Lopamudra Parida

Others

4.6  

Lopamudra Parida

Others

ତୁମ ନାମେ ଚିଠିଟିଏ

ତୁମ ନାମେ ଚିଠିଟିଏ

2 mins
27


ପୋଷ୍ଟ କରିଦେଲି ଡାକଘରେ। ଲେଖିଥିଲି ଅନେକ କଥା, ବ୍ୟଥା, ଭାବନା, ସପନ ସବୁ। ତା 'ପାଇଁ, ଯିଏ ମତେ ଚିହ୍ନେନା ବୋଲି ମତେ ଲାଗେ । 

ଯାହାକୁ ମୁଁ ଚିହ୍ନେ ଅନେକ ଜନ୍ମରୁ। 

ଯାହାକୁ ମୁଁ ଭାବେ। ଭାବିବାକୁ ଭଲ ପାଏ । ଭାରି ଭଲ ପାଏ,ତାକୁ ଭାବିବାକୁ । ସେ ଜାଣନ୍ତା ବି କେମିତି ଯେ ମୁଁ ତାକୁ ଭାବେ ବୋଲି । ଏଇ ତ ପ୍ରଥମ ଥର ଚିଠିଟା ପଠେଇଲି । ଆଗରୁ ନହେଲେ ତ ଲେଖେ ଆଉ ଚିରି ଦିଏ ଅନେକ ଥର, ଲେଖେ ଆଉ ଲୁଚାଏ । କାହାକୁ ଲୁଚାଏ କେଜାଣି?? ବୋଧେ ନିଜକୁ । ଅନେକ ଲେଖିଛି, ଆଜି ଏତେ ଦିନେ ସାହସ ପାଇ ପଠେଇଛି । ସାହସଟି ବି ତାର, ସିଏ ଦେଇଛି । 

ଚିଠିରେ ମୁଁ ସବୁ ଲେଖେ, ଯେମିତି ତାକୁ ମୁଁ କାଲି ଛାତ ଉପରେ ବାଦଲ ସାଙ୍ଗରେ ଖେଳୁଥିବାର ଦେଖିଲି, ଟିଭି ପରଦାରେ କାହା ସାଙ୍ଗେ ନାଚୁଥିବାର ଦେଖିଲି, ତା କଥା ଭାବୁ ଭାବୁ ଝୁଣ୍ଟିଲି ଆଉ ପଡି ଗୋଡ କାଟିଲା ଏମିତି ସବୁ । ମୁଁ ଜାଣିଛି ସବୁଆଡେ ସିଏ ହିଁ ସିଏ ମତେ ଦିଶେ, ମୁଁ କଣ କରିବି ଯେ । ସେଇଟା ତା ଦୋଷ ନା ମୋର ଯେ । ସିଏ କାଇଁ ମତେ ଦିଶେ କି ?? ଅନ୍ତର୍ଯ୍ୟାମୀ ଓ ସର୍ବବ୍ୟାପୀ ସେ । 

ଓ ହଁ ମୁଁ ତାକୁ ଭାବେ ପରା, ସିଏ କୁଆଡେ ଯିବ ? ସିଏ ବା କହୁଥିଲା ମୁଁ ଶୁଣିଛି ଯେ ତାକୁ ଯିଏ ଭାବେ ସିଏ କାଳେ ତାକୁ ସବୁଠି ଦିଶେ । କିନ୍ତୁ ମତେ ତ ଶୁଭେ ଆଉ ହସେ ବି । ସମସ୍ତଙ୍କୁ କାଇଁ ଦିଶିବ ମ, ମୁଁ ଜାଣେ ମୋ ସାଙ୍ଗରେ ହିଁ ସେ ଲୁଚକାଳି ଖେଳିବାରେ ଆନନ୍ଦ ପାଏ । ଆଉ ତା ଆନନ୍ଦରେ ମୋର ଅମୃତ । 

ସନ୍ଧାନ ଓ ସ୍ପନ୍ଦନ ଏକା ହେଇଗଲେ ଆଉ ବା କଣ ଥାଏ । 

ଏଇ ତ ମଗ୍ନ । ଅଭିଭୂତ । ଶାଶ୍ୱତ । 

ଇସ୍!!! 

ଗଲା ତା ଚିଠିରେ ଠିକଣା ନ ଲେଖି ପକେଇ ଦେଲି । । । । ମୁଁ କୋଉ ଜାଣେ କି ତା ଠିକଣା ଲେଖିଥାନ୍ତି !!! ଅକ୍ଷର ସୁନ୍ଦର କରୁ କରୁ ଠିକଣା ଖୋଜିଲି ବି କେତେବେଳେ !!!!

ବେନାମୀ ନା ବେରିଂଗ । ପହଞ୍ଚି ଯିବ କିନ୍ତୁ । ପାଇଯିବ ସେ । ମୁଁ ଜାଣେ । ସେ ଧୁରନ୍ଧର । 

ଅଲେଖା ଚିଠି ଯେ ପଢିପାରେ ତା ପାଇଁ ଏ ମୋଡା କାଗଜର ମାନେ........ !!!!

ଖାଲି ଥାଏ ଭାବ, ଭାବ ଆଉ ଭାବ । ବାସ୍ । ପହଞ୍ଚି ଯାଏ ନିର୍ବିଘ୍ନରେ । ଶବ୍ଦ ହଜାଏ ନିଜ ଅସ୍ତିତ୍ୱ । 

ଆରମ୍ଭ

ହେ ମୋର ପ୍ରାଣ ପ୍ରିୟ ସଖା

ହେ ଶ୍ୟାମ 

*

*

*

ଇତି

ତୁମ ସଖି । । 

ସଖି ତ ?? ସଖି ଲେଖି ଠିକ୍ କଲି ତ !! ରାଧାଠୁ ଶିଖି ଲେଖିଦେଲି ନା ଅନ୍ତର କହିଲା!!! ମୁଁ ତାକୁ ସଖା ମାନିସାରିଛି । ଆଉ ସେ ......। ତାକୁ ବା "କିନ୍ତୁ " ଶବ୍ଦ ଭଲ ଲାଗେନି । ଥାଉ ସଖି ହିଁ !!! ହେଇପାରେ ମୋ ନାଁ ବିଶାଖା, ଲଳିତା ବା ଚିତ୍ରା ବା ......... । ଥାଉ । 

ପୋଷ୍ଟ ମାଷ୍ଟରଟି କାହୁଁ ଖୋଜିବ ସତେ । 



Rate this content
Log in