ବତୀଖୁଣ୍ଟ
ବତୀଖୁଣ୍ଟ
*******
ଏକାକୀତ୍ୱ ନୁହେଁ ନୀରବତା,
ଅଯଥା ଅଟୋପ କୁ,
ପ୍ରତିହତ କରିବାର,
ପ୍ରୟାସ ହିଁ ମାତ୍ର l
ଧୂ ଧୂ ବେଳା ଭୁଇଁରେ,
ଦଣ୍ଡାୟମାନ ଦିଗବାରଣୀ,
ଲାଗେ ଏକା ଏକା କିନ୍ତୁ,
ତା ନିରାବତାର ସ୍ୱରରେ,
ସ୍ବର ମିଳାଇ l
କୋଳାହଳ କରୁଥାନ୍ତି,
ଧାବମାନ ଗୁଡକଙ୍କ,
ଓ ଚଳ ଚଂଚଳ ବାଲି କଙ୍କଡା ।
ନୋଳିଆ ପିଲାଙ୍କ ଖରାଖିଆ,
ଫୁଙ୍ଗୁଳା ଦେହ,
ଓ ମାଛଧରା ଡ଼ଙ୍ଗାର ଆଦାୟ ।
ମୁହଁ ସଞ୍ଜ ଅନ୍ଧାରରେ,
ମିଞ୍ଜି ମିଞ୍ଜି ତେଲ ବତୀ,
ଘଣ୍ଟିର ଟିଂଟିଂ ଶବ୍ଦ ।
ଲୁଣା ପବନରେ ଫେଣ୍ଟ।ଫେଣ୍ଟି.
କଳ୍ପନାର କିଛି କାଚଘର.
ଓ ହସକାନ୍ଦ ର କିଛି.
ନିରୋଳା ଦ୍ଵିପହର ।
ସଂକେତ ଦେଉଥାନ୍ତି,
ସଂସାର ଟିଏ,
ଏଠି ବି ଅଛି,
ଶବ୍ଦର ।
ନିରବ ବତୀଖୁଣ୍ଟ,
ତା ଶିରାରେ ଶିରାରେ,
ଅଦ୍ୟରୁ ଅଟକ,
ଅନେକ ମୁହଁର ଭାଷା,
ଅନେକ ଜାତିର ଆଶା,
ଆଫ୍ରିକୀୟ ମଙ୍ଗୋଲିଓ କକେଶୀୟ.
ଆର୍ଯ୍ୟ ଦ୍ରାବିଡ଼ ଓ ୟୁରୋପୀୟ ।
ସେ ଶବ୍ଦର ସୂତ୍ରଧର.
ନିଃଶବ୍ଦରେ ବିନ୍ଦୁବିନ୍ଦୁ ଯୋଡ଼େ,
ଶବ୍ଦର ଆକାଶରୁ,
ଆଲୋକ ବର୍ଷକୁ ଦୋହାଡ଼େ ।
ବତୀଖୁଣ୍ଟ ବୟାନ ତ ଦିଏ ନାହିଁ,
ବ୍ୟୁତ୍ପତ୍ତିର ସାକ୍ଷୀ ହୋଇ,
ସମୟର ଶବ୍ଦ ହୋଇ ଯାଏ.
ହିମାଳୟ ହୋଇ l
ଜିଣିପାରେ, ଲଙ୍ଘିପାରେ.
ଶବ୍ଦର ସମୁଦ୍ର,
ଶିଳା ଲିପି ହୋଇ,
ରଚିଯାଏ ଇତିହାସ,
ମାଟି ଓ ମଣିଷର ।
*****
ଡ ବିଦ୍ୟୁତପ୍ରଭା ଗନ୍ତାୟତ