Lipi Sahoo

Children Stories Comedy Inspirational

4.6  

Lipi Sahoo

Children Stories Comedy Inspirational

ତରଭୁଜ ଜୁସ୍

ତରଭୁଜ ଜୁସ୍

6 mins
206


ଘର ଭିତରୁ ଶୁଭିଲା ବାପା !! ଦେଖିଲ ଭାଇ ମୋ ସାଙ୍ଗେ ଲାଗୁଚି । ତାପରେ ଧୁସ୍ ଧାସ୍ ଶବ୍ଦ ଘର ଭିତରୁ ଭାସି ଆସିଲା । ବିରକ୍ତ ହୋଇ ଚମ୍ପତି ବାବୁ ପେପର ଟି କୁ ଟିପୋଇ ଓପରେ କଚାଡି ଦେଇ ଚଷମା କୁ ତା ଉପରେ ଫିଙ୍ଗି ଦେଇ ବିରକ୍ତ ହୋଇ କହିଲେ ସକାଳୁ ସକାଳୁ ଆରମ୍ଭ ହେଇଗଲା ଭାଇ ଭଉଣୀ ଙ୍କର ତାମସା । ଆମ ସମୟରେ ବାପା ଘରେ ଥିଲେ ଛୁଞ୍ଚି ଟେ ପଡିଲେ ବି ଶବ୍ଦ ହେଉଥିଲା । ଘରେ ଏମିତି ନିସ୍ତବ୍ଧତା ରହୁଥିଲା । ଆଉ ଆଜି କାଲିକା ପିଲା ବାପାକୁ ସାଙ୍ଗ ବୋଲି ଭାବୁଛନ୍ତି । ପିଲା ଗୁଡା ଆଉ ହେବେନି । 


          ଦଉଡ଼ି ଆସି ଗେଡି କହିଲା , ଦେଖଲ ବାପା ଧେଡୁ ଭାଇ ମୋତେ କେମିତି ମାରୁଚି । ଚୁଟି ସବୁ ଅସ୍ତବ୍ୟସ୍ତ । ଆଖି ମୁହଁ ଲାଲ୍ ।

          ସକାଳୁ ସକାଳୁ କ'ଣ ମହାଭାରତ ଅଶୁଦ୍ଧ ହେଇଗଲା ଯେ ତୋର ୟେ ଅବସ୍ଥା ??? ସେ ତୋତେ କାହିଁକି ମାରିଲା ???

          ବାପା !! ମୁଁ ବସିଥିଲି ଚୁପଚାପ୍ ସେ ଆସି ମୋତେ ମାରୁଚି ।

          ଓହୋଃ !! ତୁ ସଜ ତୁଳସୀ ଟା । ହଉ ରହ ମୁଁ ତା କଥା ବୁଝୁଛି । ଧେଡୁ ଏଠିକି ଶୁଣିଲୁ !!


                  କିଛି ସମୟ ପରେ ମୁହଁ ପୋତି ଧେଡୁ ଆସି ଠିଆ ହେଲା । ଚମ୍ପତି ବାବୁ ଟିକେ ରାଗି ପଚାରିଲେ ଗେଡିକୁ କାହିଁକି ମାରିଲୁ ?? ରାତି ଖାଇବା ହଜମ ହେଇନି ବୋଧେ ସେଇଥି ପାଇଁ ସକାଳୁ ସକାଳୁ ଝଡେଇ ହେଉଥିଲୁ କି ??

