ଷଡ଼ଯନ୍ତ୍ର
ଷଡ଼ଯନ୍ତ୍ର
ତଳକୁ ମୁଁହ ପୋତି ଚୁପଚାପ୍ ବସିଥିଲେ ସୁରଭି । ମନ ଭିତରେ ଅନେକ ଗୁଡ଼ିଏ ଚିନ୍ତା । ସବୁ ଯେମିତି ଅଡ଼ୁଆ ଲାଗୁଥିଲା ।ନଅ ବର୍ଷ ବୟସରୁ ସେ ଏଠାକୁ ଏକ ପ୍ରଲୋଭନରେ ଆସିଥିଲେ । ନହେଲେ କାହିଁ କେନ୍ଦୁଝର ଜିଲ୍ଲାର ଜଂଘୀରା ଭିତରକୁ ଏକ ଗାଆଁ । ଆଜିକାଲି ବିଜୁ ସଡ଼କ ଯୋଜନାରେ ସେଠାକୁ ଯାଇ ହେଉଛି ,ସେ ସମୟରେ ଦୁଇ ହାତରେ ଗଛଲତା ଆଡେ଼ଇ ଆଡ଼େଇ ଗାଆଁକୁ ଯିବାକୁ ହେଉଥିଲା । ସେଇଠି ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ ସରକାରୀ କର୍ମଚାରୀ ଏ ମଦନମୋହନ ନୁଆ କରି ଯାଇଥାଏ ସେଠାକୁ । ସାଥିରେ ତାଙ୍କ ସୁନ୍ଦରୀ ସ୍ତ୍ରୀ ଓ ବିଧବା ମା । ଖୁବ୍ ଗୁଡ଼ାଏ ଦିନ ସେମାନେ ସେ ଯାଗାରେ ରହିଲେ । ତାପରେ ପରେ ସେ ସଂସାରକୁ ମଦନମୋହନଙ୍କ କୁନିପୁଅ ଆଉ ତାକୁ ଧରିବା ପାଇଁ ସୁରଭି ଓରଫ୍ ମୁଁ ଆସିଲୁ ।
ଆମଘରେ ଖାଦ୍ୟ ଯୋଗାଇ ପାରୁ ନଥିବା ମୋ ବା ମୋତେ ଆଉ ତାପାଖକୁ ନେଲା ନାହିଁ । ଯୋଗକୁ ମଦନମୋହନଙ୍କ ଏ ସହରକୁ ବଦଳି ହେଲା ।ସହରର ମୋହ ମୋତେ ତାଙ୍କ ସାଂଗରେ ଏଠାକୁ ଟାଣି ଆଣିଲା ସେବେଠାରୁ ଆଜି ପର୍ଯ୍ୟନ୍ତ ମୁଁ ଏଇ ଘରକୁ ନିଜର ଭାବି ରହି ଆସିଛି । ପରେ ପରେ ଏଘରକୁ ଆହୁରି ତିନି ଜଣ ପୁଅ ଓ ଜଣେ ଝିଅ ଆସିଛନ୍ତି । ସମସ୍ତେ ମୋରି କୋଳରେ ବଢ଼ିଛନ୍ତି ।ମୁଁ ଏମାନଙ୍କର ନୁହେଁ ବୋଲି କେବେହେଲେ ଚିନ୍ତା କରିନାହି । ଛୁଆମାନେ ମୋତେ ଅପା ବୋଲି ସମ୍ବୋଧନ କରନ୍ତି । ଆଜି ସମସ୍ତେ ବିଭିନ୍ନ ପଦପଦବୀରେ ।ବାହାସାହା ହୋଇ ଯିଏ ଯାହାର ସଂସାର ନେଇ ବଡ଼ ବଡ଼ ସହରରେ ରହୁଛନ୍ତି ସମସ୍ତ ପ୍ରକାର ପର୍ବ ପର୍ବାଣୀ ,ବାହା ପୁଆଣୀ ପିଲାଙ୍କ ଜନ୍ମ ମରାଘର ସବୁ କ୍ଷେତ୍ରରେ ଏ ସୁରଭି ଅପାର ଲୋଡା ।
