TANMAYEE MOHANTY

Others

3  

TANMAYEE MOHANTY

Others

ପ୍ରେମ

ପ୍ରେମ

6 mins
179


       ସେ ମୋର ଜଣାଶୁଣା ଥିଲା କହିଲେ ଭୁଲ୍ ହେବ । ସେ ମୋର ନିହାତି ନିଜର ଥିଲା । ଆମ ଦୁହିଁଙ୍କ ସମ୍ପର୍କ ଆଜି କାଲିର ନୁହେଁ ଦୀର୍ଘ ପନ୍ଦର ବର୍ଷର । ଗୋଟା ଦିନର ଅଧା ସମୟ ଆମେ ଗପସପରେ ହିଁ ସାରୁଥିଲୁ । ପାଠପଢ଼ା ସାରି ଚାକିରୀ ପାଇଲୁ ଗୋଟିଏ ଜାଗାରେ । ଏକାଠି ଗୋଟିଏ ରୁମରେ ଭଡ଼ା ରହିଲୁ ପରସ୍ପରର ସୁଖ ଦୁଃଖ, ଭଲମନ୍ଦ ବାଣ୍ଟୁ ବାଣ୍ଟୁ ଆମେ ଅଧିକ ନିକଟବର୍ତ୍ତୀ ହେଇଗଲୁ । ଜଣେ କୈାଣସି କାମରେ ଘରକୁ ଗଲେ ଆଉ ଜଣଙ୍କ ମୁହଁ ଶୁଖିଯାଏ । ଏକାଠି ଅଫିସ ଯିବା, କ୍ଲାସ୍ କରିବା, ରୋଷେଇ କରିବା, ବଜାର କରିବା ଏମିତି ସବୁ କାମ ରେ ଆମେ ଦୁହେଁ ସାଙ୍ଗହୋଇ କରୁ ।ଏ ସହରଟା ସାରା ଚର୍ଚ୍ଚା କରନ୍ତି "ଏ ଦିଇଟା କ'ଣ ଛଡ଼ା ଛଡି ହେଉନାହାନ୍ତି ଏମାନେ କ'ଣ ବାହା ସାହା ହେଇ ଶାଶୁ ଘର ଯିବେନି କି? ଗୋଟେ ଘରକୁ ଯିବେ ବା ! " ଏହି ଭଳି ଟିପ୍ପଣୀ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ ଆମ ଆଖପାଖରେ ଥିବା ପଡୋଶୀ ମାନେ । ଥରେ ଥରେ ଆମକୁ ପାଖକୁ ଡାକି ଅଜବ ଅଜବ ପ୍ରଶ୍ନ ପଚାରି ଥାନ୍ତି ।

