Sachidananda Kar

Others

3  

Sachidananda Kar

Others

ଟିକିଲି

ଟିକିଲି

2 mins
435



        ଟିକିଲିଟା କେଉଁଠି ଯେ ଗଳି ପଡିଲା ! ପ୍ଲାଟଫର୍ମରେ ଏକୁଟିଆ ବସି ବସି ଭାବୁଥିଲି। ଟ୍ରେନ୍ ଲେଟ୍ ଥିଲା।ସୂଚନା ପ୍ଲାଟଫର୍ମରେ ପହଞ୍ଚିବା ପରେ ହିଁ ମିଳିଲା। ମୋର ଏମିତି ତରତର ହୋଇ ଆସିବାର ନ ଥିଲା।ସବୁ ବେକାର୍,ଫାଲତୁ। - ରାଗରେ ଗରଗର ହେଉଥିଲି।

ଅପେକ୍ଷା କରିବାଟା ସବୁବେଳେ ସବୁଠାରୁ ବେଶୀ କଷ୍ଟ।ତଥାପି ଅପେକ୍ଷା କରିବାକୁ ପଡିଲା।ମୋତେ ଘେରି ରହିଥିଲା ଅନେକ ଅନେକ ଅବଶୋଷ।

ଅପେକ୍ଷା ଜନିତ ଗ୍ଳାନିରେ ସଢୁଥିଲି।ସେଥିରୁ ଟିକେ ମୁକୁଳି ଆସିବା ପାଇଁ ଭ୍ୟାନିଟରୁ ମୋବାଇଲ ବାହାର କରି ନିଜର ମୁହଁ ଦେଖୁ ଦେଖୁ ନଜର ପଡିଲା ମଥାରେ ଟିକିଲିଟି ନାହିଁ।

କ'ଣ କରିବି,କ'ଣ ନାହିଁ ଭାବି ବିଚଳିତ ହେଲି।ମୋ ପାଖରେ ଆଉ ଗୋଟିଏ ଟିକିଲି ନ ଥିଲା।

ଏଇନା ଶୂନ୍ୟ ମଥାରେ ମୋତେ ସମୁଦାୟ ବାଟ ଯାତ୍ରା କରିବାକୁ ହେବ ହିଁ ହେବ।ମନଟା ଆଦୌ ସ୍ଥିର ରହିଲା ନାହିଁ।

କେବେ ମଥା ଶୂନ୍ୟ କରି ରଖିବାକୁ ମତେ ଆଦୌ ଭଲ ଲାଗେନା।ସିଏ ବି ଆଦୌ ଭଲ ପାଆନ୍ତିନି।ଏଇନା ସାଙ୍ଗରେ ଥିଲେ କ'ଣ ନାହିଁ କ'ଣ କହିଥାନ୍ତେ। - ମୋ ମନ ଖାଲି ଗୁଡେଇ ତୁଡେଇ ହେଲା।

- ' ମଥା ପାଇଁ ସିନ୍ଦୂର ଖୁବ୍ ଭଲ।କେଉଁଠି ପଡି ଯିବାର ସମ୍ଭାବନା ହିଁ ନ ଥାଏ ସେଥିରେ। ଆହୁରି ମଧ୍ୟ ସିନ୍ଦୂରରେ ଜଣେ ନାରୀ ବେଶୀ ଲୋଭନୀୟ ଲାଗେ। ' ସେ ମୋତେ କେତେ ଥର ଏପରି କହିଥିବା ମନେ ପଡିଲା।

- ' ଚାକିରୀ ପାଇଁ ବାହାରକୁ ଯାଉଥିବା ମହିଳା ସିନ୍ଦୂର ଅପେକ୍ଷା ଟିକିଲି ବେଶୀ ପସନ୍ଦ କରନ୍ତି।ଝାଳ ବୋହିଲେ ନେସି ହେବାର ଆଶଙ୍କା ନ ଥାଏ।ଖୁବ୍ କମ୍ ସମୟରେ ବି ବ୍ୟବହାର କରିହୁଏ। ' ମନେପଡିଲା ତାଙ୍କୁ ମୋର ଏ ଯୁକ୍ତି।

