ଓଠ
ଓଠ
ସୁରେଶପ୍ରସାଦ ମିଶ୍ର
ଓଠ ପାଇଁ ଶବ୍ଦଟିଏ ନା
ଶବ୍ଦପାଇଁ ଓଠ ଟିଏ ଲୋଡ଼ା ?
ଆବେଗ ହୀନ ମୂହୁର୍ତ୍ତ ମାନଙ୍କୁ ତ
ଆପଣା ଭିତରେ ରଖିଥାଏ
ଓଠର ଦୁଇଟି ପାଖୁଡ଼ା l
ଓଠ ବାଟ ଫିଟେଇ ଦିଏ
ଶବ୍ଦର ତାର ମାନଙ୍କୁ
ଲକ୍ଷ୍ୟ ଭେଦପାଇଁ ,
କେବେ କେବେ ସେଇ ଓଠ
ଲୁହା କବାଟ ପରି
ବନ୍ଦ କରି ପକାଏ ଶବ୍ଦର ଯାତ୍ରା l
ଓଠ ,
ଅବରୁଦ୍ଧ ଅଭୀପ୍ସାର
ଏକ ଜଉମୁଦ ଲଫାପା ,
ଓଠ ସଞ୍ଚରି ଯିବାର ଏକ
ଉଦଗ୍ର ପିପାସା ;
ଲାସ୍ୟର, ହାସ୍ୟର, ମରଣର
ଆଉ ଆଉ ଅନେକ କାରୁଣ୍ୟର,
କଣ୍ଟକିତ ଅରଣ୍ୟର
ଏକ ଜୀବନ୍ତ ଜିଜ୍ଞାସା l
ଓଠ ହିଁ ତ
ରତ୍ନାକରକୁ କରେ ବାଲ୍ମୀକି,
ଦୁଇଟି ଓଠ ଭିତରେ
ସମାହିତ ହୋଇଯାଏ ପୃଥିବୀ l
ସିଏ ସଞ୍ଚାରୀ, ସଦାଚାରୀ
ସିଏ ବ୍ୟଭିଚାରୀ, ବାରନାରୀ,
ଓଠ ହିଁ ତ ଜୀବନ ନାଆରା
ଏକାକୀ ନାଉରୀ l
ଓଠ ଏକ ସାଦୃଶ୍ୟ ସମାଧି
ଆଚମନ ଓ ଚୁମ୍ବନର
ଏକ ଗଭୀର ଜଳଧି,
ଓଠ କରିପାରେ ସ୍ଵପ୍ନାବିଷ୍ଟ;
ଏଇ ଓଠ ପୁଣି କରିପାରେ
ଅବଶିଷ୍ଟ ଆୟୁଷକୁ ନଷ୍ଟ l