ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଶେଷ ଦେଖା
ଶ୍ରୀରାଧା ଶ୍ରୀକୃଷ୍ଣଙ୍କ ଶେଷ ଦେଖା
ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ ନୈସର୍ଗିକ ରାଧା କୃଷ୍ଣଙ୍କ ପ୍ରେମ ଲୀଳା ଅତ୍ୟନ୍ତ ତତ୍ତ୍ଵପୂର୍ଣ୍ଣ l ସାସ୍ୱତ ପ୍ରେମର ଉଚ୍ଛ୍ୱାସ ସେ ପ୍ରେମ ଲୀଳା l ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଭାଷାରେ :-
ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି l
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତକର ଅବତରି ll
ତତ୍ତ୍ୱଦର୍ଶୀ ମାନେ ଏହାକୁ ଜୀବ ସହିତ ପରମର, ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି ଅଭିହିତ କରି ଥାନ୍ତି l ଆମ ଶାସ୍ତ୍ର ମାନଙ୍କରେ ଏହି ତତ୍ତ୍ୱକୁ ଦର୍ଶାଇ ବହୁ ତାତ୍ୱିକ ବିଚାର ମାନ ରହିଛି l
ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ମିଳନରେ ପ୍ରମୁଖ ଭୂମିକା ନିର୍ବାହକରିଥିଲା କୃଷ୍ଣଙ୍କ ହସ୍ତରେ ସେହି ମୋହନ ବଂଶୀ l ବଂଶୀହିଁ ଭଗବାନ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଥିଲା l ଗୋଟିଏ ମୁହୂର୍ତ୍ତ ବି ସେ ବଂଶୀକୁ ନିଜ ଠୁଁ ଅଲଗା କରାଇପାରୁ ନଥିଲେ l ଶ୍ରୀରାଧାଙ୍କ ପରେ ଏହି ବଂଶୀ ହିଁ ଥିଲା ଶ୍ରୀକୃଷ୍ଣଙ୍କ ପ୍ରିୟତମ l ବଂଶୀ ସ୍ୱନ ଶୁଣି ମାନମୟୀ ରାଧା କୌଣସି ବାଧାବନ୍ଧନ ନ ମାନି, ଶ୍ରୀକୃଷ୍ଣଙ୍କ ପାଖକୁ ପାଗଳିନି ପରି ଧାଇଁ ଆସୁଥିଲେ l କଳା କାହ୍ନୁଙ୍କର ପ୍ରିୟ ଏହି ବଂଶୀକୁ ହିଁ ପ୍ରେମର ପ୍ରତୀକ ବୋଲି କୁହା ଯାଇଥାଏ l
ବାଲ୍ୟକାଳରୁହିଁ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ପୂର୍ଣ୍ଣପ୍ରାଣରେ ସମର୍ପିତା ଥିଲେ l ଶ୍ରୀକୃଷ୍ଣ ତାଙ୍କ ମୋହନ ବଂଶୀ ଖଣ୍ଡିକ ବଜାଇ ଦେଲେ ଧୈର୍ଯ୍ୟହରା ହୋଇ ରାଧା ଧାଇଁ ଆସୁଥିଲେ କୃଷ୍ଣଙ୍କ ପାଖକୁ l କୃଷ୍ଣ ପାଗଳିନି ଶ୍ରୀରାଧାଙ୍କୁ ଏପାଇଁ ନାନା ଗଞ୍ଜଣା, ଟାହି ଟାପରା ଶୁଣିବାକୁ ପଡୁଥିଲା ନିଜ ପରିବାର, ସାହି ପଡ଼ିଶା ଲୋକଙ୍କ ଠାରୁ l
ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ପ୍ରଥମ ବିଚ୍ଛେଦ ହେଲା ଭକ୍ତ ଅକ୍ରୁର ଯେତେ ବେଳେ ଆସି ଧନୁ ଯାତ୍ରା ଦେଖିବା ପାଇଁ କୃଷ୍ଣ ବଳରାମଙ୍କୁ ରଥରେ ବସାଇ ମଥୁରାକୁ ଘେନି ଗଲେ l ଯେତେବେଳେ ବ୍ରଜ ପୁରକୁ ଅକ୍ରୁର ଆସିଥିଲେ ସମସ୍ତ ଗୋପୀ ମାନଙ୍କ ସହ ଶ୍ରୀରାଧା ଅକ୍ରୁରଙ୍କୁ ବହୁ ଅନୁନୟ ବିନୟକଲେ l ମାତ୍ର ସେ କଂସର ନିର୍ଦ୍ଧେଶକୁ ଅବମାନନା କରନ୍ତେ କିପରି l ଶେଷକୁ ରାଧା ଓ ସମସ୍ତ ଗୋପୀମାନେ ଅକ୍ରୁରଙ୍କୁ ଝିଙ୍ଗାସ କଲେ :-
ତୁ ପରା ଅକ୍ରୁର ବୋଲାଉ l
କ୍ରୁର ସ୍ଵଭାଵ କିମ୍ପା ବହୁ ll
ଶ୍ରୀକୃଷ୍ଣ ମଥୁରାକୁ ଗମନ କାଳରେ ରାଧାଙ୍କୁ କଥା ଦେଇ ଗଲେ, ସେ ନିଶ୍ଚୟ ଫେରିବେ l କିନ୍ତୁ ଆଉ ସେ ଗୋପପୁର ଫେରି ନଥିଲେ l କଂସର ନିଧନ, ଜରାସନ୍ଧର ଆକ୍ରମଣ,ଦ୍ୱାରକାପୁରୀ ନିର୍ମାଣ ପୁଣି ମହାଭାରତ ଯୁଦ୍ଧ କେତେ କଅଣ ଘଟିଗଲା ତାଙ୍କ ଜୀବନରେ l
"ଜାଇଫୁଲ କେରିକେରି ମଲ୍ଲି ଫୁଲେ ଗଭା l କୃଷ୍ଣ ଗଲେ ମଥୁରାକୁ ରାଧା ନବଯୁବା " l ହଁ ମଥୁରାକୁ ଯେତେ ବେଳେ କାହ୍ନା ଚାଲିଗଲେ ସେତେବେଳେ ପୂର୍ଣ୍ଣ ଯୌବନା ଯୁବତୀ ଥିଲେ ଶ୍ରୀମତୀ ରାଧିକା l ସେହି ଦିନରୁ ସେ କୃଷ୍ଣଙ୍କୁ ଝୁରିଝୁରି ବାକି ଜୀବନ କେବଳ କୃଷ୍ଣଙ୍କ ପ୍ରତୀକ୍ଷାରେ କଟାଇଲେ l
ଇଆଡ଼େ କଂସ ନିଧନ ପରେ, ଜରାସନ୍ଧର ସତର ବାର ତୀବ୍ର ଆକ୍ରମଣରେ ଅତିଷ୍ଠ ହୋଇ, ଶ୍ରୀକୃଷ୍ଣ ମଥୁରାବାସୀଙ୍କ ସୁରକ୍ଷାପାଇଁ ସମୁଦ୍ର ପରିବେଷ୍ଟିତ ଦ୍ୱାରିକାପୁର ନିର୍ମାଣକରି ସେଠାରେ ଦ୍ୱାରିକାଧୀଶ ବୋଲଇ ବାସ କଲେ l କାଳ କ୍ରମେ ତାଙ୍କ ବିବାହ ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ, କାଳିନ୍ଦୀ, ଭଦ୍ରା ନାଗ୍ନଜୀତ, ମିତ୍ରଵିନ୍ଦା ଓ ଲକ୍ଷ୍ମଣା ଆଦି ଅଷ୍ଟ ପାଟ ବଂଶୀଙ୍କ ସହ ସମ୍ପନ୍ନ ହେଲା l ବଳଦେବଙ୍କ ମଧ୍ୟ ରେବତୀଙ୍କ ସହ ବିବାହ ହୋଇଗଲା l