ଆମ ଦୁହିଁଙ୍କ ବାପା ମା, ଭାଇଭଉଣୀ, ପୁତୁରା ଝିଆରୀ ମାନଙ୍କ ପାଇଁ ଆମେ ବିଭିନ୍ନ ପ୍ରକାର ଚିନ୍ତା କରୁ । ପରସ୍ପରର ମତାମତ ନେଉ । ଆମେ ସାଙ୍ଗହୋଇ ରହିବାର ପନ୍ଦର ବର୍ଷ ପରେ ଆଜି ଏକ ଭିନ୍ନ ଢ଼ଙ୍ଗରେ କଥା କହୁଛି ସୁଷମା ।" ଦେଖନ୍ତୁ ଆପଣ ଖରାପ୍ ଭାବିବେ ନାହିଁ ମୁଁ ଗୋଟେ ଇମ୍ଫୋଣ୍ଟାଟ୍ କଥା କହିବି " ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁଲି ତାକୁ । ମୁହଁ ରେ ହସ ବୋଳିହୋଇ ରହିଛି । ଆରେ କେଉଁଠି ଲଟେରୀ ଲାଗି ଗଲା କି ? କ'ଣ ‌ଭାରି ଖୁସି ଲାଗୁଚ । ହଁ ସେପରି କିଛି । ମୁଁ ହସିଦେଇ କହିଲି କୁହ କୁହ ଆଉ ଡେରି କ'ଣ ପାଇଁ । ସୁଷମା କହିବା ଆରମ୍ଭ କଲା " ବୁଝିଲେ ମୋର ତାଂକ ସହ ଲଭ୍ ହେଇଯାଇଛି । ବହୁତ ସୁନ୍ଦର ଦେଖିବାକୁ ଆଉ ବଢ଼ିଆ ମଣିଷ ବି, ଆପଣ ତାଙ୍କୁ ଜାଣିଛନ୍ତି, ଦେଖିଛନ୍ତି ବି ।" ଏକା ନିଃଶ୍ୱାସକେ କହି ସୁଷମା ମୋତେ ଚାହିଁ ରହିଲେ । ମୁଁ ତାଙ୍କ କଥା ଶୁଣି ମନେ ପକେଇବାକୁ ଚେଷ୍ଟା କଲି ମୋ ଜାଣିବା ଲୋକ କିଏ ହେଇ ପାରେ ଯିଏ ସୁଷମାଙ୍କ କଠୋର ହୃଦୟକୁ ଜିତିଛି ।ନାଁ କେହି ନାହାନ୍ତି ସେମିତି ।ଅନାଇ ରହିଲି ତାଙ୍କୁ, ସେ ଆହୁରି ପାଖକୁ ଲାଗି ବସି କହିଲେ ।" ଆପଣ ଖରାଛୁଟି ଆଗରୁ ମୁମ୍ବାଇ ଗଲେ ପୁରା ଦୁଇ ମାସ ପାଇଁ । ମୋର ପ୍ଲସ ଟୁ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଡି.ଡି.କଲେଜରେ ଡ୍ୟୁଟି ପଡ଼ିଲା । ଆପଣ ତ ନଥିଲେ ସେଥିପାଇଁ ଆପଣଙ୍କ ଘରକୁ ନଯାଇ ଆମର ଦୂର ସମ୍ପର୍କୀୟ ଭଉଣୀ ଘରେ ରହି ଖାତା ଦେଖିଲି । ମୋର ଆପଏଣ୍ଟ ଲେଟର ଟିକେ ଭୁଲ ହେଇଥିଲା । କଲେଜରେ ସେ କ୍ଲରିକାଲ ଷ୍ଟାଫ୍ ଗୁଡା ଭାରି ହଇରାଣ କଲେ ଭାଗ୍ୟ ଭଲ ସେ ଆସି ମୋତେ ବଂଚାଇ ଦେଲେ । ବିଶ୍ଵାସ କରନ୍ତୁ ସେ ମୋତେ ଏତେ ହେଲ୍ପ କଲେ ମୁଁ ତ ପୁରା ଋଣୀ ହୋଇଗଲି । ସବୁ ଦିନ ତାଙ୍କରି ଗାଡ଼ିରେ କଲେଜ ଯିବା ଆସିବା କଲି । ଖାତା ଦେଖା ସମୟ ପରେ ସେ ମୋତେ ବହୁତ ସୁନ୍ଦର ସୁନ୍ଦର ଜାଗା ବୁଲାଇବାକୁ ନେଇ ଯାଆନ୍ତି । ପ୍ରାୟ ସବୁ ଦିନ ସନ୍ଧ୍ୟାରେ ଆମେ ବୁଲି ବୁଲି ହୋଟେଲରେ ଖାଇ ଘରକୁ ଫେରୁ । । ଓଃ କେତେ ଭଲ ଥିଲା ସେ ଦିନ ସବୁ । " ଏମିତି ବର୍ଣନା କରି ସୁଷମା ମୋତେ ଜାବୁଡ଼ି ଧରିଲା । ଗୋଟେ ରିକ୍ଯୁଏଷ୍ଟ ଥିଲା ଆପଣ ହଁ କହିବେ ଯଦି କହିବି । ହଁ କରନ୍ତୁ ନା, ହଁ ତ ତା'ହେଲେ ମୁଁ ଫୋନ୍ କରୁଛି କହି ଉଠି ଆସିଲେ ସୁଷମା । ମୁଁ ପ୍ରକୃତରେ ହଁ କି ନାହିଁ କିଛି ତ କହିନାହିଁ ।ସେ ଫୋନରେ କ'ଣ ସବୁ ଗପିଯାଉଛି ନନ୍ ଷ୍ଟପ୍ ଗାଡି ଭଳି ପାଖାପାଖି ଦେଢ଼ ଘଣ୍ଟା । ବାପରେ ବାପ ଏ ପ୍ରେମ ଟା କ'ଣ ସତରେ ଏମିତି ।

