ସୁଧିଜନେ ! କହିବା ହୁଅନ୍ତୁ
ସୁଧିଜନେ ! କହିବା ହୁଅନ୍ତୁ


ଏଠି କିଛି ଲୋକ ମୋତେ ମାରିଦେବାକୁ ଚାହାନ୍ତି।
କିଏ ଭାତରେ ମାରିଦେବାକୁ ଚାହେଁ।
କିଏ ଗପରେ ମାରିଦେବାକୁ ଚାହେଁ।
ତ କିଏ କବିତାରେ ମୋତେ ମାରିଦେବାକୁ ଚାହେଁ।
ହେଲେ ସେମାନଙ୍କର ମୋତେ ମାରିଦେବାର ଦିନଟି ଏଯାଏଁ ସ୍ଥିର ହୋଇନି।ଏହା କେବଳ ଏକ ଇଚ୍ଛା।ଆଜି, କାଲି, ପଅର ଦିନ କିମ୍ବା ଆଉ କେଉଁଦିନ ସେମାନଙ୍କର ଇଚ୍ଛା ପୂରଣ ହୋଇପାରେ।
ତେଣୁ ଜୀବନର ଶେଷ ଇଚ୍ଛାପତ୍ରଟି କେବେ ଲେଖିବି ସ୍ଥିର କରିପାରୁନି।ଲେଖିପାରୁନି ମୋର ଶ୍ରେଷ୍ଠ ଗପ କିମ୍ବା କବିତା।
ଜୀବନ ଥିଲେ ଆଶା ଥାଏ।ଆଶା ଥିଲେ ସ୍ବପ୍ନ ଥାଏ।ସ୍ବପ୍ନ ଥିଲେ କର୍ମ ଥାଏ।ନିଜକୁ କିଛି ନା କିଛି କର୍ମରେ ନିୟୋଜିତ କରି ରଖିବାକୁ ପଡୁଛି।ମୋ ଜୀବନ ଏବେ ଖୁବ୍ ବଦଳି ଯାଇଛି।
ମୃତ୍ୟୁ ପରେ ଜୀବନ ନ ଥାଏ।ଜୀବନ ନ ଥିଲେ ତାକୁ ଆଶ୍ରା କରି ବଞ୍ଚୁଥିବା ଆଶା, ସ୍ବପ୍ନମାନେ ନ ଥାନ୍ତି।କର୍ମର ନାଁ ଗନ୍ଧ ନ ଥାଏ।ତେଣୁ ଆଗାମୀ ଦିନରେ ଯାହା ଯାହା କରିଥାନ୍ତି, ଏବେ ସେସବୁ ସାରିଦେବାକୁ ଇଚ୍ଛା ରଖିଛି।ଅନେକ ଛୋଟ ଛୋଟ କଥା ମନରୁ ପାଶୋରି ପକାଇଛି।
ବାସ୍ତବରେ କିଛି ବହି କିଣିବା ,ସାର୍ଟ ପ୍ୟାଣ୍ଟ ଆଇରନ୍ କରିବା, ପ୍ରେସର୍ ଚେକ୍ କରିବା ଓ ସ୍ତ୍ରୀଙ୍କ ପାଇଁ କାନଫୁଲ କିଣିବାରେ ଆଉ କି ଲାଭ !ମୋ ଜୀବନ,ମୋ ବୃତ୍ତି, ମୋ ପ୍ରବୃତ୍ତି ଆଉ କୋଉ ମୋ ହାତରେ ଅଛିଯେ! ସେମାନେ ତ ସବୁ ମୋତେ ମାରିଦେବାକୁ ଏକାଠି ହୋଇଗଲେଣି।ଆଗରୁ କିମ୍ବା ପଛରୁ ବାହାରି ମୋତେ ମାରିଦେଇ ଚାଲିଯିବେ।
କିଏ ଭାତରେ ମାରିବ।
କିଏ ଗପରେ ମାରିବ।
ତ କିଏ କବିତାରେ ମାରିବ।