                 

          ଧେଡୁ ହାତ ହଲେଇ କହିଲା ୟେ ଗେଡି !! ବେଶୀ ଭଦ୍ରଲୋକି ଦେଖେଇ ହୋ ନା । ବାପା ସେ ମୋତେ ଆଗ ଚିଡେଇଲା । ମୋତେ ରାଗ ଲାଗିଲା ମୁଁ ମାରିଲି ।


                ମୁହଁ କୁ ଫଣଫଣ କରି ଚମ୍ପତି ବାବୁ କହିଲେ , ଦୁହେଁ ଯାଇ ବହି ଖୋଲି ବସ ମୁଁ ଆସୁଛି ଦୁହିଁଙ୍କୁ ପଢେଇବି । ଘରେ ବସି ବସି ଗୋଟେ ଲୀଳା ଲଗେଇଚନ୍ତି । ଯା !! ଜଲଦି ।

                ସେ ଦୁହେଁ ମୁହଁ ପୋତି ଭିତରକୁ ଚାଲିଗଲେ । ଚମ୍ପତି ବାବୁ ଦୀର୍ଘ ନିଶ୍ଵାସ ମାରିଲେ ।


             ଆଜିକାଲିକା ପିଲା ଙ୍କୁ ଆଉ ପାରି ହେବନି । ଯେଉଁ ମହାନ୍ ଦାର୍ଶନିକ କହିଛନ୍ତି , ଷଷ୍ଠ ରୁ ନଷ୍ଟ ସେ ପୁରା ଠିକ୍ କହିଛନ୍ତି । କରୋନା ପାଇଁ ବର୍ଷେ ପାଖାପାଖି ହେବ ସ୍କୁଲ ବନ୍ଦ । ପାଠସାଠ କିଛି ନାହିଁ । ଅନ୍ ଲାଇନ୍ କ୍ଲାସ ନାଁ ରେ ଯାହା ତ କ୍ଲାସ ହେଉଚି ?? କ୍ଲାସ୍ ତା ବାଟରେ ଚାଲିଚି ପିଲା ଘରେ ବସି ସେଇ ସମୟ ରେ ଚାଟିଙ୍ଗ କରୁଛନ୍ତି । ଭଗବାନ ୟେ ପିଲାଙ୍କ ଭବିଷ୍ୟତ କ'ଣ ହେବ ?? ଅନ୍ ଲାଇନ୍ ପରୀକ୍ଷା କଥା ନକହିବା ଭଲ । ନକରିବା ପିଲା ବି ବସି କପି କରୁଛନ୍ତି । ପଢିଥିଲେ ତ ଲେଖିବେ । ଘରେ ବସି ବସି ଖାଲି ଯାହା ଉତ୍ପାତ କରିବା ସାର ହେଉଚି । ପିଲା ଗୁଡା ସଂସ୍କାର ବି ପୋଡ଼ି ଖାଇ ସାରିଲେଣି । ଏବେ ପିଲାଙ୍କୁ ଭଲ ଶିକ୍ଷା ଦେବା ମାନେ ଷଣ୍ଢ କୁ ଲୁଙ୍ଗି ପିନ୍ଧେଇବା ଭଳି କଥା । ସେମାନେ ତ ଆମକୁ ପାଠ ପଢେଇ ଦେଉଛନ୍ତି ଆଉ ତାଙ୍କୁ ପଢେଇବୁ କ'ଣ ?? ତୁଚ୍ଛା ଟା ରେ ୟେ ବରଷ ବିଡା ବିଡା ଟଙ୍କା ସ୍କୁଲ କୁ ଗଣା ହେଲା ଯାହା , ନା ପାଠ ପଢା ହେଲା ନା ପରୀକ୍ଷା ହେଲା । ପିଲା କ'ଣ ସେ କଥା ବୁଝୁଛନ୍ତି ଖଟରେ ଖାଇ ମଠରେ ବଢୁଚନ୍ତି । ତାଙ୍କର ଯାଏ ଆସେ କେତେ ???

