Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Sachidananda Kar

Others


4  

Sachidananda Kar

Others


ସମୟ ସହ ସନ୍ଧି

ସମୟ ସହ ସନ୍ଧି

2 mins 148 2 mins 148

       ଜୀବନରେ ବେଳେବେଳେ ପଛକୁ ଫେରିବାକୁ ଇଚ୍ଛା ହୁଏ । ମୋ ପିଲାଦିନର ସ୍ମୃତି ପାଖକୁ ଫେରିଆସେ ମୁଁ । 


       ଆମ ଗାଆଁ ହାଟ ଦିନ ମୋର ଗୋଟେ ନିଆରା ଖୁସି ଥାଏ । ସେଦିନ ଆମ ଘର ପଛପଟେ ଥିବା ବାଉଁଶ ବୁଦା ପାଖରେ ବାପାଙ୍କୁ ଅପେକ୍ଷା କରିଥାଏ ମୁଁ । 


       - "ଏଇ ନେ' । ତୋ ପାଇଁ 'ଶ' ଦଶ ' ଆଣିଛି ।" ହାଟରୁ ଫେରି ମୋତେ ଚମକାଇ ଦେଇ ସେ କହନ୍ତି । 


       ହଳଦୀ ଗୁରୁଗୁରୁ ସିଝା ମଟର । ସେଥିରେ ପଡିଥାଏ ପାତି ନଡ଼ିଆ । ଖଣ୍ଡ ଖଣ୍ଡ ପିଆଜ ମିଶିଥାଏ । ଜିରା, ଲଙ୍କା ଗୁଣ୍ଡ ଓ କମଳା ରସ ଗୋଳା ଯାଇଥାଏ । ଦେଖୁ ଦେଖୁ ମୋ ପାଟିରୁ ଲାଳ ବୋହିଯାଏ । ଶହକୁ ଦଶ ପଇସା ବୋଲି ତା'ର ନାଆଁ ' ଶ ' ଦଶ ' । ମୋର ଭାରି ପ୍ରିୟ । 


       ଆମ ଗାଆଁ ହାଟ ବସେ ପ୍ରତି ମଙ୍ଗଳବାର ଓ ଶନିବାର । ହାଟରୁ ମୋ ପାଇଁ ଆଣିବାକୁ ବାପାଙ୍କୁ କହି ଦେଇଥାଏ ମୁଁ । ସେ' ବି ଆଣନ୍ତି ଶ୍ରଦ୍ଧାରେ । ତାଙ୍କ ସାତସିଆଁ ଗାମୁଛାରେ ଗୋଟିଏ ପାର୍ଶ୍ଵରେ ବାନ୍ଧି ଆଣିଥାନ୍ତି ସେ । ଗାମୁଛା ଖୋଲି ମୋ ହାତରେ ଧରାଇ ଦିଅନ୍ତି । 


       ମୋ ପାଟିରୁ ଲାଳ ଗଡିବାକୁ ଆରମ୍ଭ କରିଥାଏ । ଗୋଟେ ତାଳ ବରଡା ଚାମଚ ଥାଏ ସେଥିରେ । ଏଣେତେଣେ ନ ଚାହିଁ ମୁଁ ଟପାଟପ୍ ସେସବୁ ଖାଇଦିଏ ସେଇଠି । 


       - "ବାପା,ତମେ ଟିକିଏ ନିଅ ।" ଖାଉଥିବାବେଳେ କେବେ କାହିଁ ବାପାଙ୍କୁ ଏପରି କହିଥିବା ମୋର ମନେନାହିଁ । 


      ବ୍ୟାଗର କୋଉ ତଳେ ପଡିଥିବା କିଛି ଆଳୁ, ପରିବା, ପାନ, ଗୁଆ,ଗୁଣ୍ଡି ଧରି ଛାଇ ପରି ମୋତେ ଲାଗି ଠିଆ ହୋଇଥାନ୍ତି ମୋର ବାପା । ତାଙ୍କ ଆଡକୁ ମୋର ନଜର ନ ଥାଏ । ବରଂ ମୁଁ କେମିତି ଖାଉଛି ଓ କେତେ ଖୁସି ହେଉଛି ମୋତେ ଚାହିଁ ଦେଖୁଥାନ୍ତି ସେ । 


