TANMAYEE MOHANTY

Others

4  

TANMAYEE MOHANTY

Others

ଅବଶୋଷର ଧୂଆଁ

ଅବଶୋଷର ଧୂଆଁ

4 mins
525


ସେଦିନ ଘରଟା ସାରା ମୋ ବିପକ୍ଷରେ। ଥିଲେ । ମୁଁ କିନ୍ତୁ ପୁରା ଦମରେ ଚଳାଇ ଥିଲି ସଂଗ୍ରାମ ।ହେଇ ପାରିବନି ମାନେ ହେଇ ପାରିବନି।କିଏ ଆଣିଲା ଏ ପ୍ରକାର ପ୍ରସ୍ତାବ ? ଆଉ ଯାହା ହେଉ ଚଳିବ କିନ୍ତୁ"କିରାଣୀ" ନାଁ ନାଁ ବିଲକୁଲ ନୁହେଁ ।ବୁଝାଇ ବୁଝାଇ ଥକିଗଲେ ବାପା ଓ ବଡଭାଇ ।ତୁ ଏଇଠି ରାଜି ହେଇଯା, ଆମେ ଆଉ କେତେ କୁଆଡେ ଦଉଡିବୁ । ୫-୭ ବର୍ଷ ହେଲାଣିପରା ଦେଖୁଚୁ ତୋତେ ୨୭ ବର୍ଷ। ହେଲାଣି ତୁ ଆହୁରି ବାଛୁଛୁ ? ଯାହା ଜଣାପଡ଼ୁଛି ଇଏ ବୁଢ଼ୀ ହେବ ଆଉ ସାନ ଭଉଣୀ ଟାକୁବି ବୁଢ଼ୀ କରିବ । ଚାକିରି ଦେଖେଇ ହେଉଛି , ଯାହା ତ ଦରମା ପାଉଛି । କ'ଣ ନାଁ ପରିଚାଳନା କମିଟି ଦେଉଛନ୍ତି କେତେ ଆଉ ଦିଅନ୍ତେ ? ଆର ଫୁଟାଣି ଦେଖ । ମୋର ସେଇ ଯିଦ୍ -" ଏ ମୋର ସ୍ଵାଭିମାନର କଥା , ମୁଁ କ୍ଲାସ୍ ଟୁ ଆଉ କିରାଣୀ,ସେଆମ ତଳ ଗ୍ରେଡ । " ଆଛା ତୁମମାନଙ୍କ ଯଦି ଏତେ ପସନ୍ଦ ତା'ହେଲେ ଗୀତିର ବାହାଘର ସେଇଠି କରିଦିଅ-ଠିକ୍ ହେବ ତା ପାଇଁ । ଭାଇ କହୁଥିଲା "ତୁ କ'ଣ ଯାଣିଛୁ କିରାଣୀ ମାନେ ମର୍ତ୍ତ୍ୟର ଇନ୍ଦ୍ର ସମାନ, ଭାରି ଭଲ ରୋଜଗାର। ଘରଦ୍ଵାର ଭଲ ପିଲାର ଗାଡି ଘୋଡ଼ା ଅଛି । ଦରମାଟା ଯେମିତିକୁ ସେମିତି ବ୍ୟାଙ୍କରେ ରଖିବୁ ବୁଝିଲୁ ।ତା ଛଡା ତୋର ଚାକିରି ପାଇଁ ବି ସେମାନଙ୍କ ଅବଜେକ୍ସନ ନାହିଁ । କ'ଣ କହୁଚୁ? ହଁ କହି ଦେଉଛି ହେଲା ।"ନାଁ ହେବନି ମାନେ ହବନି ।ତୁ ବୁଝୁନୁ କ'ଣ ପାଇଁ? ମୁଁ ବାହା ନହେଲେ ବି। ମୋର କୌଣସି ଅସୁବିଧା ନାହିଁ । ଏମିତି କଥା କଟାକଟି , ହଁ ନାହିଁ ଭିତରେ କଟିଗଲା ପୁରା ଅଠର ଦିନ । ଯୋଗକୁ ଏ ଭିତରେ ଆସିଗଲା ଅନ୍ୟ ଏକ ପ୍ରସ୍ତାବ । ପିଲାଟି ଅଧ୍ୟାପକ,ମା ଓ ଦୁଇ ଭଉଣୀ ଚଳିବା ମୁତାବକ ଘର ଅଛି । ଏଥର ଅରାଜି ହେବାର ଆଉ ବାଟ ନଥିଲା । ରାଗରେ ସେ ଘର ଲୋକେ ମୋତେ କିଛି କହିଲେ ବି ନାହିଁ। ସେଇଠି ମୋର ଆଉ ସେ କିରାଣୀ ବର ସଂଗେ ଗୀତିର ବାହାଘର ଏକାବେଳେକେ ସାରିଦେଲେ ବାପା ।