            

               ବାପା ଆମେ ବହି କାଢି ବସିଲୁଣି ଆସୁନ କାହିଁକି ?? ଦୁହେଁ ଏକା ସାଙ୍ଗେ ରଡି ପକେଇଲେ ।


               ହଁ ହଁ ଯାଉଛି । ଏ ଧେଡୁ ତୁ ମ୍ୟାଥ୍ ବହି କାଢେ ମୁଁ ପ୍ରଶ୍ନ ରେ ଟିକ୍ ମାରିଦେବି ତୁ ସେଇଗୁଡା କରିବୁ । ଆଉ ଗେଡି ତୁ ତୋର ସାଇନ୍ସ ବହି ଦେ ସେଥିରୁ ତୁ କରିବୁ । ନ ସରିଲା ପର୍ଯ୍ୟନ୍ତ କେହି ଉଠିବନି । ଏଇଠି ମୁଁ ଜଗିକି ବସିବି । କେତେ ତାମସା କରୁଚ ମୁଁ ବି ଦେଖିବି ।


                ପଢୁଆ ପିଲା ଭଳି ଦୁହେଁ ଖାତା କାଢି ରାମ୍ପି ବାକୁ ଲାଗିଲେ । କିଛି ସମୟ ପରେ ଧେଡୁ ପଚାରିଲା ବାପା ଆଜି ଭୀଷଣ ଗରମ ହେଉନି ?? ବୟାଳିଶ ଡିଗ୍ରୀ ଥିବ ଆଜି ନିଶ୍ଚୟ । ତଣ୍ଟି ଖାଲି ଶୁଖି ଯାଉଛି । 


             ସାଙ୍ଗେ ସାଙ୍ଗେ ଗେଡି ଯୋଡିଲା , ହଁ ବାପା ସକାଳୁ ମୋ ମୁଣ୍ଡ ଟା ବୁଲେଇଲା ଭଳି ଲାଗୁଚି । ଦଖୁନ କେତେ ଝାଳ ବୋହି ଯାଉଛି । ବଡ଼ି ଟା ପୁରା ଡିହାଇଡ୍ରେଟ ହେଇ ଯିବ । ବାପା ଗୋଟେ ତରଭୁଜ ଆଣୁନ ମାମା ଜୁସ୍ ବନେଇ ଦେବ ସମସ୍ତେ ପିଇବା । 

             ଚମ୍ପତି ବାବୁ ଟିକେ ବିରକ୍ତ ହେଇ କହିଲେ , ହଁ ହଁ ପାଠ ଲେଖିବାକୁ ଦେବାରୁ ସବୁ ବାହାନା ବାହାରିବ ଏବେ । ଘରେ ପଖାଳ କରା ହେଇଚି ତୋରାଣି ପିଇ ଦେବୁ ସବୁ ଠିକ୍ ହେଇ ଯିବ । ବେଶୀ ସିଆଣିଆ ହେବା ଦରକାର ନାହିଁ । ତମ ବୟସରେ ଥିବା ବେଳେ ଆମ ଘରେ ପଙ୍ଖା ବି ନଥିଲା । ଆମେ ବି ବଞ୍ଚି ଥିଲୁ ।


            ଗେଡି ପୁଣି କହିଲା , କେତେ ଦିନ ହେଇ ଗଲାଣି ତରଭୁଜ ଆଣିନ । ବଜାର ରେ କତେ ବଡ଼ ବଡ଼ ଲାଲ ତରଭୁଜ ଆସିଲାଣି ଗୋଟେ ଆଣ ନା ବାପା । ମା ମା ବାପାଙ୍କୁ କହିଲୁ ଗୋଟେ ତରଭୁଜ ଆଣିବେ । ଆଜି ବହୁତ ଖରା ହେଉଛି ।


               ସେପଟୁ ଚମ୍ପି ଶାଢ଼ୀକାନି ରେ ଝାଳ ପୋଛି ପୋଛି ଆସି କହିଲେ , ହଁ ସତରେ ଆଜି ବହୁତ ଗରମ ହେଉଚି । ଯାଉନ ଗୋଟେ ନେଇ ଆସିବ ପିଲାମାନେ ମନ କରିଛନ୍ତି ଯେତେବେଳେ ।

