Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଉ ଜଣେ କାଉଲ୍.....
ଆଉ ଜଣେ କାଉଲ୍.....
★★★★★

© ପ୍ରଶାନ୍ତ କୁମାର ବେହେରା

Others

4 Minutes   7.6K    22


Content Ranking

ଆଉ ଜଣେ କାଉଲ୍......( ତୃତୀୟ ଭାଗ )

----------------------------------------------------------

( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )

ଭାଇ ଆମ କଲେଜକୁ ସେଇ ୨୦୦୦ ମସିହା ଶେଷ ଆଡକୁ ବଦଳି ହୋଇ ଆସିଲେ l ଯେହେତୁ କାଉଲ୍ ପରି ଚରିତ୍ର ତେଣୁ ସବୁବେଳେ ବିନଦାସ୍ ଆଉ ନିଜ ରାଜ୍ୟରେ ନିଜେ ସମ୍ରାଟ୍ l କାହା କଥାକୁ ଖାତିର୍ ନାହିଁ କିମ୍ୱା ପଛରେ କିଏ କଣ କହୁଛି ସେସବୁ ଶୁଣିବାର ଅଭିପ୍ରାୟ କିମ୍ୱା ଧର୍ଯ୍ୟ ବି ନାହିଁ l ଅଦମ୍ୟ ସାହସର ଅଧିକାରୀ ହେତୁ ଖୁବ୍ ନିର୍ବିକାର ଭାବରେ ଯା ଆସ କରନ୍ତି l ଆମ କଲେଜ ପାଖରୁ ୩୦ କିଲୋମିଟର ଦୂରରେ ଥିବା ଗୋଟେ କଲେଜରେ ଭାଉଜ ଅଧ୍ଯାପିକା l ତେଣୁ ସେଠାରେ ଭାଇ ଘର ଭଡା ନେଇ ରହୁଥିବାରୁ ବାଇକ୍ ରେ ସବୁଦିନେ ଆମ କଲେଜକୁ ଯିବା ଆସିବା କରନ୍ତି l ଆସିବେ ସକାଳେ କିନ୍ତୁ କେତେବେଳେ ଘରକୁ ଫେରିବେ ତାର କିଛି ଠିକଣା ନଥାଏ l ଭାଉଜ ଆଉ ପିଲାମାନେ ବି ଏସବୁ ବିଷୟରେ ଭଲକରି ଜାଣିଥିବାରୁ ଭାଇଙ୍କ ଫେରିବା ଡେରି ହେଲେ ଆଦୌ ବ୍ୟସ୍ତ ହୁଅନ୍ତି ନାହି l ଜାଣନ୍ତି ଲେକଟା ଯେକୌଣସି ମୁହୂର୍ତ୍ତରେ ଧୁମକେତୁ ପରି ଅାବିର୍ଭାବ ହେବ l

ଦିନବେଳା କ୍ଲାସ୍ ନେବାକୁ ହେଉଥିବାରୁ ଭାଇ ଟିକେ କମ୍ ନିଶା ନିଅନ୍ତି l କିନ୍ତୁ କ୍ଲାସ୍ ସରିବା ପରେ ଭାଇଙ୍କ ନିଶା ନେବା ପୁରା ଆକାଶ ଛୁଆଁ ଧରେ l ବାଇକ୍ ରେ ଫେରିଲା ବେଳେ ଭାଇ ଆମର ବିଭିନ୍ନ ଯାଗାରେ ରହଣି କରି କରି ଫେରନ୍ତି l ଚେଲା ଚାମୁଣ୍ଡା ମାନେ ଠାଆକୁ ଠାଆ ଅପେକ୍ଷାରେ ଥାଆନ୍ତି l ଭାଇ ପହଞ୍ଚିବା ମାତ୍ରେ ସେମାନେ ସବୁ ଜିନିଷ ଯୋଗାଡ କରିଦେବେ l ଭାଇ ଖାଲି ଯାହା ପଇସା ଦେବେ ଆଉ ସବୁ କାମ ସେମାନଙ୍କର l ରାତିରେ ନିଶା ଅଧିକ ହେବା ଯାଏ ଭାଇ ଆମର ପିଇବା ଜାରି ରଖନ୍ତି l କେତେବେଳେ ଢାବାରେ ତ ଆଉ କେତେବେଳେ ହୋଟଲ୍ ରେ ଖାଇକି ଭାଇ ରାତି ଅଧରେ ଘରକୁ ଫେରନ୍ତି l