 ପ୍ରେୟସୀ ସୁଷମା ଭିତରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳିଲା । ଆଗପରି ସେ ମୋ ସହିତ ମିଶି କୋୖଣସି କାମରେ ମନ ଦେଲା ନାହିଁ ।ଏ ପାଠ କେମିତି ପିଲା ମାନଙ୍କୁ ବୁଝାଉଛି କେଜାଣି । ଅଧିକରୁ ଅଧିକ ସମୟ ସେ ଫୋନ୍ ରେ ହିଁ କାଟୁଥିଲା ତା ପ୍ରେମିକ ପ୍ରବରର ସବୁ ଖବର ସୁଷମା ମନ ଦେଇ ବୁଝୁଥିଲା । କ'ଣ ଖାଇଲେ, କୁଆଡେ ଗଲେ, କ'ଣ ପିନ୍ଧିଲେ କେମିତି ରଂଗ ର ଡ୍ରେସ୍ ଇତ୍ୟାଦି ଇତ୍ୟାଦି ସବୁ ।ସତେ ଯେମିତି ଇୟେ ତାଙ୍କ ସ୍ତ୍ରୀ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସବୁ ବୁଝିଲା ପରେ ବି କ'ଣ ଆଉ ବାକି ଥାଏ ଯେ ରାତି ଖାଇ ସାରି ଗପେ ଯେ ରାତି ଦୁଇଟା ବାଜେ । କିଏସେ ଏ ଭଦ୍ର ବ୍ୟକ୍ତି ଯେତେ ମନେ ମନେ ଭାବୁଥିଲେ ମଧ୍ୟ ପାଉନଥାଏ ମୁଁ । ସୁଷମା ପ୍ରତ୍ୟେକଦିନ ନୂଆ ନୂଆ ଖବର ବାଣ୍ଟେ ମୋ ସହ । ଆଜି ସେ ଗାଡି କିଣିଲେ ମୋ ନାମରେ ।ସେ ମୋ ନାଁ ଦେଇଛନ୍ତି ଦେବୀ । ତାଂକ ଗାଡି ରେ ଲେଖା ହୋଇଛି ଦେବୀ ।ମୋ ପାଖକୁ ଫଟୋ ପଠାଇଛନ୍ତି ଦେଖନ୍ତୁ କହ ସେ ଫଟୋ ଦେଖାଏ । ସତକୁ ସତ ଗାଡି ଉପରେ ସୁନ୍ଦର ଭାବରେ ଲେଖିଛନ୍ତି ଦେବୀ । ଆଶ୍ଚର୍ଯ୍ୟ ଏ ଦୁଇଟା ମାସରେ ଏତେ ଭଲପାଇବା । ସୁଷମା ଭାଗ୍ୟବତୀ, ବିଳମ୍ବ ହେଉ ପଛେ ଭଲ ମଣିଷଟିଏ ପାଇଛି ।ମୋ ନାମ ରେ କବିତା ଲେଖିଛନ୍ତି ସେ । ମୋ ପାଇଁ ଆଜି ଶାଢ଼ୀ କିଣି ଛନ୍ତି । ଏପରି ଭାବରେ ସୁଷମା ଏତେ ବ୍ୟାଖ୍ୟା କରୁଥିଲା ଯେ ମୋର ତାଙ୍କ ବିଷୟରେ ଜାଣିବାକୁ ପ୍ରବଳ ଆଗ୍ରହ ହେଲା । କଥା ପ୍ରସଙ୍ଗରେ ମୁଁ ସୁଷମାଙ୍କୁ ତାଙ୍କ ପ୍ରେମିକ ବିଷୟରେ ପଚାରି ବସିଲି । ସେ ସଂଗେ ସଂଗେ କହିଲେ ଆସନ୍ତା ସୋମବାର ଦିନ ସେ ଏଠାକୁ ଆସିବେ ଆପଣ ଜାଣିଛନ୍ତି ତାଙ୍କୁ ଦେଖିଲେ ଜାଣି ପାରିବେ । ମୁଁ ତ ପ୍ରଥମେ ଆପଣଙ୍କ ଘରେ ତାଙ୍କୁ ଦେଖିଥିଲି । ହେଉ କହି ମୁଁ ଚୁପ୍ ରହିଲି । ଆଉ ଦୁଇଟା ଦିନ ତ, ଦେଖିବା । ଓଃ ହୋ ଏ ଦୁଇଟି ଦିନ ସୁଷମାଙ୍କ ପ୍ରେମିକଙ୍କ ଆଗମନ ଆୟୋଜନରେ ଗଲା । ସେ ଦିନଟିଏ ରହିବେ । ଏଣୁ ସେ ଭଲପାଉଥିବା ଆଇଟମ ସବୁ ବନାଇବାର ପରିକଳ୍ପନା ରେ ସୁଷମାଙ୍କ ନିଦ ହଜିଯାଇଛି । କେବଳ ସିନେମାରେ ପ୍ରେମ କୁ ଦେଖିବା ଆଉ ବହିରେ ଉଲ୍ଲେଖ ଥିବା ପ୍ରେମକୁ ପଢ଼ିବା ଛଡ଼ା ମୋର ଅନ୍ୟ ଧାରଣା ନଥିଲା । ଏମିତି ପ୍ରେମିକା ସାଜିଛି ସୁଷମା, ସତେ ଯେମିତି କୃଷ୍ଣ ପ୍ରେମରେ ବିହ୍ଵଳିତ ଗୋପୀଟିଏ । ସୁଷମାଙ୍କ ଅନ୍ୟମନସ୍କତା ଦେଖି ପଚାରିଲି କ'ଣ କିଛି ପ୍ଲାନ୍ ଅଛି ଭବିଷ୍ୟତ ପାଇଁ ନାଁ ଏମିତି ପ୍ରେମରେ ସମୟ କାଟିବ । ହସିଦେଇ କହିଲା ସେ ଆସିଲେ ମୋ ପାଇଁ ଏଇ କଥାଟା ପଚାରିବେ ନିଶ୍ଚୟ । ସୋମବାର ଦିନ ସେ କଲେଜ ନଯାଇ ଛୁଟି ନେଇ ରହିଲା । ମୁଁ ଜଲଦି ଆସିବି କହି ଚାଲି ଆସିଲି, ଯୋଗକୁ ସେ ଦିନ ସେମିନାର ଥାଏ । ଫେରିବା ବେଳକୁ ସଂଧ୍ୟା । ଆସି ଦେଖିଲି ମୋ ଭାଇନା ବସି ଚା ପିଉଛନ୍ତି । ଆରେ ଭାଇନା ହଠାତ୍ କ'ଣ ପାଇଁ ଆସିଲେ ଯେ । ନାନୀ ଦେହ ଭଲ ଅଛି ତ ? ଏମିତି କୋଉ କାମ ପଡ଼ିଲା ମୋ ପାଖରେ ଯେ ଫୋନ୍ ନାହିଁ ଫାନ ନାହିଁ ପଳେଇ ଆସିଲ ! ଏକା ଥରକେ ଏତେ ଗୁଡା ପ୍ରଶ୍ନ ପଚାରି ପକାଇଲି ଭାଇନାଙ୍କୁ । ଯା‌ହା ହେଉ ସୁଷମା ଚା ପାଣି ଦେଇ ଅଭ୍ୟର୍ଥନା କରିପାରିଛ । ମୁଣ୍ଡ ବିନ୍ଧା ହେଲାଣି ଇଆଡ଼େ କ'ଣ କରିବି । ସୁଷମାଙ୍କ ପ୍ରେମିକ ଆସିବା ସମୟ ହେଲାଣି ଭାଇନାଙ୍କୁ କେମିତି ଏଠୁ ବିଦା କରିବି । ସେ ମହାଶୟଙ୍କୁ ଦେଖି କାଳେ କ'ଣ କହିପକାଇବେ ମୋତେ ସେଇ ଚିନ୍ତା ଘାରିଥାଏ ।

