ଜେଜେଙ୍କ ନାମ ଖୋଜା
ଜେଜେଙ୍କ ନାମ ଖୋଜା
(ରଞ୍ଜନ କୁମାର ଵ୍ରହ୍ମା, ଚିକିଟୀ ଗଡ଼)
ନାମ ଲେଖା ବେଳ ଆସିଲା । ଗାଁ ମାଷ୍ଟ୍ରେ ସାହି ସାହି ବୁଲି ଖବର ଦେଲେ । ଜେଜେ ନାତିକୁ ଧରି ବିଦ୍ୟାଳୟରେ ଉପସ୍ଥିତ ହେଲେ । ପ୍ରବେଶ ଉତ୍ସବରେ ଶିକ୍ଷାର୍ଥୀଙ୍କୁ ପାଇ ମାଷ୍ଟ୍ରେ ବହୁତ ଖୁସି ହେଲେ ।
ମାଷ୍ଟ୍ରେ - ଆଜି ନାତିର ନାମ ଲେଖିବ ?
ଜେଜେ - ହଁ । ବିଦ୍ୟାରମ୍ଭେ ଗୁରୁ ଶ୍ରେଷ୍ଠ ।
ମାଷ୍ଟ୍ରେ - ନିଅ , ଏହି ଫର୍ମରେ ଦସ୍ତଖତ କରିଦିଅ ।
ନିଜ ନାମ ଲେଖିବାକୁ ଜେଜେ ଅଧିକା ସମୟ ନେଲେ ।
ଜେଜେ ନାତିର ନାମ କହିଲେ । ମାଷ୍ଟ୍ରେ ବୁଝିକି ଫର୍ମ ପୂରଣ କଲେ । ହାଜିରା ଖାତାରେ ନାମ ଲେଖିଲେ "ନିଳାମର ସାବତ "।
"ଆଜିଠୁ ତୁମ ନାତି ବିଦ୍ୟାଳୟକୁ ଆସିବ । ଏବେ ତା'ର ନାମ ଲେଖେଇ ଦେଇଛି । ତୁମେ ନାତିକୁ ଶ୍ରେଣୀରେ ବସାଇ ଘରକୁ ଯାଅ । ସେ ବିଦ୍ୟାଳୟ ବନ୍ଦହେଲେ ସବୁ ପିଲାଙ୍କସହ ମିଶି ଘରକୁ ଯିବ "।
ମାଷ୍ଟ୍ରେଙ୍କ ଏପରି ପରାମର୍ଶ ପାଇ ଜେଜେ ଘରକୁ ଯିବାପାଇଁ ବାହାରିଲେ । ଠିକ୍ ଏହି ସମୟରେ ନାତିର ଆଖିରେ ଲୁହ ଜକେଇ ଆସିଲା । ଜେଜେଙ୍କ ବାମ ହାତର ଆଙ୍ଗୁଠିଗୁଡିକୁ ଆଦୋୖ ଛାଡୁନଥାଏ । ଜେଜେ ନାତିର ହାତଟିକୁ ଫିଟାଇବାକୁ ଚେଷ୍ଠା କଲେ ବି ପାରୁନଥୁଲେ । ନାତିର ହାତ ଅଲଗା କରିବାକୁ ଜେଜେ ଯେତେ ଚେଷ୍ଠା କରୁଥାନ୍ତି ନାତି ସେତେ ଜୋରରେ ଭିଡୁଥାଏ ଏବଂ କାନ୍ଦୁ ଥାଏ । ଜେଜେ ଏପରି ଅବସ୍ଥା କେବେ ଦେଖିନାହାନ୍ତି ।
ନାତି ତାଙ୍କର ଭଲ ପିଲାଟି ।ଏପରି କେବେ ଭୟ କରେନି । କଥା ମାନେ । ସେ ଅନେକଥର ବିଦ୍ୟାଳୟକୁ ଏକୁଟିଆ ଆସିଛି । ମାଷ୍ଟ୍ରେଙ୍କ ସହ ଗପିଛି । ଶ୍ରେଣୀରେ ବସିଛି । ବିଦ୍ୟାଳୟ ଅନୁଶାସନକୁ ନିଜର
କରିନେଇଛି । ଆଜି ତା'ର ଏ କ'ଣ ହେଲା ? ଜେଜେ କିଛି ଭାବି ପାରୁନଥାନ୍ତି । ମାଷ୍ଟ୍ରେ ଏବଂ ଜେଜେ ତାକୁ ବୁଝେଇଵାକୁ ଯାଇ ନକେଦମ୍ ହୋଇଗଲେ ।
ସେହି ଦିନର ସ୍ଵଭାଵ ନାତିର ବେଶି ଦିନ ରହିଲା ନାହିଁ । ବିଦ୍ୟାଳୟ ସଭିଙ୍କ ଏନ୍ତୁଡିଶାଳ । ମମତାରେ ବାନ୍ଧି ହେଲା । ମାଷ୍ଟ୍ରେଙ୍କ ହାଜିରାରେ ଜୟହିନ୍ଦ କହିଲା । ଗାଁ ପାଠ ସାରି ସହର ବିଦ୍ୟାଳୟକୁ ଗଲା । ନବମ ଶ୍ରେଣୀର ନାମ ଲେଖେଇଵ ବୋଲି। ଗାଁ ଠାରୁ ସହର ଦୂରତା ବେଶୀ । ସେଠାରେ ଘର ଖଣ୍ଡିଏ ଭଡ଼ା ନେଇ ବୋଉଙ୍କ ସହିତ ରହିଲା । ସ୍କୁଲ ଓ ଟ୍ୟୁସନ ଗଲା । ନୂଆ ସାଥୀ ମିଳିଲେ ହେଲେ ତା ମନ ପାଠରେ ନଥିଲା । ଅଧିକାଂଶ ସମୟ ଅମନଯୋଗୀ ରହିଲା ।
