ମରୁଡି
ମରୁଡି
ଶତ୍ରୁଘ୍ନ ପାଣ୍ଡବ
ଅନାବୃଷ୍ଟିର ଏନ୍ତୁଡି ଶାଳରୁ
ଭୂମିଷ୍ଠ ହୁଏ ମରୁଡି
ତା’ର ଚିର ଚିରା ଶବ୍ଦର କୁହାଟରେ
ତାବ୍ଦା ହୁଏ ମାଟି
ଖରାର ତାତିଲା ତାୱାରେ
ତା’ ଦିହକୁ ସେ ସେକେ l
ଚାହାଣିର ତା’ର ଲହଲହ ମରୀଚିକା
ଓଠରେ ଶେଷହୀନ ଶୋଷର ମରୁଭୁମି
ତା’ ଭୋକର ଅଣଚାଶରେ
ଛିନ୍ନଛତ୍ର ହୁଏ ଗଛବୃଛ
ଶୋଷାଡି ନିଏ ଦିହରୁ ରକ୍ତ ମାଂସ
ହାଡରୁ ଶସ l
ତା’ ପାହୁଣ୍ଡ ପଡିଲେ ଚଡକିଯାଏ
ସାବୁଜା କ୍ଷେତ
ଫାଟି ଖଣ୍ଡ ଖଣ୍ଡ ହୁଏ
ଛାତିର ଗଣି ହୋଇ ଯାଉଥିବା ପଞ୍ଜରାର
ହାଡ ପରି ଦିଶେ
ଶୁଖିଲା ଠକ୍ ଠକ୍ l
ଏଥୁଅନ୍ତେ
ବିଷ ଶିଶିକୁ ସନ୍ତର୍ପଣରେ
ଖୋଜୁଥାଏ କେହିଜଣେ
ବେକର ଫାଶ ପାଇଁ ଡୋରକୁ ଘଷିମାଜି
ଚିକ୍ କଣ କରୁଥାଏ କେହିଜଣେ
ହାତରୁ ଚୁଡି ଭାଙ୍ଗିବାକୁ
ସଜ ହେଉଥାଏ କେହିଜଣେ
ଅନାଥ ପିଲାଙ୍କ କାନ୍ଦରେ ତିଆରି କୋକେଇକୁ
ବାନ୍ଧୁଥାଏ କେହିଜଣେ l
ଛିଣ୍ଡା ଛିଣ୍ଡା ବଉଦର ମଲାଗଜରା ପିନ୍ଧି
ସୁଦୂର ଛାୟା ମଣ୍ଡଳରୁ
ଓହ୍ଲାଇ ଆସେ କାଳ ପୁରୁଷ
ପାଦ ପଡେ ତା’ର ବହୁ ଦର ନିଭା
ଚିତାର ଝୋଟି ଉପରେ l