ଏମିତି ଯିବା ଆସିବା ଭିତରେ ଗୋଟେ ଘଟଣା ଘଟିଲା l ତାକୁ ଦୁର୍ଘଟଣା କହିଲେ ଠିକ୍ ହେବ l ଆମ କଲେଜକୁ ଆସିବାର ପ୍ରାୟ ବର୍ଷକ ପରେ ବୋଧେ ସେ ଦୁର୍ଘଟଣା ଘଟଲା l ଭାଇ ରାତି ୧୦ ପରେ ଜଗତସିଂହପୁରରୁ ନିଶା ପାଣି କାମ ସାରି ଘରକୁ ବାହାରିଲେ l ଭାଇଙ୍କର ଗୋଟେ ଭଲ ଅଭ୍ୟାସ ହେଉଛି ଯେ ସେ ସବୁବେଳେ ମୁଣ୍ଡରେ ହେଲମେଟ୍ ପିନ୍ଧି ବାଇକ୍ ଚଲାନ୍ତି l ଯେହେତୁ ନିଶାରେ ପ୍ରାୟ ଚୁର୍ ରୁହନ୍ତି ତେଣୁ ଭାବନ୍ତି ବାଇକ୍ ରୁ ଯେକୌଣସି ମୁହୂର୍ତ୍ତରେ ପଡିଯାଇ ପାରନ୍ତି ଆଉ ମୁଣ୍ଡରେ ହେଲମେଟ୍ ଥିଲେ କିଛି ଅସୁବିଧା ହେବନି l ବାଇକ୍ ସହିତ ହେଲମେଟ୍ ପିନ୍ଧିବା ଏମିତି ଅଭ୍ୟାସ ହୋଇଥାଏ ସମୟେ ସମୟେ ମୁଁ ଦେଖେ ଭାଇ କେଉଁ ଦୋକାନରେ କିଛି ଜିନିଷ କିଣିବା ବେଳେ ମୁଣ୍ଡରେ ସେ ହେଲମେଟ୍ ସେମିତି ଥାଏ l

ସେଦିନ ବି ଭାଇ ସେମିତି ମୁଣ୍ଡରେ ହେଲମଟ୍ ଦେଇ ନିଜର ସୁଜୁକି ସାମୁରାଇ ବାଇକ୍ ରେ ଘରକୁ ବାହାରିଲେ ପୁରା ନିଶାରେ ଝୁମି ଝୁମି l ଜଗତସିଂହପୁରରୁ କିଛି ବାଟ ଯିବାପରେ ତରଡାପଡା ପଡେ l ତାକୁ ଜଷ୍ଟ କ୍ରସ୍ କରି ଯାଇଛନ୍ତି ହଠାତ୍ ଗୋଟେ ସ୍କୁଟର୍ ରେ ତିନି ଜଣ ଯୁବକ ଆସି ଭାଇଙ୍କୁ ହାତ ଦେଖାଇ ରହିବାକୁ କହିଲେ l ଭାଇଙ୍କର କୌଣସି କଥାକୁ ନଘା ନଥାଏ କି ପଘା ନଥାଏ l ବୀର ଦର୍ପରେ ବାଇକ୍ ର ବ୍ରକ୍ ମାରି ରାସ୍ତା କଡରେ ରହିଲେ l ସେ ତିନି ଜଣଙ୍କ ଭିତରୁ ଦୁଇ ଜଣ ସ୍କୁଟର୍ ରୁ ଓଲ୍ହାଇ ଆସି ଭାଇଙ୍କୁ ଭୁଜାଲି ଦେଖାଇ ମା' ଆଉ ଭଉଣୀ କେନ୍ଦ୍ରିକ ଭାଷା ମାନ ଫୋପାଡିବାକୁ ଲାଗିଲେ l

ଭାଇଙ୍କର ତ ନିଶା ଥାଏ l ମୁଁହ ସାମ୍ନାରେ ଥିବା କାଚକୁ ହଟାଇ କହିଲେ , " ଆରେ ପିଲା କଣ ହେଲା ? ଏମିତି ଭାଷା ଅଭାଷା କାଇଁ କହୁଛ ? "