ସମୟର ସୁଅ , କେତେ ଘଟଣା ଅଘଟଣା ସବୁ ଏ ଆଖି ଆଗରେ ହୋଇଛି ଏ ସୁରଭି କେବେ ହାରମାନିନାହି । ଏବେ ଏଇ ବୟସଟା ଦାଉ ସାଧୁଛି ନହେଲେ କେବେ କୈାଣସି କାମକୁ ନାହିଁ କହିବା କେହି ଜାଣି ନାହାଁନ୍ତି । ଗତ ବର୍ଷ କି ଅଜଣା ରୋଗ କୁଆଡୁ ଅଇଲାଯେ ମଦନଟା ଭାରି କଷ୍ଟ ପାଇଲା । କିଛି ଦିନ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଆସିଲା । ।ଏଇତ ନୂଆବର୍ଷ ପାଳନ ପାଇଁ ସବୁ ଯାକ ଏକାଟି ହୋଇଛନ୍ତି ସବୁ ବର୍ଷ ଏକାଠି ଭୋଜି ଭାତ , ନାଚ ଗୀତରେ ଘରଟା ଫଟାନ୍ତି । ସକାଳୁ ଉଠି ଯିଏ ଯେମିତି ଚାକିରୀ ଜାଗାକୁ ଯାଆନ୍ତି ।
ଅଥଚ ଆଜି କେହିଜଣେ ବି ବାହାରି ନାହାନ୍ତି ଯିବାକୁ । କଣ ଗୋଟେ ଯୋଜନାରେ ସବୁ ଅଛନ୍ତି । କିଛି ବୁଝି ହେଉନି । ଆଜି ତ କେହି ସୁରଭିକୁ ଖୋଜୁ ନାହାଁନ୍ତି ।ଗତ ରାତିରେ ରିତା ଏଘରର ସାନ ବୋହୁ ହୋସରେ ନଥିଲା । ଝୁଲି ଝୁଲି ଅଧାରାତିରେ ଘରକୁ ଆସିଲା । ତାର କିଛି ହୋଇ ନାହିଁ ତ? ଆଶଂକା ଯୋଗୁ ମନଟା ଭଲ ଲାଗୁନଥାଏ ।ଏ ରିତା ସବୁ ବେଳେ ଏମିତି ।ଏ ଘରେ ପାଦ ଦେଲା ବେଳେ ସେ ମିନିସ୍କଟ ବ୍ଲାଉଜ ପିନ୍ଧି ଆସି ଥିଲା ଲାଜରେ କେହି କିଛି କହିପାରୁ ନଥିଲେ ଉଗ୍ର ଆଧୁନିକତାକୁ କଣ୍ଠସ୍ଥ କରି ପାରେ ସେ ।ସାନ ଭଲପାଇ ତାକୁ ଧରିକି ଘରକୁ ଆଣି ଥିଲା । ଅବଶ୍ୟ ଯୁଗକୁ ନେଇ ଲୋକ ଲଜ୍ଜାକୁ ଭୟକରି ରିତାକୁ ବୋହୂର ମାନ୍ୟତା ମିଳିଛି
। କାଲି ରାତିରେ ମୁଁ ହିଁ କେବଳ ବାଟ ମେଲାଇ ବସିଥିଲି ।ଭୀଷଣ ଅନ୍ୟମନସ୍କ ଲାଗୁଥିଲା ଯେମିତି ସେ । ଛାଡ଼ ମୁଁ ବା କେଉଁ କାମକୁ ଏମିତି ଅନେକ କଥା । ଦେଖି ନ ଦେଖିଲା ପରି ରହିବାକୁ ପଡେ । ଦୁଇ ଦିନ ହେବ ଶୀତ ଜୋରରେ ପଡ଼ିଛି । ସେଇଥିପାଇଁ ଖରା ପିଠିଆ ହୋଇ ବସିଛି । ହଠାତ୍ ଘର ଭିତରକୁ ମୋତେ ଏକ ପ୍ରକାରର ଭିଡ଼ିନେଇ ଗଲେ ଆମର ଏଇ ପିଲାମାନେ । ଆରେ ଏସବୁ କ'ଣ କରୁଛରେ? ସଙ୍ଗେ ସଙ୍ଗେ ଝିଅ ବୋହୁ ସଭିଏଁ ମୋତେ କହିବାକୁ ଲାଗିଲେ ।