ଏପରି କୃଷ୍ଣ ଷୋଳହଜାର ଏକଶହ ଆଠ ରାଣୀ ବହୁ ପୁତ୍ରପୌତ୍ରଙ୍କ ସହ ଐଶ୍ୱର୍ଯ୍ୟମୟ ଦ୍ବାରାବତୀ ପୁରରେ ମହାନନ୍ଦରେ ବାସକଲେ l ଏପଟେ କିନ୍ତୁ
ସେ ଗୋପପୁର ପରିତ୍ୟାଗ କରି ଚାଲିଯିବା ପରେ ରାଧାଙ୍କ ଜୀବନ ବଡ଼ ଦୁଃସହ ହୋଇପଡ଼ି ଥିଲା l ଏହା ସତ୍ତ୍ୱେ ମଧ୍ୟ ତାଙ୍କ ଧ୍ୟାନଧାରଣାରେ ଶ୍ରୀକୃଷ୍ଣ ନିବାସ କରୁଥିଲେ l ଏହିପରି ଶ୍ରୀକୃଷ୍ଣଙ୍କ ଧ୍ୟାନ ଓ ବାଟ ଚାହିଁ ଚାହିଁ ଶ୍ରୀରାଧା ବାର୍ଦ୍ଧକ୍ୟରେ ଉପନୀତ ହୋଇଗଲେ ସିନା ତାଙ୍କର ଆଉ ପ୍ରିୟତମଙ୍କ ସହ ଦେଖା ହେଲା ନାହିଁ l
ଶ୍ରୀକୃଷ୍ଣଙ୍କ ସାକ୍ଷାତ ପାଇଁ ଶ୍ରୀରାଧାଙ୍କ ଅନ୍ତର ଅତି ବ୍ୟାକୁଳହେଉଥିଲା l ଦିନେ ପ୍ରିୟତମଙ୍କୁ ଭେଟିବା ପାଇଁ, ସେ ଦ୍ୱାରିକାରେ ଯାଇ ପହଞ୍ଚିଲେ l କୃଷ୍ଣଙ୍କ ବିବାହ ରୁକ୍ମିଣୀ, ସତ୍ୟଭାମା ଆଦି ପାଟବଂଶୀଙ୍କ ସହ ହୋଇ ଯାଇଥିବା ଜାଣି, ଆନନ୍ଦିତ ହେଲେ l ମାତ୍ର, ଏହା ତାଙ୍କ ମନରେ କୌଣସି ରେଖା ପାତ କରୁନଥିଲା, କାରଣ ସେ ଥିଲେ କୃଷ୍ଣପ୍ରାଣା, କୃଷ୍ଣ ସମର୍ପିତା ଓ କୃଷ୍ଣଙ୍କ ଠାରୁ ଅଭିନ୍ନ l
କୃଷ୍ଣ ଯେତେବେଳେ ଶ୍ରୀରାଧାଙ୍କୁ ଦେଖିଲେ, ତାଙ୍କ ଆନନ୍ଦର ଆଉ ସୀମା ରହିଲା ନାହିଁ l ଶ୍ରୀରାଧାଙ୍କ ପରି ତାଙ୍କ ହୃଦୟର ବ୍ୟାକୁଳତା ବନ୍ୟା ଉତ୍ଫୁଳିତ ନଦୀର ପ୍ଲାବନପ୍ରାୟ ବହିଗଲା l ଉଭୟେ ନିଜର ମନର ଭାଷାରେ ଦୀର୍ଘସମୟ ଧରି କଥାହେଲେ l ଶ୍ରୀକୃଷ୍ଣ ରାଧାରାଣୀଙ୍କୁ ଦେବୀ ସମ୍ମାନ ଦେଇ ନିଜ ପୁରରେ ସ୍ଥାନ ଦେଲେ l ରାଧା ସାରାଦିନ ଦ୍ଵାରକା ମହଲରେ ରହୁ ଥିଲେ ଓ ମହଲର ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ ଓ ଦୁହେଁ ପରସ୍ପରକୁ ଦର୍ଶନ କରି ଅମୋଦିତ ହେଉଥିଲେ l
ଶ୍ରୀରାଧାଙ୍କୁ କିନ୍ତୁ ଦ୍ୱାରିକାଧିଶଙ୍କ ଆଧ୍ୟାତ୍ମିକ ସାନ୍ନିଧ୍ୟ ମିଳିପାରୁ ନଥିବାରୁ, ସେ ନିଜକୁ ପ୍ରାଣ ଶୂନ୍ୟ ପରି ମନେ କରୁଥିଲେ l ମହଲରେ ସେ ଅଣ ନିଃଶ୍ୱାସୀ ବୋଧ କରୁଥିଲେ l ଶେଷରେ ଦିନେ ରାଧା କୃଷ୍ଣଙ୍କ ମହଲ ପରିତ୍ୟାଗ କରି ପଳାଇ ଆସିଲେ l ଯେଉଁ ଆଡ଼େ ପାଦ ତାଙ୍କୁ ବାଟକଢାଇନେଲା ସେ ସେଇ ଆଡ଼କୁ ଚାଲି ଚାଲି ଯାଇ ଏକ ନିଘଞ୍ଚ ଅରଣ୍ୟରେ ପହଞ୍ଚିଲେ l ସେଠାରେ ଏକ କୁଡ଼ିଆରେ ରହି ସେ ପ୍ରିୟତମ ଶ୍ରୀକୃଷ୍ଣଙ୍କ ସ୍ମରଣ କରିବାକୁ ଲାଗିଲେ l ଏମିତି ବହୁ ସମୟ ଅତିବାହିତ ହୋଇଗଲା l ଶ୍ରୀରାଧା ଅତି ମାତ୍ରାରେ, ଏକାକୀନି ହୋଇ ଯାଇ ଥିଲେ ଏଵଂ ବୟସାଧିକ୍ୟ କାରଣରୁ, ଦୂର୍ବଳ ମଧ୍ୟ ହୋଇପଡ଼ିଥିଲେ l ଶେଷ ସମୟ ଉପନୀତ ଜାଣି ଜୀବନ ଯିବା ପୂର୍ବରୁ, ଥରେ ମାତ୍ର ପ୍ରାଣ ପ୍ରୀୟଙ୍କ ଦର୍ଶନ ପାଇବା ପାଇଁ, ସେ ବ୍ୟାକୁଳିତ ହୋଇପଡ଼ି ଥିଲେ l ଭାବଗ୍ରାହୀ ଭଗବାନ ରାଧା ଖୋଜୁ ଥିବା ଜାଣି ପାରି ପ୍ରେୟସୀଙ୍କ ନିକଟରେ ପହଞ୍ଚିଗଲେ l ଦର୍ଶନ ଦେବା ପରେ, ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ କିଛି ମାଗିବା ପାଇଁ କହିଲେ l
କିନ୍ତୁ ସାରା ଜୀବନ ପ୍ରଭୁଙ୍କୁ ଅପେକ୍ଷା କରି ଅବଶ ହୋଇ ପଡ଼ିଥିବା ଶ୍ରୀରାଧା କିଛି ବି ମାଗି ପାରିଲେ ନାହିଁ l ଶ୍ରୀକୃଷ୍ଣଙ୍କ ବାଧ୍ୟରେ ରାଧା ଶେଷଥର ପାଇଁ ପ୍ରଭୁଙ୍କୁ କେବଳ, ସେହି ମୋହନ ବଂଶୀର ଅମୃତ ମୂର୍ଚ୍ଛନା ଟିକିଏ ଶୁଣାଇ ଦିଅନ୍ତୁ, କହିଲେ l ଶ୍ରୀକୃଷ୍ଣ ସଙ୍ଗେ ସଙ୍ଗେ ମୋହନ ବଂଶୀରେ ବିରହ ବିଧୁରା ମୂର୍ଚ୍ଛନା ତୋଳିଦେଲେ l ସେ ବଂଶୀ ବଜାଇବାରେ ଏମିତି ହଜିଗଲେ ଯେ, ଦିନଯାଇ ରାତି ହେବାକୁ ଲାଗିଲା l ଇଆଡ଼େ ଶ୍ରୀ ରାଧା କୃଷ୍ଣଙ୍କ ସେହି ମଧୁ ରାଗିଣୀ ଶୁଣୁ ଶୁଣୁ ଅନେକ ବେଳରୁ ଦେହତ୍ୟାଗ କରି ସାରିଥିଲେ l
ଶ୍ରୀକୃଷ୍ଣ ଯେତେବେଳେ ଜାଣିଲେ, ତାଙ୍କର ସେହି ଆଲ୍ହାଦ୍ଦିନୀ ପ୍ରେୟସୀ ଶ୍ରୀରାଧା ଆଉ ନାହାଁନ୍ତି ସେ ଅତି ଭାବାବେଶରେ ଭାଙ୍ଗିପଡ଼ିଲେ l ରାଧାକୃଷ୍ଣଙ୍କ ପ୍ରେମର ମାଧ୍ୟମ ତଥା ପ୍ରତୀକ ପ୍ରିୟତମ ମୋହନ ବଂଶୀକୁ ଶ୍ରୀକୃଷ୍ଣ ଖଣ୍ଡଖଣ୍ଡ କରି ଭାଙ୍ଗି ଅରଣ୍ୟକୁ ଫିଙ୍ଗିଦେଲେ l ସେହିଦିନ ଠୁଁ ଶ୍ରୀକୃଷ୍ଣ ଆଉ ତାଙ୍କ ଜୀବନରେ କେବେ ବଂଶୀ ବଜାଇ ନାହାଁନ୍ତି l କିନ୍ତୁ ଗୋଲୋକରେ ସଦା ସର୍ବଦା ପ୍ରଭୁଙ୍କ ବଂଶୀ ବାଜି ଚାଲିଛି l ସେହି ବଂଶୀର ତାନ ହିଁ ଜଗତର ପ୍ରାଣ ଓ ପ୍ରାଣର ସ୍ପନ୍ଦନ l
