ସୁପ୍ରଭାତ
ସୁପ୍ରଭାତ
ଘନ ଅନ୍ଧକାର ଘୁଞ୍ଚିଲା ସତ୍ବର,
ଘୋଟକରେ ଉଭା ରବି,
ଘନାକାଶରେ ରକ୍ତିମା ରଙ୍ଗରେ,
ଘମାଘଟ ରଙ୍ଗ ଛବି ।
ଘଞ୍ଚ ବରଡାଳେ ବିହଙ୍ଗମ ମେଳେ,
ଘନଘନ ରାବ ଛାଡି,
ଘଟି ଏକାଠାବେ ଆହାରର ଲଭ୍ୟେ,
ଘର ମଥାନରୁ ଉଡି ।
ଘଣ୍ଟ ତୂରୀ ଭେରୀ ଦେବଦ୍ବାରେ ହୁରି,
ଘେରି କଲେ ସଂକୀର୍ତ୍ତନ,
ଘନଶ୍ୟାମ ନାମ ସ୍ମରି କଲେ କର୍ମ,
ଘୁଞ୍ଚିବାକୁ କ୍ଳେଶମାନ ।
ଘଟେ ଧରି ଜଳ ଥୋଇ ନାରିକେଳ,
ଘନକୃଷ୍ଣେ ହେଲି ଲୀନ ,
ଘୁଞ୍ଚୁ ବାଧାବିଘ୍ନ ଶୁଭେ ଯାଉ ଦିନ,
ଘେନ ଦୀନ ନିବେଦନ ।
ଘଣ୍ଟକୁ ଘୋଡାଇ ରଖ ଦୀନସାଇଁ,
ଘାତ ହେଉ ପ୍ରଭୁ ଦୂର ,
ଘୋର ବିପଦରେ ସାହା ହେବ ବାରେ,
ଘେନ ମାଗୁଣି ମୋହର ।
ଘଟର ମାଲିକ ଦୁଷ୍ଟ ସଂହାରକ,
ଘୋରପାପୁଁ ତ୍ରାହିକର ,
ଘର ଜଞ୍ଜାଳରେ ଛନ୍ଦି ହେଲି ବନ୍ଦୀ,
ଘୋର ହେଲା ପାପଭାର ।
( ଉଷାରାଣୀ ପଣ୍ଡା )