ଦେଖ ଅପା ତୋ ଛଡ଼ା ଆଉ ଏ ବିପଦରୁ ଆମକୁ କେହି ବଂଚାଇ ପାରିବେ ନାହିଁ ତୁ ହଁ କହିଦେ । କି କଥା କ'ଣ ହୋଇଛି ଶୁଣିବାକୁ କି ଜାଣିବାକୁ ଦେଲେନି ପିଲାମାନେ । ମୋ ହାତକୁ ଧରାଇଦେଲେ ଗୋଟିଏ ଗାଡି ଚାବି । ମୁଁ ତ ଏ ଚାବିକୁ ଗତ ରାତିରେ ଗେଟ୍ ପାଖରୁ ଆଣି ଥିଲି ଯେଉଟା ରିତା ନେଇଯାଇଥିଲା । ତତକ୍ଷଣାତ୍ ଘର ଭିତରକୁ ପଶି ଆସିଲେ ପୋଲିସ ତିନି ଜଣ ମହିଳା ଜଣେ । ମୋତେ ସେମାନେ ଯାହା ଇଚ୍ଛା ସେଇଆ ଭାଷା ଅଭାଷାରେ
ଗାଳିଗୁଲଜ କରୁଥିବା ଜାଣି ପାରୁ ଥିଲି। ତୋ ଗାଡି ଚଲେଇବା ଛଡ଼େଇବି । ଶାଳୀ ସବୁ ଯାକ ଫେସନ ତୋର ବାହାରିବ ସେଠି। ଚାଲ ମୋତେ ତାଙ୍କ ସାଂଗ ରେ ଆଣି ପୋଲିସ ଷ୍ଟେସନ ର ଏକ ଛୋଟ ବଖରା ଭିତରକୁ ଠେଲି ଦେଇ। ଯା ସେଇଠି ଥା କହି ନିଜ କାମରେ ଚାଲିଗଲେ । କ'ଣ ଏମିତି ହେଲା ଯେ?
ମୁଁ ସେଇମିତି ଚୁପଚାପ୍ ବସିଥାଏ ଦୁଇ ଦିନ ପରେ ପହଞ୍ଚିଲେ ମୋ ବିଶ୍ୱାସର ଖୁଣ୍ଟ ମଦନମୋହନ ହାତରେ ବେଲ୍ ଅଡର। ସେ ମୋତେ କହୁଥାଏ କାହିକି ମୋତେ ଭଗବାନ ଏତେ ବଡ଼ ମହାମାରୀରୁ ଭଲ କରି ଘରକୁ ଆଣି ଏଇଆ ଦେଖାଇଲେରେ ।ସଙ୍ଗେ ସଙ୍ଗେ ତା ବଡ଼ ପୁଅ ଆସି ପହଞ୍ଚିଲା । ତା ସହିତ ଥାଏ ତାଂକ ପ୍ରିୟ ଗାଡିକୁ ମୋ ନାମରେ ବିକ୍ରି କରିଥିବାର କାଗଜ ପତ୍ର ।ଏ ଷଡ଼ ଯନ୍ତ୍ରର କୁଳ କିନାରା କିଛି ମୋ ଦିମାକରେ ପଶୁନଥାଏ । ବାଃ ବାଃ ରେ ସହର । ତଥାପି ଏ ସହରର ପ୍ରୋଲଭନ ନିଶାଟା ମୋ ମୁଣ୍ଡରୁ ଓହ୍ଲାଉ ନଥାଏ । ଗାଁଉଲି ସାଧା ସିଧା ଅପାଠୁଆ ସୁରଭି ଗାଡି ଚଲେଇ ଜାଣିଲା କେତେ ବେଳେ ଯେ କାହା ଉପରେ ମାଡିଯାଇ କାହା ଜୀବନ ନେଇ ଯିବ ।।ଏଇ କୋଳରେ ବଢ଼ି ଆସିଥିବା ପିଲା ମାନେ ଏ ନିଚ ଷଡ଼ଯନ୍ତ୍ର କରି ଜଣାଇ ଦେଲେ ମୁଁ ସେମାନଙ୍କ ର କେହି ନୁହେଁ ।
।