ମୁଁ ଧିରେ ଧିରେ ସୁଷମାଙ୍କୁ ପଚାରିଲି କେତେ ବେଳେ ସେ ଆସି ପହଁଚିବେ ? ସେ ସେମିତି ମୁହଁ ପୋତି କହିଲା "- ମୋ ମନର ମଣିଷ ଇଏ ପରା କେତେବେଳୁ ଆସିଲେଣି । ମୋ ପାଦ ତଳୁ ମାଟି ଖସିଗଲା ଯେମିତି । ଗରଜି ଉଠିଲି ମୁଁ, ତୁମ ପ୍ରେମ ନିଶା ଛଡଉଛି । ତୁମେ ଆଉ କାହାକୁ ପାଇଲ ନାହିଁ । ଶେଷରେ ଇଏ, ମୋ ନାନୀ ଏବେ କ'ଣ କରିବ । ତା ପିଲାଛୁଆ କ'ଣ କରିବେ ।ଭଲ ପାଇବ ବୋଲି କ'ଣ କାହା ସଂସାରରେ ନିଆଁ ଲଗାଇବ । ସୁଷମା ଆଖି ଉଠେଇ ଭାଇନାଙ୍କୁ ପଚାରୁ ଥାଏ ତୁମେ ବିବାହିତ ? ସେ ଏମିତି ପଚାରୁଥିଲା ଯେମିତି ସେ ଅଜଣା ।ପ୍ରଥମ ଥର ଆମ ଘରେ ଏମାନଙ୍କ ଚିହ୍ନା ପରିଚୟ କରାଇ ଥିଲି ମୁଁ ମୋ ଭାଇନା ବୋଲି କହିଥିବି । ଆଉ ଇୟେ ଅଜଣା ଚାଉଳ ଭାତ ଖାଉଛି । ହୁଁ । ସବୁ ତକ ରାଗ ତା ଉପରେ କେନ୍ଦ୍ରୀଭୂତ ହେଲା ।

