Quotes New

Audio

Forum

Read

Contests


Write

Sign in
Wohoo!,
Dear user,
★ ବାହାରେ ଖରା ★
★ ବାହାରେ ଖରା ★
★★★★★

© Amiya Bej

Others

5 Minutes   7.1K    11


Content Ranking

ଶିଢି ଚଢୁଥିଲା ବେଳେ , ସାମ୍ନାସାମ୍ନି ହୋଇଗଲା ପିଲାଟାଏ । ଅଣଓସାରିଆ ବାଟରେ 'ସାୟରା' ଯେତିକି ବାଟ ଛାଡିଲା , ସେତିକିରେ ପୁରୁଷଟିଏ ପାରିହୋଇଯିବା କଥା । କିନ୍ତୁ ହେଲାନି । ଅଙ୍କାବଙ୍କା ହୋଇ ନାରୀଟିଏ ଢେର୍ ଆୟତନ । ସିଧାସାଧା ପୁରୁଷଟେ , ବେଳାପଡିଲେ ତଥାପି ନିଅଣ୍ଟିଆ ହୋଇପଡେ । ଅତଏବ ଦେହର କିଛିକାଂଶ ଘଷିହୋଇଗଲା ଦୁହିଁଙ୍କର । ଘର୍ଷଣରୁ ଉତ୍ତାପ , ଉତ୍ତାପରୁ ସ୍ପୃଲିଙ୍ଗର ସୃଷ୍ଟି ହେଲେବି , 'ସାୟରା' ଏଥିରେ ଖୁବ୍ ଚିଡିଗଲା । ତା'କୁ ଲାଗୁଥିଲା , ପିଲାଟା ଜାଣିଶୁଣି ଏତକ କରିଗଲା । ଏଇ ଅଭଦ୍ର ଅଭଦ୍ର କଥାଟିକୁ ନେଇ ସେ ମନେମନେ ଠିକ୍ କଲା ଯେ , ଘର ମାଲିକଙ୍କୁ ଯାଇ କମ୍ପ୍ଲେନ୍ କରିବ । କଲାବି ।

- ଜାଣିଛନ୍ତି , ମୁଁ ଏକୁଟିଆ ରହୁଛି ମଉସା । ତଥାପି ସାମ୍ନାରେ ବ୍ୟାଚେଲର୍ ଭରିଦେଲ ??

- ଭଲଘର ପିଲା ପରି ଲାଗୁଛି । ଏଠି କେଉଁଠି ଇଞ୍ଜିନିୟର୍ ଅଛି। ଅଡୁଆ କଲେ କାଢିଦେବାନି ଝିଅ ?

- ସେଯାଏଁ ଅପେକ୍ଷା କରିହେବନି ମଉସା । ଅଡୁଆ କଲେ ମୁଁ ନିଜେ ସାବାଡ୍ କରିଦେବି । ଖାଲି ଆଗତୁରା ସୂଚନାଟା ଦେଇଦେଲି ।

ନର୍ସିଂହୋମ୍ କୁ ଲାଗି ଏଇ ଘରଟାକୁ ସେ ପାଞ୍ଚବର୍ଷ ହେଲା ଭଡା ନେଲାଣି । ନିଜ ଝିଅ ପରି ଦେଖନ୍ତି ମଉସା , ମାଉସୀ ତାକୁ । ଅବୁଅମ୍ମା ବି ଗାଁରେ ନିର୍ଭୟରେ ରହିଥିଲେ ଏଥିଲାଗି ।

★★★

ବିଛଣାରେ ବି 'ମୁସ୍କାନ୍' କୁ ଖୁବ୍ ମନେପକାଏ 'ଅନୱର୍' ! ଏଣେ ସୁନ୍ଦରୀ ସାୟରା ସୁଖଟିକେ ପାଇବାକୁ ବାଉଳା ହେଉଥିବା ବେଳେ , ଅନୱର୍ ମୁସ୍କାନମନସ୍କ ହୋଇରୁହେ । ସାୟରା ଦେହରେ ମୁସ୍କାନ୍ ର ଆଞ୍ଚ ଖୋଜିଲେ ମିଳିବ ବା କୁଆଡୁ ? ଅସନ୍ତୁଷ୍ଟତା ବଢିବଢି ଚାଲେ ।