               ଚମ୍ପତି ବାବୁ ଦେଖିଲେ ଆଉ ନ ଆଣି ଚାରା ନାହିଁ । ମା ପୁଅ ଝିଅ ଗୋଟେ ମେଳି କରି ସାରିଲେଣି । ଯିବାକୁ ହିଁ ପଡ଼ିବ । ଖରା ଧୀରେଧୀରେ ବଢୁଥାଏ । ତେଣୁ ସେ ତରତର ହେଇ ବାହାରି ଗଲେ ମଟରସାଇକେଲ ନେଇ । ଶିଘ୍ର ଯାଇ ଶିଘ୍ର ଆସିବା ପାଇଁ । ଠିକ୍ ଟ୍ରାଫିକ ଛକରେ ପହଞ୍ଚିଛନ୍ତି କି ନାହିଁ ହୁଇସିଲ୍ ମାରି ପୋଲିସ ମାଡି ଆସିଲା ତାଙ୍କ ଆଡ଼କୁ । ଆରେ ସେ ତ ହେଲମେଟ ପିନ୍ଧିଛନ୍ତି ପୁଣି କାଇଁ ଆସୁଛି ??? ଯାହା ହେଉ ଖରା ପାଇଁ ହେଲମେଟ ଟା ଗଳେଇ ଦେଇଥିଲେ ।

            

            ଚମ୍ପତି ବାବୁ ଙ୍କୁ ପୋଲିସ୍ ଠାରିଲେ ସାଇଡ୍ କୁ ଆସ । ସଙ୍ଗେ ସଙ୍ଗେ ସେ କହିଲେ ମୁଁ ହେଲମେଟ ପିନ୍ଧିଚି ପରା । ପୁଣି କାହିଁକି ସାଇଡ୍ କୁ ଯିବି ??

            

            ପୋଲିସ ବାବୁ ପାଖକୁ ଆସି କହିଲେ , ହୋଇ ହୋ !! ବାବୁ ମୁଣ୍ଡ ରେ ସିନା ପିନ୍ଧିଚ , ହେଲେ ତମ ତୁଣ୍ଡି କାଇଁ ?? କରୋନା ତମ ହେଲମେଟ ଦେଖି ଡରି ପଳେଇବ ବୋଲି ଭାବିଲ ନା କ'ଣ ??? 


               ବାବୁ ଙ୍କର ଚେତା ପଶିଲା ତରତର ରେ ଆସିବା ବେଳେ ମାସ୍କ ଟା ଲଗେଇବାକୁ ଭୂଲି ଯାଇଛନ୍ତି । ଗଲା ଯା ଏବେ ପାଁଶ ଗଣିବାକୁ ପଡ଼ିବ । ସକାଳୁ କାହା ମୁହଁ ଚାହିଁ ଥିଲି କେଜାଣି ?? ପକେଟ୍ ଅଣ୍ଡାଳିଲେ ରୁମାଲ ପାଇଁ , ହେଲେ ନଥିଲା ।ମନେ ମନେ ଭାବିଲେ ଦୁଇଟା ଦଣ୍ଡା ନିଶ୍ଚୟ ବାଜିଯିବ ଏବେ ପଛରେ । ସଙ୍ଗେ ସଙ୍ଗେ ମୁଣ୍ଡ କୁ ଗୋଟେ ବୁଦ୍ଧି ଜୁଟିଲା ।


               ଆଖି ଛଳ ଛଳ କରି କହିଲେ ସାର୍ ଆଗ ଛକ ନର୍ସିଂହୋମ୍ ରେ ମୋ ସାଙ୍ଗ ଆଇ ସି ୟୁ ରେ ଆଡମିଟ୍ ହେଇଚି । ସେ ଏଠି ଏକୁଟିଆ ରହେ । ହସ୍ପିଟାଲ ରୁ ଫୋନ୍ ଆସିଲା ଏବେ ତା କଣ୍ଡିସନ୍ ସିରିୟେସ୍ ଅଛି । ତରତର ରେ ଆସୁ ଆସୁ ମାସ୍କ ଟା ଭୂଲିଗଲି , ସାର୍ !! ମୋତେ ଛାଡି ଦିଅନ୍ତୁ । ମୁଁ ଆଗରୁ ଗୋଟେ କିଣି ନେବି । ମୁଁ ବହୁତ ଟେନସନ୍ ରେ ଅଛି ସାର୍ ସାଙ୍ଗର କ'ଣ ହେବ ଜଣା ନାହିଁ । ମୋତେ ଶିଘ୍ର ଯିବାକୁ ହେବ ।