 

ଏ ପ୍ରେମ ବି କେତେ ଅଜବ । କେଉଁଠି କେତେବେଳେ କେମିତି ଭାବରେ ଯେ ଆକର୍ଷଣ ଯଗାଏ ତା କେହି ଜାଣି ପାରିବେ ନାହିଁ । ସେଦିନ ଭାଇନା ରାତି ବସ୍ ରେ ଫେରି ଗଲେ ।ଯଦିଓ ସୁଷମା ସାଂଗ ରେ ଦୁଇ ଦିନ ବୁଲିବାର ପ୍ଲାନ୍ ଥିଲା । ଆଉ ସୁଷମା ଭାଇନା ଯିବା ପରେ କେବଳ କାନ୍ଦିବାକୁ ଲାଗିଲା । ରାଗରେ ମୁଁ ଆଉ ତାର ମୁହଁକୁ ଚାହିଁଲି ନାହିଁ । ପାଣି ଗ୍ଲାସଟିଏ ପିଇ ଶୋଇ ପଡ଼ିଲି । ସକାଳୁ ଉଠି ଦେଖିଲା ବେଳକୁ ସୁଷମା ନାହିଁ । ସେ କେବେହେଲେ ସକାଳୁ ଉଠେ ନାହିଁ, ଅଥଚ ମନକୁ ପାପ ଛୁଏଁ । କେତେ ଆଡୁ କେତେ ଚିନ୍ତା ମୋତେ ବିବ୍ରତ କଲା । ଦେଖାଯାଉ ସଂଜ ଯାଏଁ ଅପେକ୍ଷା କରେ ଭାବି ମୋ କାମରେ ବ୍ୟସ୍ତ ରହିଲି । ସନ୍ଧ୍ୟା ସାତଟା ବେଳକୁ ତାଙ୍କୁ ଫୋନ୍ କଲି, କେଉଁଠି ଅଛି ? ସେ ଫୋନ୍ ଉଠାଇଲେ କିନ୍ତୁ ନୀରବ ରହିଲେ । କିଛି କହିବା ଠିକ୍ ହେବ ନାହିଁ ଭାବି ମୁଁ ଚୁପ୍ ରହିଲି । ବିତିଗଲା ମାସଟିଏ ଏ ଭିତରେ । ସକାଳୁ ସକାଳୁ ହଠାତ୍ ପହଞ୍ଚି ଚମକାଇ ଦେଲେ ସୁଷମା । ଖିଆପିଆ ସାରି ଅଫିସ ବାହାରି ଗଲୁ ଦୁହେଁ । ସେ ତାଙ୍କ ତରଫରୁ କିଛି କହିଲେ ନାହିଁ, ମୁଁ ବି ଚୁପ ରହିଲି। ଭାବିଲି ସମୟ ସବୁ ଠିକ୍ କରିଦେଲା । ଭଗବାନ ଏମାନଙ୍କୁ ସଦ୍ ବୁଦ୍ଧି ଦେଲେ, ନହେଲେ ମୋ ନାନୀ ଜୀବନ ସାରା କାନ୍ଦିଥାନ୍ତା । ନିଜର କାମରେ ବ୍ୟସ୍ତ ରହିଲୁ ଆମେ । ଚାରି ପାଞ୍ଚ ଦିନ ଯାଇଛି ହଠାତ୍ ମୋ ନାନୀ ଫୋନ୍ କଲା । ହାଲୋ କହିଛି କି ନାହିଁ ଗରଜି ଉଠିଲା ସେ -" ଜାଣିଛୁ ତୋର ସେ ସାଂଗ ମୋ ସଂସାର ଭାଂଗି ଦେଲା ଲୋ, ପନ୍ଦର ଦିନ ହେବ ସେ ତୋ ଭାଇନା ସାଂଗରେ ଅଛି । ପୁରୀ ଜଗନ୍ନାଥଙ୍କୁ ସାକ୍ଷୀ ରଖି କୁଆଡେ ଦି ଜଣ ବାହା ହେଇଛନ୍ତି । ମୁଁ ଆଉ କିଛି ଶୁଣିବା ଅବସ୍ଥାରେ ନଥିଲି । ସୁଷମା ଆଡ଼କୁ ଚାହିଁ ଦେଖେ ତ ସେ ବହି ଯାଉଛି ଝରଣାଟିଏ ପରି । ଫୋନରେ କହୁଛି ସୁଷମା -" ତୁମେ ଆସନା ମୁଁ ଅଲଗା ଘର ଠିକ୍ କରିଛି ଆମେ ସେଠି ରହିବା ତୁମେ ଆଉ ମୁଁ ।" ସେପଟରୁ ମନ ଖୋଲା ହସ ଶୁଭୁଥିଲା । ପ୍ରେମର ଏ ଗୋଲାପି ରଂଗ ବୋଳିହୋଇ ଯାଉଥାଏ ସୁଷମାର ମୁହଁ ସାରା ।



Rate this content
Log in