ପୂଜା ଛୁଟି ପରେ ପରେ ଘରେ ତାଙ୍କୁ ଛାଡିଦେଇ ଚାକିରୀ ସ୍ଥାନକୁ ଯିବା ପାଇଁ ଘରୁ ବାହାରି ଆସିଥିଲି।ସେ ଅଫିସ୍ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ।ଡ୍ରାଇଭର ଆଣି ଷ୍ଟେସନରେ ଛାଡ଼ି ଦେଇ ଫେରି ଯାଇଥିଲା।

ସବୁ ଭାବନା ଓ ଦୀର୍ଘ ଅପେକ୍ଷାରେ ଭଟ୍ଟା ପକାଇ ପହଞ୍ଚିଲା ଟ୍ରେନ୍।ଅପେକ୍ଷାରତ ଯାତ୍ରୀଙ୍କ ସହିତ ଉଠି ଯାଇ ସିଟରେ ବସିଲି।ଟ୍ରେନ୍ ଛାଡିଲା।


ଧୀରେଧୀରେ ଟିକିଲି କଥା ଭୁଲିଗଲି।ଏବେ ଭାରି ମନେ ପଡୁଥିଲା ଛୁଟିରେ ତାଙ୍କ ସହିତ ବିତିଇଥିବା ମଧୁର ମୁହୂର୍ତ୍ତର କଥା ସବୁ।ତାଙ୍କ ପାଖରେ ଛାଡି ଆସିଥିବା ସେଇ ମୁହୂର୍ତ୍ତମାନେ ମୋ ସାମ୍ନାରେ ଧାଡି ବାନ୍ଧି ଠିଆ ହୋଇଥିଲେ।ମୋବାଇଲରୁ ଗ୍ୟାଲେରୀ ସର୍ଚ୍ଚ କରି ଫଟୋ ସବୁ ଦେଖୁଥିଲି, ଯାହା ଆମେ ଦୁହେଁ ସାଥି ହୋଇ ଉଠାଇଥିଲୁ ଛୁଟିରେ।ସେଇ ଫଟୋଗୁଡିକ ପୁଣି ଅନେକ ଅନେକ କଥା ମନେ ପକାଇ ଦେଉଥିଲେ।ମନେମନେ ହସୁଥିଲି।ଖୁସି ହେଉଥିଲି।

ହଠାତ୍ ମୋ ଫୋନ୍ ବାଜି ଉଠିଲା।

- ' ଏବେ କେଉଁଠି ପହଞ୍ଚିଲ ? ଟିକିଲିଟା ଗାଡି ସିଟରେ ପକେଇ ଦେଇ ଯାଇଛ ଯେ ? ମୁଁ ପାଇଛି।ସିନ୍ଦୂର ଲଗାଇବାକୁ ଯେତେ କହିଲେ ବି ହେଲାନି।ଏବେ ସେହି ଟିକିଲି କଥା ଭାବୁଛ ନା ? ' ରିସିଭ୍ କରୁକରୁ ଭାସି ଆସିଲା ତାଙ୍କର ଏଇ ସ୍ବର।

- ' ତୁମେ ତ ମୋ ଟିକିଲି।ତୁମେ ତ ମୋ ସିନ୍ଦୂର।ତୁମେ ମୋ ସହିତ ଥିବା ଯାଏ ମୁଁ କାହିଁକି ସେକଥା ଭାବିବି ଯେ ! ହେଲେ ମୋତେ ସେତିକି କହିବା ପାଇଁ ତୁମେ ସବୁବେଳେ ମୋ ସହିତ ଥାଅ। ' ଏତିକି ତାଙ୍କୁ କହି ଦେବାପାଇଁ ଚାହିଁଲି, ହେଲେ କହି ପାରିଲିନି।ଦ୍ବିଗୁଣିତ ହୋଇଥିଲା ମୋର ଖୁସି।ମୁଁ ମୁର୍କି ହସିଲି।

ଆଉ ଶୂନ୍ୟ ମନେ ହେଉ ନଥିଲା ମୋର ମଥା ।

- ' ଫେରିବା ଯାଏ ତାହା ମୋର ପ୍ରତିନିଧି ହୋଇ ତୁମ ପାଖରେ ଥାଉ।ମୁଁ କିଛି ବି ଭାବୁନି। ' କହିଲି ମୁଁ।

ସେ ହସିଲେ କି ନାହିଁ କେଜାଣି, ମୁଁ କିନ୍ତୁ ମୁର୍କି ହସିଲି।



Rate this content
Log in