ସେମାନଙ୍କ ଭିତରୁ ଜଣେ ହଠାତ୍ ଭାଇଙ୍କ ଛାତିକୁ ଲକ୍ଷ୍ୟ କରି ଭୁଜାଲିରେ ଚୋଟ ପକାଇଲା l ନିଶାରେ ଥିଲେ ବି ଭାଇ ନିଜକୁ ରକ୍ଷା କରିବାକୁ ଯାଇଁ ଡାହାଣ ହାତ ସାହାଯ୍ୟରେ ସେ ଭୁଜାଲିକୁ ଧରିବାକୁ ଚେଷ୍ଟା କଲେ l ସେ ଭୁଜାଲି ଚୋଟରେ ଭାଇଙ୍କ ଦୁଇଟି ଆଙ୍ଗୁଠି ଅଧାରୁ ଅଧିକ କଟିଯିବା ସହ ପିଚ୍ ପିଚ୍ କରି ରକ୍ତ ବାହାରିବା ଆରମ୍ଭ କଲା l ଏଥର ଆର ଟୋକାଟା ଆଉ ଗୋଟେ ଭୁଜାଲି ଭାଇ ପେଟରେ ଲଗାଇ ଦେଇ ସେଇ ମା' କେନ୍ଦ୍ରିକ ଶବ୍ଦ କୋଷ ମାନଙ୍କ ସହ କହିଲା, " ଗାଡି ଛାଡିଦେ , ନହେଲେ ତୋ ପେଟରେ ଏ ଭୁଜାଲି ପୁରାଇଦେଇ ଅନ୍ତବୁଜୁଳା ବାହାର କରିଦେବି l"

ଭାଇ ତଥାପି କହିଲେ, " ଏ ଗାଡି ନେଇ ସମ୍ଭଳା ପଡିବ ତ ? "

ସେମାନଙ୍କ ଭିତରୁ ଜଣେ କହିଲା, " ଶଳା ବେଶି ଗପୁଚୁ, ଦେଖିବୁ ଏବେ ? ଓଲ୍ହା ଗାଡିରୁ l"

ଭାଇ ଏଥର ସିଧା ବାଇକ୍ ରୁ ଓଲ୍ହାଇ କହିଲେ, " ହଉ ନେଇ ଯାଅ l"

ସେମାନେ ଗୋଟେ ମୁହୂର୍ତ୍ତରେ ସେ ସୁଜୁକି ସାମୁରାଇ ବାଇକ୍ ନିଇ ତିବ୍ର ବେଗରେ ଜୟିପୁର ଆଡକୁ ପଳାଇଲେ l ଭାଇ ନିଜର ରକ୍ତ ବୋହୁଥିବା ହାତକୁ ଯୋର୍ ରେ ନିଜ ରୁମାଲ୍ ରେ ବାନ୍ଧି କିଛି ସମୟ ଭାବିବା ପରେ ସେଇ ଜୟିପୁର ଆଡକୁ ଚାଲିଲେ l ଜଗତସିଂହପୁର ଡାକ୍ତର ଖାନା ପାଖରେ ଥିଲେ ବି ସେ ନିଜ ଘରକୁ ଯିବା ଉଦ୍ଦେଶ୍ଯରେ ଜୟପୁର ଆଡକୁ ଯିବାକୁ ନିଷ୍ପତି ନେଲେ l ଜାଣିଥିଲେ ରାତି ୧୨ ଟା ଡେଇଁ ଗଲେ ଘରେ ନିଶ୍ଚେ ବ୍ୟସ୍ତ ହେବେ l ତେଣୁ ହାତରେ ଆଉ ଦେଢ ଘଣ୍ଟା ସମୟ ରହିଛି l ଚାଲି ଚାଲି ଏ ୨୫ କିଲୋମିଟର ଯାଇ ହେବ l

ମୁଣ୍ଡରେ ସେମିତି ହେଲମେଟ୍ ଥାଏ l ଭାଇ ସେ ଶୁନଶାନ୍ ରାସ୍ତାରେ ଚାଲିଥାନ୍ତି ଠିକ୍ ସେଇ ଢଙ୍ଗରେ ଯେମିତି ଚନ୍ଦ୍ରପୃଷ୍ଠରେ ମହାକାଶଚାରୀ ଆର୍ମଷ୍ଟ୍ରଙ୍ଗ୍ ୧୯୬୯ ମସିହାରେ ଚାଲିଥିଲେ l ସତରେ ବଡ ଅଦ୍ଭୁତ ସେ ଚାଲି l ବିନା ବାଇକ୍ ରେ ହେଲମେଟ୍ ରେ ଚାଲିବା ଯେକେହି ଦେଖିଲେ ଆଶ୍ଚର୍ଯ୍ୟ ହେବ ହିଁ ହେବ l ସେଇଆ ହେଲା ମଧ୍ଯ l ଭାଇ କିଛି ବାଟ ଯାଇଛନ୍ତ ଗୋଟେ କାର୍ ତାଙ୍କ ପାଖରେ ରହିଲା l କାର୍ ର କାଚ ତଳକୁ କରି ଜଣେ କିଏ ପଚାରିଲା," ଆପଣ ବିନା ବାଇକ୍ ରେ ଏମିତି ହେଲମେଟ୍ ପିନ୍ଧି କଣ ଚାଲିଛନ୍ତି ? "

