STORYMIRROR

Madhabi Patel

Others

3  

Madhabi Patel

Others

ସମ୍ପର୍କର ନଦୀ ତୀରେ

ସମ୍ପର୍କର ନଦୀ ତୀରେ

4 mins
300

କାହ୍ନୁଚରଣ ବାବୁ ନିଜର ବିଗତ ବର୍ଷର ଜୀବନ ଡାଏରୀକୁ ଧରି ସ୍ମୃତି ଚାରଣ କରୁଥିଲେ । କେତେ ଖଟା ମିଠା ଅନୁଭବରେ ଭରା ତାଙ୍କର ଜୀବନ । ଏକ ନିପଟ ମଫସଲରେ ତାଙ୍କର ଜନ୍ମ । ବଣ ଜଙ୍ଗଲ ଘେରା ଏକ ପ୍ରାକୃତିକ ପରିବେଶରେ ବଢିଛି ତାଙ୍କ ଜୀବନର ଚତୁର୍ଥାଂଶ । ଗାଆଁର ସରଳ ଜୀବନ ଆଉ କଠିଣ ପରିଶ୍ରମରେ ସେ ଅଭ୍ୟସ୍ତ ଆଜିଯାଏ । ତାଙ୍କ ଗାଆଁଆଁର ଦୁଇପଟେ ଦୁଇଟା ପାହାଡ ଘେରି ରହିଛି । ପାହାଡର କୋଉ ଶୀର୍ଷ ପ୍ରଦେଶରୁ ବହି ଆସିଛି ନଈଟିଏ । ସେ ନଈରେ ପିଲାବେଳେ ତାଙ୍କର ଅଧିକାଂଶ ସମୟ କଟିଛି । ସାଙ୍ଗ ମେଳରେ ମାଛଧରା ପହଁରାରେ ବହୁତ ଆନନ୍ଦ ପାଉଥିଲା । ଗାଆଁର ଆମ୍ବତୋଟା,ଜାମୁ ଗଛ ଖଜୁରୀଗଛ ହେଇ ଖରାଦିନର ଦୁଇପହର ସାରା ବୁଲୁଥିଲେ । ଗାଆଁ ସ୍କୁଲରେ ଚାଟଶାଳୀ ପାଠ ଆରମ୍ଭ ହେଇଥିଲା । ଗୁରୁ ମାନଙ୍କ କଡା ଶାସନ ଭିତରେ ସେମାନେ ପାଠ ପଢିଲେ । ଅନେଚ ଜଣ ମାଟ୍ରିକ ପରେ ଗାଆଁରେ ରହି ଚାଷ ଓ ଛୋଟ ମୋଟ ବ୍ୟବସାୟ କଲେ । ସେମାନେ ଚାରିପାଞ୍ଚଜଣ କଲେଜ ଗଲେ । କଲେଜ ପରେ ଏମ୍.ଏ. କରି ସେ ଅଧ୍ୟାପକ ହେଲେ । କିଏ କିଏ ଇଞ୍ଜିନିୟର, ଡାକ୍ତର ହେଲେ । 

କାହ୍ନୁ ଚରଣ ଭଲ ପଢୁଥିଲେ । ଘରର ଅବସ୍ଥା ସ୍ୱଚ୍ଛଳ ନ ଥିଲା । ଅଭାବ ଭିତରେ ସେମାନ ପାଞ୍ଚ ଭାଇଭଉଣୀ ବଢୁଥିଲେ । ବାପାଙ୍କର ଛଅ ମାଣ ଜମିକୁ ଥରଥର ଚକଟି ଚାଷ କରୁଥିଲେ । ଧାନ ଅମଳ ପରେ ବି ଆଳୁ ମରିଚ ବିଭିନ୍ନ ଶାଗ ଫସଲ କରି ଯାହା ଉପାର୍ଜନ ହୁଏ, ସେଥିରେ ପିଲାଙ୍କ ପାଠପଢା ଓ ଡ୍ରେସପଟାର ଖର୍ଚ୍ଚ ବାହାର କରନ୍ତି । ସେଥିପାଇଁ ବାପା ମାଆ ବହୁତ ଖଟୁଥିଲେ । ଅଭାବ ଭିତରେ ବି ପରିବାରରେ ସମସ୍ତେ ଭଲ ପାଉଥିଲେ ପରସ୍ପରକୁ । ଜଣେ ଜଣକ ପାଇଁ କିଛି ବି ତ୍ୟାଗ କରି ଦେଉଥିଲେ । ଭାଇ ଭଉଣୀ ଭିତରେ ପୋଷାକ ପତ୍ର ବଦଳ କରି ପିନ୍ଧୁଥିଲେ । ଖାଇବା ଜିନିଷ ଭାଗବଣ୍ଟା କରୁଥିଲେ ପରସ୍ପର ଭିତରେ । 

ଭାଇ ଭଉଣୀ ଭିତରେ ସେ ମଝିଆ ସନ୍ତାନ ଥିଲେ । ହେଲେ ସବୁଠୁ ଭଲ ପଢିଲେ ସ୍କଲାରସିପ ପାଉ ଥିବାରୁ ପାଠପଢା ସହଜ ହେଇଗଲା ତାଙ୍କ ପାଇଁ । ଅନ୍ୟ ଭାଇମାନେ ଅଧା ପାଠରୁ ଡୋରି ବାନ୍ଧିଲେ । କିଏ ଚାଷ ବାସ କଲେ କିଏ ଛୋଟମୋଟ ବ୍ୟବସାୟ କଲେ । 

ସେ ସହରକୁ ଆସି ଏକ କଲେଜରେ ଅଧ୍ୟାପକ ଚାକିରି ଆରମ୍ଭ କଲେ । 

କଲେଜରେ ପ୍ରୀତିପନ୍ନାଙ୍କ ସହ ସାକ୍ଷାତ ହେଲା । ସେ ବି ଜଣେ ଅଧ୍ୟାପିକା ଥିଲେ ସେଠି । ସୁନ୍ଦରୀ ଗୁଣବତୀ ଶୁଶିଳା ପ୍ରୀତିପନ୍ନା କାହ୍ନୁ ଚରଣଙ୍କ ସରଳ ବ୍ୟବହାରରେ ଆକୃଷ୍ଟ ହେବାକୁ ଲାଗିଲେ । ଏକା ଜାତିର ଥିଲେ ଦୁଇଜଣ । ପ୍ରୀତିପନ୍ନା ଏକା ସନ୍ତାନ ଥିବାରୁ ତାଙ୍କ ବାପା ଘରଯୋଇଁଟେ ଖୋଜୁଥିଲେ । କାହ୍ନୁଙ୍କ ବାପା ବି ଏ ପ୍ରସ୍ଥାବରେ ରାଜିହେଲେ । କାରଣ ପାଖରେ ଆଉ ଦୁଇଜଣ ପୁଅ ତାଙ୍କର । ଜମି ବି ଅଳ୍ପ । ଝିଅ ଦୁଇଟା ବି ଅଛନ୍ତି । ତାଙ୍କର ବାହା କରିବାର ଖର୍ଚ୍ଚ ବି ଅଛି । କାହ୍ନୁବାବୁ ବାହାଘର ପରେ ସହରରେ ରହିଗଲେ । ବାପାଙ୍କୁ କିଛି କିଛି ସାହାଯ୍ୟ କରନ୍ତି । ଭଉଣୀମାନଙ୍କ ବାହାଘରର ସବୁ ଖର୍ଚ୍ଚ ଉଠାଇଥିଲେ । ଭାଇମାନେ ନିଜ ଉପାର୍ଜନରେ ଚଳିଲେ । 

କାହ୍ଳୁ ବାବୁଙ୍କ ଦୁଇସନ୍ତାନ । ପୁଅ ରାହୁଲ ଓ ଝିଅ ମିନା । ରାହୁଲ ଜଣେ ବେଜ୍ଞାନିକ ହିସାବରେ ଆମେରିକାରେ କାମ କରି ବସି ଗଲାଣି ସେଠି । 

ଝିଅ ଜଣେ ଇଞ୍ଜିନିୟର ସେ ବି ତା ଇଞ୍ଜିନିୟର ସ୍ୱାମୀ ସହ ଲଣ୍ଡନରେ ରହୁଛି । ସଭିଏଁ ନିଜ ନିଜ ଜାଗାରେ ବ୍ୟସ୍ତ । ପିଲାଙ୍କ ପାଠ ପଢା ପାଇଁ ଦୁଇଜଣ ସବୁବେଳେ ପିଲାଙ୍କ ପଛରେ ଲାଗିଥିଲେ । କେମିତି ଭଲ ପଢିବ ବୋଲି । ଭଲ ପଢିଲେ ବି ଟପ୍ପରରେ ଆସୁଥିିଲେ ସବୁବେଳେ । 

