ଶୃଙ୍ଖଳିତ
ଶୃଙ୍ଖଳିତ
{୧}
ଆଦୌ ମନ ନଥିଲା ଦୁହିଁଙ୍କର । ଢେର୍ ବୁଝାଇସୁଝାଇ ଛାଡ଼ିଦେଇ ଆସିଲି । କ'ଣ ଆଉ କରିପାରିଥାନ୍ତି ? ଘରଟା' ଆଉ ଘର ହୋଇ ନ'ଥିଲା । ସବୁବେଳେ ହାଲ୍ଲାଗୁଲ୍ଲା । ଅଶାନ୍ତି । ଚିଡାଲାଗୁଥିଲା ଭାରି ।
ସୋନୁ ସିନା ଛୋଟପିଲା । ବାପାଙ୍କ ଏଇ ସତୁରୀରେ ବି କିଛି କମ୍ ପିଲାଳିଆମି କି' ???
{୨}
ଟେଷ୍ଟ୍ ରେ ବିଲ୍ଲୋ ଆଭ୍ରେଜ୍ ମାର୍କ ଆଣିବା , ଫି'ଦିନ ବାହାର କଜିଆ ଆଣି ଘରେ ପୁରାଇବା , ଅଦରକାରୀ ଜିନିଷ ସବୁ କିଣିବାକୁ ଜିଦ୍ କରିବା , ନ'ଦେଲେ ଖଣ୍ଡ ପ୍ରଳୟ କରିବା , ଏମିତିକି ଆମକୁ କେବେକେବେ ଅଭାଷା କହିବା ଯାଏଁ କଥାଯାଉଥିଲା !!
ଗୋଟାଏ ବୋଲି ପୁଅକୁ ପାରୁନଥିଲୁ ଆମେ ସମ୍ଭାଳି !
ବାସ୍ ! ଛାଡିଦେଲି ନେଇ । ସୁନାମଧନ୍ୟ ଆବାସିକ ବିଦ୍ୟାଳୟରେ । ସାଇଜ୍ ହେବ ସେଇଠି । ଶିଖିବ ମଣିଷପଣିଆ । ମଣିଷଗଢା ମେସିନ୍ ଅଛି ସେଠି । ପଶିଲେ , ବାହାରିବ ଶୃଙ୍ଖଳିତ ହୋଇ ।
ଯା' ପଇସା ଲାଗୁଛି ଲାଗୁ ।
{୩}
ଗୋଟେବୋଲି ପୁଅ ମୁଁ ବି । ସେଇଥିଲାଗି ମା' ଯିବାପରେ , ବାପା ପୂର୍ଣକାଳ ଆସି ମୋଠାରେ !
ବୟସ ବଢିଲେ ପିଲାଙ୍କ ପରି ହୁଅନ୍ତି ସମସ୍ତେ । ମୁଁ ଜାଣେ ଏକଥା ।
ବାପା କିନ୍ତୁ ଟିକେ ଅଧିକା । ଅଯଥା, ଅବାସ୍ତବ ଜିଦ୍ ସବୁ । ଏଟା ଖାଇବିନି , ସେଟା କରିବିନି । ଠିକ୍ ସୋନୁ ପରି ।
ବାପାଙ୍କୁ କିଛି କହିହୁଏନି ।
ଭାରି କଷ୍ଟ ହେଲା ତାଙ୍କୁ ବୁଝାଇବାକୁ । ଶେଷକୁ ବୁଝିଲେ ବାପା !
ବାସ୍ ! ଛାଡିଦେଲି ନେଇ । ସୁନାମଧନ୍ୟ ଏକ ଜରାନିବାସରେ । ଚୁପ୍ ରହିବେ ସେଠି । ଅବାନ୍ତର ଜିଦ୍ ଆଉ କରିପାରିବେନି । ଯାହା ମିଳିବ ବାଧ୍ୟ ହୋଇ ଖାଇବେ । ଓଷଧ ବି । ସମବୟସ୍କଙ୍କ ସହ ମିଶିବେ । ଖୁସିହେବେ । ଶୃଙ୍ଖଳିତ ହେବେ ମଧ୍ୟ ।
ଯା' ପଇସା ଲାଗୁଛି ଲାଗୁ ।
{୪}
ଓଃ! ଶାନ୍ତି । ସ୍ୱାଧୀନ ଏବେ ଆମେଦୁହେଁ । ନା' ଅଛି ପୁଅର ଝାମେଲା , ନା' ଆମ ପ୍ରାଇଭେସିରେ ବାପାଙ୍କ ଅଯଥା ହସ୍ତକ୍ଷେପ । ଆମେ ଦାୟିତ୍ୱମୁକ୍ତ । ଇଚ୍ଛା ମୁତାବକ ଚଳିବୁ ଏଥର ।
କୌଣସିମତେ ମଣିଷ ନିଜପାଇଁ ସହଜ ସୁବିଧାଟେ' କରିନିଏ !
ବ୍ୟସ୍ତ ମୁଁ , ମୋ' ମୋବାଇଲ୍ , ଟ୍ୟାବଲେଟ୍ ଆଉ ପରକୀୟା ନେଇ ।
ସୌମ୍ୟା ବି ବ୍ୟସ୍ତ ତା' .....।
✿ ଅମିୟ ବେଜ୍ ✿