ବିଛଣାର ଅସୁଖ ଦାମ୍ପତ୍ୟର ସର୍ବାଧିକ ବିଫଳତା । ଅନୱରର ଅସହାୟତା ଦେଖି ଦୟାକରେ ସାୟରା । ନିଜ ଅସଫଳ ପ୍ରେମ ପାଇଁ , ପୁରୁଷଟେ ଆଉଏକ ନାରୀର ସୁଖ ନଷ୍ଟ କରେ କାହିଁକି ଯେ ??

ପିଲାଦିନୁ ନିଜ ଫୁଫାଝିଅ ମୁସ୍କାନ୍ ର ପ୍ରେମରେ ଅନୱର । ପାରିବାରିକ ବିରୋଧ ଯୋଗୁଁ ଦୁହେଁ ଏକାଠି ହୋଇପାରିନଥିଲେ । ସାୟରାକୁ ଜଣା , ଏବେସୁଦ୍ଧା ମୁସ୍କାନ୍ ର ଆଖି କାନ୍ଦୁଥିବ ଅନୱର୍ ପାଇଁ ।

ଗୋଟିଏ ନାରୀର ଲୁହ , ଆଉଟେ ନାରୀପାଇଁ ଅଭିଶାପ ଭରିଦିଏ ।

ବିବାହିତ ସ୍ତ୍ରୀଟେ ପାଇଁ , ସ୍ୱାମୀଟିଏ ନିଜପୁରୁଷ ହୋଇପାରେ କିନ୍ତୁ ସେ ଯେ ମନପୁରୁଷ ହେବ , ସେଥିରେ କିଛି ବାଧ୍ୟବାଧକତା ନାହିଁ ।

ପ୍ରତିଦିନ ନିଜେ ମରି , ତା'କୁ ମାରିବା ଅପେକ୍ଷା , ଅନୱର୍ କୁ ମୁକ୍ତି ନୁହେଁ , ଆଶିର୍ବାଦ ଟିକେ ଦେଇଦେବା ଶ୍ରେୟସ୍କର ଭାବି , ନିଜଆଡୁ ପ୍ରସ୍ତାବ ଦେଇଥିଲା ସାୟରା । ଏଇ ଅନୁମତି ଟିକକକୁ ଯେମିତି ଚାହିଁ ବସିଥିଲା ସେ । କେତେ ସହଜରେ , କେତେ ବ୍ୟାକୁଳରେ , ବନ୍ଧନମୁକ୍ତ ହେବାକୁ ଚାହିଁରହିଥାଏ ସତେ ପୁରୁଷ !!!!

ଯୋଗକୁ ନର୍ସିଂଟ୍ରେନିଂ ନେଇଥିଲା ସାୟରା । ସେଇତକ ବଞ୍ଚାଇ ଦେଲା ଜୀବନ । ଜୀବନଟା ପୁଣି କଣ ଯେ ? ମରିବାଯାଏଁ ତ ଜୀଇଁନେବାକୁ ପଡେ ଖାଲି । ତଲାକ୍ ପ୍ରସ୍ତାବରେ ଅରାଜି ହୋଇପାରିଥାନ୍ତା ଅନୱର୍ । ହାତଧରି ନିକାହ କରିଥିବା ସ୍ତ୍ରୀଟିକୁ ସାମାନ୍ୟ ମର୍ଯ୍ୟଦା ଦେଇପାରିଥାନ୍ତା । କିନ୍ତୁ ସେତିକି କରିପାରିଲାକି ସେ ?

