Sachidananda Kar

Others

4.7  

Sachidananda Kar

Others

ସମୟର ଯାଦୁଖେଳ

ସମୟର ଯାଦୁଖେଳ

2 mins
384


           - ' ଅଜା ! ଦେଖିଲ ତ ଆଜି କେମିତି ପ୍ରଜାପତି ଧରିଲି ! ଧଳା,କଳା,ନାଲି ପ୍ରଜାପତି। ' ନାତୁଣୀ କହିଲା।

          ସଂଧ୍ୟାରେ ଅଜାଙ୍କ ପାଖରେ ବସିଗଲେ ମଜା ମଜା କଥା ଆରମ୍ଭ କରିଦିଏ ନାତୁଣୀ।

          ପୁରୁଣା କଥା, ପୁରୁଣା ଦିନକୁ ମନେ ପକାନ୍ତିନାହିଁ ଅଜା।ବର୍ତ୍ତମାନକୁ ଆପଣାର କରି ବଞ୍ଚନ୍ତି।ତେଣୁ କହିଲେ - ' ମୁଁ ଆଉ ଦୌଡ଼ି ପାରୁନି।ଝୁଣ୍ଟିପଡୁଛି।ଥକିଯାଉଛି।' 

           - ' ଅଜା ! ଆମ ପଞ୍ଜୁରୀରେ ଯେଉଁ ଚଢେଇଟା ଅଛି, କି ସୁନ୍ଦର ତା'ର ସ୍ବର ! ତା' ପାଖରୁ ଆସିବାକୁ ମନ ହେଉନି।ହେଲେ ତୁମକୁ ତ କେବେ ତା' ପାଖରେ ଦେଖୁନି ମୁଁ। ' ନାତୁଣୀ ପୁଣି କହିଲା।

           ଅଜା କହିଲେ - ' ଏବେ ଆକାଶରେ ଉଡୁଥିବା ଚଢେଇ ଦେଖିଲେ ମତେ ଖୁସି ଲାଗୁଛି।ପଞ୍ଜୁରୀ ଖୋଲି ଦେଇ ସେହି ଚଢେଇଟାକୁ ଉଡେଇ ଦେବାକୁ ମୋର ମନ ହେଉଛି ପରା । '

           - ' ଅଜା ! ସେଦିନ ବର୍ଷାରେ ଭିଜି ନାଚିବାକୁ ମୋର ମନ ହେଲା।ଖୁବ୍ ଭିଜିଲି। ଖୁବ୍ ନାଚିଲି।ତୁମକୁ କ'ଣ ସେମିତି କରିବାକୁ ଇଚ୍ଛା ହୁଏନି ? ' ନାତୁଣୀ କହିଲା।

          ଅଜା କହିଲେ - ' ନା'ରେ , ନାତୁଣୀ ! ଦେହ ଖରାପ ହେଲେ

କିଏ ବୁଝିବ ମୋ କଥା ? ଏବେ ବାରଣ୍ଡାରେ ବସି ବର୍ଷାକୁ ଉପଭୋଗ କରୁଛି। '

          - ' ସମୁଦ୍ରରେ ଢେଉ ଭାଙ୍ଗିବାକୁ ଭାରି ମଜା ଲାଗେ।ଛାଡ଼ି ଆସିବାକୁ ଯମାରୁ ଇଚ୍ଛା ହୁଏନି।ସେଦିନ ତୁମକୁ ଡାକିଲି,ହେଲେ ତୁମେ ଗଲ ନାହିଁ।' ନାତୁଣୀ ପୁଣି କହିଲା।

           ଅଜା ହସିଦେଇ କହିଲେ - ' ସମୁଦ୍ର କୂଳରେ ଏବେ ପାଦ ଚିପି ଚିପି ଚାଲିବାକୁ ମୋତେ ଭଲ ଲାଗୁଛି।ଢେଉ ଠାରୁ ଦୂରେଇ ରହୁଛି।କାଳେ ଢେଉ ଟାଣିନେବ ସେଥିପାଇଁ ଡର ଲାଗୁଛି। '