      ଇଏ ସବୁ ମୋର ବିତି ଯାଇଥିବା ଦିନ । 


      ପାଠ ପଢି ଚାକିରୀ କରି ଏବେ ଦୂର ସହରରେ ମୁଁ । ମୋ ଗାଆଁ ଓ ଗାଆଁ ହାଟ ଏବେ ମୋ ଠାରୁ ବହୁ ଦୂରରେ । ବହୁତ ବଦଳି ଯାଇଛି ମୋ ଜୀବନ, ହେଲେ ଗାଆଁରେ ରହୁଥିବା ମୋର ଦିନ ମଜୁରିଆ ବାପାଙ୍କର ଜୀବନ ଆଦୌ ବଦଳିନି । ଏବେ ସେ ସରକାରୀ ଭତ୍ତା ପାଉଛନ୍ତି, ଯାହା ତାଙ୍କ ପାଇଁ ବହୁତ ବଡ କଥା, ବଡ ଖୁସି । 


      ପ୍ରତି ମାସରେ ଦରମାରୁ ମୋର ତାଙ୍କୁ ଯାହା ଦେବାକୁ ଇଚ୍ଛା ହୁଏ, ମୁଁ ଗଣି ଗଣି ତାଙ୍କ ଆକାଉଣ୍ଟରେ ଜମା କରେ । ଦୁଇ ଶ',ତିନି ଶ',ଅତି ବେଶୀରେ ପାଞ୍ଚ ଶ' । ଫୋନ୍ କରି କହେ - "ତମର କି ଖର୍ଚ୍ଚ ?ଏତେ ଟଙ୍କା ତମେ କ'ଣ କରିବ,ବାପା ?"


      ମୋ ପତ୍ନୀ ମୋତେ ଆଗରୁ କହି ଦେଇଥାନ୍ତି - " ବାପାଙ୍କୁ ଏତେ ଟଙ୍କା କାହିଁକି ଦେବ ? ଅତି ବେଶୀରେ ପାଞ୍ଚ ଶ' ଦିଅ । ଗଲା ମାସର ଭତ୍ତା ତିନି ଶ' ତାଙ୍କ ପାଖରେ ଥିବ । ହିସାବରେ ନ ଚଳିଲେ ଉପରକୁ ଉଠି ହେବ ନାହିଁ । "


      - "ହିସାବରେ ଚଳିଲେ ସିନା ଉପରକୁ ଉଠିବୁ । କେବେ ବେହିସାବ ଖର୍ଚ୍ଚ କରିବୁନି । " ମୁଁ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ବାପା ଥରେ ମୋତେ ଏଇ କଥା ବୁଝାଇ କହିଥିଲେ । ଆଜି ବି ମୋର ମନେଅଛି ସେକଥା । ସେବେ ବାପାଙ୍କ କଥା ମାନୁଥିଲି,ଏବେ ପତ୍ନୀଙ୍କ କଥା ମାନୁଛି । ସେବେ ଯେମିତି ଥିଲି ଏବେ ସେମିତି ଅଛି । କେମିତି କେଜାଣି କେଉଁଠି ହଜାଇ ଦେଇଛି ମୁଁ ମୋ ଅଧିକାର !


      ଏମିତି କ'ଣ କେଉଁଠି ହଜିଯାଏ ମଣିଷର ଅଧିକାର ! ସମୟ ସହ ସନ୍ଧି କରିନିଏ ମଣିଷ !


      ଏବେ ଯେମିତି ସମୟ ସହ ମୋର ସନ୍ଧି । ବୁଝିହୁଏନି ଏଇଟା ମୋର ଏକ ମାନସିକତା ନା ବାଧ୍ୟବାଧକତା । 


       ଏଠି ମଣିଷ ଜଣେ ସନ୍ଧି ଲୋଡିବାଟା ବଡ କଥା କ'ଣ ଯେ !



Rate this content
Log in