"ନିଳାମର" ଏମିତି ନାମର କଅଣ କିଛି ଅର୍ଥ ଥାଏ ? ନିଜକୁ ନିଜେ ଖୋଜୁଥିଲା । ସାଥୀ ପିଲାଏ ଅନେକ ସମୟରେ ଚିଡାନ୍ତି । ସେ ଭାଙ୍ଗି ପଡେ । ପ୍ରଧାନ ଶିକ୍ଷକ ଓ କିରାଣୀ ଙ୍କ ପାଖକୁ ଯାଇ ନେହୁରା ହୋଇଛି ନାମର ସଂଶୋଧନ କରିବାକୁ । "ଡେରି ହୋଇଗଲା , ବୋର୍ଡ ଅଫିସରେ ରେଜିଷ୍ଟ୍ରେସନ୍ ସରିଗଲା, ଏବେ କିଛି କରିହେବନାହିଁ " । ଏପରି କହି ବିଦ୍ୟାଳୟ ତା'ର ଧ୍ୟାନଫେରାଇଛି ।
ସେ ଯେତେବେଳେ ଟି ସି ନେଇ ଗାଁ ବିଦ୍ୟାଳୟରୁ ସହରକୁ ଆସିଲା ତାର ଶିକ୍ଷକ, ପ୍ରଧାନ ଶିକ୍ଷକ ଏବଂ କିରାଣୀ କିପରି ଏପରି ଏକ ତ୍ରୁଟି କୁ ଧରି ପାରିଲେ ନାହିଁ ? ଜଣକ ଦ୍ୱାରା ତ୍ରୁଟିହେବା ସ୍ଵାଭାବିକ । କିନ୍ତୁ, ଏହାକୁ ଅନ୍ୟମାନେ ଦେଖିପାରିଲେନାହିଁ କିପରି ? ନା ଦେଖି ସଭିଏଁ ଚୁପ୍ ରହିଲେ ? ଏପରି ଅନେକ ଅମିମାଂଶିତ ପ୍ରଶ୍ନର ଉତ୍ତର ଖୋଜିଖୋଜି ସେ ସେଈଠାକୁ ଫେରିଲା , ଯେଉଁଠି ତା'ର ବିଦ୍ୟାରମ୍ଭ ହୋଇଥିଲା । ତା' ପାଖାରେ ପହଁଚିଲା , ଯିଏ ତାକୁ କାନ୍ଧରେ ବସାଇ ବଡ଼ ଆଦରରେ ବିଦ୍ୟାଳୟକୁ ନିଜ ନାମ ଲେଖାଇଵାକୁ ଧରି ନେଇଥିଲେ ।
ଦଶମ ଶ୍ରେଣୀର ପରୀକ୍ଷା ପାଖେଇ ଆସିଲାଣି । ସବୁ ପିଲାଏ ପଢ଼ାରେ ମନଦେଲାବେଳେ ନାତି କିନ୍ତୁ ଗାଁ ରେ । ସଙ୍ଗରେ ପଢ଼ା ବହି ବି ଆଣିନି । କେତେ ଦିନ ଏଇଠି ରହିବ ତାହାର ଠିକ୍ ଠିକଣା ନାହିଁ । ଡେରିରେ ଉଠିବା , ଉଠି ପୋଖରୀକୁ ଯିବା, ଡେରିରେ ଫେରିବା, ଫେରି ମୁଠେ ଖାଇ ଗାଁ ପିଲାଙ୍କ ସହିତ ବାହାରକୁ ଚାଲିଯିବା, ଅପରାହଣରେ ବିଶ୍ରାମ ନନେବା, ପୁରାଦିନ ବହିଠୁଁ ଦୂରେଇ ରହିବା ଦିନଚର୍ୟା ଜେଜେଙ୍କୁ ବିଚଳିତ କଲା । ତାଙ୍କର ଗୋଟିଏ ବୋଲି ନାତି । ଗାଁ ବିଦ୍ୟାଳୟରେ ଭଲ ପଢ଼ୁଥିଲା । ମାଷ୍ଟ୍ରେ ତା'ର ଢେର ପ୍ରଶଂସା କରୁଥିଲେ । ଆଜି ତା'ର ଏ କଣହେଲା ? ନା , ଆଉ ଡେରି ନୁହେଁ । ନିଶ୍ଚୟ ପଚାରିବି ସେ କାହିଁକି ସହରକୁ ଯାଉନି ପାଠରେ ମନ ଦେଉନି ?