ଏ ସମାଜରେ ନାରୀଟିଏର ପରିଚୟ ପୁରୁଷ ନିର୍ଦ୍ଧାରିତ କରେ । କେତେବେଳେ ସୀମନ୍ତିନୀ ତ କେତେବେଳେ ପରିତ୍ୟକ୍ତା । ନିର୍ଦ୍ଦୋଷ ହେଲେବି , ଏସବୁ ପରିଚୟକୁ ନେଇ ବାଧ୍ୟ ହୋଇ ବଞ୍ଚିବାକୁ ହୁଏ । ବଦଳରେ ସମାଜରେ ସ୍ଥାନଟିକେ ମିଳେ ଯାହା ।

'ଛି' ଲାଗେ ଏ ଜାତିଟାକୁ । ସୃଷ୍ଟିରକ୍ଷାର ବିକଳ୍ପଟେ ବାହାରିଯା'ନ୍ତାନି , ର୍ନିଦ୍ୱନ୍ଦରେ ନାରୀମୟ ହୋଇଯା'ନ୍ତା ପୃଥିବୀ । ଅନ୍ତତଃପକ୍ଷେ ଏ ଦର୍ପ , ଏ ଅହଂକାର ସବୁ ଲୋପପାଇଯା'ନ୍ତା ତ !!!

★★★

ଥରକରେ ନଖୋଲିବାରୁ , କିଏଗୋଟେ ବାରମ୍ବାର ବେଲ୍ ମାରିଚାଲିଥିଲା । ଗାଧୁଆଘରେ ଥିଲା ସାୟରା । ଜରୁରୀ ଭାବି ବିନା ଅନ୍ତବସ୍ତ୍ରରେ ମାକ୍ସିଟାକୁ ଗଳାଇ , ଦୁଆର ଖୋଲିବାରୁ , ସାମ୍ନାରେ ସେଇ ଅଭଦ୍ର ।

- ମ୍ୟାଚିସ୍ ! ଦିଆସିଲି !

କିଛି ନକହି ଘରଭିତରକୁ ପଶିଗଲା ସାୟରା । ଓଃ! କି ଲୋଲୁପ ! ରଡନିଆଁ ପରି ଜଳୁଛି ଅଭଦ୍ରର ଆଖି । ଅନ୍ତବସ୍ତ୍ର ବିନା ସାୟରା ବସ୍ତ୍ରହୀନା । ସିଙ୍କୁଡି ଗଲା ତା' ନାରୀପଣ ଭିତରେ ଭିତରେ । ଦିଆସିଲି ନେଇ କଣ ଜାଳିବ ସେ ପିଲା ? ସିଗାରେଟ୍ , ଚୂହ୍ଲା ନା ଦେହସମଗ୍ର ???? ଅନୁଭବ କୁହେ ପୁରୁଷ ମୁହଁ ଛାଡି ଦେହକୁ ଅଧିକ ଗୁରୁତ୍ୱ ଦେଇଥାଏ । ପିଲାଟା ତା ଦେହଯାକ ହିଁ ଆଖି ପହଁରାଉଥିବା ପରି ପ୍ରତିତ ହେଉଥିଲା। ଅଭଦ୍ର । ଏଥର କମ୍ପ୍ଲେନ୍ ନୁହେଁ , ତା'କୁ ଏଠୁ ବହିଷ୍କାର କରିବାର ବାଟ କାଢିବାକୁ ହେବ । ଦିଆସିଲିଟା ଆଣିଦେଇ ସାୟରା କହିଲା

- ଫେରାଇବା ଦର୍କାର ନାହିଁ । ଆଉରି ଅଛି ଏଠି ।

ତଥାପି ମୁହଁ ଫେରାଇବାରେ ଡେରି କରିବାରୁ , ଧଡ୍ କି ଦରଜା ଦେଇଦେଲା ସାୟରା । ତା'ପ୍ରତି ପିଲାଟାର ମାତ୍ରାଧିକ ଆଗ୍ରହ ଦେଖି ବେଶ୍ ଭୟ ପାଇଗଲା ସେ ।

