STORYMIRROR

Lopamudra Parida

Others

3  

Lopamudra Parida

Others

ସମ୍ପର୍କ

ସମ୍ପର୍କ

2 mins
172

ବଡ ହଉ ହଉ ମୁଁ ନିଜ କୁ ଘୃଣା କରିବା ଆରମ୍ଭିଥିଲି .....

ସମ୍ପର୍କ, ସମ୍ପର୍କ, ସମ୍ପର୍କ.... ଏତେ କଡାଗଣ୍ଡା ବନ୍ଧନ ଯେ ଛିଣ୍ଡେଇବାକୁ ଚାହିଁଲେ ବି ଘୋଷାରି ହୁଏ ।ଚମ ପରି ଲାଖିଥାଏ ହାଡ ଉପରେ ।

ଦେଖ ଦେଖ ତୁମ ଘରର ଅସୁବିଧା ସୁବିଧା ସବୁ ଆମ ଘରେ ବଖାଣି କଣ ଚାହୁଁଛ ତମେ ? ଆମ ଦେହ ବି ବିଗିଡି ଯାଉ, ଆମେ ବି ତୁମ ସହ ଚିନ୍ତା ନଳାରେ ପୋତି ହେଇଯାଉ? ଏଇଆ ଇଚ୍ଛା?

କହୁଥିଲେ କିଛି ଓଠ ଯେତେବେଳେ ଭୁଷୁଡି ପଡୁ ପଡୁ ଖାଲି ଖୋଜିଥିଲି କିଏ ଜଣେ କହୁ " ତୁ ଚାଲ, ମୁଁ ଅଛି ତୋ ସହ ।"

ଅଧିକ କଣ ! ସେତିକି ରେ ଫେରି ପାଇଥାନ୍ତି ବଳ ,ଦମ୍ଭ ମନରେ ।କହୁ ତ ନଥିଲି ଆସ ଟାଣ ,ହାତ ଲଗାଅ ଏଇ ଧସାଚକର ଶଗଡିଟାରେ ମୋ ସହ ,କହିଥିଲି କି ଭାଇ ପେଲିଦିଅ ଟିକେ ପଛରୁ ଉଠିଯାଏ ଗାତରୁ ?

ଯିଏ ସହେ ସିଏ ବୋହେ ଆଉ ବହିଯାଏ ।

ଦେଖ ଦେଖ ଆମର ବି ବୟସ ହେଉଛି, ଆମର ବି ଦୁନିଆ ସମସ୍ଯା ।ଆମକୁ କିଛି ଭଲ ଖବର ଅଛି ତମ ଆଡୁ ତ ଦବ ନହେଲେ ଅଡୁଆକୁ ଆଣି ଘୋଷାଡିବନି ।୧୦୮ ନମ୍ବର ରଖିଥିବ ।ଡାକିବ ।

କାଚ ଗୁଣ୍ଡ ଉପରେ ଚାଲୁଥିଲି ମୁଁ ।ଈଶ୍ବର ଖୁସି ଥିଲେ ମତେ ଜନ୍ତାଳର ଛେଳି କରି ଠିଆ କରେଇ ।

ଏଥର ପୁଣି ଝଡ ଆସିଲା ।ମୁଁ ଜୀବନ କୁ ବିକଳ ହେଇ ଚାହିଁଲି ।ସିଏ ମୁହଁ ଉଠେଇ ମୋ ଧୈର୍ଯ୍ଯଚ୍ଯୁତ ହବାକୁ ଅପେକ୍ଷା କରୁଥିଲା କି କଣ ।ମୁଁ କିନ୍ତୁ ଅଣ୍ଟା ରେ କଣି ବାଉଁଶଟେ ବାନ୍ଧି କାଚଗୁଣ୍ଡ ସବୁକୁ ଗୋଟେଇ ଆରିସି ଟେ ତିଆରୁଥିଲି ଯୋଉଥିରେ ଦିଶିବ ମୋ ଦମ୍ଭ ଛବି ରକ୍ତାକ୍ତ ପାଦ ଚିହ୍ନ ର ।

ପାଦ ହାତ କିଛି ନଥାଇ ବି ଏବେ ମୁଁ ଠିଆ ହେଇଛି ।ବିଗଳିତ ବେଳାର ଧିକ୍କାର ତକ ମତେ ମୋ ପରି ଗଢେଇଦେଲେ ।

ଏବେ ନାମକୁ ସମ୍ପର୍କ ସବୁ କହୁଛନ୍ତି, " ସିଏ କଣ ଆମକୁ କୋଉଦିନ ନିଜର ଭାବେ ନା କିଛି କହେ? ଆମକୁ କହିଥିଲେ କଣ ଆମେ ଠିଆ ହେଇନଥାନ୍ତୁ ତା ଖସି ପଡିବା ବେଳେ?ବନ୍ଧୁବାନ୍ଧବ ଆଉ ଥାନ୍ତି କଣ ପାଇଁ କହୁନ, ଆପଦେ ବିପଦେ ସାହା ହେବେ ବୋଲି ତ ।ହେଲେ କିଏ ଜଣେଇଲେ ତ ,ନିଜ ଅହଂରେ ନିଜେ ମାଟି ତାଡିଲେ ଆମେ ଆଉ କଣ କରିପାରିବୁ ଦୁଃଖ କରିବା ଛଡା ।"

ଆରିସି ଦେଖାଏ ମୋ ମୁହଁ କାଳେ ଦିଶେ ୟା ପରି, ତା ପରି ..... କୋଉ ଗୋଟେ ସମ୍ପର୍କିତ ରକ୍ତ ଛିଟା ପରି କିୟଦ୍ଅଂଶ ।

ଘୃଣା କରେ ମୁଁ ଦେଖିବାକୁ ଆରିସି, ଯିଏ ଭାଙ୍ଗେ ମୋ ଦମ୍ଭ ।ପଡିଥାଉ ଧୂମାଳ ଧୂଳି ତଳେ କୋଉ କାଠ ଆଲମାରୀର ତଳ ଥାକର ମୂଷା କଣା ଥିବା କୋଣରେ ।

ମୁଁ ଠିଆ ହେବି ପାଦ ନଥିବା ପାଦରେ ..... ସବୁଥର ।


Rate this content
Log in