ପିଲାଙ୍କ ପାଇଁ ଗର୍ବ ଅନୁଭବ କରୁଥିଲେ ସେତେବେଳେ । 

ବିଦେଶ ଯିବାର ଅଫର୍ ମିଳିବା ଦେଖି ଖୁସି ଥିଲେ ସଭିଏଁ । ଗଲାବେଳେ କିଛି ଦିନ ମନଦୁଃଖ କରିଥିଲେ । ସେଠି ଯାଇ ପିଲାଏ ଭଲ ଦରମା ପାଇଲେ । ସୁଖ ସ୍ୱାଚ୍ଛନ୍ଦ୍ୟର ଜୀବନ ବିତେଇଲେ । ବାପାମାଆଙ୍କ କମାଣି ଯାହାଥିଲା ତାଙ୍କ ଚଳିବା ପାଇଁ ବହୁତ ଥିଲା । ପିଲାଏ ସେଠି ଜିବନ ସାଥୀ ଖୋଜିନେଲେ ଅବଶ୍ୟ ଭାରତୀୟ । ବାହାଘରବେଳେ ବାପା ମାଆ ଯାଇଥିଲେ ସେଠାକୁ । କୋର୍ଟ ମେରେଜ କରି ସାଙ୍ଗ ମାନଙ୍କୁୁ ଭୋଜିଦେଲେ । ପିଲାମାନଙ୍କ ସନ୍ତାନ ହେଲେ । ନାତି ନାତୁଣୀ ପାଇ ଖୁସି ଲାଗିଲା । ଭିଡିଓ କଲ୍ରେ ଦେଖାହୁଏ । ହେଲେ ଆମ ଓଡିଆ ସଂସ୍କାର ଠାରୁ ଅନେକ ଦୂରରେ ସେମାନେ । ଆମ ରାମାୟଣ ମହାଭାରତ ଗୀତା ବିଷୟରେ ଅନଭିଜ୍ଞ ସେମାନେ । ରାମ କିଏ କହିଲେ ଜାଣୁ ନାହାନ୍ତି । ଆମର ଖାଦ୍ୟପେୟ ଠାରୁ ଅନେକ ଦୂରରେ ରହି ପିଜା ବର୍ଗର ଖାଉଛନ୍ତି । 

ବାପା ମାଆ ବଦଳରେ ମମ୍ ଡେଡ୍ କହନ୍ତି । ହେଲେ ବ୍ୟବହାର ବହୁତ ଭଲ । ଭୁଲ ହେଇଗଲେ ତତକ୍ଷଣାତ୍ ସରିସରି କହିବେ । ଶୋଇବାକୁ ଗଲେ ଗୁଡନାଇଟ୍ କହନ୍ତି । ଉଠିଲାପରେ ଗୁଡ ମନିଙ୍ଗ ଜଣାନ୍ତି । କିଛି ମାଗିବାର ଥିଲେ ଏକ୍ସକ୍ୟୁଜ ମି କହି ମାଗନ୍ତି । ଯେଉଁ କେତେଦିନ ତାଙ୍କ ଘରକୁ ଆସନ୍ତି ଘରଟା ପୁରିଉଠେ ନାତି ନାତୁଣୀଙ୍କ କଳକଳରେ । 

ଅଜା ଆଈଙ୍କ ଆଖିର ତାରା ବନିଯାନ୍ତି । ପିଲାଙ୍କ ମନ ପସନ୍ଦର ସବୁ ଜିନିଷ ଅଣାହୁଏ । ଗଲାବେଳେ ଅନେକ ଉପହାର ବି ଦିଅନ୍ତି । ପୁଣି ସମସ୍ତେ ଚାଲିଗଲେ ଯେଉଁ ଅକେଲାକୁ ସେଇ ଅକେଲା । ଘରଟା ଖାଇବାକୁ ଗୋଡାଏ । ଚାରିଆଡ ଖାଁ ଖାଁ ଲାଗେ । 

ଏବେ ସତୁରି ଅଶି ବର୍ଷ ହେଲାଣି ଦୁଇଜଣକୁ । ପାଚିଲା ଫଳ କେତେବେଳେ ଝଡି ପଡିବେ । ମନ ଖୋଜେ ପିଲାଏ ଏ ବୟସରେ ପାଖରେ ଥଆନ୍ତେ କି?

