ପ୍ରବ୍ରଜ୍ୟା
ପ୍ରବ୍ରଜ୍ୟା
ନୀଳାଦ୍ରି ଭୂଷଣ ହରିଚନ୍ଦନ
ପ୍ରବ୍ରଜ୍ୟାରେ ଯାଉଥିବା ଲୋକ
ଆଗରୁ ସଜାଡି ବସେନି ଲୁଗାପଟା କି ଆଉ କିଛି
ସାଙ୍ଗରେ ନେଇଯିବା ପାଇଁ
ହଠାତ୍ ନିଦରୁ ଉଠେ ଏବଂ ଥଳିରେ ଭର୍ତ୍ତିକରି
ଲୁଗା ଗାମୁଛା ଦି’ ଖଣ୍ଡ
ଚାଲିଯାଏ ଆଖିଯାଏ ଯୁଆଡକୁ, ସିଆଡେ l
କବିଟି ଦିନେ ଅନୁଭବ କଲା
ଆଉକିଛି ସେ ଲେଖିପାରୁନି
ଲେଖିବାକୁ ଭାବନାଇଁ କି ଶକ୍ତିନାଇଁ l
ଅଧରାତିରେ ହଠାତ୍ ଉଠିପଡି ଚୁପ୍ ଚାପ୍ ବସିଲା
କିଛି ସମୟ ବିଛଣାରେ l
ତା’ ପରେ ଘରୁ ବାହାରି ଚାଲିଗଲା
କାହାକୁ କିଛି ନ କହି l
ସକାଳକୁ ଆଉ ତା’ ର ଚିହ୍ନବର୍ଣ୍ଣ ନ ଥିଲା
ସମସ୍ତେ ଖୋଜିହେଲେ କୁଆଡେ ଗଲା,କୁଆଡେ ଗଲା
ଆସ୍ତେ ଆସ୍ତେ ଲୋକ ଜମିଲେ
ଆଉ ତାକୁ ଖୋଜିବେ କୁଆଡେ
ସେ ତ ଏବେ ପଶିଯାଉଛି ଗଭୀର ଅରଣ୍ୟ l
ସେ ହୁଏତ ଗଛ ଫାଙ୍କରେ
ଧାରଧାର ସୂର୍ଯ୍ୟକିରଣ ଝରି ଆସିଲା ବେଳକୁ
ବଣ ଭିତରେ ବସି ଯାଇଥିବ
ଗୋଟାଏ ଚାଞ୍ଚରା ପଥର ଉପରେ l
ବସିବସି ଦେଖୁଥିବ ଗଛକୁ ଗଛ ଡେଉଁଥିବା
ମାଙ୍କଡ ଛୁଆଙ୍କ ଲୀଳାଖେଳା
ହସି ପକଉଥିବ ମନକୁ ମନ
ହେଲେ ବୁଢାର ହସ ଦେଖିବାକୁ
କେହି ନଥିବେ ପାଖରେ l
କ’ଣ ଭାବୁଭାବୁ ଧୀରେ ଧୀରେ ଆଖିପତା
ଭାରୀ ହୋଇ ଆସିବ
ଚାଞ୍ଚରା ପଥର ଉପରେ
ଲମ୍ବ ହୋଇ ସୋଇପଡିବ ଅତି ଆରାମରେ l
ହଜି ଯାଉଥିବା ସ୍ଵପ୍ନଗୁଡାକୁ ସବୁଦିନ ପାଇଁ
ଛାତି ଭିତରେ ଧରି ରଖିବା ପାଇଁ
ଆଉ ଉଠିବନି ନିଦରୁ
କେବେ ବି ନୁହେଁ l