ଯେତେ ଯାହା ଭାବିଲେ ବି ଏହା କେବେ ବଦଳି ଯିବ ନାହିଁ।ଏହା ମୋର ଇଚ୍ଛା ନୁହେଁ, ସେମାନଙ୍କର ଇଚ୍ଛା।ଏହା ହେବ ହିଁ ହେବ।
ଏବେ ସେମାନଙ୍କ ଅପେକ୍ଷାରେ ମୁଁ।
ମନରେ ଭୟ ନାହିଁ।ଜୀବନ ଥିଲେ ମରଣ ଥାଏ।ଆଜି ନ ହେଲେ କାଲି ମଣିଷଟା ମରେ।କିଏ ଏଠି ଅମର ଯେ !ଯେତିକି ବଞ୍ଚୁଛି ଏଠି, ସେତିକିରେ କିଛି ହୋଇଯିବା ଭଲ।
ଏବେ ଗୋଟିଏ କଥା ମୁଣ୍ଡକୁ ଆସୁଛି।ମୋ ଭାତ,ଗପ କି କବିତା - ଏସବୁ ତ ମୋର ନୁହେଁ।ଏସବୁ ମୋତେ ଯିଏ ଦେଇଛନ୍ତି ସେ ମୋର ଈଶ୍ୱର।ମୋତେ ଏବେ ତାଙ୍କୁ ପ୍ରାର୍ଥନା କରିବାକୁ ହେବ ଭାବୁଛି।ଏସବୁକୁ ବଞ୍ଚାଇବା ପାଇଁ ନୁହେଁ, ବରଂ ମରିବା ଆଗରୁ ମୋର ବାକି କାମ ସବୁ ଆସି କରିଦେବେ ସେ।ସେ ନ ଚାହିଁଲେ ଲେଖିପାରିବି କି ମୁଁ ମୋର ଜୀବନର ଶେଷ ଇଚ୍ଛାପତ୍ର !ଲେଖିପାରିବି କି ମୋର ଶ୍ରେଷ୍ଠ ଗପ କିମ୍ବା କବିତା !
ଭଲ ହେଲା।ଏବେ ଆଉ କିଛି ଦୁଃଖ ନାହିଁ ମୋର।ମୁଁ ଶାନ୍ତିରେ ନିଃଶ୍ବାସ ମାରିବି।ବଞ୍ଚି ପାରିଲିନି ବୋଲି ଆଉ କାହିଁକି ଦୁଃଖ କରିବି ! ସେମାନେ ତ ମୋତେ ମାରିଦେବେ।ମୋର ଗପ,କବିତାକୁ ମାରିଦେବେ।ଏତିକି କ'ଣ ସମସ୍ତେ ଜାଣିଯିବେନି କି !ସମସ୍ତେ କ'ଣ ଶୁଣିନେବେନି ସେମାନଙ୍କର ନିଃଶଦ୍ଦ ପ୍ରତିଜ୍ଞା !
ମୋର ମନେହେଉଛି ଏବେ ସେମାନେ ସେମାନଙ୍କର ସୁବିଧା, ସୁଯୋଗ ଅପେକ୍ଷାରେ ଥିବେ।ସୁବିଧା, ସୁଯୋଗ ମିଳିଗଲେ କାମ ହାସଲ କରିଦେବେ।ନିଶ୍ଚୟ ସେମାନେ ମାରିଦେବେ ମୋତେ - ଭାତରେ, ଗପରେ, କବିତାରେ।ହେଲେ ସତ କହୁଛି କେବେ ଫେରାର୍ ହୋଇଯିବିନି।ଆତ୍ମଗୋପନ ବି କରିବିନି।
ମୋତେ ବଞ୍ଚିବାକୁ ଅଛି।
ମୋତେ ଲେଖିବାକୁ ଅଛି ମୋର ଶ୍ରେଷ୍ଠ ଗପ ଓ କବିତା।
ସୁଧିଜନେ ! ଆପଣମାନେ କ'ଣ କହୁଛନ୍ତି ଟିକେ କୁହନ୍ତୁ ନା !