋଇଥିଲା ଜଡ଼ ହୋଇ । ମୋତେ ଦେଖି ପାଗଳୀଙ୍କ ପରି ନାନୀ କାନ୍ଦୁଥିଲା । ତା' କାନ୍ଦରେ ବହୁକଥା ଥିଲା ମୋ'ପାଇଁ । ମୁଁ ମା' ପାଦତଳେ ଲୋଟିଲୋଟି ନାନୀକୁ କହୁଥିଲି– “ରାଣ ରଖି ଆସିଥିଲି ତ ଧାଇଁଧାଇଁ, ତଥାପି ....!!!

 

 


Rate this content
Log in