ଭାଇ ଏଥର ନିଜର ମୁଣ୍ଡରୁ ହେଲମେଟ୍ କାଢି କହିଲେ, " ମୋ ବାଇକ୍ ଟାକୁ ତିନି ଜଣ ବଦମାସ୍ ଟୋକା ଛଡେଇ ନେଲେ l ଚାଲି ଚାଲି ଘରକୁ ଯାଉଛି l"

ସେ କାର୍ ବାଲା ଏଥର ଭାଇଙ୍କୁ ଚିହ୍ନିପାରି କହିଲା, " ଆରେ ସାର୍ ଆପଣ ? ଏତେ ରକ୍ତ ବାହାରି ପୁରା ସାର୍ଟ ଭିଜି ଯାଇଛି l ଆସନ୍ତୁ ଆସନ୍ତୁ ମୁଁ ଆପଣଙ୍କୁ ଆଗ ମେଡିକାଲ୍ ନେଇଯିବି l"

ଭାଇ କହିଲେ, " ନାଇଁ ମେଡିକାଲ୍ ଯିବା ଦରକାର୍ ନାହିଁ, ମୁଁ ରୁମାଲ୍ ରେ ଭଲକାରି ବାନ୍ଧି ଦେଇଛି l ଆପଣ ମୋତେ ଘର ପାଖରେ ଛାଡି ଦିଅନ୍ତୁ l କାଲି ସକାଳେ ମେଡିକାଲ୍ ଯିବି l"

ଅଧ୍ଯାପକ ହେଲେ ଏମିତି ଲାଭ ସମୟେ ସମୟେ ହୁଏ l ଅଧିକାଂଶ ଲୋକ ତାଙ୍କ ପିଲାଙ୍କ ପଢାପଢି ବୁଝିବା ପାଇଁ କଲେଜ ଆସିଥାନ୍ତି ଆଉ ଅଧ୍ଯାପକ ମାନଙ୍କୁ ଚିହ୍ନିଥାନ୍ତି l ଭାଇ ସେ ଲୋକକୁ ଚିହ୍ନି ନଥାନ୍ତି l ସେ କିନ୍ତୁ ଭାଇଙ୍କୁ ଚିହ୍ନି ତାଙ୍କ ଘର ପାଖରେ ସେଦିନ ଛାଡିଥିଲା l

ଘରେ ପହଞ୍ଚିବା ପରେ ଭାଉଜ ଆଉ ପିଲାମାନେ ଭାଇଙ୍କ ଏ ଅବସ୍ଥା ଦେଖି ବ୍ୟସ୍ତ ହେବା ସ୍ୱାଭାବିକ୍ l ଭାଇଙ୍କର ସେଇ ଗୋଟେ କଥା ମେଡିକାଲ୍ ଏବେ ଯାଇ ହେବନି l ଏବେ ଶୋଇବି କାଲି ସକାଳେ ମେଡିକାଲ୍ ଯିବି l ଭାଉଜ ଘରେ ଥିବା ଯେତିକି ଫାଷ୍ଟ୍ ଏଡ୍ ରେ ଆଙ୍ଗୁଠି ଦୁଇଟାକୁ ଧୁଆଧୁଇ କରି ଭଲକରି ବାନ୍ଧି ଦେଲେ l କାଳେ ରାତିରେ ଅଧିକ ବିନ୍ଧା ଛିଟ୍ କା ହେବ ସେଥିପାଇଁ ଭାଇ ଘରେ ରଖିଥିବା ମଦରୁ ଆଉ ଦୁଇ ପେଗ୍ ମାରିଦେଇ ନିଶ୍ଚିତରେ ନିଘୋଡ଼ ନିଦରେ ଶୋଇଗଲେ l ( କ୍ରମଶଃ ........)

********************************************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬

କାଉଲ୍ ଚରିତ୍ର ଧୁମକେତୁ

Rate the content


Originality
Flow
Language
Cover design

Comments

Post

Some text some message..