ଏକା ଚାକିରି, ଏକା ଦରମା, ଯଦିଓ ଦରମା କମ୍ ଥିଲା କିନ୍ତୁ ଆମ। ଭିତରେ ବୁଝାମଣା ଭଲ ଥିଲା । ଶାନ୍ତି, ଶୃଙ୍ଖଳା ରେ ଦିନ କଟିଯାଉଥିଲା । ଆମେ ଦୁଇ ଭଉଣୀ ବର୍ଷରେ ଥରେ ଦୁଇ ଥର ବାପଘରକୁ ଯାଉ । ଗୀତି ଜୋଇଁ ତାଙ୍କ କାର୍ ରେ ଆସନ୍ତି , ଆମେ ବସ୍ ରେ ଯାଉଆସୁ । କେମିତି ଗୋଟେ ମାଡ଼ି ମାଡ଼ି ପଡେ । ଗଲାବେଳେ ମା ବାପାଙ୍କ ପାଇଁ ଫଳ ପିଲାମାନଙ୍କ ପାଇଁ ମିଠା ନେବାକୁ ଆମେ କେବେ ବି ଭୁଲି ନଥାଉ ।ଗୀତି ପିଲାଙ୍କ ପାଇଁ ନୂଆ ଡିଜାଇନର ଡ୍ରେସ୍ , ଖେଳଣା ସବୁ ନେଇ ଥାଏ । ଫେରିବା ବେଳକୁ ସେ ପିଲାଙ୍କୁ ପାଂଚ ଶହ ଲେଖା ଟଙ୍କା ଧରାଇ ଦିଏ ମୁଁ ଇଛା ଥିଲେବି କେବେ ଦେଇ ପାରେନାହିଁ । ପିଲାଏ ସାନ ପିଉସା ସାନ ଅପାର ପଛ ଛାଡନ୍ତି ନାହିଁ । ପିଉସା ଆମକୁ ବୁଲାଇ ନିଅ, ସିନେମା ଦେଖିବାପାଇଁ ନିଅ, ପାର୍କ ନିଅ ଇତ୍ୟାଦି । ଆଉ ବଡ ପିଉସା ପଢ଼ାପଢ଼ି କେମିତି ଚାଲିଛି?, ଏଥରକ କେତେ ନମ୍ବର ରଖିଛ ପଚାରିବେ ।ଆଉ ଛୁଆଏ ଯାହା ଭଲ ପାଇବେ । ଆମ ପାଖରେ ସବୁବେଳେ ମପାଚୁପା ପଇସା ଥାଏ। ଏଣୁ ଆମେ ଏକ୍ସଟ୍ରା ଖର୍ଚ୍ଚ କରି ପାରୁନାହିଁ । ହଁ ଆଉ ଛଅ ସାତ ମାସର କଥା ଆମେ ପୁରା ଦରମା ପାଇଲେ ସମସ୍ତଙ୍କୁ ଦେବା କହି ମନକୁ ବୁଝାଇ ଚଳିବାକୁ ହୁଏ ।

ଦଶହରା ସମୟରେ ଗୀତି ସମସ୍ତଙ୍କ ପାଇଁ ନୂଆ ଲୁଗା ନେଇ କି ଯାଏ । ଆମେ କେବେ ବି ନେଇ ପାରୁନି ।ପାଠ ହେଉନଥିବାରୁ ଗୀତି ସମସ୍ତଙ୍କ ଠାରୁ ଗାଳିଗୁଲଜ ଶୁଣୁଥିଲା , ଭଗବାନଙ୍କ କୃପା ରୁ ଯାହା ହେଉ ଭଲରେ ରହିଲା । ଭଗବାନ ତାର ମଙ୍ଗଳ କରନ୍ତୁ , ସଭିଙ୍କ ମୁହଁରୁ ସ୍ଵତଃ ଏକଥା ବାହାରୁଥିଲା । ସଂସାର ରଥ ଗଡ଼ି ଚାଲିଥାଏ ଆଗକୁ । ଆମ ପିଲାମାନେ ସବୁ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି ଗୀତିର ପିଲା ମାନେ ବି ଏ ଭିତରେ ବିତିଗଲା ଣି ଆଠ ବର୍ଷ । ଆମେ ଦୁହେଁ ଏ ପର୍ଯ୍ୟନ୍ତ ସରକାରୀ ପର୍ଯ୍ୟାୟ ଭୁକ୍ତ ହେଇ ପାରିନାହୁ । ମୋ ସ୍ବାମୀ ଟିଉସନ୍ କରି କରି ନୟାନ୍ତ ହେଲେଣି ।ମୋ ନଣନ୍ଦ ମାନଙ୍କ ବାହାଘର ସେ ଦେବା ନେବା ସହ ଶାଶୁଙ୍କ ଔଷଧ ,ବାହାପୁଆଣି କେଉଁ ଦିଗରେ ଆମେ ନିନ୍ଦା ପାଇ ନାହୁଁ ସେତିକି ଯଥେଷ୍ଟ । ଅନେକ କାର୍ଯ୍ୟ ବ୍ୟସ୍ତତା ଭିତରେ ଆଗପରି ଆଉ ବାପଘରକୁ ଯାଇ ହେଉନଥିଲା ।