               ପୋଲିସ ବାବୁ ତାଙ୍କ ମୁହଁ କୁ ଭଲରେ ନିରିକ୍ଷଣ କରି କହିଲେ , ହଉ ଏବେ ତମକୁ ଛାଡି ଦେଉଚି । ଆଗକୁ ଆଉ ୟେ ଭୂଲ କରିବନି । ଆପଣ ମାନଙ୍କ ଭଲ ପାଇଁ ହିଁ ଆମେ ୟେମିତି କରୁଚୁ । ୟେଥିରେ ଆମର କୌଣସି ବି ସ୍ବାର୍ଥ ନାହିଁ । ପଢାଲିଖା ଲୋକ ହେଇ ନିଜ ସ୍ବାସ୍ଥ୍ୟ ପାଇଁ ନିଜେ ସତର୍କ ନ ହେଲେ ଆମେ ଆଉ କ'ଣ କରିପାରିବୁ ?? ଆଗରେ ଗୋଟେ ମାସ୍କ କିଣି ନେବ , ନ ହେଲେ ହସ୍ପିଟାଲ ଭିତରକୁ ତମକୁ ଛାଡିବେନି । ହଉ ଯାଅ ଏଥର ।


            ଚମ୍ପତି ବାବୁ ମଟରସାଇକେଲ ଆଗକୁ ବଢେଇଲେ । ହେଲେ ରାସ୍ତା ସାରା ତାଙ୍କ ମନ ଛଟପଟ ହେଲା । କେତେ ସୁନ୍ଦର ଭାବରେ ମିଛ କହି ଖସିଗଲି । ପିଲା ମାନଙ୍କୁ ଶିଖଉଚି ସଦାବେଳେ ସତ କହିବ । ହେଲେ ଆଜି ମୁଁ କେତେ ବଡ ମିଛ କହିଦେଲି । ପୋଲିସ ବାବୁ ବି ବିଶ୍ୱାସ କରି ମୋତେ ଛାଡି ଦେଲେ । ମୋ ଦ୍ୱାରା ଗୋଟେ ବଡ ଅପରାଧ ହେଇଗଲା । ଆଜି ଯଦି ମୁଁ ଫାଇନ୍ ଦେଇଥାନ୍ତି ତେବେ ମାସ୍କ ଆଣିବାକୁ ଆଉ କେବେ ବି ଭୁଲି ନଥାନ୍ତି । ଆଜି ଥରେ ମିଛ କହି ଖସି ଆସିଲି ସବୁବେଳେ ସେମିତି ମିଛ କହି ଖସିବାକୁ ଚେଷ୍ଟା କରିବି । ଏହା ଆଦୌ ଠିକ୍ ନୁହେଁ । ତାଙ୍କ ବିବେକ ବାରବାର ବାଧା ଦେଲା । ମୁଁ ତାଙ୍କୁ ଠକିନି ମୋ ନିଜକୁ ଠକିଚି । ଏମିତି ଭାବୁ ଭାବୁ ସେ ଯାଇ ତରଭୁଜ ଦୋକାନ ରେ ପହଞ୍ଚିଲେ । ତରଭୁଜ କିଣି ସେଇ ବାଟ ଦେଇ ଫେରିଲେ । ରାସ୍ତା ସାରା ଲାଗୁଥିଲା ସେ ଯେମିତି ସେଇ ବଡ଼ ତରଭୁଜ କୁ ନିଜ ମୁଣ୍ଡରେ ବୋହିଛନ୍ତି । ମୁଣ୍ଡ ବହୁତ ଭାରି ଭାରି ଲାଗୁ ଥାଏ । ପୋଲିସ ତାଙ୍କୁ ପୁଣି ସେଇଠି ଅଟକେଇଲା । 