★★★

ଦିନଯାକ ରୋଗୀ ମାନଙ୍କ ଦୁଃଖକଷ୍ଟ ଭିତରେ ଘାଣ୍ଟି ହୋଇ , ଫେରିବା ବେଳେ , ଢେର୍ ଅସୁସ୍ଥ ହୋଇପଡେ ସାୟରା । ପରିଶ୍ରମ ସହ ବୟସ ବି ବଢିଚାଲେ । ଏକୁଟିଆ ବଞ୍ଚିହୋଇପାରେ , କିନ୍ତୁ ଏକୁଟିଆ କାଟିହେବ କେମିତି , ଏତେବଡ ଜୀବନକୁ ? ଅନୱର ହାତଛାଡି , ସୁଖଭୋଗୁଛି କେଉଁଦିନୁ । ସେ କିନ୍ତୁ ତା'ରି ପରିତ୍ୟକ୍ତାର ପରିଚୟ ନେଇ ସଢୁଛି ଏଠି । ବାଃ ରେ ନିୟମ । ଆଉଥରେ ବସାଟିଏ ବାନ୍ଧିବାକୁ ନା ଅଛି ମନ ନା ସମୟ । କେଯାଣେ ଆଉକେଉଁ ମୁସ୍କାନ୍ ଟେ ଲୁହ ଢାଳୁଥିବ ପ୍ରତାରକ ପୁରୁଷ ପାଇଁ ଅଯଥାରେ । ନାରୀ ସବୁବେଳେ ଗୋଟେ ବିଚାରୀ । ପୁଣି ଗୋଟେ 'ଛି' କୁ ଆଦରିବାର ଆଗ୍ରହ ନଥିଲା ସାୟରାର ।

କିନ୍ତୁ ଇଚ୍ଛାକୁ ??????

ଇଚ୍ଛାର କଣ କେବେ ମୃତ୍ୟୁଟିଏ ଥାଏ ? ଇଚ୍ଛା ତ ଯାଯାବର । ଅପହଞ୍ଚ ଯାଗାରେ ଉପସ୍ଥାନ ଦେବାରେ ବିଳମ୍ବ କରେନି ଆଦୌ ।

ବିଛଣାର ବାକିତକ ବଳକା ଭାଗରେ ହାତ ବୁଲାଇ ବୁଲାଇ ଖୁବ୍ ଛଟପଟ ହୁଏ ସାୟରା । ହାତ ବୁଲାଇଆଣେ ବି ନିଜ ଅବ୍ୟବହୃତ ଦେହ ଉପରେ । ଓଃ! କି ଯନ୍ତ୍ରଣା ସବୁ ? ସତରେ ପୁରୁଷ ଏକ ଅତ୍ୟାବଶ୍ୟକ ପଦାର୍ଥ ! ବରଫକୁ ନୁହେଁ , ଲୁହା ତରଳାଇବାର ସାମର୍ଥ୍ୟ ରଖେ ପୁରୁଷପୁବଙ୍ଗର ଅଭ୍ୟସ୍ତ ହାତ ! ମୁସ୍କାନମନସ୍କ ଥିଲେ ବି , ଅନୱର ର ଛୁଆଁରେ ଏକ କରେଣ୍ଟ୍ ଥିଲା । ତା'କୁ ମୁକ୍ତି ଦେଇଦେଇ , ନିଜପାଇଁ କଣଗୋଟେ ଅଧିକା ସାଉଁଟି ନେଲା ସେ ? କିଛି ଯନ୍ତ୍ରଣା ଛଡା !!!

ବାଉଳାହୁଏ ସାୟରା । ବାବରୀ ବି । ଏ ଛଟପଟପଣ ଏକ ଅଭ୍ୟାସ ନା ନିହାତି ଆବଶ୍ୟକତା ?????