   ହଠାତ୍ ଦିନେ ଭାଇ ଘରକୁ ନିମନ୍ତ୍ରଣ ନେଇ ଆସିଲା ତା ଝିଅ। ରାନୁର ବାହାଘର ।ରାନୁଟା ଜମା ଉନେଇଶ ବର୍ଷର । ତାକୁ ପାଠ ନପଢାଇ ଏତେ ଶୀଘ୍ର ବାହାଘର କ'ଣ ପାଇଁ କରିବା ନିଷ୍ପତ୍ତି ନେଲୁ କାହିଁକି ? ପଚାରି ଦେଲି -ଭାଇ କହିଲା "ଦେଖ୍ ତୁ ପାଠପଢି ଚାକିରି କଲୁଯେ ଆଜି ପର୍ଯ୍ୟନ୍ତ ତୋ ଅବସ୍ଥା ସୁଧୁରୁ ନାହିଁ ।ଆଉ ତାକୁ ପଢାଇ ଅଧିକ କ'ଣ କରି ପକାଇବା ।ଭଲ ପାତ୍ର ଛୁଟିଛି ବାହା କରେଇ ଦେଲେ କାମ ସରିଲା ।" ତାର ଏ ତାତ୍ସଲ୍ୟ ମୋ ଗାଲରେ ଚଟକଣା ଟାଏ କଷିଦେଲା ପରି ହୃଦବୋଧ ହେଲା । ବାହାଘର ପାଞ୍ଚ ଦିନ ଆଗରୁ ସମସ୍ତେ ପହଞ୍ଚିବ କହି ସେ ଚାଲିଗଲା । 

ଦୁଇ ଦିନ ପରେ ମୋ ଶାଶୁ କହିଲେ ଯାଉନୁ ତୋ ଝିଆରୀ ଡ଼ାକି ଆଣିବୁ ଆମଘରେ କୁଣିଆ ଖାଇ ଯିବ ।କଥାଟା ମୋ ମନକୁ ପାଇଲା । ଏଇଟା ତ ଆମ ପରମ୍ପରା । ମୁଁ ଖୁସି ହୋଇ ଫୋନ୍ କଲି ଭାଉଜଙ୍କୁ । ମୋର ଏ କଥା ଉପସ୍ଥାପନ କଲି । ଭାଉଜ କହିଲେ ହଁ ସେ ଯାଇଥାନ୍ତା କିନ୍ତୁ ଗୀତି ଆସି ତାକୁ କାଲି ହିଁ ନେଇ ଯାଇଛନ୍ତି । ତାପରେ ସେ ତା ନିଜର କ'ଣ ସବୁ ମାର୍କେଟରୁ ଆଣିବ ଭୁବନେଶ୍ଵର ରେ ଯାହାହେଲେ ସବୁ ନୂଆ ଷ୍ଟାଇଲ ର ଜିନିଷ ପତ୍ର ମିଳିବ , ତେଣୁ ଆହୁରି ପାଞ୍ଚ ଦିନ ପରେ ସେ ଆସିବ । ବାହାଘର ଦିନ ତ ପାଖେଇ ଆସିଲା ।ଆଉ ଦିନ କାହିଁ ଯେ ପଠାଇବି ? ତୁମେ ମନଦୁଃଖ କରିବନି । କ'ଣ ଆଉ କରିବା କୁହ । ଏତିକି କହି ଭାଉଜ ଫୋନ୍ ରଖିଲେ । ମୋ ମନ ଦୁଃଖ ହେଉ କି ନହେଉ ରାଗ ସବୁ ପୁଞ୍ଜିଭୂତ ହେଉଥିଲା ଗୀତି ଉପରେ ।ସେ ମୋତେ ନିଚ ଦେଖାଇ ପାଉଛି କ'ଣ । ତା କିରାଣୀ ବର ଏମିତି କେତେ ଟଙ୍କା ପାଉଛି ଯେ ଏତେ ଫୁଟାଣି ମାରୁଛି । ଅବଶୋଷର ଧୂଆଁ ସବୁ ଅଶାନ୍ତି ଆଉ ଅସନ୍ତୋଷ ରେ ରୁପାନ୍ତର ହେଉଥିଲା ।


Rate this content
Log in