TANMAYEE MOHANTY

Others

4  

TANMAYEE MOHANTY

Others

କ୍ରୋଧର ନିଆଁ

କ୍ରୋଧର ନିଆଁ

3 mins
1.8K



ହସ୍ତତନ୍ତ ବୁଣାକାର ମାନଙ୍କ କଲ୍ୟାଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଲେ ଆମ ସରକାର । ଆମେମାନେ କେମିତି ଅନୁକୂଳ ପରିବେଶରେ ରହିବା , ଅଧିକ ସମୟ ବୁଣାକାର୍ଯ୍ଯ କରି ପାରିବା, ନିଜ ନିଜର ଆୟ ବୃଦ୍ଧି କରିପାରିବା । ସେଥିପାଇଁ ପ୍ରତ୍ୟେକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି ଟଙ୍କା । ଏମିତି ଏକ ଆଲୋଚନା ଚୁପଚାପ୍ ଠିଆହୋଇ ଶୁଣୁ ଥିଲା ସୁବଳ ମେହେର । 

ସୋନପୁରର ମାହାଣଟାଲି ନାମକ ଗାଆଁ ର ବୁଣାକାର ସୁବଳ । ରାତିଦିନ ଏକାକାର କରି ଦୀର୍ଘ କୋଡ଼ିଏ ବର୍ଷ ହେଲାଣି ସେ ଲୁଗା ବୁଣିବା କାମରେ ନିଜକୁ ନିୟୋଜିତ କରି ଆସିଛି । କେବେ ତ କାହିଁ କେଉଁ ସରକାର କିଛି ସାହାଯ୍ୟ ସହଯୋଗ କରିବା ସେ ଜାଣି ନାହିଁ । । ଭଲ ହେଲା ସତକୁ ସତ ଯଦି କିଛି ମିଳିଗଲା, ତା'ହେଲେ ଏଥରକ ନୂଆ ଡିଜାଇନର ଲୁଗା ବୁଣିବା । ଆଜି କାଲି ଝିଅବୋହୂମାନଙ୍କ ସେ ପୁରୁଣା ନାଲି ହଳଦିଆ ସବୁଜ ରଙ୍ଗର ପଶାପାଲି ଡିଜାଇନ ଆଉ ପସନ୍ଦ ହେଉନାହିଁ । ଏମାନେ ପଶୁପକ୍ଷୀ ଚିତ୍ର ଥିବା ନୂଆ ରଂଗର ଲୁଗା ଚାହାନ୍ତି ।ଏ ନୂଆ ରଂଗଟା କ'ଣ ଆଜି ଯାଏଁ ଖୋଜି ପାଉନି ସୁବଳ ମେହେର ।

ଗଲା ବର୍ଷ ଗାଡି ଚଢି ଆସି ଥିବା ମହିଳା ଜଣକ ବାରମ୍ବାର କହୁଥିଲେ ମଡନ କଲର୍ ଦେଖାଅ । ଅଳ୍ପ ପଢୁଆ ସୁବଳ କେଉଁଠୁ ପାଇବ ଏ ମଡନ କଲର୍ ଟା ? ଇନ୍ଦ୍ରଧନୁର ସବୁ ରଂଗ ,କଳା ଧଳା ସବୁ ରଂଗ ର ଲୁଗା ଦେଖାଉ ଦେଖାଉ ଥକି ଗଲା ସେଦିନ ସୁବଳ ।ସେ ମହିଳା ଜଣକ ତ ଚଏସ୍ ହେଲାନି କହି ଚାଲିଗଲେ , ସବୁଯାକ ସାଇତି ରଖିବାକୁ ଗୋଟା ରାତି ପାହିଲା ସୁବଳ ର ।

