ଥଣ୍ଡା ଇଡଲି
ଥଣ୍ଡା ଇଡଲି
( ଆଜି ସକାଳ ଜଳଖିଆ , ଅନୁଭୂତି କଟକରେ । ସାହିତ୍ୟ ସବୁଙ୍କ ଗହଣରେ )
(୧)
ମା' ହିଁ ମାପିପାରେ ପୁଅ ପେଟର ଦୈର୍ଘ୍ୟ ପ୍ରସ୍ଥ । ସେଇ ହିସାବରେ ତିଆରେ ପରିମାଣ। ସେଥିପାଇଁ ତ ଶେଷହୋଇଯାଏ , ଶେଷଦାନା ସୁଦ୍ଧା ହାଣ୍ଡିରେ। ନା ରୁହେ ବଳକା ନା ପେଟକୁ ନିଅଣ୍ଟ । ନାରୀଟେ ଆଗ ମା' ନୁହେଁକି ??
(୨)
- ହେବନି ଏତିକିରେ ।
- ବରା , ଉପମା ତ ଗଦାଏ। ହଁ ମଁ ଚଳେଇନେବା । ପାଇଯିବ।
- ନା ଆଉକିଛି ନେଇଆସ।
- ସମୟ ବି ହେଇଗଲାଣି ଯିବାକୁ।
- ଆଣ ଆଗ । ମୁଁ ସମୟକୁ ଅଟକାଉଛି।
ଆଶିଷ ଧାଇଁଲା। କମସମୟରେ, କମ୍ ବାଟରେ କିଛି କମ୍ ନେଇଆସିବାକୁ ଆଦେଶ ଥିଲା।
ଆଣିଲା କୋଡିଏଟା ଇଡଲି ।
ମୁହଁରେ ଏବେ ହସ। ସେଇ ହସ ସଞ୍ଚରୁଥିଲା ବାକିଙ୍କୁ । ଏବେ ସମବଣ୍ଟନରେ ସେ ବ୍ୟସ୍ତ । ଆଉଟିକେ ଆଉଟିକେ ହୋଇ ନ ଉଠିଲାଯାଏଁ ବଳେଇ ଖୁଆଇବାରେ କିଛି କମି କରୁନଥିଲା ସେ।
- ଏଥର ତୁମେ ତ ଖାଇନିଅ।
- ନା ଶର୍ମୀଷ୍ଠା ଆସୁଛି। ପହଞ୍ଚୁ।
- ସେ କାଲି କହୁଥିଲା ବାହାର ଜିନିଷ କିଛି ଖାଏନି।
- ଖାଇବ।
କେମିତି ଜାଣୁଥିଲା କେଯାଣି , ନିଅଣ୍ଟିଆ ହେବ ଆଉ ବାହାର ଜିନିଷ କିଛିନଖାଉଥିବା ମଣିଷଟେ ନିଶ୍ଚୟ ଖାଇବ ???
(୩)
ଶର୍ମୀଷ୍ଠା ହଠାତ କବାଟ ଖୋଲି କହିଲା -
- ଯାହେଉ ଖାଉଛ। କିଛି ଖାଇହେଲାନି ଘରେ ବ୍ରେକ୍ ଫାଷ୍ଟ । ସରିନିତ ?
- ଆରେ ନା ନା । ଏଇଠି ନିଅ।
ଶର୍ମୀଷ୍ଠା ଖାଇଲା ଶେଷଯାଏଁ। ଏଡିମାରି ଖୁସି ଜତାଇଲା ବି।
ଏଥର ସମସ୍ତେ ବାହାରିଲୁ ମେଳା । କଟକ ଲିଟେରାରୀ ଫେଷ୍ଟିଭାଲ୍ । ଗାଡିରେ ଆଶିଷ ପଚାରିଲା -
- କେହି ମୋତେ ରାଗିଲନି ?
- କାଇଁ?
- ଥଣ୍ଡା ଇଡଲି ଆଣି ଖୁଆଇଲି ବୋଲି ?
- ତୁ ଆଣିଲୁ ସତ । କିନ୍ତୁ ମା ' ବାଢିଦେଲା ପରା ? ଥଣ୍ଡାପଣ ଆସିବ ଯେ କୁଆଡୁ ???
ମା (ଏଲି ମହାନ୍ତି) ହସୁଥିଲା ମୁରୁକି ମୁରୁକି ।
■ ଅମୀୟ ବେଜ୍ ।