               ହୋଇ ହୋ !! ତମେ ବଡ ଅଜବ ଲୋକ ମୁଁ ଦେଖୁଛି । ମାସ୍କ ନ କିଣି ପୁଣି ମୁହଁ ଖୋଲା କରି ଫେରୁଚ ?? ତମେ ତା ହେଲେ ମିଛ କହିଥିଲ , ହସ୍ପିଟାଲ ଯାଇନ ଯମା । ଯଦି ଯାଇ ଥାଆନ୍ତ ମାସ୍କ ତମ ମୁହଁ ରେ ନିଶ୍ଚୟ ଥାଆନ୍ତା । ଆମକୁ ଦଣ୍ଡା ଧରିବାକୁ ତମେମାନେ ହିଁ ବାଧ୍ୟ କରୁଚ ।


                ମୋତେ କ୍ଷମା କରିଦେବେ ସାର୍ ମୁଁ ଆପଣଙ୍କୁ ମିଛ କହିଥିଲି । ସେଇଥି ପାଇଁ ମୁଁ ଜାଣିଶୁଣି ମାସ୍କ ନ କିଣି ଫାଇନ୍ ଦେବାକୁ ଆସିଛି । ସାର୍ ମୋ ବିବେକ ବାଧା ଦେଲା । ଯିଏ ଆମର ରକ୍ଷାକର୍ତ୍ତା ମୁଁ ତାଙ୍କୁ ୟେତେ ବଡ଼ ମିଛ କେମିତି କହି ପାରିଲି ?? ମୋ ଠୁ ପାଁଶ ଟଙ୍କା ରଖନ୍ତୁ ସାର୍ । ଫାଇନ୍ ଦେଲେ ହିଁ ମୋର ମାସ୍କ କଥା ସବୁବେଳେ ମନେ ରହିବ । ଦାୟିତ୍ଵ ହୀନତା ପାଇଁ ଅବଶ୍ୟ ଦଣ୍ଡ ରହିବା ଉଚିତ୍ । ନ ହେଲେ ମୋ ପିଲାମାନଙ୍କୁ ମୁଁ କେବେବି ଭଲ ଶିକ୍ଷା ଦେଇ ପାରିବି ନାହିଁ ।


             ପୋଲିସ ବାବୁ ଖୁସିରେ ତାଳି ବଜେଇ , ଚମ୍ପତି ବାବୁଙ୍କ କାନ୍ଧକୁ ଥାପୁଡେଇ ଦେଇ କହିଲେ ଆଜି ଯାଇ ଆମର ଅକ୍ଳାନ୍ତ ପରିଶ୍ରମ ସାର୍ଥକ ହେଲା । ଆଇ ଆମ୍ ପ୍ରାଉଡ ଆଫ ୟୁ । ଆପଣ ଙ୍କ ଭଳି ଯଦି ସମସ୍ତେ ଭାବନ୍ତେ ତେବେ ଏଇ ଦଣ୍ଡାର ଆଉ ଆବଶ୍ୟକ ପଡନ୍ତା ନାହିଁ । ଚମ୍ପତି ବାବୁ ପାଁଶ ଟଙ୍କା ବଢେଇ ଦେଲେ । ଖରାଦିନ ଧୂ ଧୂ ଖରାରେ ଗୋଟେ ଗ୍ଲାସ ଥଣ୍ଡା ଥଣ୍ଡା ତରଭୁଜ ଜୁସ୍ ପିଇ ଦେଲେ ଯେମିତି ଆତ୍ମସନ୍ତୁଷ୍ଟି ମିଳେ ଠିକ୍ ସେମିତି ଅନୁଭବ କରୁଥିଲେ ଚମ୍ପତି ବାବୁ। ବୋହୁ ଥିବା ଝାଞ୍ଜି ପବନ ବି ମଳୟ ପରି ଲାଗିଲା ତାଙ୍କୁ । 


              

             


                     


               

               


Rate this content
Log in