           - ' ଅଜା ! ସେଦିନ ସମୁଦ୍ର କୂଳରେ ବସି କେତେ ଢେଉ ମୁଁ ଗଣିଲି ! କାହିଁ ତୁମେ ତ ଗଣିଲନି ! ' ନାତୁଣୀ କହିଲା।

            ଅଜା କହିଲେ - ' ଖାସ୍ ଢେଉ ଗଣିବି ବୋଲି ସମୁଦ୍ର କୂଳରେ ଘର ତିଆରିଥିଲି।ଭଲକରି ଦେଖିପାରିଲେ ତ ଯାହା କରିବି।ମୋର ଦୃଷ୍ଟିଶକ୍ତି କମିଗଲାଣି ପରା । ' 

            - ' ଅଜା ! ସବୁଦିନେ ବଡି ସକାଳୁ ମୁଁ ଉଠିଯାଉଛି।ସୂର୍ଯ୍ୟ ଉଇଁ ଆସୁଛନ୍ତି।ସେଆଡକୁ ଚାହିଁ ରହୁଛି।କି ସୁନ୍ଦର ! ମୁଁ ପୂରା ଦେଖିପାରୁଛି

ସୂର୍ଯ୍ୟଙ୍କୁ।ତୁମର କେବେ ସେମିତି ଇଚ୍ଛା ହୁଏନି ? ' ନାତୁଣୀ କହିଲା।

           ଅଜା କହିଲେ - ' ହୁଏ, ହେଲେ ବଡି ସକାଳୁ ଆଜିକାଲି ଉଠିପାରୁନି ମୁଁ।ଫିକା ଫିକା ଦୃଷ୍ଟି ହେଉ ବରଂ ଅସ୍ତଗାମୀ ସୂର୍ଯ୍ୟ ଦେଖୁଛି।'

           - ' ଅଜା ! ଭାରି ଖୁସି ଲାଗୁଛି।ମୋତେ ସବୁ ଭଲ ଲାଗୁଛି ଏବେ।ମୋ ପରି ତୁମେ ହୋଇଯାଉନ ? ' ନାତୁଣୀ କହିଲା।

           ଅଜା ପୁଣି ହସିଦେଇ କହିଲେ - ' ଏ ସମୟଟା ବଡ ନିଷ୍ଠୁର।ମୋତେ ପରା ସେ ଏମିତି କରିଦେଇଛି।ସେଦିନର ଶିହରଣ ଆଜି ଆଉ ନାହିଁ।ସ୍ବପ୍ନ ଆଉ ଦାନା ବାନ୍ଧୁ ନାହିଁ ମନରେ।ବଞ୍ଚିବାର ମୋହ ନାହିଁ।ମରଣକୁ ଡର ନାହିଁ।ଶୁଖିଲା ପତ୍ର ପରି ଏବେ ଜୀବନ କେବଳ ଝଡି ପଡିବାକୁ ଅପେକ୍ଷା ରଖିଛି।ମତେ ସବୁକିଛି ଯାଦୁଖେଳ ପରି ଲାଗୁଛି। ' 

            - ' ଯାଦୁଖେଳ ! ' ଆଶ୍ଚର୍ଯ୍ୟ ହେଲା ନାତୁଣୀ।

            ନିଜର କଥା ଶେଷରେ କିନ୍ତୁ ଅଜା ଖୁବ୍ ଅନ୍ୟମନସ୍କ ହୋଇଗଲେ।ହେଲେ ତାଙ୍କ କଥାର କି ଅନ୍ୟମନସ୍କତାର ଅର୍ଥ ବୁଝିବାକୁ ଚେଷ୍ଟା କରି ମଧ୍ୟ ବୁଝି ପାରୁ ନ ଥିଲା ନାତୁଣୀ।

           ଇଏ ପରା ସମୟର ଯାଦୁଖେଳ।ବୁଝିହୁଏ କି !


Rate this content
Log in