ନା, ମୁଁ ଆଉ ପାଠ ପଢିବିନି । ତୁମ ଯୋଂଗୁ ମୋର ନାମ ସାର୍ଟିଫିକେଟ ରେ ଭୁଲ ହୋଇଛି । ନିଳାମର, ଏମିତି କଅଣ କାହାର ନାଁ ଅଛି ନା ମାନେ ଅଛି । ସାଙ୍ଗ ପିଲାଏ ଚିଡା଼ଉଛନ୍ତି । ପଢ଼ା ପରେ ଯେଉଁ ସାର୍ଟିଫିକେଟ ଖଣ୍ଡେ ମିଳିବ ସେଥିରେ ଚାକିରୀ ମିଳିପାରିବ ହେଲେ ଶାନ୍ତି ନାହିଁ । ମୁଁ ଆଉ ପାଠ ପଢିବିନି, ପଢିବିନି ।
ଏପରି କଥାରେ ଜେଜେଙ୍କ ହୃଦୟ ଭାଙ୍ଗିପଡ଼ିଲା । ଜେଜେ ସେଦିନର କଥାକୁ ମନେ ପକାଇଲେ । ବୋଧେ ସେଇଥିପାଇଁ ସେହିଦିନ ତା ନାମ ଲେଖିଲାବେଳେ ମୋ ହାତକୁ ଜାବୁଡ଼ି ଧରି ଢେର୍ କାନ୍ଦି ଥିଲା । ସେହିଦିନ ତା ଭାବକୁ ସେ ବୁଝିପାରିଲେନାହିଁ କିପରି ? ଏପରି ଗୋଟିଏ ବଡ଼ ଭୁଲ କିପରି ହୋଇଗଲା ? ସିଏ ତ ଗାଁ ମାଷ୍ଟ୍ରେ ଙ୍କୁ ଭୁଲ କହିନଥିଲେ ।
ମାଷ୍ଟ୍ରେ ଜାଣି ପାରିଲେନି କିପରି ? ବିଛଣା ଉପରେ ଉର୍ଦ୍ଧମୁଖରେ ଗଡ଼ି ସାହି, ଆଗଛମା, ପଡିଶା ପିଲାଙ୍କ ନାମକୁ ମନେପକାଇବାକୁ ଲାଗିଲେ । ସୁଭ୍ରତ୍,ସୁଜେତା,ନରମତା, ଇସିପିତା, ପ୍ରଶ୍ନ କୁମାର, ବିଭୁଧେନ୍ଦ୍ର, ସରସତି ଏପରି ଅନେକ । ଏମାନଙ୍କ ନାମରେ କେତେ ଶୁଦ୍ଧତାଅଛି, ଗୋଟି ଗୋଟି କରି ତର୍ଜମା କରିବାକୁ ଲାଗିଲେ । ଏପରି ଭୁଲ ଦିନେ ତାଙ୍କ ନାତିକୁ ଦରପଠୁଆ କରିଦେବ ଏହା କେବେ ଚିନ୍ତାହିଁ କରିନଥିଲେ । ସେ କାହାକୁ ବା ଦୋଷ ଦେବେ ।
ଶୁଦ୍ଧ ନାଁ ଖଣ୍ଡେ ଖୋଜି ଖୋଜି ଜେଜେ ଶେଯରୁ ଆଉ ଉଠିଲେ ନାହିଁ ।