ହେଲେ ସେମାନେ ମଝିରେ ପେଶି ହେଇ ରହିଗଲେ । ନାଁ ଏ କୂଳର ହେଲେ ନାଁ ସେ କୂଳର ହେଲେ । ଗାଆଁରେ ଯାଇ ଏ ବୟସରେ ରହି ପାରିବେନି । ସେଠି ଡାକ୍ତରି ସେବାର ସୁବିଧା ନାହିଁ । ସେମାନେ ଯେଉଁ ସୁଖ ସୁବିଧାରେ ଅଭ୍ୟସ୍ତ ହେଇ ଯାଇଛନ୍ତି ଗାଆଁରେ ଚଳି ପାରିବେନି । ସେଠି ତ ବିଦ୍ୟୁତ ବି ଅଧାଦିନ କଟ୍ ଥାଏ । ଆଉ ପିଲାଙ୍କ ପାଖକୁ ବି ସବୁଦିନ ପାଇଁ ଯାଇ ରହିହେବନି । ସେମାନେ ତ ଦୁଇଜଣ ଯାକ ଚାକିରିଆ । କାମରେ ବ୍ୟସ୍ତ ଥାଆନ୍ତି । ସକାଳ ସାତରୁ ଗଲେ ରାତି ସାତରେ ଫେରିବେ । ପର ଦେଶରେ ରହିବା ଭଲ ଲାଗେନି । ହଁ କିଛିଦିନ ପାଇଁ ଗଲେ ଭଲ ଲାଗେ । ଦୁଇତିନିମାସ ଯାଆନ୍ତି କେବେ କେବେ । ସେଠୁ ଫେରିଲେ ପୁଣି ସେଇ ଏକାକି ଜୀବନ । ଭୂବନେ ଶ୍ବରରେ ଘରଟେ କରିଛନ୍ତି । ସେଠି ଏକାକି ଜୀବନ କାଟନ୍ତି । ପିଲାଙ୍କୁ ଝୁରି ହୁଅନ୍ତି କେତେବେଳେ ତ କେତେବେଳେ ଗାଆଁ କଥା ମନେକରି ଝୁରନ୍ତି ପିଲାଦିନକୁ । ହେଲେ ନିଜ ଜଗା ଛାଡି କୁଆଡେ ଯାଇବି ପାରନ୍ତିନି । ଏମିତି ଏକା ରହୁ ରହୁ କେବେ ଦୁଇଜଣରୁ ପୁଣି ଜଣେ ଚାଲିଗଲେ ଅନ୍ୟ ଜଣକ ସମ୍ପୂର୍ଣ୍ଣ ଏକା ହେଇଯିବ । ଆଉ ତାର ଚଳିବା ମୁସ୍କିଲ ହେଇଯିବ ସେଥିପାଇଁ ଘରର ଫାଳେ ଏବେ ଭଡାରେ ଲଗାଇ ଦେଇଛନ୍ତି । ଭଡା ବାଲାଟେ ଥିଲେ କେବେ ଅସୁବିଧା ସମୟରେ ପାଖରେ ଠିଆହେବ । ଆଜି ସେ ଯେତେବଳେ ଜୀବନକୁ ତର୍ଜମା କରନ୍ତି, ଜୀବନରେ ସେ ପାଇଲେ କେତେ ହରାଇଲେ କେତେ ସେତେବେଳେ ଭାଗଫଳ ଶୂନ ମିଳେ । କାରଣ ସେତେବେଳେ ବି ଦୁଇଜଣ ଥିଲେ ଏବେ ବି ଦୁଇଜଣ ଅଛନ୍ତି । ମଝିରେ ଯେତେ ସମ୍ପର୍କ ମାନେ ଆସିଲେ ଜୀବନରେେ ମେଳା ଲଗାଇଲେ କିଛି ବର୍ଷ ରହି ଯେଝା ବାଟରେ ଚାଲିଗଲେ । ସମ୍ପର୍କର ନଈରେ ପହଁରୁ ପହଁରୁ ଏବେ ଦୁଇ ଜଣ ଭିତରୁ ଅନ୍ୟ ଜଣ ବି ଚାଲିଗଲା । ସେ ତୀରରେ ଏକା ବସି ବିଳାପ କରି ଚାଲିଛନ୍ତି ପୁରୁଣା ଦିନମାନଙ୍କୁ ମନେକରି । 



Rate this content
Log in