★★★

ଆଗ୍ରହ ଦେଖାଉଥିବା ସାମ୍ନାଘରର ପିଲାଟି ଗୋଟାଏ ଅଭଦ୍ର ବ୍ୟାଚେଲର୍ । ତା'ଠୁଁ ବୟସରେ ସାନ ବି । ଭବିଷ୍ୟତଟେ ଦେଖାଯାଏନି ତା'ଠାରେ । କିନ୍ତୁ ସେ ପୁରୁଷ । ବର୍ତ୍ତମାନଟେ ସ୍ପଷ୍ଟ ହୁଏ ତା'ଠାରେ । ଭୟ ନଥାଏ ତା'ପ୍ରତି ! ଆଗପାଖର ଝର୍କାକୁ ଏଥର ଖୋଲା ରଖୁଥାଏ ସାୟରା । ସମ୍ଭାବନାଟେ' କଅଁଳେ ମନରେ । ଧେତ୍ ! ମରିଯାଏ ବି ସାଙ୍ଗେସାଙ୍ଗେ ।

ଅନୱର ଦେଇଥିବା ପରିତ୍ୟକ୍ତା ପରିଚୟର ଅପମାନ ଆଗରେ ଏସବୁ ଈଛାଫିଛାର କିଛି ମୂଲ୍ୟ ନଥାଏ । ସବୁ ପୁରୁଷ ଏକାପରି । ଡଗ୍ । ଛିଈଈଈ।

ପାର୍ଲରର ସେ ନେପାଳୀ ଝିଅଟା ସେଦିନ କହିଲା -

- ମ୍ୟାମ୍ , ମେହେନ୍ଦୀ କରିଦିଅନ୍ତୁ । ଅଳ୍ପ ଧଳାସବୁ ଲୁଚିଯିବ ।

ଝିଅଟାକୁ ଅନୁମତି ଦେଇସାରି , ଏଥର ସାୟରା ମାନିନେଲା ଯେ , ବୟସର ଛାପ ଲୁଚାଇ ହେବ କିନ୍ତୁ ବୟସର ଲୋଡାପଣ ?????

ଘର ମାଲିକ ମଉସା ବେଳେବେଳେ ପଚାରି ବୁଝନ୍ତି -

- ରହିବାରେ କିଛି ଅଡୁଆ କି ମା ?

- ହେଲେ ଆସି କହିବିନି ମଉସା !

★★★

ଫାଷ୍ଟସିଫ୍ଟ୍ ସାରି ଫେରୁଫେରୁ ମୁଣ୍ଡ ଉପରେ ଢୋଢୋ ଖରା । ଛତା ଖୋଲିଲା ସାୟରା । ବ୍ୟାଗ୍ ରୁ ପାଣି କାଢି ଢୋକେ ପିଇନେଲା । ଦଶମିନିଟ୍ ର ବାଟ ଲାଗୁଥିଲା ଯେମିତି ଯୋଜନ ଦୂର । କେମିତି ହେଲେ ଘରେ ପହଞ୍ଚି ଯା'ନ୍ତାକି ? ତଣ୍ଟି ଅଠା , ଆଖି ଜାଲୁଆ ଦିଶୁଥିଲା ।

ପହଞ୍ଚିଲା ଭଡାଘର । ଅଠରଟା ଶିଢି ଆଉରି ବାକି । ସତର ନମ୍ବର ପାଖେ ସିଗ୍ରେଟ୍ ପିଉଛି ସେ ଅଭଦ୍ର । ସେଯାଏଁ ନିଜକୁ ପହଁଞ୍ଚାଇ ନେଲା ସାୟରା । ଆଉ ଶିଢିଟାଏ ମାତ୍ର । ପିଲାଟା ଘରେ ବୋଧେ ଏସି ଲାଗିଥିଲା । ଦଲକାଏ ଥଣ୍ଡାପବନରେ ଭିଜିଯାଇ ଢଳିପଡିବା ପୂର୍ବରୁ , ସାୟରା ଏତିକି କହିପାରିଲା -

- ଓଃ! ବାହାରେ ଖରରା !!!!!!

ପିଲାଟା ସେତେବେଳେ ସବୁଯାକ ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇସାରିଥିଲା ବୋଧେ ...!!!!!

ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର

ସାୟରା ଦାମ୍ପତ୍ୟ ଦାୟିତ୍ୱ

Rate the content


Originality
Flow
Language
Cover design

Comments

Post

Some text some message..