         ରବିବାର ରଂଗ କିଣିବାକୁ ଗଲାବେଳେ ଭେଟିଲା କିଛି କଲେଜ ପଢୁଆ ଝିଅଙ୍କୁ । ଆଗ୍ରହ ପ୍ରକାଶ କରି ସେମାନଙ୍କୁ ଏ ମଡନ କଲର୍ କେଉଁ ଧରଣର ପଚାରି ବୁଝିଲା ।କିଏ ଫିକା ସବୁଜ ତ କିଏ ଗୋଲାପି ରଂଗ କୁ ଇଂଗିତ କଲେ । ହେଲେ ସୁବଳ ମନକୁ ପାଇ ନଥିଲା ।

ସମୟ ଗଢ଼ି ଚାଲିଥାଏ ।ଛଅ ପ୍ରାଣୀ କୁଟୁମ୍ବ, ରହିବା ଖାଇବା ଛଡ଼ା ଆଉ କୋୖଣସି କାମକୁ ତା'ର ରୋଜଗାର ପାଉନଥାଏ । ଘରର ଚାଳ ଛପର କରିବାକୁ ପଡ଼ିବ, ମା'ର ଆଖିକୁ ଦେଖାଯାଉନାହିଁ ତାକୁ ଡାକ୍ତର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ ଝିଅ ଧିରେ ଧିରେ ବଢୁଛି, ପୁଅ କେଉଁ କୁଳର ହେବ ଇତ୍ୟାଦି ଚିନ୍ତା କରୁ କରୁ ସୁବଳ ର ରାତିରେ ନିଦ ପଡେନାହିଁ । ମନେ ମନେ ଭାବିବସେ କୃଷକମାନେ ଆତ୍ମ ହତ୍ୟା କରି ଦେଉଛନ୍ତି । ଜଣେ ମରୁଛି ସତ ହେଲେ ପରିବାର ଲୋକେ ଅନୁକମ୍ପା ମୂଳକ ସହାୟତା ପାଇପାରୁ ଛନ୍ତି । ଆମ ବୁଣାକାର ଭାଇମାନେ ସମସ୍ତେ କ'ଣ ସୁଖରେ ଅଛନ୍ତି ! କାହିଁ କେବେ ତ ମୁଁ ଏ ବିଷୟରେ ଶୁଣି ନାହିଁଁ ।ସେ ଯାହା ହେଉ ସରକାର ଙ୍କ କଥା ସତ ହେଉ ।ହେ ପ୍ରଭୁ ତା ଆୟୁଷ ଚାରିଗୁଣ କରିଦିଅ । 

ଏମିତି ମାସେ ଗଲା ଦୁଇ ମାସ ଗଲା । ସରକାରୀ ବାବୁ ମାନେ ଘରକୁ ଆସି ତାର ଆଧାର ନମ୍ବର ବ୍ୟାଙ୍କ ନମ୍ବର ସବୁ ନେଇ ଗଲେ । ଅନେକ ଦିନ ପରେ ବି କିଛି ସୋରଶବଦ ନାହିଁ ସାହିରେ କେହି କେହି ପାଇଛନ୍ତି । ସେଗୁଡା ନେତା ଙ୍କ ପଛରେ ଗୋଡାନ୍ତି । ସେତ କେବେ କାହା ସହ ବୁଲାବୁଲି କରେନି ।ତା କାମକୁ ତା ବେଳ ନିଅଣ୍ଟ ।ବୁଲିବ କେମିତି ? ଦିନେ ସାହସ ସଞ୍ଚୟ କରି ଟାଉଟର ନାରଣ ବାରିକକୁ ପଚାରି ବସିଲା ।"ଏ ଟଙ୍କା କେବେ ଆସିବ କି ଭାଇ " ନାରଣ ସଂଗେ ସଂଗେ କହିଲା ଦେଉନୁ ମୋତେ ଦଶହଜାର ,ଝଅଟ କରିଦେବି । ମୁଣ୍ଡ ରେ ହାତ ଦେଲା ସେ । ଏତେ ଗୁଡା ଟଙ୍କା କେଉଁଠୁ ଆସିବ ? କେହି ତ ମୋର ଆଗକୁ ପଛକୁ ନାହାଁନ୍ତି , କିଏ ଦେବ ଭଲା । ଶେଷ କୁ ଘରଢିଅ ଖଣ୍ଡକ ବନ୍ଧା ରଖି ନାରଣ ଦେଲା ଟଙ୍କା ।ନିଜେ ଯାଇ ଅଫିସର ମାନଙ୍କୁ ଧରାଧରି କରି ଟଙ୍କା ଟା କରାଇ ଦେବ ବୋଲି କହିଲା । ଶେଷ ଆଶ୍ରା ବି ଗଲା ।ଚାତକ ମେଘ ପାଇଁ ଆକାଶକୁ ଚାହିଁ ରହିଲା ପରି ସୁବଳ‌ ନାରଣ ମୁଁହକୁ ଚାହିଁ ରହିଲା । 

