ମରିଚୀରେ ସରିଚି
ମରିଚୀରେ ସରିଚି
ମରିଚୀରେ ସରିଚି
ଏ କ୍ରତୁ ପୁଲହ ପୁଲସ୍ତ୍ୟ ଓ ଅତ୍ରି ଅଙ୍ଗିରା ଵଶିଷ୍ଠ ମରୀଚି,
ସାତ ଋଷିଙ୍କର ତାରକା ମଣ୍ଡଳ ଏହିଠାରେ ବାବୁ ସରିଛି | -୧-
ଶେଷ ଦୁଇଟିକୁ ଯୋଡି ଯେବେ ବାପା ତାଣି ଦେବୁ ରେଖା ଏକ,
ଉଜ୍ଜ୍ଵଳ ନକ୍ଷତ୍ର ଦେଖିବୁ ଯାହା ସେ ଧ୍ରୁଵତାରା ମନେ ରଖ | -୨-
ସୂର୍ଯ୍ୟ ଚନ୍ଦ୍ର ଗ୍ରହ ଜ୍ୟୋତିଷ୍କ ନକ୍ଷତ୍ର ସଭିଏଁ କରନ୍ତି ଗତି,
ଏକା ଧ୍ରୁଵତାରା ସ୍ଥିର ସବୁଦିନେ ଉତ୍ତର ଦିଗେ ତା ସ୍ଥିତି | -୩-
ଧ୍ରୁଵତାରା ପରି ଅଟଳ ରହିବୁ ନୀତିରୁ ହଟିବୁ ନାହିଁ,
କିଛି ନ ଦେ ମୋତେ, ମଲେ ନିଆଁ ଦେବୁ, ଶେଷ ଇଚ୍ଛା ଦେଲି କହି | -୪-
ଵିଳୁତ ବୟସେ ବୁଝିଲି କିଛି ମୁଁ ପିତାଙ୍କ ଶେଷ ଵଚନ,
ଛାତେ ସପ ପାରି ଶୋଇଥିଲୁ ଆମେ, ସେ ଥିଲା ଗ୍ରୀଷମ ଦିନ | -୫-
ବଡ ହେଲି ଯେବେ ଛାଡ଼ି ଭିଟାମାଟି ଆସିଲି ଵିଦେଶ କରି,
ବୁଡି ରହିଲି ମୁଁ ଜଞ୍ଜାଳ ଭିତରେ, ଧରି ଦୁଇ କନ୍ୟା, ସ୍ତରୀ | -୬-
ଶିଶୁ କନ୍ୟା ଦୁହେଁ ଶିଖିଲେ ମୋ’ ଠାରୁ ଚିହ୍ନି ସେହି ଗ୍ରହ ତାରା,
ବଡ ଝିଅ ଟି ତା’ ଜେଜେବାପାଙ୍କର ସାଜିଲା ଦୁଃଖ-ପାଶୋରା |-୭
କାଳର କବଳେ ଜେଜେବାପା ତା’ର ଗଲେ ଦୁନିଆଁରୁ ଚାଲି,
ଜୀଵନରେ କିଛି ଦେଇ ତ ନ ଥିଲି, ମୁଖାଗ୍ନି ଟିକକ ଦେଲି | -୮
କିଛି ଦିନ ଗତେ ପୁଣି ସେଇ ଛାତେ ଶୋଇଥିଲୁ ଆମେ ଯେବେ,
ଝିଅ ପଚାରୁଛି – ଜେଜେବାପା ବି ତ ତାରା ହେଇ ରହିଥିବେ |-୯
ସପ୍ତର୍ଷି ମଣ୍ଡଳ ନକ୍ଷତ୍ର ଭିତରେ ଜେଜେବାପା କିଏ ମୋର ?
କହି ଦିଅ ବାପା ମନ ମୁଁ କରିଛି, କରିବି ତାଙ୍କୁ ଜୁହାର | -୧୦
ଝିଅ କଥା ଶୁଣି ଜିଭ ଶୁଖି ଗଲା; କହିଲି ଏତିକି ଭାଷା –
ମରୀଚି ମାଆ ସରିଚି ରେ ସବୁ, ନ କର ଆଉ ସେ ଆଶା | -୧୧
ଲଲାଟେନ୍ଦୁ କବି
୨୩ ଜୁଲାଇ ୨୦୧୪ ଶ୍ରୀ ହରିଶରଣମ୍