SEITHI KEMITI HEBA
SEITHI KEMITI HEBA
ସେଇଠି କେମିତି ହେବ
-----------------------
ଲିଭି ଲିଭି, ଲିଭି ଯାଇନି ଏବେ ବି
କଳ୍ପନା-ଦୀପଶିଖା,
ଅଳ୍ପ ହେଲେ ବି ଲେଖୁଛି ଯା’ଅଛି
ସ୍ମୃତିରେ ଜ୍ୟୋତିର ରେଖା |-୧
ପିଲାବେଳ କଥା ଲାଗେ ମିଠା ମିଠା,
ଅଧା ଅଧା ମନେହେଲେ,
ଦିଗ୍-ବଳୟ ବି କେଡେ ମଧୁମୟ
ଛାଇ-ଆଲୁଅର କୋଳେ | -୨
ସେଇଥି ପାଇଁ ତ ସୁମଧୁର ଗୀତ
ପ୍ରଭାତ-ସଞ୍ଜ ବେଳେ,
ଦୂର ପରିଜନ ଖବର ମଧୁର
ଅଧା ଲିଭା ଚିଠି ଗାରେ | -୩
ଲିଖନ ପଠନ ମଧୁର ଗଭୀର
ଅଧା ଅଧା ରାତି କାଳେ,
ବଂଶୀର ତାନ ଜିଣି ନିଏ ମନ
ଉଦୁ ଉଦୁ ଖରା ବେଳେ | -୪
ନଵ ଵଧୂ ମୁଖ କେଡେ ମଧୁ ଦେଖ
ଅଧା ଓଢଣା ଭିତରେ,
ପ୍ରିୟା-ପ୍ରତିଶ୍ରୁତି ଲାଗେ ମଧୁରାତି
ଭୀତିଭରା ପୀରତିରେ | -୫
ସେ ପାରି ଡାକରା ରହି ରହି ଆସେ
କାନେ ପଶେ ଅଧା ଅଧା,
ଅଧା ଶୁଣି ଅଧା ଶୁଣେ ନାହିଁ - କରି
ସାରିନି ମୁଁ ପାଟ ପିନ୍ଧା | -୬
କହେ ଶାସ୍ତ୍ରଜ୍ଞାନ - ଫେରି ଯା ବହନ,
ଏଠୁ ନିଅ କାଢି ମନ,
ଛାଡି ଛାଡି, ଛାଡି ଦେଇ ପୂରାପୂରି
ପାରୁ ନାହିଁ ଵନ୍ଧନ | -୭
ଯିବାକୁ ଆତୁର, ବେଳ ତ ଉଛୁର,
ଯିବି ଆଜି ଅବା କାଲି,
ଭୁଲିବନି କେହି, ମୁଁ ବି ଭୁଲୁ ନାହିଁ,
ଗଲେ ବି ଆସିବି ବୁଲି | -୮
ତୁମ ସାଙ୍ଗେ ଏଠି ନିତି ବସି ଉଠି,
ମନ ସେଠି ପରପାରେ,
ସେଇଠି ଯାଇକି ସେଇଆ ହେବ କି,
ମନ ଥିବ ଦୁଇଠାରେ ? -୯
ଲଲାଟେନ୍ଡୁ କବି ୦୪ ନଭେମ୍ବର ୨୦୧୪
ଶ୍ରୀ ହରିଶରଣମ୍