      ବ୍ୟାଙ୍କ ର କାଗଜ ପତ୍ର ଧରି ପହଞ୍ଚିଲା ନାରଣ , ଆଉ ଅପାଠୁଆ ସୁବଳକୁ ଟିପଚିହ୍ନ ଦେବାକୁ କହିଲା ।ସୁବଳ ନାରଣ କଥା ଅନୁଯାୟୀ ସବୁ କରିଥାଏ । ସପ୍ତାହେ ପରେ ଦିନେ ସୁବଳ କୁ ବ୍ୟାଙ୍କକୁ ଡକା ଆସିଲା । ସରକାର ଙ୍କ ଅନୁକମ୍ପା ରାଶି ତା ଆକାଉଣ୍ଟ୍ ଆସିଥାଏ । ସୁବଳର ଆଖି ଝଲସି ଉଠୁଥାଏ । ମନେ ମନେ ଗୋଟେ ଲମ୍ବା ତାଲିକା ପ୍ରସ୍ତୁତ ହୋଇଥାଏ ।ତା ଭିତରେ ସେ ମଡନ କଲର୍ ମଧ୍ୟ । ଟଙ୍କା ଧରି ଆସି ଘରେ ପହଞ୍ଚୁ ପହଞ୍ଚୁ ଗଣିବସିଲେ ଉଭୟ ସୁବଳ ଓ ନାରଣ । ଧାର ଦେଇ ଥିବା ଟଙ୍କା ତକ ମୁଠାଇଧରିଲା ନାରଣ । ବଳିଗଲା ମାତ୍ର ୨୫୦ ଟଙ୍କା ।ନାରଣ ଖୁଚୁରା ଟଙ୍କା ସୁବଳ କୁ ଧରାଇ ତା ବାଟରେ ଚାଲିଗଲା । ସୁବଳ କ୍ରୋଧରେ କରୁଥାଏ । ସେ ସଂଗେ ସଂଗେ। ଦଉଡିଲା ବ୍ୟାଙ୍କକୁ । ସେମାନେ କହିଲେ ସୁବଳ ନିଜେ ଟିପ ମାରି ଟଙ୍କା ଧରି ଯାଇଛି । କାଗଜ ପତ୍ର ସେହି କଥା କହୁଛି । ସୁବଳର ଭୋକ ଶୋଷ ସବୁ କୁଆଡେ ଉଡିଗଲା । ସକାଳୁ ସକାଳୁ ଲୋକମାନେ ଗାଁ ର ପୋଖରୀ ଆଡ଼କୁ ଦଉଡୁ ଥାନ୍ତି- କହୁଥାନ୍ତି" ଆରେ ସେ ନାରଣ ଟାଉଟରଟା ପୋଖରୀ ହୁଡ଼ାରେ ମରି ପଡିଛି । "ସୁବଳର ଆଖିରୁ ନିଆଁ ଝୁଲ ବାହାରୁଥାଏ ଯେମିତି । 


Rate this content
Log in