ବର୍ଷା ବିଳାସ
ବର୍ଷା ବିଳାସ
ଆଦ୍ୟ ଆଷାଢେ ମେଘ ଆକାଶରୁ ବର୍ଷା ଗୋ ଯେବେ ଝରିଲ
ଧରଣୀ ବକ୍ଷେ ସବୁ ଜିମା ଭରି ନାନାଜାତି ଫୁଲେ ହସିଲ
ତପ୍ତ ମରୁରେ ପ୍ରାଣସଞ୍ଚାର,ମନେ ନୂଆ ଆଶା ଜାଗିଲା
ବର୍ଷା ଗୋ ତୁମ ମର୍ତ୍ତ୍ୟ ଭ୍ରମଣ ଇନ୍ଦ୍ରଦେବ କି ରଚିଲା !
ମନ୍ଦ୍ର ମଧୁର ଘନ ଗରଜନେ ଗଗନେ ଖେଳଇ ଚପଳା
ଇନ୍ଦ୍ରଧନୁର ରଙ୍ଗ ମେଲାଏ ଆକାଶେ ଅବିର ପସରା
ବିଲ ବନ ଗିରି ନଦୀ‐ନିର୍ଝରେ ଅମୃତ ଧାରା ଝରଇ
ତୁମ ଆଗମନେ କୃଷକ ପ୍ରାଣରେ ଆନନ୍ଦ ଲହରୀ ଖେଳଇ ॥
ଗିରି ଶିଖେ କେକୀ ନୃତ୍ୟ ରଚଇ ବନେ ଫୁଟେ କିଆ କେତକୀ
ଯୂଈ,ଜାଈ,ହେନା,କଦମ୍ଵ ସୁବାସେ ଚଉଦିଗ ଉଠେ ମହକି
ସବୁଜ ଘାସରେ ସାଧବବୋହୂର କି ସୁନ୍ଦର ଚାଲି ନାଲିଆ
ବାଡି ବଗିଚାରେ ତାରା ଫୁଲ ପରି ବାଲି ଛତୁ ଫୁଟେ ବଢିଆ ॥
କେବେ ଝିପିଝିପି କେବେ ଟପ୍ ଟପ୍ ବର୍ଷା ଗୋ ତୁମ ରାଗିଣୀ
ନିଝୁମ ରାତିରେ ବିରହିଣୀ ପ୍ରାଣେ ଜାଳେ କାମନାର ରୋଷଣି
ରହିରହି ଶୁଭେ ସାରୁ ବୁଦା ମୂଳୁ ବେଙ୍ଗର କେଁ କଟର
ସାରାରାତି ସତେ ଗାଉଥାଏ କିଏ ମିଳନର ଯାଦୁ ମନ୍ତର ॥
ପାଣି ସୁଅ ଧାରେ ପିଲାଙ୍କ ଖୁସିର କାଗଜ ଡଙ୍ଗା ଭାସଇ
ଜହ୍ନି,କାକୁଡି,କଖାରୁ ଲଟାରେ ହଳଦୀ ରଙ୍ଗ ଲୋଟଇ
ହରଗଉରାରେ ଟହଟହ ନାଲି ନବ ଯଉବନୀ ଭଙ୍ଗିମା
ଗୋଧୂଳି ସଞ୍ଜେ ବଧୂଲି ଅଧରେ ନହୁଲି ଲାଜର ଲାଲିମା ॥
କେବେ ମୌସୁମୀ କେବେ ଲଘୁ ଚାପ କେବେ ଝଡ ତୁମ ବାନ୍ଧବ
କେବେ ବାତ୍ୟାର ବିଭୀଷିକା ନେଇ ଧରଣୀରେ ସୃଜ ତାଣ୍ଡବ
କେବେ କୁଳିଶର ତୀବ୍ର ଆଘାତେ ପୃଥିବୀ ବକ୍ଷ ବିଦାରି
ବନ୍ୟା ବଢିର ଇତିହାସ ଲେଖ ଲକ୍ଷେ ଜୀବନ ଉଜାଡି ॥
ତଥାପି ବର୍ଷା ! ଗୁଣ ତୁଳନାରେ ଦୋଷ ତ ତୁମର ଅଳିକ
ୠତୁଚକ୍ରରେ ତୁମେ ହିଁ ତ ଏକା ଆଶା ଭରସାର ସନ୍ତକ
ସାରା ବିଶ୍ଵର ଶସ୍ୟ ଦେବତା ! ସୃଜନର ନବ ସମ୍ଭାର
ଦୁବ ଠାରୁ ଦାରୁ ସ୍ଥାବର ଜଙ୍ଗମ ତୁମ ବିନା ସବୁ ଅନ୍ଧାର ॥