ବର୍ଷାରେ ଚା ପିଆ
ବର୍ଷାରେ ଚା ପିଆ
ସେ ଦିନର କପେ ଚା
ରାସ୍ତା କଡ଼ର ଦୋକାନରୁ;
ଦୁଇଟି ଉଷ୍ମ ଓଠର ମିଳିତ ପ୍ରୟାସ,
ବିଚରା ନିରୀହ କାଚଗ୍ଲାସଟିର ତତଲା ଦେହରେ କ୍ରମାନ୍ଵୟ ଚୁମାମାନ
ବର୍ଷା ଭିଜା ଦୁଇ ତନୁ..ଉପରେ ଭାରି ଥଣ୍ଡା,
ଭିତରକୁ ଠିକ୍ ଓଲଟା--
ଉଷ୍ମରୁ ଉଷ୍ମତର--ଗୋଟେ ଢୋକ ଚା ରେ
ଦେହରୁ ପାଏ ଖଣ୍ଡେ ଉଷ୍ମ ହୁଏ--
ଆଖି ଆଖିକୁ ଚାହୁଁଥାନ୍ତି--ଦୁହେଁ ଦୁହିଁଙ୍କର।
ବୋଧହୁଏ ଆଷାଢ଼ର ପହିଲି ଅସରା,
ମୁହଁମୋଡ଼ା ମୌସୁମୀର ମାନଭଞ୍ଜନ ପରେ,
ଉନ୍ମୁକ୍ତ ଉଦଣ୍ଡ କଚଡ଼ାରେ,
ରାସ୍ତା ସାରା ଅସୁମାରୀ ପାଣିଫୋଟକା ମାନଙ୍କର ଧାଁଧପଡ଼--
ଆମର ମିଠା ମିଠା ସ୍ୱପ୍ନ ଭଳି
ଧାଡ଼ି ପରେ ଧାଡ଼ି, ପ୍ରତିସ୍ପର୍ଦ୍ଧା ରେ।
ମନେ ଅଛି ତୁମେ ଅନ୍ୟମନସ୍କ ହେଲ--
ଥୋକାଏ ପବନରେ ମେଞ୍ଚାଏ ବର୍ଷା ପାଣିରେ,
ଅଧା ଭିଜା ଦେହ ଭିତରେ ପୂରାଭିଜା ମନ,
ତୁମେ ମୁହଁକୁ ବୁଲେଇ ଦେଲ, ଶିହରୀ ଗଲ,
ମୁଁ ପୂରା ସ୍ଥାଣୁ ଥାଏ-- ଉପରୁ ଜୀବନ୍ତ କିନ୍ତୁ ଭିତରୁ ମୂର୍ତ୍ତିମନ୍ତ;
ତାଳୁରୁ ତଳିପା ଯାଏଁ ତରଳୁଥା'ନ୍ତି ମୋର ସଂଯମ କବଳିତ ଅଙ୍ଗପ୍ରତ୍ୟଙ୍ଗ
ଇଚ୍ଛାମାନେ ନିଜକୁ ବନ୍ଧନମୁକ୍ତ କରୁଥାନ୍ତି ଜଣକ ପରେ ଜଣେ।
ପାଣିର ବିଧର୍ମୀ ପଣିଆ--ନିଜେ ଥଣ୍ଡା..ହେଲେ ଆମକୁ ଜଳାଉଥାଏ,
ଫିକା ପଡ଼େ ଜଳର ଶୀତଳତା ଆମ ଦେହ ଉଷ୍ମତା ଆଗରେ,
ନିଃଶ୍ୱାସ ବି ତତଲା ତତଲା..ଧୀରେ ଧୀରେ....
ଏବେ ଚା କପଟା ବି ବହୁତ ଥଣ୍ଡା,
କପେ ପରେ ଆଉ କପେ..ଏମିତି ଦୁଇ କି ତିନୋଟି
ଠିକ୍ ରେ ମନେ ନାହିଁ, ତୁମର ବି ନଥିବ
କେତେବେଳେ ବର୍ଷା ଛାଡ଼ିଲା--ମନେ ନାହିଁ,
କିଏ ଦେଖୁଥିଲା ତା ବି ମନେ ନାହିଁ,
କେବଳ ମନେ ଅଛି-- ଥିଲ ତୁମେ.. ଥିଲି ମୁଁ।
ଦୁଇଜଣ ବର୍ଷାର ଆର୍ଦ୍ରତାକୁ, ଦେହର ଉଷ୍ମତାକୁ, ଚା କପ୍ ର ନିର୍ଜୀବତାକୁ ଚିରି
ଚାଲି ଯାଇଥିଲେ ଭାବାତୀତ, କାଳାତୀତ, ଦେହାତୀତ ମଣ୍ଡଳକୁ
ବର୍ଷା ସହ ବର୍ଷା ହୋଇ ବର୍ଷୁଥିଲେ ଅସରା ଅସରା,
ଚା ହୋଇ ପିଉଥିଲେ ପରସ୍ପରକୁ।।
ଫ୍ରାନସିସ୍ ଶତପଥୀ