ଶେଷ ନିଃଶ୍ବାସ
ଶେଷ ନିଃଶ୍ବାସ
ମୋ ଅବଶିଷ୍ଟ ଆୟୁଷରେ
ଯଦି ନକ୍ଷତ୍ରମୟ ହୋଇପାରେ
ତମ ସ୍ବପ୍ନର ଆକାଶ,
ମୋ ଦୀର୍ଘଶ୍ବାସରେ ଯଦି
ମଳୟସ୍ପର୍ଶା ହୋଇପାରେ
ତମ ପୁଷ୍ପିତ ଉଦ୍ଯାନ,
ମୋ ପଶ୍ଚାତ୍ତାପରେ ଯଦି
ତ୍ରୁଟିହୀନ ନିଷ୍ପାପ ହୋଇପାରେ
ତମ ସ୍ବର୍ଣ୍ଣିମ ଭବିଷ୍ଯତ,
‐ ଦେବାକୁ ମୋର କୁଣ୍ଠା ନାହିଁ ।
ତମ ସ୍ବପ୍ନର ଶାମୁକାରେ
ଅଜାଡିଦେବି ମୋର
ଅବଶିଷ୍ଟ ପ୍ରତାରିତ ଲୁହ
‐ ଆଂଜୁଳି ଭରିବ ମୁକ୍ତାରେ,
ତମ ଧମନୀର ରକ୍ତ ପ୍ରବାହରେ
ଭରିଦେବି ମୋର
ଛାତିତଳ ଉତ୍ତପ୍ତ କୋହ
‐ ବେପଥୁର କଦମ୍ବ ତୋଳିବ ତନୁରେ,
ତମ ପ୍ରୀତିର ଚନ୍ଦନ ପେଡିରେ
ଝାଳ ଓ ଜ୍ବାଳା ଦେଇ
ଘୋରିଦେବି ମୋ
ଖଇଫୁଟା ଅସରନ୍ତି
ଅବସୋସର ଖରାବେଳ
‐ ଚନ୍ଦନ ଚର୍ଚ୍ଚିତ କରିବ କପାଳ,
ମୋ କଳଙ୍କର କଜ୍ଜଳରେ
ରଞ୍ଜିତ କରିବି ତମ ଭ୍ରୂଲତା
‐ ଛନ୍ଦ ତୋଳିବ କଟାକ୍ଷ !
ତମ କଟାକ୍ଷର ନିମନ୍ତ୍ରିତ
ଅତିଥିକୁ ଚାହିଁବ ତ
ନିଜକୁ ଶୀତର ଶିକୁଳି କରି
ବାନ୍ଧିଦେବି ତମ ଯୌଥ‐ରାତ୍ରି
ମୋ କାବ୍ଯମୟ ସତ୍ତାର
ଉଷୁମ୍ ଗଜଲରେ ।
ଚାହିଁବ ତ
ତମ ଯୌଥ‐ନିଃଶ୍ବାସର ଝଡ
ଆଲିଙ୍ଗନର ଉଦଗ୍ର ଶୋଷକୁ
ନିବିଡ ନିଷ୍କଣ୍ଟକ କରିଦେବି
ମୋ ଶେଷ ନିଃଶ୍ବାସରେ !