କାଶତଣ୍ଡୀ
କାଶତଣ୍ଡୀ
କହ ଏଇ ପଥଧାରେ,
କିଆଁ ଫୁଟିଛୁ ବିଭୋରେ,
କାହା ପଥ ଚାହିଁ ବସିଅଛୁ
କେଉଁ ଆବେଗରେ । 1
ତୋର ଶାନ୍ତ ଶୁଭ୍ର ବେଶ,
ତୋ'ର କମନୀୟ ହସ,
କେଉଁ ଅପରୂପା ରୂପସୀ ତୁ
ଲାଗୁଛୁ ସରସ । 2
କେଉଁ ମଧୁର ସପନ,
ମନ ହୋଇଛି ମଗନ,
କାହା ଲାଗି ସମର୍ପିତ କରି
ଏଇ ତୋର ପ୍ରାଣ । 3
ତୋର ଚାରୁ ହାସ୍ୟ ମୁଖ
ପ୍ରାଣେ ଜଗାଏ ପୁଲକ,
କେଉଁ ମୁଗ୍ଧା ସନ୍ନ୍ୟାସିନୀ ସମ
ହରିନେଉ ଦୁଃଖ ।4
ତୁ କି ଅଳସୀ ନାୟିକା,
ସାଜିଛୁ ଅଭିସାରିକା,
ଶ୍ଵେତ ଶୁଭ୍ର ବସନରେ
କରି ପ୍ରିୟର ପ୍ରତୀକ୍ଷା ।5
ତୋର ଅପାଶୋରା ଶୋଭା
ଆହା କେଡେ ମନଲୋଭା,
ତୁ କି' ଶୁଭ୍ର ପାରିଜାତ
ସ୍ବର୍ଗରାଜ୍ୟୁ ହେଲୁ ଉଭା ।6
ମେଘ ଉହାଡେ ଆକାଶ
ଲୁଚିଥିଲା ଚତୁଃର୍ମାସ
ଲୁହେ ଭିଜୁଥିଲା ଧରା
ମନ ଥିଲା ତା' ବିରସ ।7
ଏବେ ଫେରିଛି ଶ୍ରାବଣ
ତୋଫା ସୁନୀଳ ଗଗନ
ପ୍ରିୟ ମୁଖ ଚାହିଁ ପ୍ରକୃତି କି'
ପୁଲକିତ ମନ ।8
କିବା ଶରତ ଆଗମେ
ଅତି ଉଚ୍ଛ୍ଵସିତ ପ୍ରାଣେ,
ଢାଳେ ଆଲଟ ଚାମର
ଏଇ ପବିତ୍ର ଲଗନେ ।9
ଯେବେ ଧରିତ୍ରୀ ଗଗନ
ପ୍ରେମେ ହୋଇବେ ମଗନ
ତୁ କି' ହେବୁ ତାର ସାକ୍ଷୀ
ତେଣୁ ଛନଛନ ମନ ।10
ଅବା ଦେବୀ ମାତା ମୋର
ଆସୁଛନ୍ତି ମର୍ତ୍ତ୍ୟ ପୁର
ତାଙ୍କ ଆଗମନ ହେତୁ
ତୁ ଯେ ଢାଳୁଛୁ ଚାମର ।11
ତୋର ସୁନ୍ଦର ଆନନ
କ୍ଷଣେ କିଣିନିଏ ମନ,
ଧନ୍ୟ ଅଟେ ସେ ବିଧାତା
ଯିଏ ଦେଲା ତୋତେ ଜନ୍ମ ।12
ବେବୀ ନାୟକ